ETV Bharat / state

ଶ୍ରୀକ୍ଷେତ୍ରରେ କାୟା ମେଲାଉଛି ଡେଙ୍ଗୁ, ୨୮୫ ରୋଗୀ ଚିହ୍ନଟ

author img

By ETV Bharat Odisha Team

Published : Aug 26, 2023, 10:56 AM IST

ପୁରୀ ସହରରେ ୨୮୫ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ପର୍ଯ୍ୟାପ୍ତ ଶଯ୍ୟା ନଥିବା ଅଭିଯୋଗ । ଅଧିକ ପଢନ୍ତୁ

dengue terror in puri
dengue terror in puri

dengue terror in puri

ପୁରୀ: ଶ୍ରୀକ୍ଷେତ୍ରରେ କାୟା ମେଲୁଛି ଡେଙ୍ଗୁ । ବଢ଼ି ଚାଲିଛି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା । ସହରରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଥିବା ବେଳେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ପର୍ଯ୍ୟାପ୍ତ ଶଯ୍ୟା ନଥିବା ଅଭିଯୋଗ ହୋଇଛି । ଗତ ଜାନୁଆରୀ ମାସରୁ ଆଜି ପର୍ଯ୍ୟନ୍ତ ୨୮୫ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇ ସାରିଲେଣି । ହଠାତ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଥିବା ବେଳେ ପୁରୀ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗର ଖାମଖିଆଲି ନୀତିକୁ ନେଇ ସହରବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି ।

ଡେଙ୍ଗୁ ଆକ୍ରାନ୍ତଙ୍କ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମାତ୍ର ୬ଟି ବେଡ ରହିଛି । ପର୍ଯ୍ୟାପ୍ତ ବେଡ୍ ନ ଥିବାରୁ ରୋଗୀମାନେ ଉପଯୁକ୍ତ ଚିକିତ୍ସା ପାଇବାରୁ ବଞ୍ଚିତ ହେଉଥିବା ଅଭିଯୋଗ ହୋଇଛି । ସେହିପରି ଅନେକ ଡେଙ୍ଗୁ ରୋଗୀ ବାଧ୍ୟ ହୋଇ ଘରୋଇ ହସ୍ପିଟାଲ ମୁହାଁ ହେଉଛନ୍ତି ।ଡେଙ୍ଗୁ ଆକ୍ରାନ୍ତଙ୍କୁ ଚିହ୍ନଟ କରିବା ପାଇଁ ଲାବ୍ରୋଟୋରୀରେ ଆବଶ୍ୟକ କର୍ମଚାରୀ ଅଭାବ ଏବଂ ଟେଷ୍ଟିଂ ପାଇଁ ଅଧିକ ମେସିନ୍ ନଥିବାରୁ ରକ୍ତ ନମୁନା ସଂଗ୍ରହ ଓ ଚିହ୍ନଟ ପାଇଁ ବହୁତ ବିଳମ୍ବ ହେଉଛି । ଏଣୁ ରକ୍ତ ପରୀକ୍ଷା ପାଇଁ ଆବଶ୍ୟକୀୟ ଯନ୍ତ୍ରପାତି ଓ କର୍ମଚାରୀଙ୍କ ସଂଖ୍ୟା ବଢ଼ାଇବା ପାଇଁ ସାଧାରଣରେ ଦାବି ହୋଇଛି ।

ପୁରୀ ଏକ ଅନ୍ତର୍ଜାତୀୟ ପର୍ଯ୍ୟଟନସ୍ଥଳୀ ହୋଇଥିବା ବେଳେ ଡେଙ୍ଗୁ ଆକ୍ରାନ୍ତଙ୍କୁ ଉପଯୁକ୍ତ ଚିକିତ୍ସା ନମିଳିବା ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ସେପଟେ ଡେଙ୍ଗୁ ଆକ୍ରାନ୍ତଙ୍କୁ ଚିକିତ୍ସାରେ ଅବହେଳା କରାଯାଉଥିବା ଅଭିଯୋଗକୁ ନେଇ ଯଦିଓ ସିଡିଏମଓ ଖଣ୍ଡନ କରିଛନ୍ତି କିନ୍ତୁ ପରୋକ୍ଷରେ ଦୁର୍ବଳ ସ୍ଵାସ୍ଥ୍ୟ ଭିତ୍ତିଭୂମିକୁ ସ୍ବୀକାର କରିଛନ୍ତି । ଏନେଇ ପୁରୀ ସିଡିଏମଓ କହିଛନ୍ତି ଯେ, ଏଲ୍ ଏସ୍ ଆର ଟେଷ୍ଟ କରାଯାଇ ଡେଙ୍ଗୁ ରୋଗୀଙ୍କୁ ଚିହ୍ନଟ କରାଯାଉଥିବା ବେଳେ ପ୍ରତିଦିନ ୩ଶହ ପାଖାପାଖି ବ୍ୟକ୍ତିଙ୍କ ରକ୍ତ ନମୁନା ପରୀକ୍ଷା କରାଯାଉଛି । ତେବେ ଲୋକଙ୍କ ମଧ୍ୟରେ ସଚେତନତା ବୃଦ୍ଧି ଓ ଡେଙ୍ଗୁ ରୋଗକୁ କିଭଳି ରୋକାଯାଇ ପାରିବ ସେନେଇ ବ୍ୟାପକ ସଚେତନାମୂଳକ କାର୍ଯ୍ୟକ୍ରମ କରାଯାଉଛି ।

ଏହା ମଧ୍ୟ ପଢନ୍ତୁ- ଡେଙ୍ଗୁ ମହାମାରୀ ନୁହେଁ, ଆତଙ୍କିତ ନହେବାକୁ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ପରାମର୍ଶ

ଅନ୍ୟପଟେ ପୁରୀ ଜିଲ୍ଲାପାଳ କହିଛନ୍ତି ଯେ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡେଙ୍ଗୁ ରୋଗୀଙ୍କ ଚିକିତ୍ସା ପାଇଁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି । ନାଳ ନର୍ଦ୍ଦମାର ସଫେଇ, ମଶା ମରା ତେଲ ସିଞ୍ଚନ କରିବା ପାଇଁ ପୁରୀ ପୌରପାଳିକାକୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ପୁରୀ ସହରରେ ଡେଙ୍ଗୁ ସ୍ଥିତି ଦିନକୁ ଦିନ ଖରାପ ହେଉଥିବା ବେଳେ ଏହାର ମୁକାବିଲାରେ ପୁରୀ ଜିଲ୍ଲା ପ୍ରଶାସନ ସଠିକ୍ ଭାବେ ଦାୟିତ୍ଵ ନିର୍ବାହ ନକଲେ କଂଗ୍ରେସ ଆନ୍ଦୋଳନକୁ ଓହ୍ଲାଇବାକୁ ଚେତାବନୀ ଦେଇଛି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.