ETV Bharat / state

ତେଜୁଛି ରତ୍ନ ଭଣ୍ଡାର ଖୋଲିବା ଦାବି; ଶ୍ରୀମନ୍ଦିର କାର୍ଯ୍ୟାଳୟ ଘେରିଲା ଭାରତୀୟ ବିକାଶ ପରିଷଦ

author img

By

Published : Jul 7, 2023, 9:37 PM IST

ଶ୍ରୀମନ୍ଦିର କାର୍ଯ୍ୟାଳୟ ଘେରିଲା ଭାରତୀୟ ବିକାଶ ପରିଷଦ
ଶ୍ରୀମନ୍ଦିର କାର୍ଯ୍ୟାଳୟ ଘେରିଲା ଭାରତୀୟ ବିକାଶ ପରିଷଦ

ତେଜୁଛି ରତ୍ନ ଭଣ୍ଡାର ଖୋଲିବା ଦାବି । ଆଜି ଏନେଇ ଶ୍ରୀମନ୍ଦିର କାର୍ଯ୍ୟାଳୟ ଘେରାଉ କରିଛି ଭାରତୀୟ ବିକାଶ ପରିଷଦ । ପୁରୀ ରେଲୱେ ଷ୍ଟେସନରୁ ଏକ ବିଶାଳ ରାଲିରେ ସଙ୍ଗଠନର କର୍ମକର୍ତ୍ତା ଆସି ଶ୍ରୀମନ୍ଦିର କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଅଧିକ ପଢ଼ନ୍ତୁ

ଶ୍ରୀମନ୍ଦିର କାର୍ଯ୍ୟାଳୟ ଘେରିଲା ଭାରତୀୟ ବିକାଶ ପରିଷଦ

ପୁରୀ: ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଖୋଲିବା ଦାବି ନେଇ ଶ୍ରୀମନ୍ଦିର କାର୍ଯ୍ୟାଳୟ ଘେରାଉ କରିଛି ଭାରତୀୟ ବିକାଶ ପରିଷଦ । ପୁରୀ ରେଲୱେ ଷ୍ଟେସନରୁ ଏକ ବିଶାଳ ରାଲିରେ ସଙ୍ଗଠନର କର୍ମକର୍ତ୍ତା ଆସି ଶ୍ରୀମନ୍ଦିର କାର୍ଯ୍ୟାଳୟ ଆଗରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଥଲେ । ତୁରନ୍ତ ସରକାର ରତ୍ନ ଭଣ୍ଡାର ଖୋଲି ଭକ୍ତଙ୍କୁ ମହାପ୍ରଭୁଙ୍କ ଅଳଙ୍କାରର ସ୍ଥିତି ଜଣାଇବାକୁ ଭାରତୀୟ ବିକାଶ ପରିଷଦ ଦାବି କରିଛି । ଏନେଇ ଏକ ଦାବିପତ୍ର ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାଶଙ୍କୁ ପ୍ରଦାନ କରାଯାଇଛି ।

ଏହି ପ୍ରତିବାଦରେ ସାମିଲ ଥିବା ଜଗନ୍ନାଥ ସେନାର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ କହିଛନ୍ତି, "ରାଜ୍ୟ ସରକାର କଣ ପାଇଁ ରତ୍ନ ଭଣ୍ଡାର ଖୋଲିବାକୁ ପଛ ଘୁଞ୍ଚା ଦେଉଛନ୍ତି ? କୋଟି କୋଟି ଜଗନ୍ନାଥ ପ୍ରେମୀ ଏହାକୁ ନେଇ ଏବେ ସନ୍ଦେହ କରୁଛନ୍ତି । ରତ୍ନ ଭଣ୍ଡାରରେ ଆଉ ରତ୍ନ ଅଳଙ୍କାର ଅଛି ନା କିଏ ଲୁଟ କରି ନେଇଛି, ତକୁ ନେଇ ପ୍ରଶ୍ନ ଉଠିଛି । ଏଣୁ ଏହି ସନ୍ଦେହକୁ ଦୂର କରିବା ପାଇଁ ରାଜ୍ୟ ସରକାର ତୁରନ୍ତ ରତ୍ନ ଭଣ୍ଡାର ଖୋଲିଦିଅନ୍ତୁ । ନହେଲେ ଆଗାମୀ ଦିନରେ ବ୍ୟାପକ ବିରୋଧ ହେବ ।"

ଏହା ମଧ୍ୟ ପଢ଼ନ୍ତୁ...ପୁରୀ ଗସ୍ତରେ କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର, ରତ୍ନ ଭଣ୍ଡାର ପ୍ରସଙ୍ଗରେ ବର୍ଷିଲେ

ସେପଟେ ଏହି ଆନ୍ଦୋଳନର ନେତୃତ୍ବ ନେଇଥିବା ଭାରତୀୟ ବିକାଶ ପରିଷଦ ସଭାପତି ସୁରେନ୍ଦ୍ର ପାଣିଗ୍ରାହୀ କହିଛନ୍ତି, "ମହାପ୍ରଭୁଙ୍କ ରତ୍ନ ଭଣ୍ଡାର ଅସୁରକ୍ଷିତ ଅବସ୍ଥାରେ ରହିଛି । ବର୍ଷାଦିନେ ରତ୍ନ ଭଣ୍ଡାର ଛାତରୁ ବର୍ଷା ପାଣି ଗଳୁଛି । ଏହାର ମରାମତି କରିବା ପାଇଁ ସେବାୟତ, ଗଜପତି ମହାରାଜା, ଭକ୍ତ ଓ ASI ବି କହି ସାରିଛନ୍ତି । ହେଲେ ରାଜ୍ୟ ସରକାର ପଛଘୁଞ୍ଚା ଦେଉଛନ୍ତି । ଏଣୁ ରତ୍ନ ଭଣ୍ଡାରରେ ରତ୍ନ ଅଛି ନା କେହି ଲୁଟି ନେଇଛି, ତାହା ସନ୍ଦେହ ହେଉଛି ।" ତେଣୁ ରତ୍ନ ଭଣ୍ଡାରରେ ରତ୍ନ କେତେ ସୁରକ୍ଷିତ, ତାହା ସରକାର ସାର୍ବଜନୀନ କରିବାକୁ ଭାରତୀୟ ବିକାଶ ପରିଷଦ ଦାବି କରିଛି । ସେପଟେ ରତ୍ନ ଭଣ୍ଡାର ମାମଲା ଏବେ ହାଇକୋର୍ଟରେ ରହିଥିବାରୁ ଏହା ଉପରେ କୌଣସି ମତ ଦେବେ ନାହିଁ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି । ରତ୍ନ ଭଣ୍ଡାର ଖୋଲିବା ଦାବିପତ୍ରକୁ ସେ ଗ୍ରହଣ କରିଛନ୍ତି । ରାଜ୍ୟ ସରକାରଙ୍କୁ ଏନେଇ ଅବଗତ କରାଇବେ । ତେବେ ନିର୍ବାଚନ ପାଖେଇ ଆସୁଥିବା ବେଳେ ରତ୍ନ ଭଣ୍ଡାର ଖୋଲିବା ପାଇଁ ଦାବି ବଢିବାରେ ଲାଗିଛି । ରାଜ୍ୟ ସରକାରଙ୍କ ପାଇଁ ଏହି ଅବହେଳା ଆଗାମୀ ଦିନରେ ମହଙ୍ଗା ହେବ ବୋଲି ଚର୍ଚ୍ଚା ହେଉଛି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.