ETV Bharat / state

କତା କଣ୍ଢେଇ ଗ୍ରାମ ନଢଣା, କତା ଦେଇଛି ମହିଳାଙ୍କୁ ନୂଆ ପରିଚୟ

author img

By ETV Bharat Odisha Team

Published : Jan 16, 2024, 4:15 PM IST

କତା କଣ୍ଢେଇ ଗ୍ରାମ ନଢଣା
କତା କଣ୍ଢେଇ ଗ୍ରାମ ନଢଣା

Coir craft village Nadhana: କତା କଣ୍ଢେଇ ଗ୍ରାମ ନଢଣା । ନଡିଆ କତାରେ ଘର ସଜ୍ଜା ସାମଗ୍ରୀ ତିଆରି କରି ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି ଏହି ଗ୍ରାମର ମହିଳାମାନେ । ନିଜେ ସ୍ୱାବଲମ୍ବୀ ହେବା ସହ ଅନ୍ୟମାନଙ୍କ ପାଇଁ ସାଜିଛନ୍ତି ଉଦାହରଣ । ଦେଖନ୍ତୁ ସ୍ବତନ୍ତ୍ର ରିପୋର୍ଟ

କତା କଣ୍ଢେଇ ଗ୍ରାମ ନଢଣା

ନିମାପଡା: ରାଜ୍ୟ ସରକାରଙ୍କ କତା କଣ୍ଢେଇ ଗ୍ରାମ ନଢଣା । ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ ଭୋଗସାଳଦା ଗ୍ରାମ ପଞ୍ଚାୟତର ଅବସ୍ଥିତ ନଢଣା ଗାଁ ଏବେ କତା କଣ୍ଢେଇ ଗାଁ ନାଁରେ ବେଶ ଜଣାଶୁଣା । ନଡିଆ କତା ଦେଇଛି ସେହି ଗାଁକୁ ସ୍ୱତନ୍ତ୍ର ପରିଚୟ । ନଡିଆ କତାରେ ଭଳିକି ଭଳିକି ସାମଗ୍ରୀ ତିଆରି କରି ନିଜେ ସ୍ବାବଲମ୍ବୀ ହେବା ସହ ଅନ୍ୟମାନଙ୍କ ପାଇଁ ପ୍ରେରଣା ସାଜିଛନ୍ତି ନଢଣା ଗାଁର ମହିଳାମାନେ । ମହିଳାମାନେ ନଡ଼ିଆ କତାରେ ତିଆରି କରୁଛନ୍ତି ସୁନ୍ଦର ସୁନ୍ଦର ଘରସଜ୍ଜା ସାମଗ୍ରୀ । କତାରେ ଗଛ, ଚଢେଇ ବସା, ଜଗନ୍ନାଥଙ୍କ ଠାରୁ ନେଇ ଅନେକ ସୁନ୍ଦର ସୁନ୍ଦର ଜୀବନ୍ତ ଭଳି ବସ୍ତୁ ତିଆରି କରିଥାନ୍ତି ଏମାନେ ।

ପାଖାପାଖି 6 ବର୍ଷ ତଳୁ ଏହି କତା କଣ୍ଢେଇ କାମ ଆରମ୍ଭ କରିଥିଲେ ନଢଣା ଗାଁର ମହିଳାମାନେ । 2017-18 ମସିହାରେ ଗୁରୁ ଅମିୟ ପୋଦାର୍ ରାଜ୍ୟ ସରକାରଙ୍କ ହସ୍ତତନ୍ତ ବିଭାଗ ସହାୟତାରେ ଏମାନଙ୍କୁ ତାଲିମ ଦେଇଥିଲେ । 70ରୁ ଅଧିକ ମହିଳା ଏହି ତାଲିମ ନେଇ ଆରମ୍ଭ କରିଥିଲେ କତା କଣ୍ଢେଇ କାମ । ଓରମାସ ସହାୟତାରେ ଏବେ 3ଟି ଉତ୍ପାଦକ ଗୋଷ୍ଠୀ ହୋଇ ଏହି ସାମଗ୍ରୀ ଗୁଡ଼ିକୁ ବିକ୍ରି କରାଯାଉଛି । କତାରେ ତିଆରି ସାମଗ୍ରୀର ଚାହିଦା ବୃଦ୍ଧି ପାଇଥିବାରୁ ବଜାରରେ ଏହାର ବିକ୍ରି ସୁବିଧାରେ ହୋଇପାରୁଛି । ଏବେ ଫ୍ଲିପକାର୍ଟ ,ଆମାଜନ, ମିଶୋ ଭଳି ବିଭିନ୍ନ ଅନଲାଇନ ସପିଂ ଆପରେ ବି କତା କଣ୍ଢେଇ ବିକ୍ରୀ ହୋଇପାରୁଛି । ଯାହାକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି ହସ୍ତଶିଳ୍ପ ମହିଳାମାନେ ।

ଏହାମଧ୍ୟ ପଢନ୍ତୁ..ଆଦିବାସୀ ମହିଳାଙ୍କୁ ସ୍ୱାବଲମ୍ବୀ କରୁଛି ଗେଣ୍ଡୁଫୁଲ ଚାଷ

ଅନ୍ୟପଟେ କତା ଶିଳ୍ପ ପ୍ରଶିକ୍ଷକଙ୍କ କହିବାନୁଯାୟୀ, "ରାଜ୍ୟ ସରକାରଙ୍କ ହସ୍ତତନ୍ତ ବିଭାଗ ସହାୟତାରେ 2017-18 ମସିହାରେ ନଢଣା ଗାଁର ପାଖାପାଖି 70 ଜଣ ମହିଳାଙ୍କୁ ଟ୍ରେନିଂ ଦିଆଯାଇଥିଲା । ଏହାପରେ ସେମାନେ କତା କଣ୍ଢେଇ କାମ କରୁଛନ୍ତି । ତେବେ ସରକାର ଯଦି ଏମାନଙ୍କ ପାଇଁ ଘର ଖଣ୍ଡେ ଯୋଗାଇ ଦିଅନ୍ତି ତେବେ ଏମାନେ ଆହୁରୀ ଉପକୃତ ହୁଅନ୍ତେ ।"

ନିଜ ନିଜ ଉଦ୍ୟମରେ ଏକ ଛୋଟ ଆଜବେଷ୍ଟସ ଘର କରି କତା ହସ୍ତଶିଳ୍ପ ଗୋଷ୍ଠୀ କେନ୍ଦ୍ର କରି ତାଲିମ ନେଇ କାମ କରୁଛନ୍ତି ୭୦ ରୁ ଉର୍ଦ୍ଧ୍ବ ମହିଳା । ନିଜସ୍ଵ ଅନୁଦାନରେ ହୋଇଥିବା ଏହି ଛୋଟ ଘରେ 70 ଜଣ ମହିଳା ଏକକାଳୀନ ବସି କାମ କରିପାରୁ ନଥିବାବେଳେ ସରକାରଙ୍କୁ ଘର ଖଣ୍ଡେ ଯୋଗାଇ ଦେବାକୁ ଅନୁରୋଧ କରିଛନ୍ତି ମହିଳାମାନେ । ଯଦି ଘର ଖଣ୍ଡେ ପାଇଁ ସରକାରୀ ସହାୟତା ମିଳିପାରନ୍ତା ତେବେ ଆହୁରୀ ଅଧିକରୁ ଅଧିକ ରୋଜଗାର ହୋଇପାରନ୍ତା ବୋଲି କହିଛନ୍ତି ମହିଳାମାନେ ।

ଇଟିଭି ଭାରତ, ନିମାପଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.