ETV Bharat / state

Durga Puja Special: ବୁଢୀ ଠାକୁରାଣୀଙ୍କ ପୂଜା ଆରମ୍ଭ କରିଥିଲେ ଡେରା ସମ୍ପ୍ରଦାୟ, ସ୍ବପ୍ନାଦେଶ ପାଇ ଗଢି ଉଠିଥିଲା ସିଦ୍ଧଭୈରବୀ ପୀଠ

author img

By ETV Bharat Odisha Team

Published : Oct 19, 2023, 7:59 PM IST

navratra puja in berhampur
ବ୍ରହ୍ମପୁରର ବିଭିନ୍ନ ଶକ୍ତିପୀଠରେ ନବରାତ୍ର ପୂଜା

ରେଶମ ସହର ବ୍ରହ୍ମପୁରର ବିଭିନ୍ନ ଶକ୍ତିପୀଠରେ ଚାଲିଛି ନବରାତ୍ର ପୂଜା । ଆରାଧ୍ୟା ଦେବୀ ମା' ବୁଢୀ ଠାକୁରାଣୀଙ୍କ ମନ୍ଦିର ଓ ମା' ସିଦ୍ଧ ଭୈରବୀଙ୍କ ମନ୍ଦିରକୁ ଛୁଟୁଛି ଭକ୍ତଙ୍କ ସୁଅ । ଅଧିକ ପଢନ୍ତୁ

ବ୍ରହ୍ମପୁରର ବିଭିନ୍ନ ଶକ୍ତିପୀଠରେ ନବରାତ୍ର ପୂଜା

ବ୍ରହ୍ମପୁର: ରେଶମ ସହର ବ୍ରହ୍ମପୁରରେ ଥିବା ବିଭିନ୍ନ ଶକ୍ତିପୀଠରେ ଚାଲିଛି ନବରାତ୍ର ପୂଜା । ଆରାଧ୍ୟା ଦେବୀ ମା' ବୁଢୀ ଠାକୁରାଣୀଙ୍କ ମନ୍ଦିରରେ ଶାରଦୀୟ ପୂଜା କରାଯାଉଛି । ସ୍ୱତନ୍ତ୍ର ସଂସ୍କୃତି ଓ ପରମ୍ପରା ପାଇଁ ସାରା ରାଜ୍ୟରେ ଏକ ପରିଚୟ ସୃଷ୍ଟି କରିଥିବା ରେଶମ ସହର ବ୍ରହ୍ମପୁରରେ ବହୁ ଆଡମ୍ବରରେ କରାଯାଏ ମା'ଙ୍କ ପୂଜାର୍ଚ୍ଚନା । ପାରମ୍ପରିକ ରୀତିନୀତି ଅନୁଯାୟୀ ଚଳିତବର୍ଷ ମଧ୍ୟ ମା'ଙ୍କ ପୀଠରେ ନବରାତ୍ର ପୂଜା ଆୟୋଜିତ ହୋଇଥିବାବେଳେ ଭକ୍ତମାନେ ପୀଠରେ ମା'ଙ୍କୁ ଦର୍ଶନ କରି ସାନିଧ୍ୟ ଲାଭ କରୁଛନ୍ତି ।


ପ୍ରତ୍ୟେକ ବର୍ଷ ମହାଳୟା ଅମାବାସ୍ୟ ପ୍ରତିପଦା ତିଥିରେ ମା'ଙ୍କ ନବରାତ୍ର ପୂଜା ଆରମ୍ଭ ହୋଇ ପ୍ରତ୍ୟେକ ଦିନ ସମସ୍ତ ପ୍ରକାର ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରାଯାଇଥାଏ। "ସକାଳର ସୂର୍ଯ୍ୟ ପୂଜା,ଦ୍ୱାରପାଳ ପୂଜାଠାରୁ ଆରମ୍ଭ କରି ରାତିର ଚଣ୍ଡୀପାଠ କରାଯାଏ । ନବରାତ୍ର ପୂଜା ସମୟରେ ମା'ଙ୍କୁ ପ୍ରାତଃ ସମୟରୁ ମଙ୍ଗଳଆଳତୀ, ବାଳଭୋଗ, ମଧ୍ୟାହ୍ନ ଭୋଗ, ସନ୍ଧ୍ୟା ଆଳତୀ ଭଳି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥାଏ" ବୋଲି କହିଛନ୍ତି ମା' ବୁଢୀ ଠାକୁରାଣୀ ମନ୍ଦିରର ମୁଖ୍ୟ ପୂଜକ ମନୋଜ କୁମାର ଗନ୍ତାୟତ । କିମ୍ବଦନ୍ତୀ ଅନୁଯାୟୀ, ତତ୍କାଳୀନ ମହୁରୀ ରାଜାଙ୍କ ଶାସନ କାଳରେ ପଡୋଶୀ ରାଜ୍ୟରୁ ଆସିଥିବା ଡେରା ସମ୍ପ୍ରଦାୟର ଲୋକମାନେ ମା'ଙ୍କୁ ପୂଜାର୍ଚ୍ଚନା ଆରମ୍ଭ କରିଥିବା କୁହାଯାଏ । ସେପଟେ ବର୍ଷ ତମାମ ରାଜ୍ୟ ତଥା ଦେଶରୁ ଭକ୍ତମାନେ ମା'ଙ୍କୁ ଦର୍ଶନ କରିବାକୁ ଭିଡ ଜମାଉଥିବାବେଳେ ନବରାତ୍ର ପୂଜା ସମୟରେ ବିଭିନ୍ନ ଅଞ୍ଚଳରୁ ଭକ୍ତଙ୍କ ସୁଅ ଛୁଟିଥାଏ ।

ଏହା ବି ପଢନ୍ତୁ...ଶେଷ ସ୍ପର୍ଶରେ ଜୀବନ୍ତ ହେବ ମୃଣ୍ମୟୀ ମୂର୍ତ୍ତି, ମା'ଙ୍କ ଆଗମନକୁ ଅନାଇ ବସିଛନ୍ତି ଇନ୍ଦୁପୁରବାସୀ



ସେହିପରି ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ମା' ସିଦ୍ଧ ଭୈରବୀ ପୀଠରେ ଚାଲିଛି ନବରାତ୍ର ପୂଜା । ବ୍ରହ୍ମପୁର ସହର ଉପକଣ୍ଠ ରଙ୍ଗେଲଲୁଣ୍ଡା ବ୍ଲକର ହରଡଙ୍ଗ ଗ୍ରାମରେ ରହିଛି ମା'ଙ୍କ ମନ୍ଦିର । କିମ୍ୱଦନ୍ତୀ ଅନୁଯାୟୀ ହରଡଙ୍ଗ ଗ୍ରାମର ଗିନା ଗାଙ୍ଗୁଲୁ ରେଡ୍ଡୀ ନାମକ ଜଣେ କୃଷକ ନିଜର ଚାଷ ଜମିରେ ଲଙ୍ଗଳ ବୁଲାଇବା ସମୟରେ ଲଙ୍ଗଳ ମୁନ ହଠାତ୍ ରକ୍ତାକ୍ତ ହୋଇଥିବା ଦେଖି ଅତ୍ୟନ୍ତ ଭୟଭୀତ ହୋଇଯାଇଥିଲେ । ଆଉ ସେହି ଦିନ ମା'ଙ୍କ ଉତ୍ପତ୍ତି ସମ୍ପର୍କରେ ସ୍ୱପ୍ନାଦେଶ ହେବା ପରେ ସେହି ସ୍ଥାନରେ ହିଁ ଗଢିଉଠିଥିଲା ମା' ସିଦ୍ଧଭୈରବୀଙ୍କ ମନ୍ଦିର । ପ୍ରାୟ ୫୦୦ ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ଏଠାରେ ମା' ପୂଜା ପାଇ ଆସୁଥିବା କୁହାଯାଏ । ମା' ସିଦ୍ଧଭୈରବୀଙ୍କ ପୀଠରେ ଶାରଦୀୟ ପୂଜା ସମୟରେ ଅଖଣ୍ଡ ଦୀପଦାନ କରିଥାନ୍ତି । "ମା'ଙ୍କ ନିକଟରେ ଯାହା ମାନସିକ କରାଯାଏ ତାହା ସମ୍ପୂର୍ଣ୍ଣ ଫଳପ୍ରଦ ହୋଇଥାଏ" ବୋଲି କହିଛନ୍ତି ଭକ୍ତ ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.