ETV Bharat / state

ବିକାଶ ହେବ ରାୟଗଡାର ପର୍ଯ୍ୟଟନ କ୍ଷେତ୍ର, ଆକୃଷ୍ଟ ହେବେ ପର୍ଯ୍ୟଟକ

author img

By ETV Bharat Odisha Team

Published : Jan 14, 2024, 10:05 PM IST

Updated : Jan 14, 2024, 10:15 PM IST

ବିକାଶ ହେବ ରାୟଗଡାର ପର୍ଯ୍ୟଟନ କ୍ଷେତ୍ର
ବିକାଶ ହେବ ରାୟଗଡାର ପର୍ଯ୍ୟଟନ କ୍ଷେତ୍ର

Rayagada Tourism Place development: ରାଜ୍ୟ ସରକାରଙ୍କ ନଜର ରାୟଗଡା ପର୍ଯ୍ୟଟନ କ୍ଷେତ୍ର ବିକାଶ ଉପରେ । ଜିଲ୍ଲାରେ ପର୍ଯ୍ୟଟନର ବିକାଶ ପାଇଁ ଅନୁଦାନ ଘୋଷଣା କରିଛନ୍ତି ରାଜ୍ୟ ସରକାର । ଅଧିକ ପଢ଼ନ୍ତୁ

ବିକାଶ ହେବ ରାୟଗଡାର ପର୍ଯ୍ୟଟନ କ୍ଷେତ୍ର

ରାୟଗଡା: ପ୍ରାକୃତିକ ସୌନ୍ଦର୍ଯ୍ୟ ତଥା ପର୍ଯ୍ୟଟନ ଓ ଐତିହ୍ୟ ସ୍ଥଳୀରେ ଭରା ରାୟଗଡ଼ା ଜିଲ୍ଲା । ଜିଲ୍ଲାର କୋଣ ଅନୁକୋଣରେ ରହିଥିବା ସୁନ୍ଦର ସବୁଜିମା ଭରା ଜଙ୍ଗଲ, ଚିରସ୍ରୋତା ନଦୀ, ଜଳପ୍ରପାତ ଓ ଝରଣା ଆଦି ରାୟଗଡ଼ାର ସୌନ୍ଦର୍ଯ୍ୟକୁ ଦୁଇଗୁଣିତ କରିଥାଏ । କିନ୍ତୁ ଜିଲ୍ଲାରେ ବିକାଶର ବାସ୍ନା ନଥିବାରୁ ଅବହେଳିତ ଅବସ୍ଥାରେ ରହିଥିଲା ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ । ଫଳରେ ପର୍ଯ୍ୟଟନ କ୍ଷେତ୍ରର ଅଭିବୃଦ୍ଧି ଦିଗରେ ପାଚେରୀ ଉଠିଥିଲା । କିନ୍ତୁ ଏବେ ରାଜ୍ୟ ସରକାରଙ୍କ ନଜର ରାୟଗଡା ପର୍ଯ୍ୟଟନ କ୍ଷେତ୍ର ବିକାଶ ଉପରେ । ଜିଲ୍ଲାରେ ପର୍ଯ୍ୟଟନର ବିକାଶ ପାଇଁ ଅନୁଦାନ ଘୋଷଣା କରିଛନ୍ତି ରାଜ୍ୟ ସରକାର ।

ଜିଲ୍ଲାକୁ ରାଜ୍ୟ ତଥା ଜାତୀୟ ଓ ଅନ୍ତର୍ଜାତୀୟ ପର୍ଯ୍ୟଟକଙ୍କ ସୁଅ ଛୁଟିବ । ଜିଲ୍ଲାର ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ରାଜ୍ୟ ସରକାର ୩ କୋଟି ୪୪ ଲକ୍ଷ ୨୯ ହଜାର ଟଙ୍କା ଅନୁଦାନ ମଞ୍ଜୁର କରିଛନ୍ତି । ରାୟଗଡ଼ା ସହରଠାରୁ କିଛି ଦୂରରେ ରହିଥିବା ପର୍ଯ୍ୟଟନ ସ୍ଥଳକୁ ଶୀତଋତୁରେ ରାଜ୍ୟ ଓ ରାଜ୍ୟ ବାହାରୁ ବହୁ ପର୍ଯ୍ୟଟକ ପିକନିକ୍ ପାଇଁ ଆସିଥାନ୍ତି । ତାହାର ବିକାଶ ହେଉନଥିବାରୁ ପର୍ଯ୍ୟଟକ ସେଠାକୁ ଯିବାକୁ ପସନ୍ଦ କରୁନଥିବା ନଜର ରହିଥିଲା । ଏଣୁ ରାଜ୍ୟ ସରକାର ଏଥିପ୍ରତି ଦୃଷ୍ଟି ଦେଇ ଜିଲ୍ଲାରେ ରହିଥିବା ବିଭିନ୍ନ ପର୍ଯ୍ୟଟନ ସ୍ଥଳୀଗୁଡ଼ିକର ବିକାଶ ପାଇଁ ପଦକ୍ଷେପ ଗ୍ରହଣ କରିଛନ୍ତି । ବିକାଶ ଅନୁଦାନରେ ଉପକଣ୍ଠ ଦୁମାଗୁଡ଼ା ନିକଟରେ ରହିଥିବା ଭ୍ୟୁ ପଏଣ୍ଟଠାରେ ମିଶନଶକ୍ତି କାଫେଟେରିଆ, ହଲୁଆଠାରୁ ଗୁମ୍ମା ପର୍ଯ୍ୟନ୍ତ ବୋହିଥିବା ଚିରସ୍ରୋତା ଝଞ୍ଜାବତି ନଦୀ ଉପକୂଳର ସୌନ୍ଦର୍ଯ୍ୟକରଣ, ଦୁର୍ଗାପାଡ଼ୁ ଜଳପ୍ରପାତର ସୌନ୍ଦର୍ଯ୍ୟକରଣ, ବିଷମକଟକ ବ୍ଲକର ଚାଟିକଣା ନିକଟସ୍ଥ ନିୟମଗିରି ପାହାଡ଼ରେ ବୋହୁଥିବା ଉପର ଗଦଗଦା ଜଳପ୍ରପାତ ସୌନ୍ଦର୍ଯ୍ୟକରଣ ସହ ପର୍ଯ୍ୟଟକଙ୍କୁ ଆକୃଷ୍ଟ କଲା ଭଳି ଆନୁଷଙ୍ଗିକ ବ୍ୟବସ୍ଥା, ସିଲଟିଗୁଡ଼ା ଡ୍ୟାମର ସୌନ୍ଦର୍ଯ୍ୟକରଣ ପାଇଁ ଅନୁଦାନ ଘୋଷଣା କରିଛନ୍ତି ରାଜ୍ୟ ସରକାର । ଫଳରେ ରାଜ୍ୟ ତଥା ରାଜ୍ୟ ବାହାରୁ ଏଠାକୁ ପର୍ଯ୍ୟଟକଙ୍କ ସୁଅ ଛୁଟିବ ।

ଏହା ମଧ୍ୟ ପଢ଼ନ୍ତୁ.......ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ଡୋକରୀ ଚଞ୍ଚରା, ପର୍ଯ୍ୟଟକଙ୍କୁ କରୁଛି ଆକର୍ଷିତ

ତେବେ ଅବହେଳିତ ସ୍ଥିତିରେ ମଧ୍ୟ ମିଶନ ଶକ୍ତି ମହିଳାମାନେ ମାଛ ଚାଷ କରି ଉପକୃତ ହୋଇଛନ୍ତି । ଏବେ ବିକାଶ ପରେ ଅଧିକ ମାତ୍ରାରେ ମାଛ ଚାଷ ହୋଇପାରିବା ସହ ଜିଲ୍ଲାରେ ପର୍ଯ୍ୟଟନ କ୍ଷେତ୍ରର ବିକାଶ ହେବ । ସ୍ଥାନୀୟ ବାସିନ୍ଦା ବ୍ୟବସାୟ କରି ସ୍ବାବଲମ୍ବୀ ହୋଇପାରିବା ସହ ଆର୍ଥିକ ଅଭିବୃଦ୍ଧି ଘଟିବ ବୋଲି ପ୍ରକାଶ କରିବା ସହ ରାଜ୍ୟ ସରକାର ଜିଲ୍ଲାର ପର୍ଯ୍ୟଟନ କ୍ଷେତ୍ର ବିକାଶ ପଦକ୍ଷେପ ଗ୍ରହଣ କରିଥିବାରୁ ଧନ୍ୟବାଦ ଜଣେଇଛନ୍ତି ସ୍ଥାନୀୟ ବାସିନ୍ଦା । ତେବେ ଜିଲ୍ଲାରେ ଅନେକ ପର୍ଯ୍ୟଟନ ସ୍ଥଳ ବିକାଶର ଅପେକ୍ଷାରେ ରହିଛି । ବର୍ତ୍ତମାନ ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗ ପକ୍ଷରୁ ଆସିଥିବା ଅନୁଦାନରେ ବିକାଶ ହେବ । ଏଗୁଡିକର ବିକାଶ ହେବା ପରେ ପୁଣି ଅନୁଦାନ ଆଶା ରଖାଯାଇଥିବା ପ୍ରକାଶ କରିଛନ୍ତି ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ଭଗବାନ ଖରା ।

ଇଟିଭି ଭାରତ, ରାୟଗଡ଼ା

Last Updated :Jan 14, 2024, 10:15 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.