ETV Bharat / state

Durga Puja Special: ତ୍ରିଶକ୍ତି ରୂପେ ପୂଜା ପାଉଛନ୍ତି ମା’ ରାମଚଣ୍ଡୀ, ପ୍ରଥମ ଥର ହେଉଛି ଷୋଡଶ ଉପଚାର

author img

By ETV Bharat Odisha Team

Published : Oct 20, 2023, 7:37 PM IST

ମା‘ ରାମଚଣ୍ଡୀଙ୍କ ପୀଠରେ ଜମୁଛି ଭକ୍ତଙ୍କ ଗହଳି
ମା‘ ରାମଚଣ୍ଡୀଙ୍କ ପୀଠରେ ଜମୁଛି ଭକ୍ତଙ୍କ ଗହଳି

ଗଞ୍ଜାମ ଜିଲ୍ଲା ସଦର ମହକୁମା ଛତ୍ରପୁର ନିକଟବର୍ତ୍ତୀ ମା’ ରାମଚଣ୍ଡୀଙ୍କ ପୀଠରେ ଚାଲିଛି ମା’ଙ୍କ ଷୋଡଶ ଦିବସୀୟ ପୂଜା । ସୂର୍ଯ୍ୟପୂଜା ଠାରୁ ଆରମ୍ଭ କରି ରାତ୍ରର ଚଣ୍ଡୀପାଠ ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ ପାରମ୍ପରିକ ରୀତିନୀତିରେ ଚାଲିଛି ପୂଜାର୍ଚ୍ଚନା । ଅଧିକ ପଢନ୍ତୁ

ମା‘ ରାମଚଣ୍ଡୀଙ୍କ ପୀଠରେ ଜମୁଛି ଭକ୍ତଙ୍କ ଗହଳି

ବ୍ରହ୍ମପୁର: ଶାରଦୀୟ ପୂଜାକୁ ନେଇ ଉତ୍ସବ ମୁଖର ସାରା ରାଜ୍ୟ । ଗଞ୍ଜାମ ଜିଲ୍ଲାରେ ରହିଛି ଅନେକ ପ୍ରମୁଖ ଦେବୀପୀଠ । ଆଉ ସେଥିମଧ୍ୟରୁ ଜିଲ୍ଲାର ସଦରମହକୁମା ଛତ୍ରପୁର ଠାରୁ ପାଞ୍ଚ କିଲୋମିଟର ଦୂରରେ ଋଷିକୁଲ୍ୟା ନଦୀ ତଟର ନୀଳାଦ୍ରିପୁର ପର୍ବତ ଶିଖରରେ ପୂଜା ପାଇ ଆସୁଛନ୍ତି ମା’ ରାମଚଣ୍ଡୀ । ପ୍ରାକୃତିକ ଶୋଭାରାଶି ମଧ୍ୟରେ ଅବସ୍ଥିତ ମା’ଙ୍କ ପୀଠ । ମା’ଙ୍କ ପ୍ରାସାଦର ପ୍ରତିଷ୍ଠା ପରେ ମନ୍ଦିର ଟ୍ରଷ୍ଟି ଏବଂ ଅଞ୍ଚଳବାସିନ୍ଦାଙ୍କ ପକ୍ଷରୁ ନବରାତ୍ର ପୂଜା ଆୟୋଜନ କରାଯାଉଥିଲା । ହେଲେ ଚଳିତବର୍ଷ ଠାରୁ ଷୋଡଶ ଦିବସୀୟ ପୂଜାର ଶୁଭାରମ୍ଭ କରାଯାଇଛି । ମୂଳାଷ୍ଟମୀ ଠାରୁ ଆରମ୍ଭ ହୋଇଥିବା ମା’ଙ୍କର ଏହି ପୂଜାରେ ପ୍ରତ୍ୟେକ ଦିନ ସକାଳର ସୂର୍ଯ୍ୟପୂଜା ଠାରୁ ଆରମ୍ଭ କରି ରାତ୍ରର ଚଣ୍ଡୀପାଠ ପର୍ଯ୍ୟନ୍ତ ପାରମ୍ପାରିକ ରୀତିନୀତିରେ ପୂଜାର୍ଚ୍ଚନା କରାଯାଉଛି ।



ମା’ ରାମଚଣ୍ତୀ ପୀଠର ମାହାତ୍ମ୍ୟ: ଦେଶର ବୈଷ୍ଣୋଦେବୀ ମନ୍ଦିର ପରି ଗଞ୍ଜାମ ଜିଲ୍ଲାର ମା’ ରାମଚଣ୍ଡୀ ପୀଠରେ ମା’ଙ୍କୁ ତ୍ରିଶକ୍ତି ରୂପେ ପୂଜା କରାଯାଉଛି । ଏଠାରେ ମାଆ ମହାକାଳୀ, ମହାସରସ୍ୱତୀ ଏବଂ ମହାଲକ୍ଷ୍ମୀଙ୍କ ଭାବରେ ପଥର ମୂର୍ତ୍ତିରେ ବିରାଜମାନ । ସେହିପରି କିମ୍ବଦନ୍ତୀ ଅନୁଯାୟୀ ପ୍ରଭୁ ଶ୍ରୀରାମଚନ୍ଦ୍ର ବନବାସ ସମୟରେ ବିଭିନ୍ନ ସ୍ଥାନରେ ଶକ୍ତିପୀଠ ଓ ଶୈବପୀଠ ସ୍ଥାପନ କରିଥିବା କରିଥିଲେ । ତନ୍ମଧ୍ୟରୁ ଦଣ୍ଡକାରଣ୍ୟ ଯିବା ବେଳେ ଶ୍ରୀରାମ, ଲକ୍ଷ୍ମଣ ଓ ମାତା ସୀତା ଋଷିକୁଲ୍ୟା ନଦୀ କୂଳ ଦେଇ ଯାଇ ସମୟରେ ରାମଚଣ୍ତୀ ପୀଠର ସ୍ଥାପନା କରିଥିଲେ । ଏପରିକି ମା’ଙ୍କ ପୀଠ ନିକଟରେ ରହିଥିବା ଏକ ବିରାଟ କୁଣ୍ଡରେ ମାତା ସୀତା ସ୍ନାନ ପାଇଁ ଉଦ୍ଦିଷ୍ଟ ରହିଥିବାର ବିଶ୍ୱାସ ରହିଛି ।

ଏହା ମଧ୍ୟ ପଢନ୍ତୁ...Durga Puja Special: ଝଲସୁଛି ସିଲଭରସିଟି, ପ୍ରଥମ ଥର କଟକରେ କାଚମେଢ

ରାମଚଣ୍ଡି ପୀଠ ସଂଯୋଜକ କମଳ କୁମାର ପଣ୍ଡା କହିଛନ୍ତି, ‘‘ମା’ଙ୍କ ପୀଠ ୧୯୪୨ ମସିହାରେ ଛତ୍ରପୁର ବ୍ଲକ୍ ବିପୁଳିଙ୍ଗ ଗ୍ରାମର ଜମିଦାର ସ୍ବର୍ଗତ ନିତ୍ୟାନନ୍ଦ ପଣ୍ଡା ନିର୍ମାଣ କରିଥିଲେ । ଏହାପରେ ବେଢ଼ାଯଜ୍ଞ କରି ଦିବାରାତ୍ର ପୂଜା ଆରମ୍ଭ ହୋଇଥିଲେ । ସେହି ସମୟରୁ ଶାରଦୀୟ ପୂଜା ଏବଂ ବିଭିନ୍ନ ପର୍ବପର୍ବାଣୀ ଆରମ୍ଭ ହୋଇଥିଲା । ମାତ୍ର ଚଳିତ ବର୍ଷ ପ୍ରଥମଥର କରି ମା’ଙ୍କ ଷୋଡଶ ଦିନାତ୍ମକ ପୂଜା କରାଯାଉଛି । ମା’ଙ୍କ ନିକଟରେ ଶାରଦୀୟ ପୂଜା ସମୟରେ ଯିଏ ଯାହା ମାନସିକ କରିଥାଏ ତାହା ସଂପୂର୍ଣ୍ଣ ହୋଇଥାଏ । ତେଣୁ ଏହି ଦନରେ ମା’ଙ୍କ ନିକଟରେ ଶତାଧିକ ଶ୍ରଦ୍ଧାଳୁଙ୍କ ଭିଡ ଜମିଥାଏ । ଚଳିତବର୍ଷ ଠାରୁ ମା’ ଙ୍କ ଷୋଡଶ ପୂଜା ଆୟୋଜନ ହୋଇଥିବାରୁ ଏହାକୁ ନେଇ ବେଶ ଖୁସି ଅଞ୍ଚଳବାସୀ ଓ ଭକ୍ତ ।’’

ଇଟିଭି ଭାରତ,ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.