ETV Bharat / state

ଭରାନଈରୁ ଉଦ୍ଧାର ହେଲେ ମା ଓ ଶିଶୁ

author img

By

Published : Aug 3, 2022, 8:15 PM IST

Updated : Aug 3, 2022, 9:18 PM IST

ଭରାନଈରୁ ଉଦ୍ଧାର ହେଲେ ମା ଓ ଶିଶୁ
ଭରାନଈରୁ ଉଦ୍ଧାର ହେଲେ ମା ଓ ଶିଶୁ

ନଦୀ ପାର୍ ହେବା ବେଳେ ହଠାତ୍ ମାଡି ଆସିଲା ବନ୍ୟାଜଳ । ଭରାନଈ ମଝିରେ ଫସିଗଲେ ମାଆ ଓ ତିନି ବର୍ଷର ପୁଅ । ଜାଣନ୍ତୁ ତା' ପରେ କ'ଣ ହେଲା

ରାୟଗଡା: କାଖରେ ତିନି ବର୍ଷର ପୁଅକୁ ଧରି ଜଙ୍ଗଲରୁ ଗାଁ ଆଡକୁ ଆସୁଥିଲେ ମହିଳା । ନଦୀ ପାର୍ ହେବା ବେଳକୁ ହଠାତ୍ ମାଡି ଆସିଲା ବନ୍ୟାଜଳ । ଚାହୁଁ ଚାହୁଁ ନଦୀ ଫୁଲିଗଲା । ଫଳରେ ଭରାନଦୀ ମଝିରେ ଫସିଗଲେ ମାଆ-ପୁଅ । ନଦୀର ପ୍ରବଳ ସ୍ରୋତ ମାଆ-ପୁଅଙ୍କୁ ଭସାଇ ନେଉଥିଲା । ସେପଟେ ନଈରେ ସୁଅ ଏତେ ପ୍ରଖର ଥିଲା ଯେ ଗାଈଗୋରୁ ଭାସି ଯାଉଥିବା ଦେଖିବାକୁ ମିଳିଥିଲା । ହେଲେ ସେଠାରେ ଥିବା ଏକ ବୁଦାକୁ ଧରି ସୁଅରୁ ବର୍ତ୍ତିବା ପାଇଁ ଆପ୍ରାଣ ଉଦ୍ୟମ କରୁଥିଲେ ମହିଳା ଜଣକ । ଏହିସମୟରେ ସ୍ଥାନୀୟ ଲୋକେ ମହିଳାଙ୍କ ନିକଟକୁ ଦଉଡି ଫିଙ୍ଗି ଥିଲେ ମହିଳା ଜଣକ ଦଉଡି ଧରି ରକ୍ଷା ପାଇ ଯାଇଥିଲେ । ଶେଷରେ ୩ ଘଣ୍ଟା ପରେ ମହିଳାଙ୍କୁ ମୃତ୍ୟୁମୁଖରୁ ଉଦ୍ଧାର କରିଥିଲେ ସ୍ଥାନୀୟ ଯୁବକ । ରାୟଗଡ଼ା ଜିଲ୍ଲା ସଦର ବ୍ଳକର କୁମ୍ବିକୋଟା ପଞ୍ଚୟତ ପୁଞ୍ଜାପାଇ ଗ୍ରାମରୁ ସାମ୍ନାକୁ ଆସିଛି ଏଭଳି ଛାତିଥରା ଘଟଣା ।

ଭରାନଈରୁ ଉଦ୍ଧାର ହେଲେ ମା ଓ ଶିଶୁ

ସୂଚନାଯୋଗ୍ୟ, ଗତ ରବିବାର ପୁଞ୍ଜାପାଇ ଗ୍ରାମର ନନ୍ଦିନୀ କାଡ୍ରାକା ତାଙ୍କର ୩ ବର୍ଷର ଶିଶୁପୁତ୍ର ସହ ନଦୀ ଆରପଟ ଜଙ୍ଗଲକୁ ଯାଇଥିଲେ । ସେଠାରୁ ନଦୀ ପାର୍ ହୋଇ ଫେରିବା ବେଳକୁ ହଠାତ୍ ଉପର ମୁଣ୍ଡରୁ ବନ୍ୟା ଆସିବା ଯୋଗୁଁ ନଦୀର ଜଳସ୍ତର ବଢ଼ିଗଲା । ଫଳରେ ନଦୀ ମଝିରେ ଉଭୟ ମାଆ-ପୁଅ ଫସି ଯାଇଥିଲେ । ନଦୀ ପାଣି ଉଭୟଙ୍କୁ ଭସେଇ ନେଇଯାଉଥିଲା । ସୌଭାଗ୍ୟବଶତଃ ନଦୀ ମଝିରେ ଥିବା ଏକ ବୁଦାକୁ ଧରି ଚିତ୍କାର କରିଥିଲେ ମହିଳା ଜଣକ । ଚିତ୍କାର ଶୁଣି ଗ୍ରାମର କିଛି ଯୁବକ ମାଆ ଓ ଶିଶୁପୁତ୍ରକୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ପାଇଁ ପ୍ରୟାସ କରିଥିଲେ ।

ଶେଷରେ ୩ ଘଣ୍ଟାର କସରତ ପରେ ମାଆ-ପୁଅଙ୍କୁ ଭରାନଈରୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା । ସ୍ଥାନୀୟ ଯୁବକମାନଙ୍କ ଏଭଳି ସାହାସିକତା ଯୋଗୁଁ ଦୁଇଟି ଜୀବନ ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତି ଯାଇଛି । ଏନେଇ ସେମାନଙ୍କୁ ଚାରିଆଡେ ପ୍ରଶଂସା କରାଯାଉଛି ।

ଇଟିଭି ଭାରତ, ରାୟଗଡା

Last Updated :Aug 3, 2022, 9:18 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.