ETV Bharat / state

MeriMaatiMeraDesh: ପୁରୀରେ 'ମୋ ମାଟି ମୋ ଦେଶ' ଅଭିଯାନ, ଜୟୀ ରାଜଗୁରୁଙ୍କ ଜନ୍ମସ୍ଥାନରୁ ଦିଲ୍ଲୀ ଗଲା ମାଟି

author img

By

Published : Aug 17, 2023, 3:20 PM IST

ପୁରୀରେ 'ମୋ ମାଟି ମୋ ଦେଶ' ଅଭିଯାନ
ପୁରୀରେ 'ମୋ ମାଟି ମୋ ଦେଶ' ଅଭିଯାନ

ପୁରୀରେ 'ମୋ ମାଟି ମୋ ଦେଶ' କାର୍ଯ୍ୟକ୍ରମ ଅବସରରେ ଅମୃତ କଳସ ଯାତ୍ରା ଆରମ୍ଭ ହୋଇଛି। ଶହୀଦ ଜୟୀ ରାଜଗୁରୁଙ୍କ ଜନ୍ମ ସ୍ଥାନରୁ ଦିଲ୍ଲୀର ରାଷ୍ଟ୍ରୀୟ ଯୁଦ୍ଧ ସ୍ମାରକୀକୁ ମାଟି ଓ ଚାରା ପଠାଯାଇଛି। ଅଧିକ ପଢନ୍ତୁ

ପୁରୀରେ 'ମୋ ମାଟି ମୋ ଦେଶ' ଅଭିଯାନ

ପୁରୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ଵାନରେ ଆରମ୍ଭ ହୋଇଥିବା 'ମୋ ମାଟି ମୋ ଦେଶ' ଅଭିଯାନ ପୁରୀରେ ଅନୁଷ୍ଠିତ ହୋଇଯାଇଛି। ସ୍ୱାଧୀନତା ସଂଗ୍ରାମୀ ଶହୀଦ ଜୟୀ ରାଜଗୁରୁଙ୍କ ଜନ୍ମସ୍ଥାନ ବୀରହରେକୃଷ୍ଣପୁରରେ ଏହି କାର୍ଯ୍ୟକ୍ରମ ଆୟୋଜନ ହୋଇଛି । କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତା ରମଣ, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପିର ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ। ହଜାର ହଜାର ବିଜେପି କର୍ମୀମାନେ ମଧ୍ୟ ଏହି କାର୍ଯକ୍ରମରେ ସାମିଲ ହୋଇଥିଲେ। ସମସ୍ତେ ଶହୀଦ ଜୟୀ ରାଜଗୁରୁଙ୍କ ଜନ୍ମସ୍ଥାନରେ ପହଞ୍ଚି ପ୍ରଥମେ ଜୟୀ ରାଜଗୁରୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହ ଶ୍ରଦ୍ଧା ସୁମନ ଅର୍ପଣ କରିଥଲେ।

ପରେ 'ମୋ ମାଟି ମୋ ଦେଶ' କାର୍ଯ୍ୟକ୍ରମ ଅବସରରେ ଅମୃତ କଳସ ଯାତ୍ରା ଆରମ୍ଭ ହୋଇଥଲା। ଶହୀଦ ଜୟୀ ରାଜଗୁରୁଙ୍କ ଜନ୍ମସ୍ଥାନରୁ ମାଟି ସଂଗ୍ରହ କରାଯାଇ ଦିଲ୍ଲୀ ଅଭିମୁଖେ ନିଆଯାଇଛି। ଏହି ମାଟି ଦିଲ୍ଲୀରେ ଥିବା ରାଷ୍ଟ୍ରୀୟ ଯୁଦ୍ଧ ସ୍ମାରକୀରେ ହେବାକୁ ଥିବା ଅମୃତ ବାଟିକାରେ ବ୍ୟବହାର ହେବ। ଗତ ଅଗଷ୍ଟ 9 ତାରିଖରୁ ଏହି ଅମୃତ କଳସ ଅଭିଯାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ଵାନରେ ଆରମ୍ଭ ହୋଇଛି। ସାରା ଦେଶରୁ ଶହୀଦ ହୋଇଥିବା ବୀରଙ୍କ ଜନ୍ମ ସ୍ଥାନରୁ ଅମୃତ କଳସ ଶୋଭାଯାତ୍ରା ମାଧ୍ୟମରେ ମାଟି ସଂଗ୍ରହ କରାଯାଇ ଦିଲ୍ଲୀରେ ହେବାକୁ ଥିବା ଅମୃତ ବାଟିକାରେ ବ୍ୟବହାର ହେବ। ସେହିପରି ମାଟି ସହ ଛୋଟ ଚାରା ମଧ୍ୟ ସଂଗ୍ରହ କରାଯିବ। ଦେଶର ଏକତା ଅଖଣ୍ଡତା ପାଇଁ ଜୀବନ ଦେଇଥିବା ବୀରଙ୍କୁ ସମ୍ମାନ ଦେବା ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଏହି ସ୍ଵତନ୍ତ୍ର କାର୍ଯ୍ୟକ୍ରମ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଆହ୍ଵାନ କ୍ରମେ ପଞ୍ଚ ପ୍ରାଣ ଶପଥ ପାଠ ଅନୁଷ୍ଠିତ ହୋଇଥଲା।

ଏହା ମଧ୍ୟ ପଢନ୍ତୁ...ମୋ ମାଟି ମୋ ଦେଶ କାର୍ଯ୍ୟକ୍ରମରେ ସୀତାରମଣ, ଗୁଲାମୀ ମାନସିକତାରୁ ମୁକୁଳି ଆସିବାକୁ ଦେଲେ ଆହ୍ବାନ

ଦେଶର ସୁରକ୍ଷା ଅଖଣ୍ଡତା ପାଇଁ ନିଜକୁ ଉତ୍ସର୍ଗ କରିବା, ନିଜ ପରମ୍ପରା ଓ ସଂସ୍କୃତିକୁ ନେଇ ଗର୍ବ କରିବା, ଦେଶ ପାଇଁ ବଳିଦାନ ଦେଇଥିବା ବ୍ୟକ୍ତି ଓ ତାଙ୍କ ପରିବାରକୁ ସମ୍ମାନ ଦେବା, ଦାସତ୍ୱ ଚିନ୍ତାଧାରାରୁ ମୁକ୍ତ ହେବା, ଆଗାମୀ 2047 ମସିହା ସୁଦ୍ଧା ଭାରତକୁ ବିକଶିତ ଦେଶ ଭାବେ କରିବା ପାଇଁ ସ୍ବପ୍ନ ଦେଖିବା ପ୍ରମୁଖ ପଞ୍ଚ ପ୍ରାଣ ଶପଥପାଠ କରାଇଥିଲେ କେନ୍ଦ୍ରମନ୍ତ୍ରୀ ନିର୍ମଳା ସୀତାରମଣ। ତେବେ ଏହା ପୂର୍ବରୁ କେନ୍ଦ୍ରମନ୍ତ୍ରୀ ପ୍ରଥମେ ଶ୍ରୀ ଜଗନ୍ନାଥ ମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ। ପରେ ଉଭୟ କେନ୍ଦ୍ରମନ୍ତ୍ରୀ ପୁରୀର ନିଳାଦ୍ରୀ ବିଚକୁ ଯାଇ 'ମୋ ମାଟି ମୋ ଦେଶ' ଥିମରେ ନିର୍ମାଣ ହୋଇଥିବା ବାଲୁକା ଚିତ୍ରକଳା ଦେଖିଥିଲେ। ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ଛାତ୍ରଛାତ୍ରୀ ଏହି ବାଲୁକା ଚିତ୍ର ନିର୍ମାଣ କରିଥଲେ।

ପରେ କେନ୍ଦ୍ରମନ୍ତ୍ରୀ ପୁରୀ ପେଣ୍ଠକଟାରେ ଥିବା ରାଷ୍ଟ୍ରୀୟ ସଂସ୍କୃତ ସଂସ୍ଥାନର ସଦାଶିବ ବିଶ୍ଵ ବିଦ୍ୟାଳୟରେ ପହଞ୍ଚିଥିଲେ। ସେଠାରେ ଥିବା ଆବାସିକ କ୍ୟାମ୍ପସରେ 'ମୋ ମାଟି ମୋ ଦେଶ' କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଦେଶର ଉନ୍ନତି ପାଇଁ ଛାତ୍ରଛାତ୍ରୀ ସବୁବେଳେ ଉଦ୍ୟମ କରିବା ଉଚିତ ବୋଲି କେନ୍ଦ୍ରମନ୍ତ୍ରୀ ନିର୍ମଳା ସୀତାରମଣ ଆହ୍ବାନ ଦେଇଥିଲେ। ପରେ ଦେଶର ସୁରକ୍ଷା ଓ ଅଖଣ୍ଡତା ପାଇଁ ପ୍ରାଣ ବଳୀ ଦେଇଥିବା ସହିଦ ଯବାନଙ୍କ ପରିବାରକୁ ସମ୍ମାନିତ କରିଥିଲେ କେନ୍ଦ୍ରମନ୍ତ୍ରୀ। ଏହି ଅବସରରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି, "ଯବାନଙ୍କ ପରିବାରକୁ ପ୍ରଶଂସା କରି ମୁଁ ଗର୍ବ ଅନୁଭବ କରୁଛି।"

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.