ETV Bharat / state

'ବାଇକ ଆମ୍ବୁଲାନ୍ସ' ସେବା ଯୋଗାଇ ଉଦାହରଣ ସାଜିଲେ ପ୍ରଦୀପ୍ତ

author img

By ETV Bharat Odisha Team

Published : Jan 12, 2024, 8:38 PM IST

bike ambulance service
'ବାଇକ ଆମ୍ବୁଲାନ୍ସ' ସେବା

Bike Ambulance Service: ନିସ୍ବାର୍ଥପର ସେବା ଯୋଗାଇ ଉଦାହରଣ ସାଜିଛନ୍ତି ସମାଜସେବୀ ପ୍ରଦୀପ୍ତ କୁମାର ବିଶ୍ବାଳ। ତାଙ୍କର ଏଭଳି ପ୍ରୟାସ ପାଇଁ ଚାରିଆଡୁ ଛୁଟୁଛି ପ୍ରଶଂସାର ସୁଅ । ଅଧିକ ପଢନ୍ତୁ

'ବାଇକ ଆମ୍ବୁଲାନ୍ସ' ସେବା

ପୁରୀ: 'ମାନବ ସେବା ହିଁ ମାଧବ ସେବା' ଉକ୍ତିକୁ ଯଥାର୍ଥ ପ୍ରତିପାଦନ କରିଛନ୍ତି ଜଣେ ବ୍ୟକ୍ତି । ନିସ୍ବାର୍ଥପର ସେବା ଯୋଗାଇ ଉଦାହରଣ ସାଜିଛନ୍ତି ପ୍ରଦୀପ୍ତ କୁମାର ବିଶ୍ବାଳ । ଲୋକଙ୍କୁ ମାଗଣା ବାଇକ୍ ଆମ୍ବୁଲାନ୍ସ ସେବା ଯୋଗାଉଛନ୍ତି ସମାଜସେବୀ ପ୍ରଦୀପ୍ତ । ଖୋର୍ଦ୍ଧା ଜିଲ୍ଲା ବାଘମାରୀର ବାସିନ୍ଦା ହେଉଛନ୍ତି ପ୍ରଦୀପ୍ତ କୁମାର ବିଶ୍ବାଳ । ଚାକିରିରୁ ଅଳ୍ପ କିଛି ରୋଜଗାର ଥିବା ସତ୍ତ୍ୱେ ସେ ଜନସେବାରୁ ହଟି ନାହାନ୍ତି। ଆର୍ଥିକ ସମସ୍ୟା ଥିଲେ ମଧ୍ୟ ନିଜ କଷ୍ଟ ଉପାର୍ଜିତ ଧନରୁ କିଛି ଅର୍ଥ ବାହାର କରି ଜନ ସେବାରେ ଖର୍ଚ୍ଚ କରୁଛନ୍ତି ପ୍ରଦୀପ୍ତ । ସେ ନିଜ ବାଇକକୁ 'ବାଇକ୍ ଆମ୍ବୁଲାନ୍ସ'ରେ ପରିଣତ କରି ଜନସେବାରେ ଲଗାଇଛନ୍ତି । ସମ୍ପୂର୍ଣ୍ଣ ନିଶୁଳ୍ପ ସେବା ଯୋଗାଇ ଆସୁଛନ୍ତି ପ୍ରଦୀପ୍ତ । ଏହାରି ଭିତରେ ଗୋଟାଏରୁ ୩ଟି ବାଇକ୍ ଆମ୍ବୁଲାନ୍ସ ପ୍ରସ୍ତୁତ କଲେଣି ସମାଜସେବୀ ପ୍ରଦୀପ୍ତ । ଦୁଇ ଜଣ ପିଲାଙ୍କୁ ସହାୟକ ଭାବେ ରଖି ସେ ଲୋକଙ୍କୁ ମାଗଣାରେ 'ବାଇକ୍ ଆମ୍ବୁଲାନ୍ସ' ସେବା ଯୋଗାଇ ଆସୁଛନ୍ତି ।

ସେ ମୁଖ୍ୟତଃ ଖୋର୍ଦ୍ଧା ଓ ଏହାର ଆଖପାଖ ଅଞ୍ଚଳରେ ଏହି 'ବାଇକ୍ ଆମ୍ବୁଲାନ୍ସ' ସେବା ଯୋଗାଇ ଆସୁଛନ୍ତି । ତେବେ ଆଗାମୀ ଦିନରେ ଏହି ସେବା ପୁରୀରେ ମଧ୍ୟ ଆରମ୍ଭ କରିବାକୁ ଇଚ୍ଛା ରଖିଛନ୍ତି ପ୍ରଦୀପ୍ତ । ଏନେଇ ସେ ଜଗନ୍ନାଥଙ୍କ ଆଶୀର୍ବାଦ ନେବାକୁ ପୁରୀରେ ପହଞ୍ଚିଛନ୍ତି । ତେବେ ପ୍ରଦୀପ୍ତଙ୍କ ବାଇକ ଆମ୍ବୁଲାନ୍ସରେ ସମସ୍ତ ସୁବିଧା ରହିଛି । ଅକ୍ସିଜେନ, ଷ୍ଟ୍ରେଚର, ଫାଷ୍ଟଏଡ ସହିତ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା ମଧ୍ୟ ରହିଛି । ତେବେ ଏହି ନିଆରା ସେବାକୁ ଦେଖି ଜଗନ୍ନାଥ ମନ୍ଦିର ଆସିଥିବା ଭକ୍ତ ମଧ୍ୟ ଚକିତ ହୋଇଯାଇଛନ୍ତି । ପ୍ରଦୀପ୍ତଙ୍କ ଏଭଳି ଜନ ସେବାକୁ ସମସ୍ତେ ପ୍ରଶଂସା କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ...ସମାଜସେବାକୁ ବ୍ରତ କରି ଉଦାହରଣ ସାଜିଲେ କୁଞ୍ଜଲତା

ପ୍ରଦୀପ୍ତ କହିଛନ୍ତି, "ପିଲାଦିନରୁ ଜନ ସେବା ପ୍ରତି ଆଗ୍ରହ ଥିଲା । ଯେତିକି ସମ୍ଭବ ହୁଏ ଲୋକଙ୍କୁ ସାହାଯ୍ୟ କରିଆସିଛି । ଅନେକ ଗରିବ ଲୋକଙ୍କ ପାଖରେ ଅର୍ଥ କି ଲୋକ ବଳ ନଥିବାରୁ ମେଡ଼ିକାଲ ଯାଇ ଚିକିତ୍ସା ସେବା ପାଇ ପାରୁନାହାନ୍ତି । ଯାହାକି ବେଶ ଦୁଃଖ ଦେଇଥିଲା। ଏଣୁ ୩ଟି ବାଇକ୍ ଆଣି ଦୁଇ ଜଣଙ୍କ ସହ ମିଶି ବାଇକ୍ ଆମ୍ବୁଲାନ୍ସ ସେବା ଆରମ୍ଭ କରିଛି ।" ଏନେଇ ପ୍ରଦୀପ୍ତଙ୍କ ସମ୍ପର୍କୀୟ ସୁରେଶ ଚନ୍ଦ୍ର ମିଶ୍ର କହିଛନ୍ତି, "ପ୍ରଦୀପ୍ତ ପିଲାଟି ବେଳୁ ଜନ ସେବା ପ୍ରତି ଆକୃଷ୍ଟ । ଏଥିରେ ତାକୁ ବହୁତ ଆନନ୍ଦ ମିଳେ । ବଞ୍ଚି ଥିବାବେଳେ ନିଜ ଅର୍ଜିତ ଧନକୁ କିଛି ଲୋକଙ୍କ ସେବାରେ ଲଗାଇବା ଉଚିତ। ଏହାଦ୍ବାରା ମାନସିକ ଶାନ୍ତି ମିଳିବା ସହ ସମାଜର ମଙ୍ଗଳ ହେବ।"

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.