ETV Bharat / state

ଶ୍ରୀନଅରରେ ଗଜପତି ମହାରାଜାଙ୍କ ସୁନିଆଁ ଉତ୍ସବ

author img

By ETV Bharat Odisha Team

Published : Sep 27, 2023, 7:02 AM IST

ସୁନିଆଁ ଉତ୍ସବ
ସୁନିଆଁ ଉତ୍ସବ

ଶ୍ରୀନଅରରେ ଅନୁଷ୍ଠିତ ହେଲା ଗଜପତି ମହାରାଜା ସୁନିଆଁ ଉତ୍ସବ । ପରମ୍ପରା ଅନୁଯାୟୀ ରାଜଗୁରୁ ମାନେ ଶ୍ରୀନଅରରେ ସ୍ଵତନ୍ତ୍ର ପୂଜାର୍ଚ୍ଚନା କରିଥିଲେ । ଅଧିକ ପଢ଼ନ୍ତୁ

ସୁନିଆଁ ଉତ୍ସବ

ପୁରୀ: ଶ୍ରୀନଅରରେ ଅନୁଷ୍ଠିତ ହେଲା ଗଜପତି ମହାରାଜା ସୁନିଆଁ ଉତ୍ସବ । ପରମ୍ପରା ଅନୁଯାୟୀ ରାଜଗୁରୁ ମାନେ ଶ୍ରୀନଅରରେ ସ୍ଵତନ୍ତ୍ର ପୂଜାର୍ଚ୍ଚନା କରିଥିଲେ । ପରେ ଗଜପତିଙ୍କ ନୁଆ ଅଙ୍କ ପ୍ରଚଳନ ହୋଇଥଲା।


ଆଜି ପବିତ୍ର ଉତ୍କଳର ରାଜକୀୟ ନବ ବର୍ଷ ସୁନିଆଁ । ଉତ୍କଳୀୟ ୧୪୩୧ ସାଲର ଆରମ୍ଭ। ଗଜପତି ମହାରାଜା ଶ୍ରୀ ଦିଵ୍ୟସିଂହ ଦେଵ ମହାରାଜାଙ୍କର ୬୭ ଅଙ୍କ ଆରମ୍ଭ ହୋଇଚି । ଆଜିର ତିଥିରେ ସୁନିଆଁ ଦିନ ଆରମ୍ଭ ହୁଏ ଗଜପତିଙ୍କ ନୂତନ ଅଙ୍କ। ଏହି ଦିନଠାରୁ ଗଜପତି ମହାରାଜାଙ୍କ ଗାଦିନାସୀନ ବର୍ଷର ଗଣନା ହୋଇଥାଏ । ସୁନିଆଁ ଅବସରରେ ଷୋଳଶାସନରୁ ବ୍ରାହ୍ମଣମାନେ ଶ୍ରୀନଅରକୁ ଆସି ଗୋଟିଏ ଲେଖାଏଁ ନଡ଼ିଆ ଗଜପତିଙ୍କୁ ଭେଟିଦେବା ସହ ମହାରାଜାଙ୍କୁ ଆଶିର୍ବାଦ କରିଥିଲେ । ଏହାସହ କରଣ ସାମନ୍ତମାନେ ମଧ୍ୟ ଶ୍ରୀନଅରକୁ ଆସି ଗଜପତି ମହାରାଜାଙ୍କୁ ଭେଟି ଦେଇଛନ୍ତି ।

ସେପଟେ ସମସ୍ତଙ୍କୁ ଶ୍ରୀନଅରରେ ମହାପ୍ରସାଦ ସେବନରେ ଆପ୍ୟାୟିତ କରାଯାଇଥିଲା । ସୁନିଆଁ ଦିନ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଆଦ୍ୟ ସେବକ ଗଜପତି ମହାରାଜା ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରି କନକ ଭେଟି ଅର୍ପଣ କରିବାର ପରମ୍ପରା ଅଛି । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରି ଗଜପତି ମହାରାଜା ପୁରୁଣା ନଅର ସ୍ଥଳକୁ ଯାଇ ଶ୍ୟାମାକାଳୀ ଓ ଅଷ୍ଟଶମ୍ଭୁଙ୍କୁ ଦର୍ଶନକରି ଶ୍ରୀନଅର ପ୍ରତ୍ୟାବର୍ତ୍ତନ କରିଥାନ୍ତି । ସୁନିଆଁ ଦିନ ସ୍ୱର୍ଣ୍ଣମୁଦ୍ରାରେ ଗଜପତି ମହାରାଜାଙ୍କ ପୁରାତନ ଅଙ୍କ କଟାଯାଇ ସେହି ଦିନ ଠାରୁ ନୂତନ ଅଙ୍କର ଗଣନା ଆରମ୍ଭ ହୁଏ । ଗତକାଲି ଏକାଦଶୀ ତିଥିରେ ଚତୁର୍ମାସ ପାଇଁ ଶୟନ କରିଥିବା ମହାପ୍ରଭୁ ପାର୍ଶ୍ୱ ପରିବର୍ତ୍ତନ କରିଥିଲେ । ଆଜି ତାଙ୍କର ପ୍ରିୟ ସେବକ ତାଙ୍କର ବାହନ ପକ୍ଷୀରାଜ ଗରୁଡ ପାର୍ଶ୍ୱ ପରିବର୍ତ୍ତନ କରନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ଶ୍ରୀମନ୍ଦିରରେ ପାର୍ଶ୍ଵପରିବର୍ତ୍ତନ ଏକାଦଶୀ ନୀତି, ଉତ୍ତର ଦିଗକୁ କଡ଼ ଲେଉଟାଇଲେ ମହାପ୍ରଭୁ

ଆଜି ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ବାମନ ଜନ୍ମନୀତି ଅନୁଷ୍ଠିତ ହୋଇଯାଇଛି । ଭାଦ୍ରବ ମାସ ଶୁକ୍ଳପକ୍ଷ ଦ୍ବାଦଶୀ ତିଥିରେ ମହାପ୍ରଭୁଙ୍କର ଏହି ନୀତି ଅନୁଷ୍ଠିତ ହୁଏ ପରମ୍ପରା ଅନୁଯାୟୀ ଶ୍ରୀମନ୍ଦିରରେ ଶ୍ରୀବାମନ ଜନ୍ମନୀତି ଅନୁଷ୍ଠିତ ହୋଇଥାଏ । ସକାଳ ଧୂପ ପୂଜା ବଢ଼ିବା ପରେ ଶ୍ରୀଜୀଉ ମାନଙ୍କର ମହାସ୍ନାନ ଓ ସର୍ବାଙ୍ଗ ନୀତି ହେବା ପରେ ପୂର୍ବ ଦିନ ଅଧିବାସ ହୋଇଥିବା ଯଜ୍ଞ ପବିତା ଲାଗି ହୋଇଥାଏ । ଏହାପରେ କର୍ପୁର ଲାଗି ହୋଇ ବେଶ ବଢିବା ପରେ ମଧ୍ୟାହ୍ନ ଧୂପ ଭୋଗ ହୋଇଥାଏ । ଏହା ପରେ ଜୟ ବିଜୟ ଦ୍ବାର ବନ୍ଦ ହୋଇଥାଏ।



ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.