ETV Bharat / state

କୋଭିଡ କଟକଣା ମଧ୍ୟରେ ଶ୍ରୀକ୍ଷେତ୍ରର ବିଭିନ୍ନ ମଠରେ ଝୁଲଣ ପର୍ବ ପାଳନ

author img

By

Published : Jul 30, 2020, 9:48 AM IST

Jhulana festival celebrated, jhulana at various mut in Shrikshetra,  Covid restrictions, ଶ୍ରୀକ୍ଷେତ୍ରର ବିଭିନ୍ନ ମଠରେ ଝୁଲଣ ପର୍ବ ପାଳନ, କୋଭିଡ କଟକଣା, ଶ୍ରୀକ୍ଷେତ୍ର ଝୁଲଣ ଯାତ୍ରା
କୋଭିଡ କଟକଣା ମଧ୍ୟରେ ଶ୍ରୀକ୍ଷେତ୍ରର ବିଭିନ୍ନ ମଠରେ ଝୁଲଣ ପର୍ବ ପାଳନ

ପ୍ରତିବର୍ଷ ମହା ଆଡମ୍ବରରେ ପାଳନ ହେଉଥିବା ଶ୍ରୀକ୍ଷେତ୍ର ଝୁଲଣ ଯାତ୍ରା ଚଳିତ ଥର କୋଭିଡ଼ କଟକଣା ମଧ୍ୟରେ ପାଳନ ହେଉଛି । ରାଧା ଦାମୋଦରଙ୍କ ଦର୍ଶନରୁ ବଞ୍ଚିତ ହୋଇଛନ୍ତି ଭକ୍ତ । ଅଧିକ ପଢ଼ନ୍ତୁ...

ପୁରୀ: ଶ୍ରୀମନ୍ଦିରରେ ଝୁଲଣ ଯାତ୍ରା ଶ୍ରାବଣ ଦଶମୀ ଠାରୁ ଭାଦ୍ରବ ପ୍ରତିପଦା ପର୍ଯ୍ୟନ୍ତ ପାଳନ କରାଯାଇଥାଏ । ଶ୍ରୀକୃଷ୍ଣଙ୍କର ଶ୍ରୀରାଧା ଓ ଗୋପୀମାନଙ୍କ ସହିତ ବିଳାସମୟ ଦୋଳିଖେଳ ହୋଇଥାଏ। ଏହାକୁ ଝୁଲଣ ଯାତ୍ରା କୁହାଯାଏ। ବୁଧବାର ଠାରୁ 5 ଦିନ ଧରି ମହାପ୍ରଭୁଙ୍କ ଏହି ପର୍ବ ଆରମ୍ଭ ହୋଇଛି। ଏହା ଶ୍ରୀମନ୍ଦିର ସହ ଶ୍ରୀକ୍ଷେତ୍ରରେ ଥିବା ଅଧିକାଂଶ ମଠ ଗୁଡ଼ିକରେ ଆଡମ୍ବରରେ ପାଳନ କରାଯାଇଥାଏ । ଶ୍ରୀକ୍ଷେତ୍ରରେ ରହିଛି ଅନେକ ପୁରାତନ ମଠ। ପ୍ରାୟ ଅଧିକାଂଶ ମଠରେ ପୂଜା ପାଉଛନ୍ତି ରାଧାକୃଷ୍ଣ। ସଙ୍ଗୀତ, ବାଦ୍ୟ ଓ ନୃତ୍ୟ ମୁଖର ଝୁଲଣ ଯାତ୍ରାରେ ସୁସଜ୍ଜିତ ରାଧା ଦାମୋଦରଙ୍କୁ ଦର୍ଶନ କରିବା ପାଇଁ ଦୂରଦୂରାନ୍ତରୁ ଶ୍ରଦ୍ଧାଳୁମାନେ ପୁରୀ ଆସିଥାନ୍ତି। କିନ୍ତୁ ଚଳିତ ଥର କୋରୋନା କଟକଣା ହେତୁ ରାଧା ଦାମୋଦରଙ୍କ ଦର୍ଶନରୁ ବଞ୍ଚିତ ହୋଇଛନ୍ତି ଭକ୍ତ ।

କୋଭିଡ କଟକଣା ମଧ୍ୟରେ ଶ୍ରୀକ୍ଷେତ୍ରର ବିଭିନ୍ନ ମଠରେ ଝୁଲଣ ପର୍ବ ପାଳନ

ବିଶେଷକରି ଶ୍ରୀକ୍ଷେତ୍ରରେ ଜଗନ୍ନାଥ ବଲ୍ଲଭ ମଠ, ନେବଳ ଦାସ ମଠ, ହରିଦାସ ମଠ, ଉତ୍ତରପାର୍ଶ୍ବ ମଠ, ଜିୟର ସ୍ବାମୀ, ରାଧାବଲ୍ଲଭ ମଠ, ବଡ଼ ଓଡ଼ିଆ ପ୍ରଭୃତି ମଠରେ ବେଶ୍‌ ଆଡମ୍ବରରେ ଅନୁଷ୍ଠିତ ହୋଇଥାଏ ଝୁଲଣ ଯାତ୍ରା। ଏହି ଉପଲକ୍ଷେ ବିଭିନ୍ନ ମଠରେ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ଆୟୋଜନ ହୋଇଥାଏ। ପ୍ରଭୁ ରାଧାକୃଷ୍ଣ କୁଞ୍ଜରେ ଖେଳିଥାନ୍ତି। ପ୍ରତ୍ୟହ ନିତ୍ୟ ଆଳତୀ ପରେ ପ୍ରଭୁଙ୍କ ପାଇଁ ଝୁଲଣ ଆଳତୀ ହୋଇଥାଏ। ଏଥିସହ ସ୍ବତନ୍ତ୍ର ଭୋଗ ମଧ୍ୟ ଲାଗି ହୁଏ। ପ୍ରତ୍ୟହ ସନ୍ଧ୍ୟା 7ଟାରୁ ରାତି ସାଢେ 10ଟା ପର୍ଯ୍ୟନ୍ତ ପାଲା, ଦାସକାଠିଆ ଓ ପାରମ୍ପରିକ ଭଜନ ପରିବେଷଣ ହୋଇଥାଏ।

ଏହାବ୍ୟତୀତ ଅନ୍ୟାନ୍ୟ ମଠ ମନ୍ଦିରରେ ମଧ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ହୋଇଥାଏ। ତେବେ ଚଳିତ ବର୍ଷ କୋରୋନା କଟକଣା ହେତୁ ପୁରୀକୁ ଭକ୍ତଙ୍କ ପ୍ରବେଶ କଟକଣା ରହିଛି। ସେହିପରି ଶ୍ରୀମନ୍ଦିରକୁ ମଧ୍ୟ ପ୍ରବେଶ କଟକଣା ରହିଛି। ଏଣୁ ଚଳିତ ଝୁଲଣ ଯାତ୍ରା ବିନା ଭକ୍ତରେ ଅନୁଷ୍ଠିତ ହେଉଛି। ଶ୍ରୀମନ୍ଦିର ମହାପ୍ରଭୁଙ୍କ ନୀତିକାନ୍ତି ବିଧି ଅନୁଯାୟୀ ଅନୁଷ୍ଠିତ ହେଉଛି । ମଠ ଗୁଡ଼ିକରେ ମଧ୍ୟ କୋଭିଡ କଟକଣା ଥିବାରୁ ଭକ୍ତଙ୍କ ପ୍ରବେଶ ନିଷେଧ ରହିଛି। ଏଣୁ ଚଳିତ ବର୍ଷ ଝୁଲଣ ଯାତ୍ରା ନିରାଡ଼ମ୍ବର ଭାବରେ ଅନୁଷ୍ଠିତ ହେଉଛି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.