ETV Bharat / state

ବାହାର ରାଜ୍ୟକୁ ଗଞ୍ଜେଇ ଚାଲାଣର ମାଧ୍ୟମ ପାଲଟିଛି ରାୟଗଡା ଷ୍ଟେସନ, ଧରାପଡିଲେ ପଶ୍ଚିମବଙ୍ଗ ମହିଳା

author img

By

Published : Jul 27, 2023, 12:40 PM IST

cannabis seized from rayagada railway station
cannabis seized from rayagada railway station

ଗଞ୍ଜେଇ ଚୋରାଚାଲାଣରେ ପ୍ରମୁଖ ମାଧ୍ୟମ ସାଜିଛି ରେଳ ପଥ । ରାୟଗଡା ରେଳ ଷ୍ଟେସନରୁ 7 ଲକ୍ଷ ଟଙ୍କାର ଗଞ୍ଜେଇ ଜବତ କଲା ଅବକାରୀ ବିଭାଗ। ଅଧିକ ପଢନ୍ତୁ

cannabis seized from rayagada railway station

ରାୟଗଡା: ଓଡିଶାରୁ ବାହାର ରାଜ୍ୟକୁ ହେଉଛି ଗଞ୍ଜେଇ ଚୋରାଚାଲଣ । ଏଥିପାଇଁ ପ୍ରମୁଖ ମାଧ୍ୟମ ପାଲଟିଛି ରାୟଗଡା ରେଳ ଷ୍ଟେସନ । ଗଜପତିରୁ ଗଞ୍ଜେଇ ଆଣି ଟ୍ରେନ ମାଧ୍ୟମରେ ପଶ୍ଚିମବଙ୍ଗକୁ ପଠାଇବାର ଯୋଜନା କରାଯାଇଥିଲା । କିନ୍ତୁ ସୂଚନା ପାଇ ଅତର୍କିତ ଭାବେ ମାଡି ବସିଲା ଅବକାରୀ ବିଭାଗ । 66 କେଜି ଗଞ୍ଜେଇ ଜବତ ସହ 3 ଜଣଙ୍କୁ ଗିରଫ କରାଯାଇଛି । ସେମାନଙ୍କ ମଧ୍ୟରୁ ମୋହନାରୁ ଦୁଇ ଜଣ ଯୁବକ ରହିଥିବା ବେଳେ ପଶ୍ଚିମବଙ୍ଗର ଜଣେ ମହିଳା ରହିଛନ୍ତି । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ସାତ ଲକ୍ଷ ହେବ ବୋଲି ସୂଚନା ଦେଇଛନ୍ତି ଅବକାରୀ ଅଧିକ୍ଷକ ଅଭିରାମ ବେହେରା ।

ଗଜପତିରୁ ଗଞ୍ଜେଇ ଆଣି ବୁଧବାର ସକାଳ ସମୟରେ ପଶ୍ଚିମବଙ୍ଗର ହାତିଆକୁ ରେଳ ଯୋଗେ ଚୋରାଚାଲାଣ ପାଇଁ ଯୋଜନା କରାଯାଇଥିଲା । ଦୁଇ ଜଣ ଯୁବକ ଓ ଜଣେ ମହିଳା ଗଞ୍ଜେଇ ଧରି ରେଳ ଷ୍ଟେସନରେ ଛିଡା ହୋଇଥିଲେ । ଏନେଇ ଖବର ପାଇ ଆରପିଏଫ ପୋଲିସ ସହଯୋଗରେ ଅବକାରୀ ବିଭାଗ ରେଳ ଷ୍ଟେସନରେ ପହଞ୍ଚି ଗଞ୍ଜେଇ ଜବତ କରିବା ସହ ତିନି ଜଣଙ୍କୁ ଗିରଫ କରିଥିଲା ।

ଏହା ମଧ୍ୟ ପଢନ୍ତୁ-କୋରାପୁଟରେ ମାତିଛନ୍ତି ଗଞ୍ଜେଇ ମାଫିଆ, ଚଢାଉ ସମୟରେ ଅବକାରୀ ଅଧିକାରୀଙ୍କ ଉପରେ ଆକ୍ରମଣ

ଅବକାରୀ ଅଧିକ୍ଷକ ଅଭିରାମ ବେହେରା କହିଛନ୍ତି ଯେ, ଦିନକୁ ଦିନ ଗଞ୍ଜେଇ ଚୋରାଚାଲାଣ ବୃଦ୍ଧି ହେବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ପୋଲିସ, ଅବକାରୀ ବିଭାଗ, ରେଲୱେ ଓ ଫରେଷ୍ଟ ଡିପାର୍ଟମେଣ୍ଟ ଆଲର୍ଟ ରହିଛନ୍ତି । ଆରପିଏଫର ସହଯୋଗରେ ସଦର ଇନସ୍ପେକ୍ଟର, ମୋବାଇଲ ଇନସ୍ପେକ୍ଟର ହିତାଶୁଂ ଓ ଡେପୁଟି ସୁପରଟେଣ୍ଡଣ୍ଟଙ୍କ ତତ୍ତ୍ବାବଧାନରେ ବୁଧବାର ସକାଳ ସମୟରେ ରାୟଗଡା ଷ୍ଟେସନରୁ 66 କେଜିରୁ ଊର୍ଦ୍ଧ୍ବ ଗଞ୍ଜେଇ ଜବତ କରାଯାଇଥିଲା । ଏହି ଘଟଣାରେ ମୋହନାରୁ ଦୁଇ ଜଣ ଯୁବକ ଓ ପଶ୍ଚିମବଙ୍ଗରୁ ଜଣେ ମହିଳାଙ୍କୁ ଗିରଫ କରାଯାଇଛି । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ସାତ ଲକ୍ଷ ହେବ ।

ଅନ୍ୟପଟେ ବେଆଇନ ଗଞ୍ଜେଇ କାରବାରରେ ସମ୍ପୃକ୍ତ ଅଭିଯୋଗରେ ସ୍ୱତନ୍ତ୍ର ସ୍କ୍ୱାର୍ଡ଼ ଦ୍ୱାରା ଧରାପଡ଼ିଥିବା ଅବକାରୀ କନେଷ୍ଟବଳ ଦୀପକ ପାଣିଗ୍ରାହୀଙ୍କୁ ଚାକିରିରୁ ବହିଷ୍କୃତ ନେଇ ଓଡ଼ିଶା ଅବକାରୀ କମିଶନର ଚିଠି ଜାରି କରିଛନ୍ତି । ମାର୍ଚ୍ଚ 12 ତାରିଖରେ ସ୍ୱତନ୍ତ୍ର ସ୍କ୍ୱାର୍ଡ଼ କସ୍ତୁରୀ ନଗର ପଞ୍ଚମମ ଲାଇନ ସ୍ଥିତ ଏକ ଘରେ ଅବକାରୀ କନେଷ୍ଟବଳ ଦୀପକ ପାଣିଗ୍ରାହୀ ବେଆଇନ ଭାବେ ଗଞ୍ଜେଇ ରଖିଥିବା ଖବର ମିଳିଥିଲା । ଏହାପରେ ଅଚାନକ ଚଢାଉ କରାଯିବାରୁ ସେଠାରୁ 42 କେଜି 250 ଗ୍ରାମ ଗଞ୍ଜେଇ ଜବତ ହୋଇଥିଲା । ଏହାପରେ ଦୀପକଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯିବା ସହ କାର୍ଯ୍ୟରୁ ନିଲମ୍ବିତ କରାଯାଇଥିଲା । ତେବେ ରାୟଗଡ଼ା ପୋଲିସ, ଅବକାରୀ ବିଭାଗର ତଦନ୍ତ ରିପୋର୍ଟ ସମେତ ଜିଲ୍ଲାପାଳଙ୍କ ରିପୋର୍ଟକୁ ଆଧାର କରି ଅବକାରୀ କମିଶନର ନରସିଂହ ଭୋଳ ଦୀପକ ପାଣିଗ୍ରାହୀଙ୍କୁ କାର୍ଯ୍ୟରୁ ବହିଷ୍କୃତ କରିଥିବା ଜଣାପଡ଼ିଛି ।

ଇଟିଭି ଭାରତ, ରାୟଗଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.