ETV Bharat / state

ପରିକ୍ରମା ପ୍ରକଳ୍ପ ଉତ୍ସବରେ ଭକ୍ତ ପାଇବେ ନୂଆ ଅନୁଭୂତି, ପ୍ରଦର୍ଶିତ ହେବ ମହାପ୍ରଭୁଙ୍କ ୨୪ ବେଶ

author img

By ETV Bharat Odisha Team

Published : Jan 13, 2024, 9:51 PM IST

Lord Jagannath 24 Beshas Exhibition: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରତିଷ୍ଠା ଉତ୍ସବରେ ଭକ୍ତଙ୍କୁ ମିଳିବ ନୂଆ ଅନୁଭୂତି । ଜଗନ୍ନାଥ ବଲ୍ଲଭ ତୀର୍ଥଯାତ୍ରୀ କେନ୍ଦ୍ରରେ ମହାପ୍ରଭୁଙ୍କ ୨୪ ବେଶର ହେବ ପ୍ରଦର୍ଶନୀ । ଅଧିକ ପଢ଼ନ୍ତୁ

ପରିକ୍ରମା ପ୍ରକଳ୍ପ ଉତ୍ସବରେ ମହାପ୍ରଭୁଙ୍କ ୨୪ ବେଶ
ପରିକ୍ରମା ପ୍ରକଳ୍ପ ଉତ୍ସବରେ ମହାପ୍ରଭୁଙ୍କ ୨୪ ବେଶ

ପରିକ୍ରମା ପ୍ରକଳ୍ପ ଉତ୍ସବରେ ମହାପ୍ରଭୁଙ୍କ ୨୪ ବେଶ

ପୁରୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରତିଷ୍ଠା ଉତ୍ସବରେ ଭକ୍ତ ନୂଆ ଅନୁଭୂତି ପାଇବେ । ମହାପ୍ରଭୁଙ୍କ ୨୪ଟି ବେଶର ଦର୍ଶନ ପାଇବେ ଭକ୍ତ । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ଵତନ୍ତ୍ର ପ୍ରଦର୍ଶନୀ ଆୟୋଜନ ହେବ । ଏହି ପ୍ରଦର୍ଶନୀରେ ମହାପ୍ରଭୁଙ୍କ ୨୪ଟି ବେଶ ପ୍ରଦର୍ଶିତ ହେବ । ଏହା ସହିତ ପ୍ରତି ବେଶର ମାହାତ୍ମ୍ୟ ଓ ପରମ୍ପରା ସମ୍ପର୍କରେ ଭକ୍ତଙ୍କୁ ସୂଚନା ପ୍ରଦାନ କରାଯିବ । LED ସ୍କ୍ରିନରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସମ୍ପର୍କରେ ଭକ୍ତଙ୍କୁ ସୂଚନା ପ୍ରଦାନ କରାଯିବ । ବଡ଼ଦାଣ୍ଡରେ ଥିବା ଜଗନ୍ନାଥ ବଲ୍ଲଭ ତୀର୍ଥଯାତ୍ରୀ କେନ୍ଦ୍ରରେ ଏହି ନିଆରା ପ୍ରଦର୍ଶନୀ ଆୟୋଜନ ହେବ ।

ଏନେଇ ମୂର୍ତ୍ତି ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ସୂଚନା ଦେଇଛନ୍ତି ମହାପ୍ରଭୁଙ୍କ ବେଶ କାରିଗର ବସନ୍ତ କୁମାର ରଣା । ସେ କହିଛନ୍ତି, "ଫାଇବର ଓ ସୋଲରେ ମୂର୍ତ୍ତି ସବୁ ନିର୍ମାଣ ହୋଇଛି । ମହାପ୍ରଭୁଙ୍କ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ କାର୍ଯ୍ୟରେ ସାରା ଭାରତରୁ ଅତିଥି ଓ ଭକ୍ତ ଆସିବେ । ସେମାନେ ମହାପ୍ରଭୁଙ୍କ ଦୁର୍ଲ୍ଲଭ ୨୪ ପ୍ରକାର ବେଶ ଦେଖି ବିମୋହିତ ହେବେ । ବର୍ଷରେ ବିଭିନ୍ନ ପର୍ବ ପର୍ବାଣୀରେ ମହାପ୍ରଭୁ ଭିନ୍ନ ଭିନ୍ନ ବେଶ ହୋଇଥାଆନ୍ତି । ସବୁ ବେଶ ଭକ୍ତମାନେ ଦେଖିବା ସମ୍ଭବପର ହୁଏନାହିଁ । ତେବେ ଜଗନ୍ନାଥ ବଲ୍ଲଭରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ହୋଇଥିବା ପ୍ରଦର୍ଶନୀରେ ୨୪ ପ୍ରକାର ମହାପ୍ରଭୁଙ୍କ ବେଶ ଭକ୍ତମାନେ ଦେଖିପାରିବେ । ଏନେଇ ସବୁ ବ୍ୟବସ୍ଥା ହୋଇଛି ।"

ଏହା ମଧ୍ୟ ପଢ଼ନ୍ତୁ...ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ; ଉତ୍ତର-ପୂର୍ବ ଯଜ୍ଞ ମଣ୍ଡପ ନିକଟରେ ହେଲା ଅଙ୍କୁର ପୂଜନ

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବରେ ସାମିଲ ହେବେ ଦେଶ ବିଦେଶର ଅତିଥି । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏହି ଭବ୍ୟ କାର୍ଯ୍ୟକ୍ରମରେ ସାମିଲ ହେବାକୁ ନିମନ୍ତ୍ରଣ କରଯାଇଛି । ଓଡ଼ିଶାର ଅନେକ ପ୍ରମୁଖ ମନ୍ଦିର ରହିଛି । ସେହିପରି ଭାରତର ଅନେକ ପ୍ରସିଦ୍ଧ ମନ୍ଦିର, ଧର୍ମପୀଠକୁ ନିମନ୍ତ୍ରଣ କରାଯାଇଛି । ତେବେ ଅତିଥିମାନେ କିଭଳି ସୁରୁଖୁରୁରେ ପୁରୀରେ ପହଞ୍ଚି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବରେ ସାମିଲ ହେବେ, ସେନେଇ ପ୍ରସ୍ତୁତି ଚାଲିଛି ।

ଏନେଇ ପୁରୀ ଜିଲ୍ଲାପାଳ କହିଛନ୍ତି, "ମହାପ୍ରଭୁଙ୍କ ଶ୍ରୀମନ୍ଦିର ପରିକ୍ରମା ମାର୍ଗ ପ୍ରକଳ୍ପ ଏକ ଐତିହାସିକ ପ୍ରକଳ୍ପ । ତେଣୁ ଏହାକୁ ଏକ ଭବ୍ୟ ଢଙ୍ଗରେ ପ୍ରତିଷ୍ଠା କରାଯାଉଛି । ରାଜ୍ୟ ତଥା ରାଜ୍ୟ ବାହାରୁ ଅନେକ ପ୍ରସିଦ୍ଧ ମନ୍ଦିର ଓ ଧର୍ମପୀଠକୁ ଏହି କାର୍ଯ୍ୟକ୍ରମରେ ସାମିଲ ହେବାକୁ ନିମନ୍ତ୍ରଣ କରଯାଇଛି । ଆସନ୍ତା ୧୭ ତାରିଖରେ ୯୦୦ ଅତିଥି ଏହି ଭବ୍ୟ ପ୍ରତିଷ୍ଠା ଉତ୍ସବ କାର୍ଯ୍ୟକ୍ରମରେ ସାମିଲ ହେବେ । ଅତିଥିମାନେ ବସିବା ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା ହୋଇଛି । ଯଜ୍ଞଶାଳା ନିକଟରେ ସୀମିତ ସଂଖ୍ୟକ ଅତିଥି ଉପସ୍ଥିତ ରହିବେ । ସଭାକକ୍ଷରେ ୯୦୦ ଅତିଥିଙ୍କୁ ବସାଇବା ଭଳି ବ୍ୟବସ୍ଥା ହୋଇଛି ।" ତେବେ ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ ୧୭ ତାରିଖରେ ଶେଷ ହେବାପରେ, ୧୮ ତାରିଖରୁ ଓଡ଼ିଶାରୁ ନିମନ୍ତ୍ରିତ ହୋଇଥିବା ବିଭିନ୍ନ ମନ୍ଦିର ଓ ଅନୁଷ୍ଠାନଙ୍କୁ ଶ୍ରୀମନ୍ଦିରକୁ ଅଣାଯାଇ ମହାପ୍ରଭୁଙ୍କ ଦର୍ଶନ ସହ ଶ୍ରୀମନ୍ଦିର ପରିକ୍ରମା ମାର୍ଗ ପ୍ରଦକ୍ଷିଣ ବ୍ୟବସ୍ଥା ହୋଇଥିବା ଜିଲ୍ଲାପାଳ କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.