ETV Bharat / state

ଉତ୍ସବମୁଖର ଶ୍ରୀକ୍ଷେତ୍ର, ପାରମ୍ପରିକ ରୀତିନୀତିରେ ମା’ ବିମଳାଙ୍କ ଚାଲିଛି ମହାସପ୍ତମୀ ପୂଜା

author img

By ETV Bharat Odisha Team

Published : Oct 20, 2023, 9:25 PM IST

ଶାରଦୀୟ ଦୁର୍ଗୋତ୍ସବକୁ ନେଇ ଉତ୍ସବ ମୁଖର ଶ୍ରୀକ୍ଷେତ୍ର
ଶାରଦୀୟ ଦୁର୍ଗୋତ୍ସବକୁ ନେଇ ଉତ୍ସବ ମୁଖର ଶ୍ରୀକ୍ଷେତ୍ର

ମହାସପ୍ତମୀ ପୂଜାକୁ ନେଇ ଚଳଚଞ୍ଚଳ ଶ୍ରୀକ୍ଷେତ୍ର । ଆଜି ବଭିନ୍ନ ମଣ୍ଡପରେ ମା’ଙ୍କ ଷଷ୍ଠୀ ପୂଜା ଚାଲିଥିବା ବେଳେ ଶକ୍ତିପୀଠ ଗୁଡ଼ିକରେ ମହାସପ୍ତମୀ ପୂଜା ଅନୁଷ୍ଠିତ ହେଉଛି । ଅଧିକ ପଢନ୍ତୁ

ଶାରଦୀୟ ଦୁର୍ଗୋତ୍ସବକୁ ନେଇ ଉତ୍ସବ ମୁଖର ଶ୍ରୀକ୍ଷେତ୍ର

ପୁରୀ: ଶ୍ରୀକ୍ଷେତ୍ର ପୁରୀରେ ଥିବା ବିଭିନ୍ନ ଶକ୍ତିପୀଠରେ ଷୋଡଶ ଉପଚାରରେ ମା’ଙ୍କର ପୂଜାର୍ଚ୍ଚନା ଚାଲିଛି । ଆଜି ବଭିନ୍ନ ମଣ୍ଡପରେ ମା’ଙ୍କ ଷଷ୍ଠୀ ପୂଜା ଚାଲିଥିବା ବେଳେ ଶକ୍ତିପୀଠ ଗୁଡ଼ିକରେ ମହାସପ୍ତମୀ ପୂଜା ଅନୁଷ୍ଠିତ ହେଉଛି । ପରମ୍ପରା ଅନୁଯାୟୀ ଦେବୀଙ୍କର ବେଲବରଣି ନୀତି, ପାଣି ତୋଳା, ଚକ୍ଷୁ ଦାନ, ଶୀତଳ ଭୋଗ ଓ ଚଣ୍ଡୀପୂଜା ଆଦି ନୀତି ଅନୁଷ୍ଠିତ ହୋଇଥାଏ । ଏଥିପାଇଁ ଶ୍ରୀକ୍ଷେତ୍ରର ଥିବା ବିଭିନ୍ନ ପୀଠ ଗୁଡିକ ଚଳଚଞ୍ଚଳ ହୋଇପଡିଛି । ଶ୍ରଦ୍ଧାଳୁମାନେ ବିଭିନ୍ନ ପୀଠକୁ ଯାଇ ମା‘ଙ୍କୁ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରୁଛନ୍ତି । ସେପଟେ ଶ୍ରୀମନ୍ଦିରରେ ମା’ ବିମଳାଙ୍କର ମଧ୍ୟ ମହାସପ୍ତମୀ ପୂଜା ଅନୁଷ୍ଠିତ ହେଉଛି ।

ମହାସପ୍ତମୀ ପୂଜାକୁ ନେଇ ଚଳଚଞ୍ଚଳ ଶ୍ରୀକ୍ଷେତ୍ର । ଶ୍ରୀମନ୍ଦିରରେ ମା’ବିମଳାଙ୍କ ନୀତି କାନ୍ତି ଅନୁଯାୟୀ ପୁରୀର ବିଭିନ୍ନ ଶକ୍ତିପୀଠ ଗୁଡିକରେ ମହାସପ୍ତମୀ ବେଶ୍ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଅନୁଷ୍ଠିତ ହେଉଛି । ପରମ୍ପରା ଅନୁଯାୟୀ ଆଜି ମହାସପ୍ତମୀ ପୂଜାରେ ଶ୍ରୀମନ୍ଦିର ନିକଟରେ ଥିବା ମା’ କାକୁଡି ଖାଇଙ୍କର ଶଙ୍ଖୁଡି ଭୋଗ ଆଦି ଅନ୍ୟାନ୍ୟ ନୀତି କାନ୍ତି ଅନୁଷ୍ଠିତ ହୋଇଥାଏ । ମା‘ ବିମଳାଙ୍କ ପ୍ରତିନିଧି ଦେବୀ କାକୁଡି ଖାଇ ହୋଇଥିବାରୁ ମାଙ୍କ ଦର୍ଶନ ପାଇଁ ଭକ୍ତ ଶ୍ରଦ୍ଧାଳୁଙ୍କ ବେଶ୍ ଭିଡ ଜମିଛି । ଷୋଡ଼ଶ ଉପଚାର ପୂଜା ସମୟରେ ମା’ ବିମଳାଙ୍କୁ ମହିଳାମାନେ ଦର୍ଶନ କରିବା ନିଷିଦ୍ଧ ଥିବାବେଳେ ମା’ କାକୁଡି ଖାଇଙ୍କୁ ଦର୍ଶନ କରୁଛନ୍ତି ମହିଳା ଶ୍ରଦ୍ଧାଳୁ । ବିଶ୍ବାସ ରହିଛି ଏହି ଶାରଦୀୟ ଦୁର୍ଗାପୂଜା ସମୟରେ ଭକ୍ତମାନେ ମା’ କାକୁଡି ଖାଇଙ୍କୁ ନିଷ୍ଠାର ସହ ପୂଜା କଲେ ସମସ୍ତ ମନସ୍କାମନା ପୂର୍ଣ୍ଣ ହୋଇଥାଏ ।

ଏହା ମଧ୍ୟ ପଢନ୍ତୁ..Durga Puja Special: ତ୍ରିଶକ୍ତି ରୂପେ ପୂଜା ପାଉଛନ୍ତି ମା’ ରାମଚଣ୍ଡୀ, ପ୍ରଥମ ଥର ହେଉଛି ଷୋଡଶ ଉପଚାର

ଶ୍ରୀକ୍ଷେତ୍ରର ନିଆରା ପରମ୍ପରା ଅନୁଯାୟୀ ଏଠାରେ ଦେବୀଙ୍କ ମୂର୍ତ୍ତିକୁ ଗୋଷାଣୀ ଭାବେ ପୂଜା କରାଯାଏ । ବାଲି ସାହିର ମା‘ ଜହ୍ନିଖାଇ, ଦୋଳମଣ୍ଡପ ସାହିରେ ମା’ ଜହ୍ନିଖାଇ, ମା ବାରବାଟିଙ୍କ ଦର୍ଶନ ପାଇଁ ମଧ୍ୟ ଭକ୍ତଙ୍କ ପ୍ରବଳ ସମାଗମ ହୋଇଥାଏ । ମା’ଙ୍କ ଭବ୍ୟ ଦର୍ଶନ କରିବା ପାଇଁ ରାଜ୍ୟ ତଥା ରାଜ୍ୟ ବାହାରୁ ଅନେକ ପର୍ଯ୍ୟଟକଙ୍କ ଆଗମନ ହୋଇଛି ପୁରୀକୁ । ତେଣୁ ଭକ୍ତଙ୍କ ସୁରକ୍ଷା, ଶୃଙ୍ଖଳିତ ଦର୍ଶନ ଓ ପୂଜାକୁ ଶୃଙ୍ଖଳିତ ଭାବେ ଆୟୋଜନ ପାଇଁ ପୁରୀ ପୋଲିସ ଓ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି । ରାସ୍ତା ଓ ପୂଜା ମଣ୍ଡପରେ ସିସିଟିଭି, ଟ୍ରାଫିକ ସୁପରିଚାଳନା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ସହ ଅପରାଧିକୁ ଧରିବା ପାଇଁ ସ୍ବତନ୍ତ୍ର ପୋଲିସ ଟିମ୍ ନିୟୋଜିତ ଥିବା ପୁରୀ ଏସପି ସୂଚନା ଦେଇଛନ୍ତି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.