ETV Bharat / state

ରାୟଗଡାରେ ଋଷୀୟ ପର୍ଯ୍ୟଟକଙ୍କ ମୃତ୍ୟୁ: ଭୁବନେଶ୍ୱର ପହଁଞ୍ଚିଲେ ଋଷିୟ ନାଗରିକ ଓ ଗାଇଡ

author img

By

Published : Dec 27, 2022, 10:24 PM IST

ଋଷୀୟ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟଣାର ତଦନ୍ତ ଭାର ନେଲା କ୍ରାଇମବ୍ରାଞ୍ଚ
ଋଷୀୟ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟଣାର ତଦନ୍ତ ଭାର ନେଲା କ୍ରାଇମବ୍ରାଞ୍ଚ

ରାୟଗଡାରେ ଋଷୀୟ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟଣାର ତଦନ୍ତ ଭାର ଗ୍ରହଣ କଲା କ୍ରାଇମବ୍ରାଞ୍ଚ । ଏନେଇ ଋଷୀୟ ନାଗରିକଙ୍କ ପାଖରେ ଥିବା ଅନ୍ୟ ଦମ୍ପତିଙ୍କ ସହ ସେମାନଙ୍କର ଗାଇଡଙ୍କୁ ଆଣି ଭୁବନେଶ୍ୱରରେ ପହଞ୍ଚିଛି କ୍ରାଇମବ୍ରାଞ୍ଚ ଟିମ୍ । ଅଧିକ ପଢ଼ନ୍ତୁ

ଭୁବନେଶ୍ବର: ରାୟଗଡାରେ ଋଷୀୟ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟଣା । ସମ୍ପୂର୍ଣ୍ଣ ଭାବେ ତଦନ୍ତ ଭାର ଗ୍ରହଣ କଲା କ୍ରାଇମବ୍ରାଞ୍ଚ । ଦୁଇ ଦୁଇ ଜଣ ଋଷୀୟ ପର୍ଯ୍ୟଟକଙ୍କର ସନ୍ଦେହଜନକ ମୃତ୍ୟୁ ଘଟଣାରେ ଆରମ୍ଭ ହୋଇଛି କ୍ରାଇମବ୍ରାଞ୍ଚ ଟିମର ତଦନ୍ତ । ଏନେଇ ଋଷୀୟ ନାଗରିକଙ୍କ ପାଖରେ ଥିବା ଅନ୍ୟ ଦମ୍ପତିଙ୍କ ସହ ସେମାନଙ୍କର ଗାଇଡଙ୍କୁ ଆଣି ଭୁବନେଶ୍ୱରରେ ପହଞ୍ଚିଛି କ୍ରାଇମବ୍ରାଞ୍ଚ ଟିମ୍ ।

ଋଷୀୟ ପର୍ଯ୍ୟଟକଙ୍କ ଗାଇଡ ଜିତେନ୍ଦ୍ର ସିଂହଙ୍କ ସହ ଅନ୍ୟ ଋଷୀୟ ଦମ୍ପତିଙ୍କୁ ସ୍ବତନ୍ତ୍ର ସୁରକ୍ଷାରେ ଭୁବନେଶ୍ୱରକୁ ଅଣାଯାଇଛି । ଏଠାରେ ସେମାନଙ୍କୁ ପଚରାଉଚରା କରିବ କ୍ରାଇମବ୍ରାଞ୍ଚ ଟିମ । ଗାଇଡ କେବେଠୁ କେବେ ଯାଏଁ ସେମାନଙ୍କ ସହ ଯୋଗାଯୋଗରେ ଥିଲେ,‌ କେଉଁ କେଉଁ ସ୍ଥାନକୁ ଯାଇଥିଲେ, କେଉଁ ପରିସ୍ଥିତିରେ ଜନ୍ମଦିନ ପାଳନ ବେଳେ ମୃତ୍ୟୁ ହେଲା, କଣ ଥିଲା ସେ ସମୟର ପାରିପାର୍ଶ୍ଵିକ ସ୍ଥିତି ଏଭଳି ତମାମ ପ୍ରଶ୍ନର ଉତ୍ତର ଖୋଜୁଛି ତଦନ୍ତକାରୀ ସଂସ୍ଥା । ତେବେ ଘଟଣାରେ ପ୍ରଥମେ ରାୟଗଡ଼ା ପୋଲିସ ତଦନ୍ତ ଆରମ୍ଭ କରିଥିବା ବେଳେ ତଦନ୍ତରେ ସହଯୋଗ ପାଇଁ କ୍ରାଇମବ୍ରାଞ୍ଚକୁ ନିର୍ଦ୍ଦେଶ ଦେଇଥିଲେ ଓଡ଼ିଶା ପୋଲିସ ମହାନିର୍ଦ୍ଦେଶକ ସୁନୀଲ ବଂଶଲ । ତେବେ ତଦନ୍ତର ଗୁରୁତ୍ବକୁ ଦୃଷ୍ଟିରେ ରଖି ସମ୍ପୂର୍ଣ୍ଣ ତଦନ୍ତ ଭାର କ୍ରାଇମବ୍ରାଞ୍ଚକୁ ଦିଆଯାଇଥିବା ଜଣାପଡ଼ିଛି ।

ସୂଚନା ଅନୁସାରେ ଗତ ଡିସେମ୍ବର ୨୨ ତାରିଖ (ଗୁରୁବାର) ରାୟଗଡ଼ା ଜିଲ୍ଲା ବୁଲିବା ପାଇଁ ଆସିଥିବା ଜଣେ ଋଷିଆ ପର୍ଯ୍ୟଟକ ଭ୍ଲାଦିମିର ବିଦାନୋଭଙ୍କର ସନ୍ଦେହଜନକ ମୃତ୍ୟୁ ଘଟିଥିଲା । ଗତ ଡିସେମ୍ବର ୨୧ ତାରିଖ ଦିନ ସେ ଅନ୍ୟ ୪ ଜଣ ପର୍ଯ୍ୟଟକଙ୍କ ସହ ଦାରିଙ୍ଗବାଡ଼ିଠାରୁ ରାୟଗଡ଼ା ଆସିଥିଲେ । ତେବେ ଅତ୍ୟଧିକ ମଦ୍ୟପାନ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା ଗାଇଡ ଜିତେନ୍ଦ୍ର ସିଂହ ସନ୍ଦେହ ପ୍ରକାଶ କରିଥିଲେ । କିନ୍ତୁ ମୃତଦେହ ବ୍ୟବଚ୍ଛେଦ ପରେ ହୃଦଜନିତ ସମସ୍ୟାରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଥିଲା ।

ଏହାପରେ ତାଙ୍କ ସହ ଋଷିଆରୁ ଆସିଥିବା ଅନ୍ୟଜଣେ ପର୍ଯ୍ୟଟକ ଆଣ୍ଟୋନା ପାଭେଲ ହୋଟେଲ ସାଇ ଇଣ୍ଟରନ୍ୟାସନାଲରେ ରହୁଥିଲେ । କିନ୍ତୁ ୨୪ ତାରିଖ (ଶନିବାର) ଦିନ ସେ ରହୁଥିବା ରୁମ୍‌ରେ ଖୋଜାଖୋଜି କରିବା ସମୟରେ ତାଙ୍କର ଦେଖା ମିଳିନଥିଲା । ହୋଟେଲ କର୍ମଚାରୀଙ୍କ ସମେତ ଗାଇଡ୍ ସାରା ହୋଟେଲ ଖୋଜିବା ପରେ ଋଷୀୟ ପର୍ଯ୍ୟଟକ ଜଣକ ସେଠାରେ ଥିବା ଏକ ନିର୍ମାଣଧୀନ କୋଠା ତଳେ ପଡିଥିବାର ଦେଖିବାକୁ ମିଳିଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ପାଭେଲ ରୁଷିଆର ଜଣେ ପୂର୍ବତନ ସାଂସଦ ବୋଲି ଜଣାପଡିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.