ETV Bharat / state

ଆରମ୍ଭ ହେଲା ତିନି ରଥର ଭଙ୍ଗା କାର୍ଯ୍ୟ

author img

By

Published : Jul 14, 2023, 10:21 PM IST

ରଥ ଖୋଲୁଛନ୍ତି ଭୋଇ ସେବକ
ରଥ ଖୋଲୁଛନ୍ତି ଭୋଇ ସେବକ

ସରିଛି ମହାପ୍ରଭୁଙ୍କ ରଥଯାତ୍ରା । ଆଜିଠାରୁ ଆରମ୍ଭ ହୋଇଛି ତିନି ରଥ ଭାଙ୍ଗିବା ପ୍ରକ୍ରିୟା । ଶ୍ରୀମନ୍ଦିର ପ୍ରଶାସନର ନିର୍ଦ୍ଦେଶ କ୍ରମେ ବିଶ୍ଵକର୍ମା ମହାରଣାଙ୍କ ତତ୍ତ୍ବାବଧାନରେ ଭୋଇ ସେବକମାନେ ପ୍ରଥମେ ଖୋଲୁଛନ୍ତି ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ । ଅଧିକ ପଢ଼ନ୍ତୁ...

ରଥ ଖୋଲୁଛନ୍ତି ଭୋଇ ସେବକ

ପୁରୀ: ମହାପ୍ରଭୁଙ୍କ ରଥଯାତ୍ରା ଚଳିତ ବର୍ଷ ଶାନ୍ତି ଶୃଙ୍ଖଳାରେ ଶେଷ ହୋଇଛି । ଏହାପରେ ଆଜିଠାରୁ ଆରମ୍ଭ ହୋଇଛି ରଥ ଖୋଲା କାର୍ଯ୍ୟ । ଶ୍ରୀମନ୍ଦିର ପ୍ରଶାସନର ନିର୍ଦ୍ଦେଶ କ୍ରମେ ଭଙ୍ଗା ଯାଉଛି ରଥ । ବିଶ୍ଵକର୍ମା ମହାରଣାଙ୍କ ତତ୍ତ୍ବାବଧାନରେ ଭୋଇ ସେବକମାନେ ପ୍ରଥମେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥର କାଠ ଖୋଲିବା କାର୍ଯ୍ୟ ଆରମ୍ଭ କରିଛନ୍ତି । ଏହାପରେ ବଡ଼ ଠାକୁର ବଳଭଦ୍ରଙ୍କ ତାଳଧ୍ବଜ ଓ ପରେ ମହାପ୍ରଭୁଙ୍କ ନନ୍ଦିଘୋଷ ରଥ ଖୋଲିବା କାର୍ଯ୍ୟ କରାଯିବ ।

ବିଶ୍ବପ୍ରସିଦ୍ଧ ରଥଯାତ୍ରା ଶାନ୍ତି ଶୃଙ୍ଖଳାର ସହ ସରିବା ପରେ ପୁରୀ ଶ୍ରୀମନ୍ଦିର ସିଂହଦ୍ଵାର ଠାରେ ବ୍ୟାରିକେଡ୍‌ ମଧ୍ୟରେ ରଖା ଯାଇଥିବା ତିନି ରଥ ଭାଙ୍ଗିବା ପ୍ରକ୍ରିୟା ଆରମ୍ଭ ହୋଇଛି । ପ୍ରଥମେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଖୋଲା ଯାଇଛି । ଏହାପରେ ବଡ଼ ଠାକୁର ବଳଭଦ୍ରଙ୍କ ତାଳଧ୍ଵଜ ରଥ ଓ ଶେଷରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଭଙ୍ଗାଯିବ । ଶ୍ରୀମନ୍ଦିର ପ୍ରଶାସନ ନିର୍ଦ୍ଦେଶ କ୍ରମେ ଭୋଇ ସର୍ଦ୍ଦାରଙ୍କ ନେତୃତ୍ବରେ ୧୦ ଜଣ ଭୋଇ ସେବକ ରଥ ଭାଙ୍ଗିବା କାର୍ଯ୍ୟରେ ନିୟୋଜିତ ଅଛନ୍ତି । ତିନି ରଥ ସମ୍ପୂର୍ଣ୍ଣ ଭାଙ୍ଗିବା ପାଇଁ ୭ରୁ ୮ ଦିନ ସମୟ ଲାଗିଥାଏ । ରଥ ସମ୍ପୂର୍ଣ୍ଣ ଭଙ୍ଗାଯିବା ପରେ ସମସ୍ତ କାଠଗୁଡ଼ିକ ଶ୍ରୀମନ୍ଦିର ପ୍ରଶାସନର ଜିମାରେ ଦିଆଯିବ । ଏହି କାଠ ଶ୍ରୀମନ୍ଦିର ରୋଷଶାଳାରେ ମହାପ୍ରଭୁଙ୍କ କୋଠ ଭୋଗ ପ୍ରସ୍ତୁତିରେ ବ୍ୟବହାର କରାଯିବ ବୋଲି କହିଛନ୍ତି ଭୋଇ ସେବକ ।

ଏହା ମଧ୍ୟ ପଢ଼ନ୍ତୁ...୨୭ରେ ଶ୍ରୀମନ୍ଦିର ପରିଚାଳନା କମିଟି; ସ୍ନାନଯାତ୍ରା ଓ ରଥଯାତ୍ରା ପରିଚାଳନା ଉପରେ ସମୀକ୍ଷା

ସେହିପରି ରଥ ଚକ ଗୁଡିକ ଭକ୍ତ ମାନଙ୍କୁ ପ୍ରଦାନ କରାଯାଇଥାଏ । ଯେଉଁ ଭକ୍ତ ରଥ ଚକ ନେବାକୁ ଚାହିଁବେ, ସେମାନେ ଶ୍ରୀମନ୍ଦିର କାର୍ଯ୍ୟଳୟରେ ଯୋଗାଯୋଗ କରି ଥିବା ନିୟମ ସର୍ତ୍ତ ଓ ନିୟମ ଅନୂପାଳନ କରି ରଥ ଚକ ସଂଗ୍ରହ କରିପାରିବେ । ତେବେ ରଥରେ ଲାଗୁଥିବା ଓଲଟ ଶୁଆ, ପାର୍ଶ୍ଵ ଦେବାଦେବୀ, ସଖୀ, ସାରଥୀଙ୍କୁ ସୁରକ୍ଷିତ ରଖାଯାଏ । ଏମାନଙ୍କୁ ପ୍ରତିବର୍ଷ ରଥ ଯାତ୍ରାରେ ବ୍ୟବହାର କରାଯାଏ । କେବଳ ନବକଳେବର ବର୍ଷ ଏମାନଙ୍କୁ ଶ୍ରୀବିଗ୍ରହଙ୍କ ସହ ପାତାଳି କରାଯାଇ ନୂତନ ନିର୍ମାଣ ହୋଇଥାଏ । ସେପଟେ ରଥରୁ ବାହାରୁଥିବା କାଠକୁ ଘରେ ରଖିଲେ ଶୁଭ ହେଇଥାଏ ବୋଲି ଭକ୍ତଙ୍କ ବିଶ୍ବାସ ରହିଛି । ସେଥିପାଇଁ ପ୍ରତିବର୍ଷ ରଥ ଖୋଲାଯିବା ବେଳେ ଭକ୍ତମାନେ ରଥ କାଠ ସଂଗ୍ରହ କରି ନିଜ ଘରେ ରଖିଥାନ୍ତି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.