ETV Bharat / state

Matric Exam: ଗଣଶିକ୍ଷା ମନ୍ତ୍ରୀଙ୍କ ଅଞ୍ଚଳରେ ଖୁଲମଖୁଲା କପି ! ଅଡିଓ ଭାଇରାଲ

author img

By

Published : Mar 11, 2023, 9:31 PM IST

ଚଳିତ ମାଟ୍ରିକ ପରୀକ୍ଷା କପିମୁକ୍ତ କରିବା ଲାଗି ସମସ୍ତ ବ୍ୟବସ୍ଥା ହୋଇଥିବା ଗଣଶିକ୍ଷା ମନ୍ତ୍ରୀ କହୁଥିବା ବେଳେ ଖୋଦ ତାଙ୍କ ଜିଲ୍ଲାରେ ଖୁଲମଖୁଲା କପି ହୋଇଥିବା ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ

Matric Exam
Matric Exam

ଗଣଶିକ୍ଷା ମନ୍ତ୍ରୀଙ୍କ ଅଞ୍ଚଳରେ ଖୁଲମଖୁଲା କପି ଅଭିଯୋଗ

ପୁରୀ: ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶଙ୍କ ଅଞ୍ଚଳରେ ମାଟ୍ରିକ ପରୀକ୍ଷାରେ ଖୁଲମଖୁଲା କପି ଅଭିଯୋଗ । ନିମାପଡ଼ା ବ୍ଳକ ହରିପୁର ଆଦର୍ଶ ବିଦ୍ୟାଳୟରେ ପରୀକ୍ଷାର୍ଥୀଙ୍କଠାରୁ ଶିକ୍ଷକମାନେ ଟଙ୍କା ନେଇ କପି କରିବାର ସୁଯୋଗ ଦେଉଥିବା ଅଭିଯୋଗ ଆସିଛି । ଏ ନେଇ ଏକ ଅଡିଓ ସୋସିଆଲ ମିଡିଆରେ ଭାଇରାଲ ହେଲା ପରେ ଚର୍ଚ୍ଚା ଜୋର ଧରିଛି । କପିକୁ ନେଇ ଟଙ୍କା ମୂଲଚାଲ ହେଉଥିବା ଭାଇରାଲ ଅଡିଓରୁ ଜଣାପଡ଼ିଛି ।

ଜଣେ ପରୀକ୍ଷାର୍ଥୀଙ୍କ ଅଭିଭାବକ ହରିପୁର ସ୍କୁଲର ଜଣେ ଶିକ୍ଷକଙ୍କ ସହ କପି ସୁବିଧା ନେଇ ମୂଲଚାଲ କରୁଥିବା ଭାଇରାଲ ଅଡିଓରୁ ଜଣାପଡିଛି । ନିମାପଡ଼ା ବ୍ଲକ ହରିପୁର ଆଦର୍ଶ ବିଦ୍ୟାଳୟରେ ଷ୍ଟେଟ ଇନଷ୍ଟିଚ୍ୟୁଟ ଅଫ ଓପନ ସ୍କୁଲ ପରୀକ୍ଷାର୍ଥୀଙ୍କ ପାଇଁ ସେଣ୍ଟର ହୋଇଛି । ସେଠାରେ ବୟସ୍କ ପରୀକ୍ଷାର୍ଥୀମାନେ ପରୀକ୍ଷା ଦେଉଛନ୍ତି । ୮୫ ଜଣ ପରୀକ୍ଷାର୍ଥୀ ରହିଛନ୍ତି । ତେବେ ପରୀକ୍ଷାର୍ଥୀମାନଙ୍କୁ କିପରି କପି ସୁବିଧା ଦିଆଯିବ ସେଥିଲାଗି ଅଭିଭାବକ ଜଣକ ଜଣେ ଶିକ୍ଷକଙ୍କ ସହ କଥା ହେଉଛନ୍ତି । ପରୀକ୍ଷାରେ କପି ପାଇଁ ସହଯୋଗ କରିବା ପାଇଁ ଅନୁରୋଧ କରୁଥିବା ବେଳେ ଏହା ବଦଳରେ ସବୁ କଥା ମାନିବାକୁ ସେ କହିଛନ୍ତି।

ଏହା ବି ପଢନ୍ତୁ- ମାଟ୍ରିକ ପରୀକ୍ଷାକୁ ନେଇ ବିଭାଗ ପ୍ରସ୍ତୁତ, କପି ରୋକିବ ସ୍ୱତନ୍ତ୍ର ସ୍କ୍ୱାଡ୍‌

ତେବେ ଶିକ୍ଷକ ଜଣଙ୍କ କହିଛନ୍ତି ତାଙ୍କୁ ସିଧା ଯୋଗାଯୋଗ ନ କରି ପରୀକ୍ଷା ଦେଉଥିବା ପରୀକ୍ଷାର୍ଥୀଙ୍କୁ ଯୋଗାଯୋଗ କର। ସେମାନେ ପରୀକ୍ଷା ପାଇଁ ବ୍ୟବସ୍ଥା କରିଛନ୍ତି । ଏହି କଥା ଫୋନରେ କହିହେବ ନାହିଁ । ସେହିପରି ପରୀକ୍ଷାର୍ଥୀମାନେ ହାତରେ ଟଙ୍କା ନେଇ ଯାଉଥିବା ଓ ପରୀକ୍ଷା ସେଣ୍ଟରରେ କପି ଯୋଗା ଯାଉଥିବା ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଏହି ଘଟଣା ପରେ ମ୍ୟାଟ୍ରିକ ପରୀକ୍ଷାରେ ସ୍ବଚ୍ଛତା ନେଇ ପ୍ରଶ୍ନ ଉଠିଛି । ଗୋଟେ ପଟେ ପରୀକ୍ଷା କଡ଼ାକଡ଼ି ପାଇଁ ସବୁ ବ୍ୟବସ୍ଥା ହୋଇଥିବା ଗଣଶିକ୍ଷା ମନ୍ତ୍ରୀ କହୁଥିବା ବେଳେ ଖୋଦ୍ ମନ୍ତ୍ରୀଙ୍କ ଅଞ୍ଚଳରେ ପରୀକ୍ଷା କେନ୍ଦ୍ରରେ କପି ପାଇଁ ମୂଲଚାଲ ହେବା ଘଟଣା ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି ।

ସୂଚନା ଥାଉ କି ଗତ ଶୁକ୍ରବାରଠାରୁ ରାଜ୍ୟରେ ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇଛି । ମାଟ୍ରିକ ପରୀକ୍ଷା ସହିତ ମଧ୍ୟମା ଓ ଓପନ ସ୍କୁଲର ମଧ୍ୟ ପରୀକ୍ଷା ଅନୁଷ୍ଠିତ ହୋଇଛି । ମୋଟ ୫ ଲକ୍ଷ ୪୧ ହଜାର ୨୪୭ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି । ସକାଳ ୮ଟାରୁ ୧୦ଟା ପର୍ଯ୍ୟନ୍ତ ପରୀକ୍ଷା ଦେଉଛନ୍ତି ଛାତ୍ରଛାତ୍ରୀ । ମାଟ୍ରିକ ପରୀକ୍ଷା ଲାଗି ୩୨୧୮ ପରୀକ୍ଷା କେନ୍ଦ୍ର ସହ ୩୧୬ ନୋଡାଲ ସେଣ୍ଟରରେ ପରୀକ୍ଷା କରାଯାଉଛି । ମାଓ ପ୍ରବଣ ଅଞ୍ଚଳରେ ପ୍ରାୟ ୨୨ଟି ଥାନାରେ ନୋଡାଲ ସେଣ୍ଟର କରାଯାଇଥିବା ବେଳେ ସେଥିମଧ୍ୟରୁ କନ୍ଧମାଳରେ ୭ଟି, ମାଲକାନଗିରିରେ ୧୦ଟି ଓ କୋରାପୁଟରେ ୫ଟି ପୋଲିସ ଷ୍ଟେସନକୁ କରାଯାଇଛି ନୋଡାଲ ସେଣ୍ଟର ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.