ETV Bharat / state

ସରିଲା ଧନୁଯାତ୍ରା, ଶ୍ରୀଜଗନ୍ନାଥ ଓ ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କ ଶରଣରେ କଂସ ମହାରାଜା

author img

By

Published : Jan 7, 2023, 4:35 PM IST

Maharaja Kansa
Maharaja Kansa

ସରିଲା ବିଶ୍ବପ୍ରସିଦ୍ଧ ବରଗଡ଼ର ଧନୁଯାତ୍ରା (Bargarh Dhanu Yatra) । ଯାତ୍ରା ଶେଷ ପରେ ଆଜି ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କ ଶରଣରେ କଂସ ମହାରାଜା । ଦୀର୍ଘ ୧୧ଦିନ ଧରି କରିଥିବା ଭୁଲ ପାଇଁ ଆଜି ସେ ଭଗବାନଙ୍କ ନିକଟରେ କ୍ଷମା ପ୍ରାର୍ଥନ କରିଛନ୍ତି । ଅଧିକ ପଢନ୍ତୁ

ସରିଲା ଧନୁଯାତ୍ରା, ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କ ଶରଣରେ କଂସ ମହାରାଜା

ପୁରୀ: ଅଧର୍ମ ଉପରେ ଧର୍ମର ଜୟ ହୋଇଛି । ଅଧର୍ମର ବିନାଶ ଲାଗି କୃଷ୍ଣଙ୍କ ରୂପରେ ଆସି ଭଗବାନ ବିଷ୍ଣୁ ମଥୁରା ନରେଶ କଂସ ମହାରାଜାଙ୍କ ନିଧନ କରିଛନ୍ତି । ଏହା ସହିତ ଶେଷ ହୋଇଛି ବରଗଡ଼ର ବିଶ୍ବପ୍ରସିଦ୍ଧ ଧନୁଯାତ୍ରା (Bargarh Dhanu Yatra) । ପରମ୍ପରା ଅନୁଯାୟୀ ୧୧ ଦିନ ଧରି ଚାଲିଥିବା ଧନୁଯାତ୍ରା ଶେଷ ହେବା ପରେ ଶ୍ରୀକ୍ଷେତ୍ର ଆସି ମହାପ୍ରଭୁ ଶ୍ରୀ ଜଗନ୍ନାଥ ଓ ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କ ନିକଟରେ ଶରଣ ପଶିଛନ୍ତି ମହାରାଜା କଂସ ତଥା ଏହି ଭୂମିକାରେ ଅଭିନୟ କରୁଥିବା ହୃଷିକେଶ ଭୋଇ (Hrushikesh Bhoi) । ଧନୁଯାତ୍ରା ସମୟରେ କୃଷ୍ଣ ଭଗବାନଙ୍କୁ କଟୁ କଥା କହିଥିବାରୁ ମହୋଦଧିରେ ସ୍ନାନ କରିବା ପରେ ସେ ଭଗବାନଙ୍କ ନିକଟରେ କ୍ଷମା ପ୍ରାର୍ଥନା କରିଛନ୍ତି ।

ବିଶ୍ବପ୍ରସିଦ୍ଧ ଧନୁଯାତ୍ରାରେ କଂସ ଭୂମିକାରେ ଅଭିନୟ କରିଥିଲେ ହୃଷିକେଶ ଭୋଇ । ଦୀର୍ଘ୧୧ଦିନ ଧରି କଂସ ଭୂମିକାରେ ଅଭିନୟ କରି ମହାପ୍ରଭୁ ଶ୍ରୀକୃଷ୍ଣଙ୍କୁ କଟୁ କଥା କହିବା ସହ ହତ୍ୟା କରିବା ପାଇଁ ଉଦ୍ୟମ କରି ମହାପାପ କରିଥିଲେ । ଧନୁଯାତ୍ରା ଶେଷ ହେବା ପରେ ଏହି ମହାପାପ ଲାଗି ସେ ଜଗନ୍ନାଥଧାମ ପୁରୀ ଆସି ନିଜେ କରିଥିବା ଭୁଲର ପ୍ରାୟଶ୍ଚିତ କରିଛନ୍ତି । ପ୍ରଥମେ ସେ ଗୋବର୍ଦ୍ଧନ ମଠ ଯାଇ ଶଙ୍କରାଚାର୍ଯ୍ୟଙ୍କୁ କ୍ଷମା ପ୍ରାର୍ଥନା କରିବା ପରେ ସମୁଦ୍ରକୁ ଯାଇ ବୁଡ ପକାଇବା ସହ ପଇତା ବିସର୍ଜନ କରିଥିଲେ । ଏହାପରେ ସୂର୍ଯ୍ୟ ଦେବତାଙ୍କୁ ଅର୍ଘ୍ୟ ଓ ନମସ୍କାର କରିଛନ୍ତି। ପରେ ସେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରି ଅଭିନୟ ସମୟରେ କରିଥିବା ପାପ ଲାଗି କ୍ଷମା ପ୍ରାର୍ଥନା କରିଛନ୍ତି ।

ଏହା ବି ପଢନ୍ତୁ- ଆଜି କଂସ ବଦ୍ଧ, ଶେଷ ହେବ ବରଗଡର ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା

ଏନେଇ ମହାରାଜା କଂସ ତଥା ହୃଷିକେଶ ଭୋଇ କହିଛନ୍ତି, "ବରଗଡ଼ ଧନୁଯାତ୍ରାରେ ପରମ୍ପରା ଅନୁଯାୟୀ ଯେତେବେଳେ ୧୧ଦିନ ଧରି ଯାତ୍ରା ଚାଲିଥାଏ ସେତେବେଳେ କଂସ ମହାରାଜା ପ୍ରଭୁ ଜଗନ୍ନାଥଙ୍କ ଉପରେ କ୍ରୋଧାନ୍ବିତ ହୋଇଥାନ୍ତି । ଭଗବାନ କୃଷ୍ଣଙ୍କୁ ହତ୍ୟା କରିବା ଲାଗି ସେ ସର୍ବଦା ଯୋଜନା କରିଥାନ୍ତି । କୃଷ୍ଣ ନାମ ଉଚ୍ଚାରଣ କରୁଥିବା ବ୍ୟକ୍ତିଙ୍କୁ ମଧ୍ୟ ଅତ୍ୟାଚାର କରିଥାନ୍ତି । ଯେତେବେଳେ ଧନୁଯାତ୍ରାର ଜବନିକା ଘଟେ, ଏହାପରେ ଶ୍ରୀକ୍ଷେତ୍ର ଆସିଥାନ୍ତି ମହାରାଜା କଂସଙ୍କ ଭୂମିକାରେ ଅଭିନୟ କରିଥିବା କଳାକାର । ଏଥିଲାଗି ସେ ଶ୍ରୀକ୍ଷେତ୍ର ଆସିଛନ୍ତି ।"

ଏହାପରେ ସମୁଦ୍ରରେ ସ୍ନାନ କରି ପଇତା ବିସର୍ଜନ କରିବା ସହ ଜଗତର ନାଥ ଜଗନ୍ନାଥଙ୍କ ନିକଟରେ କ୍ଷମା ପ୍ରାର୍ଥନା କରିଛନ୍ତି । ୧୧ଦିନ ଧରି ଚାଲିଥିବା ଯାତ୍ରା ବେଳେ ମୁଁ ଥିଲି କଂସ ମହାରାଜା । ହେଲେ ଏବେ ମୁଁ ହେଉଛି ଜଣେ ସାଧାରଣ ମଣିଷ । ଏହି ଧନୁଯାତ୍ରା ହେଉଛି ପଶ୍ଚିମ ଓଡ଼ିଶା ଓ ଶ୍ରୀକ୍ଷେତ୍ରର ଏକ ମହାମିଳନ । ଏହି ଧନୁଯାତ୍ରା ମଧ୍ୟ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିର୍ଦ୍ଦେଶରେ ଚାଲିଛି । ତାଙ୍କର ଲୀଳାର ପ୍ରଚାର ପ୍ରସାର ଲାଗି ଜଗନ୍ନାଥଙ୍କ ନିର୍ଦ୍ଦେଶରେ ଏହି ଧନୁଯାତ୍ରା ହୋଇଆସୁଛି ।

ସୂଚନା ଥାଉ କି ବରଗଡ଼ ଧନୁଯାତ୍ରା ଗତ ଡିସେମ୍ବର ୨୮ ତାରିଖରେ ଆରମ୍ଭ ହୋଇଥିଲା । ସେବେଠୁ ୧୧ଦିନ ଧରି ଚାଲିଥିବା ବେଳେ ଜାନୁଆରୀ ୬ ତାରିଖରେ ଏହି ଯାତ୍ରା ଶେଷ ହୋଇଛି । ବରଗଡ଼ ଧନୁଯାତ୍ରା ବିଶ୍ବପ୍ରସିଦ୍ଧ ହୋଇଥିବା ବେଳେ ଏହି ନାଟକ ଦେଖିବା ଲାଗି ରାଜ୍ୟ ତଥା ରାଜ୍ୟ ବାହାରୁ ଅନେକ ଲୋକଙ୍କ ଭିଡ଼ ଜମିଥାଏ । ଧନୁଯାତ୍ରା ସମୟରେ ବରଗଡ଼ ଜିଲ୍ଲା ପାଲଟିଯାଏ ଦ୍ବାପର ଯୁଗର ଭୂଇଁ । ବରଗଡ଼ ମଥୁରା ନଗରୀ ପାଲଟିଥିବା ବେଲେ ଆମ୍ବପାଲି ପାଲଟିଯାଏ ଗୋପପୁର । ତେବେ ଚଳିତ ବର୍ଷ ଏହି ଯାତ୍ରାକୁ ୭୫ବର୍ଷ ପୁରିଥିବା ବେଳେ ଧୁମଧାମରେ ଚଳିତ ଥର ଯାତ୍ରାକୁ ପାଳନ କରାଯାଇଥିଲା ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.