ETV Bharat / state

Durga Puja Special: ଝଲସୁଛି ସିଲଭରସିଟି, ପ୍ରଥମ ଥର କଟକରେ କାଚମେଢ

author img

By ETV Bharat Odisha Team

Published : Oct 19, 2023, 10:23 PM IST

ଦର୍ଶକଙ୍କୁ ଆକୃଷ୍ଟ କରିବା ପାଇଁ ନୂଆ ନୂଆ ପଦକ୍ଷେପ ନେଉଛନ୍ତି ପୂଜା କମିଟି । ପ୍ରଥମ ଥର କଟକରେ ଦେଖିବାକୁ ମିଳିବ କାଚମେଢ । ଅଧିକ ପଢନ୍ତୁ

first glass medha in cuttack
ଦଶହରାରେ ପ୍ରଥମ ଥର ପାଇଁ କାଚ ମେଢ଼

ଦଶହରାରେ ପ୍ରଥମ ଥର ପାଇଁ କାଚ ମେଢ଼

କଟକ: ଦୁର୍ଗାପୂଜା ପାଇଁ ସଜେଇ ହେଲାଣି କଟକ ସହର । ଚକମକ ଆଲୋକ ମାଳା ସାଙ୍ଗକୁ ଭଳିକି ଭଳି ଲାଇଟ ଗେଟରେ ଝଲସୁଛି ସିଲଭର ସିଟି । ଦର୍ଶକଙ୍କୁ ଆକୃଷ୍ଟ କରିବା ପାଇଁ ନୂଆ ନୂଆ ପଦକ୍ଷେପ ନେଉଛନ୍ତି ପୂଜା କମିଟି । ତେବେ ସୁନା ଚାନ୍ଦିର ପ୍ରତିଯୋଗିତା ମଧ୍ୟରେ କଟକରେ ଏଥର ପ୍ରଥମ କାଚ ମେଢ଼ ଦେଖିବାକୁ ମିଳିବ । ରାଉସପଟଣା ପୂଜା ମଣ୍ଡପରେ ଏଥର କାଚ ମେଢ଼ରେ ଶୋଭା ପାଇବେ ଜଗତଜନନୀ । ଯାହାକି ଦର୍ଶକଙ୍କୁ ବେଶ ଆକୃଷ୍ଟ କରିବ ବୋଲି ପୂଜା କମିଟି ସଦସ୍ୟ ଆଶାବାଦୀ ରହିଛନ୍ତି । ସୁନା,ଚାନ୍ଦି ଆଉ ପିତ୍ତଳ ମେଢ଼ ପରେ ଏବେ କଟକ ଦଶହରାରେ ଦେଖିବାକୁ ମିଳିବ କାଚ ମେଢ଼ ।

ଏହି ନିଆରା ମେଢ ବିଷୟରେ ଚିନ୍ତା କରି ଏହାକୁ ନିର୍ମାଣ କରିଛି କଟକ ରାଉସପଟଣା ପୂଜା ମଣ୍ଡପ । ପୂର୍ବରୁ ଏହି ମଣ୍ଡପରେ ଜରି ମେଢ଼ କରାଯାଉଥିଲା । ତେବେ ୨ ବର୍ଷ ହେବ କାଚ ମେଢ଼ କରିବାକୁ ନିଷ୍ପତ୍ତି ନେଇଥିଲେ କମିଟିର କର୍ମକର୍ତ୍ତା । "କୌଣସି ବାହାର ମିସ୍ତ୍ରୀ ନ ଆଣି ସାହିର ଯୁବକମାନେ ମିଶି ଏହି କାଚ ମେଢ଼ ନିର୍ମାଣ କରିଛନ୍ତି । ପ୍ରାୟ ୬ ଲକ୍ଷ ଟଙ୍କା ବ୍ୟୟରେ ଏହି କାଚ ମେଢ଼ ନିର୍ମାଣ ହୋଇଛି । ଏହା ଦର୍ଶକମାନଙ୍କୁ ବେଶ ପସନ୍ଦ ଆସିବ" ବୋଲି ପୂଜା କମିଟି ସଭାପତି କହିଛନ୍ତି।

ଏହା ବି ପଢନ୍ତୁ...Durga Puja Special: ବୁଢୀ ଠାକୁରାଣୀଙ୍କ ପୂଜା ଆରମ୍ଭ କରିଥିଲେ ଡେରା ସମ୍ପ୍ରଦାୟ, ସ୍ବପ୍ନାଦେଶ ପାଇ ଗଢି ଉଠିଥିଲା ସିଦ୍ଧଭୈରବୀ ପୀଠ

ତେବେ "୨୫୦ ଖଣ୍ଡରୁ ଅଧିକ କାଚ ବ୍ୟବହାର କରାଯାଇ ନିର୍ମାଣ ହୋଇଛି ଏହି ମେଢ଼। ଯାହାର ଉଚ୍ଚତା ୯ ଫୁଟ ରହିଥିବାବେଳେ ଚଉଡା ରହିଛି ପ୍ରାୟ ୧୩ ଫୁଟ । ସେହିପରି ଏହି ମେଢ଼ରେ ପ୍ରାୟ ୨୪ ରୁ ୩୬ ଇଞ୍ଚର କାଚ ବ୍ୟବହାର କରାଯାଇଛି । କାଚ ଗୁଡିକୁ ଫିକ୍ସ ରଖିବା ପାଇଁ ଲୁହା ପ୍ଲେଟ,ସୋଲ ପ୍ଲାଏ ଓ କାଠର ବ୍ୟବହାର କରାଯାଇଛି। ତେବେ ୩ ଥାକରେ ମେଢ଼କୁ ଭାଗ କରାଯାଇଛି। ଫଳରେ ଏହାକୁ ସୁବିଧାରେ ବାହାରକୁ ନିଆଯାଇପାରିବ। ମେଢ଼ ସହ ଏକ ଗିୟର ବକ୍ସ ଓ ୨ ଏଚପିର ମୋଟର ବି ବ୍ୟବହାର କରାଯାଇଛି। ତେବେ ଗତ ବାହୁଡାରୁ ଏହି ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା" ବୋଲି ପୂଜା କମିଟିର ସମ୍ପାଦକ କହିଛନ୍ତି । ଭସାଣ ସମୟରେ ଏହି ମେଢ଼ ଶୋଭାଯାତ୍ରାରେ ସାମିଲ ହେବାର ସମସ୍ୟା ଉପୁଜିବାର ଆଶଙ୍କା ଥିବାରୁ ଯାନ୍ତ୍ରିକ ପଦ୍ଧତି ଦ୍ୱାରା ଶୋଭାଯାତ୍ରାକୁ ନେବା ପାଇଁ ଯୋଜନା କରୁଛନ୍ତି କର୍ମକର୍ତ୍ତା ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.