ETV Bharat / state

କଅଁଳ ବୟସରେ ମାଡି ବସିଛି ଅଜଣା ରୋଗ, ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ

author img

By

Published : Oct 29, 2022, 10:09 AM IST

child affected with unknown disease family seek financial assistance in rayagada
କଅଁଳ ବୟସରେ ଅଜଣା ରୋଗ, ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ

ବାପା ମାଆଙ୍କ ଏକମାତ୍ର ପୁଅ । ଆଶାଥିଲା ପାଠ ପଢ଼ି ବଡ଼ ମଣିଷ ହୋଇ ବାପାମାଆଙ୍କ ଦୁଃଖ ଲାଘବ କରିବ । ହେଲେ ବିଧିର ବିଧାନ କିଛି ଅଲଗା ଥିଲା । ପାଠପଢ଼ିବା ଖେଳିବା ସମୟରେ ଅଜଣା ରୋଗରେ ଆକ୍ରାନ୍ତ ହୋଇ ଦୀର୍ଘ 6 ହେବ ବିଛଣାରେ ବିତୁଛି ଜୀବନ । ଅଧିକ ପଢ଼ନ୍ତୁ

ରାୟଗଡ଼ା: ପାଠ ପଢ଼ିବା ଖେଳିବା ବୟସରେ ବିଛଣାରେ ବିତୁଛି ଜୀବନ । ଅଜଣା ରୋଗରେ ପୀଡିତ ହୋଇ ଦୁଇ ଗୋଡ ଅକାମୀ ହୋଇଯାଇଛି । ହେଲେ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ । ଦଇବର ଦାଉ ଆଗରେ ଅସହାୟ ହୋଇ ପଡିଛନ୍ତି ବାପାମାଆ । ରାୟଗଡ଼ା ଜିଲ୍ଲା ଗୁଣପୁର ବ୍ଲକର ଡମ୍ବସରା ପଞ୍ଚାୟତ ଝିଙ୍କିରିସାହିର ବାଳକ ବିଭୂତି ଶବର ଅଜଣା ରୋଗରେ ଆକ୍ରାନ୍ତ ହୋଇ ଦୀର୍ଘ 6 ବର୍ଷ ହେଲା ବିଛଣାରେ ପଡିରହିଛନ୍ତି ।

ବୟସ ମାତ୍ର ୧୬, ହେଲେ ବିଧାତା ଦେଇଛି ଅସହ୍ୟ କଷ୍ଟ । ପଞ୍ଚମ ଶ୍ରେଣୀ ଅଧ୍ୟୟନ ବେଳେ ଅଜଣା ରୋଗରେ ପୀଡିତ ହୋଇଥିଲେ । ସେ ଦିନ ଠାରୁ ପରିବାର ଲୋକେ ବିଭିନ୍ନ ମେଡିକାଲରେ ଚିକିତ୍ସା କରାଇଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ଭିନ୍ନକ୍ଷମ ହୋଇ ରହିଛନ୍ତି । ପାଠପଢିବାକୁ ପ୍ରବଳ ଇଚ୍ଛା ଥିଲେ ମଧ୍ୟ ଗୋଡ ଦୁଇଟି ଅକାମୀ ହୋଇ ପଡିଥିବାରୁ ଶିକ୍ଷା ସପ୍ନ ପାଲଟି ଯାଇଛି । ଗୋଟିଏ ପଟେ ଦାରିଦ୍ରତା ଓ ଅନ୍ୟପଟେ ଶିକ୍ଷାରୁ ବଞ୍ଚିତ ସାଙ୍ଗକୁ ସ୍ୱାସ୍ଥ୍ୟ ସମସ୍ୟାରେ ଜୁଝି ହେଉଛନ୍ତି ବାଳକ । ବାପା ମୀନକେତନ ଶବରଙ୍କ ଏକମାତ୍ର ପୁତ୍ର ଅଟନ୍ତି ବିଭୂତି । ତାଙ୍କର ଆଉ ଜଣେ ଭଉଣୀ ମଧ୍ୟ ଅଜଣା ରୋଗରେ ପଡି ମୃତ୍ୟୁବରଣ କରିଥିବାବେଳେ ବିଭୂତି ହିଁ ଏକମାତ୍ର ବାପାମାଆଙ୍କ ସାହାଭରସା । ବିଭୂତିଙ୍କ ବାପାମାଆ ଦିନ ମଜୁରିଆ କାମ କରି ପରିବାର ଚଳାନ୍ତି । ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ନଥିବାରୁ ପ୍ରଥମ ଶ୍ରେଣୀରୁ ପଞ୍ଚମ ଶ୍ରେଣୀ ମାମୁଁ ଘର ପଦ୍ମପୁର ବ୍ଲକ ଗୁଡିଆବନ୍ଧ ପ୍ରାଥମିକ ବିଦ୍ୟାଳୟରେ ଅଧ୍ୟୟନ କରୁଥିଲେ ବିଭୂତି । ସେ ବିଦ୍ୟାଳୟରେ ଜଣେ ମେଧାବୀ ଛାତ୍ର ଥିଲେ । ପଞ୍ଚମ ଶ୍ରେଣୀ ଅଧ୍ୟୟନ ସମୟରେ ହଠାତ ଗୋଡ,ହାତ ବିନ୍ଧା ହୋଇଯାଇଥିଲା ।

ପରିବାର ଲୋକେ ପ୍ରଥମେ ଗୁଣପୁର ତାପରେ ବ୍ରହ୍ମପୁର ମେଡିକାଲରେ ଭର୍ତ୍ତି କରିଥିଲେ । ଅର୍ଥର ଅଭାବ ଯୋଗୁଁ ଚିକିତ୍ସା ହୋଇପାରିନାହିଁ। ରୋଗ ପ୍ରଭାବରେ ବିଭୂତିଙ୍କ ଅଣ୍ଟାରୁ ଗୋଡ ଯାଏଁ ସରୁ ହୋଇ ଆସୁଛି । ଏନେଇ ବାରମ୍ବାର ସ୍ଥାନୀୟ ପ୍ରଶାସନ ଓ ଲୋକପ୍ରତିନିଧିଙ୍କୁ ଅବଗତ କରିଥିଲେ ସୁଦ୍ଧା ଚିକିତ୍ସା ନିମନ୍ତେ କୌଣସି ସହାୟତା ପ୍ରଦାନ କରାଯାଇନଥିବା ସେମାନେ କହିଛନ୍ତି । ଯାହା ଫଳରେ ଚିକିତ୍ସା କରିବାରେ ସକ୍ଷମ ହୋଇନପାରି ପୁଅକୁ ଘରେ ପକାଇ ରଖିଛନ୍ତି । ପୁଅର ଏଭଳି ଅବସ୍ଥା ଯୋଗୁଁ ଦୁଃଖରେ ଭାଙ୍ଗି ପଡିଛନ୍ତି ପରିବାର ଲୋକେ । ପ୍ରଶାସନ ପକ୍ଷରୁ ଭିନ୍ନକ୍ଷମ ଭତ୍ତା ମଧ୍ୟ ପ୍ରଦାନ କରାଯାଉନାହିଁ । କେବଳ ଗୋଟିଏ ହୁଇଲ ଚେୟାର ପ୍ରଦାନ କରି ହାତ ଟେକି ଦେଇଛି ପ୍ରଶାସନ । କିନ୍ତୁ ତାହାକୁ ଚଳାଇବା ମଧ୍ୟ ବିଭୂତିଙ୍କ ପାଇଁ ସମ୍ଭବପର ହେଉନାହିଁ ।

ଏହା ମଧ୍ୟ ପଢ଼ନ୍ତୁ: ଜନନୀ ଯନ୍ତ୍ରଣା, ବାଇକରେ ବୁହାହେଲେ ଗର୍ଭବତୀ

ବିଭୁତି ଚାହୁଁଛନ୍ତି ସେ ପାଠପଢି ନିଜେ ମଣିଷ ହେବାସହ ପରିବାରର ଦୁଃଖକୁ ଲାଘବ କରିବେ, ବିଡମ୍ବନା ସହାୟତାର ଅଭାବ । ଉକ୍ତ ବାଳକକୁ ଯଦି କେହି ବଦାନ୍ୟ ବ୍ୟକ୍ତି ତଥା ପ୍ରଶାସନ ପକ୍ଷରୁ ଚିକିତ୍ସା ନିମନ୍ତେ ସହାୟତା କରାଗଲେ ପିଲାଟି ସୁସ୍ଥ ହୋଇ ପୁଣି ପାଠ ପଢି ପାରନ୍ତେ। ତେଣୁ ପ୍ରଶାସନ ତୁରନ୍ତ ବିଭୂତିକୁ ଚିକିତ୍ସା ସହାୟତାର ହାତ ବଢାଇବାକୁ ବିଭିନ୍ନ ମହଲରେ ଦାବି ହୋଇଛି।

ଇଟିଭି ଭାରତ, ରାୟଗଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.