ETV Bharat / state

ଅଦିନିଆ ବର୍ଷା ଉଜାଡିଲା ତରଭୂଜ ଚାଷ, କେମିତି ସୁଝିବେ ଋଣ ଚିନ୍ତାରେ ମହିଳା

author img

By

Published : Apr 9, 2023, 6:34 PM IST

ମୁଣ୍ଡ ଝାଳ ତୁଣ୍ଡରେ ମାରି ଚାଷ କରିଥିଲେ । ଫଳ ମଧ୍ୟ ହେଲା । ହେଲେ ଅମଳ ବେଳକୁ ଦଇବ ସାଜିଲା ଦାଉ । ଅଦିନିଆ ବର୍ଷ ସାଙ୍ଗକୁ କୁଆପଥର ମାଡରେ ଉଜୁଡି ଗଲା ସୁନାର ଫସଲ । ଋଣ ପରିଶୋଧ କିପରି କରିବେ ତାକୁ ନେଇ ଚିନ୍ତାରେ ମିଶନ ଶକ୍ତି ମହିଳା ଚାଷୀ । ନୂଆପଡ଼ା ଜିଲ୍ଲା ଖଡିଆଳ ବ୍ଲକ ବଡମୁଲା ଗାଁରେ ଦେଖିବାକୁ ମିଳିଛି ଏପରି ଦୃଶ୍ୟ । ଦେଖନ୍ତୁ ଏହି ରିପୋର୍ଟ

Watermelon farming damaged in Nuapada
Watermelon farming damaged in Nuapada

ଅଦିନିଆ ବର୍ଷା ଉଜାଡିଲା ୫୦ଏକର ଜମିର ଫସଲ, ଋଣ ପରିଶୋଧକୁ ନେଇ ଚିନ୍ତାରେ ମହିଳା ଚାଷୀ

ନୂଆପଡା: ଜିଲ୍ଲାର ଖଡ଼ିଆଳ ବ୍ଲକ ବଡମୁଲା ଗାଁର ଓଡିଶା ଜୀବିକା ମିଶନ ଶକ୍ତି ଗ୍ରୁପର ୪୫ ଜଣ ମହିଳା ଚାଷୀ ଚଳିତବର୍ଷ ୫୦ ଏକର ଚାଷଜମିରେ ତରଭୁଜ ଚାଷ କରିଥିଲେ । ମହିଳାମାନଙ୍କ କଠୋର ପରିଶ୍ରମରେ ଉନ୍ନତମାନର ତରଭୁଜ ଚାଷଜମିରେ ଉଛୁଳି ପଡୁଥିଲା । ଅମଳ କରି ନିକଟସ୍ଥ ବଜାରରେ ବିକ୍ରି କରିବାବେଳକୁ ଦାଉ ସାଜିଲା ଦଇବ । ଅଦିନିଆ ବର୍ଷା କୁଆପଥର ମାଡରେ ବ୍ୟାପକ ମାତ୍ରାରେ କ୍ଷତି ହୋଇଛି ତରଭୁଜ ଚାଷ । ଫଳରେ ମିଶନ ଶକ୍ତି ମହିଳା ଚାଷୀ ମୁଣ୍ଡରେ ପଡିଛି ଚଡକ । ଋଣ ପରିଶୋଧ କିପରି କରିବେ ଚିନ୍ତାରେ ଭାଙ୍ଗି ପଡିଥିବାବେଳେ ସ୍ଥିତି ଅନୁଧ୍ୟାନ କରିବାପାଇଁ କ୍ଷେତ୍ର ପରିଦର୍ଶନ କରିଛନ୍ତି ଖଡ଼ିଆଳ ବିଡିଓ ।

ଗାଁର ମହିଳା ଚାଷୀଙ୍କୁ ସଶକ୍ତ କରିବାପାଇଁ ଓଡ଼ିଶା ଜୀବିକା ମିଶନ ଶକ୍ତି ବିଭାଗ ପ୍ରୋତ୍ସାହନ ଯୋଗାଇଥିଲା । ପ୍ରୋତ୍ସାହନ ପାଇ ବଡମୁଲା ଗାଁର ୧୦ଗୋଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ୪୫ଜଣ ମହିଳା ଚାଷୀଙ୍କୁ ପ୍ରଥମ ପର୍ଯ୍ୟାୟରେ ଚିହ୍ନଟ କରି ୫୦ଏକର ଚାଷ ଜମିରେ ଉନ୍ନତମାନର ତରଭୁଜ ଚାଷ କରିବା ପାଇଁ ତାଲିମ ଦିଆଯାଇଥିଲା । ଖର୍ଚ୍ଚ ବାବଦକୁ ୨୦ ଲକ୍ଷ ଟଙ୍କା ବ୍ୟାଙ୍କ ଋଣ ଯୋଗାଇ ଦେଇଛି ଓଡ଼ିଶା ଜୀବିକା ମିଶନ ଶକ୍ତି ବିଭାଗ ଖଡ଼ିଆଳ । ଉଦ୍ଦେଶ୍ୟ ଥିଲା ମାଆମାନଙ୍କର ଜୀବିକା ବିକାଶ ହେବା ସହ ସ୍ୱାବଲମ୍ବୀ ହୋଇପାରିବେ । କଠୋର ପରିଶ୍ରମ କରି ୫୦ ଏକର ଜମିରେ ମନଲୋଭାଣିଆ ତରଭୁଜ ଚାଷକଲେ ।

ଏହା ବି ପଢନ୍ତୁ- ରକ୍ତମୁଖା କଲରାପତରିଆ ବାଘ, ଜଙ୍ଗଲକୁ ନଯିବା ପାଇଁ DFOଙ୍କ ପରାମର୍ଶ

ଭାବିଥିଲେ ତରଭୁଜ ଚାଷରେ ଲକ୍ଷାଧିକ ଟଙ୍କା ଲାଭ ପାଇବେ । ହେଲେ ଅମଳ ବେଳକୁ ଦଇବ ସାଜିଲା ଦାଉ । ଅଦିନିଆ ବର୍ଷ ସାଙ୍ଗକୁ କୁଆପଥର ମାଡରେ ବ୍ୟାପକ କ୍ଷତି ହୋଇଛି ତରଭୁଜ ଚାଷ । ନିଜ ଗୋଡ଼ରେ ନିଜେ ଛିଡା ହୋଇ ପରିବାର ବୋଝକୁ ଟିକିଏ ହାଲୁକା କରିବାପାଇଁ ବଡମୁଲା ଗାଁର ମିଶନଶକ୍ତି ମହିଳା କରିଥିଲେ ନିଆରା ଉଦ୍ୟମ କରିଥିଲେ । ୪୫ ଜଣ ମହିଳା ଚାଷୀ ୫୦ ଏକର ଜମିରେ ଖରାଟିଆ ତରଭୁଜ ଚାଷ କରି ଲାଭାନ୍ୱିତ ହେବାପାଇଁ କରିଥିଲେ ପଣ ।

ମହିଳାଙ୍କ ଉତ୍ସାହକୁ ଦେଖି ଓଡିଶା ଜୀବିକା ମିଶନ ଶକ୍ତି ବିଭାଗ ୧୬ ଲକ୍ଷ ଏବଂ GPLF ପକ୍ଷରୁ ୪ ଲକ୍ଷ ସମୁଦାୟ ୨୦ ଲକ୍ଷଟଙ୍କା ବ୍ୟାଙ୍କ ଋଣ ଯୋଗାଇ ଦେଇଥିଲେ । ଋଣ ଟଙ୍କାକୁ ବିହନ, ସାର, କୀଟନାଶକ ଏବଂ ଶ୍ରମିକ ଖର୍ଚ୍ଚରେ ଲଗାଇ ଭଲ ଉନ୍ନତମାନର ଖରାଟିଆ ତରଭୁଜ ଚାଷ କରିଥିଲେ । ଗୋଟିଏ ତରଭୁଜ ପାଖାପାଖି ୭/୮କିଲୋଗ୍ରାମ ଓଜନର ହୋଇଥିଲା ।

ଚଳିତ ବର୍ଷ ଭଲ ଲାଭ ପାଇବେ ବୋଲି ମହିଳାମାନେ ବେଶ ଖୁସି ଥିଲେ । ହେଲେ ସବୁତକ ଖୁସିକୁ ଦଇବ ଛଡାଇ ନେଲା । ଅମଳ ବେଳକୁ ହଠାତ ଅଦିନିଆ ବର୍ଷା ସାଙ୍ଗକୁ କୁଆପଥର ମାଡ଼ରେ ତରଭୁଜ ଚାଷ ବ୍ୟାପକ କ୍ଷତି ହୋଇଛି । ଏବେ ମହିଳାଙ୍କ ମୁଣ୍ଡରେ ପଡିଛି ଚଡକ । ଲକ୍ଷାଧିକ ଟଙ୍କା ଋଣ ପରିଶୋଧ କରିବେ କିପରି । ଏନେଇ ମିଶନ ଶକ୍ତି ମହିଳା ଚାଷୀ ଝରଣା ସଗରିଆ କହିଛନ୍ତି, " ପୂର୍ବବର୍ଷ ଚାଷରୁ ଭଲ ଲାଭ ହୋଇଥିଲା । ହେଲେ ଚଳିତବର୍ଷ କୁଆ ପଥର ବର୍ଷାରେ ଫସଲ ନଷ୍ଟ ହୋଇଗଲା । ଆମେ ବ୍ୟାଙ୍କରୁ ଋଣ ଆଣିଥିଲୁ । ତାକୁ ସୁଝି ପାରିନଥିବାରୁ ଆଗକୁ ବି ବଢିପାରୁନି । ଋଣ ଆଣିଥିବା ଟଙ୍କାରେ ବିହନ ଆଦି କିଣି ଚାଷ କରିଥିଲୁ ।" ଅନ୍ୟପଟେ ଖବର ପାଇ ଖଡ଼ିଆଳ ବିଡିଓ କ୍ଷେତ୍ର ପରିଦର୍ଶନ କରି ମହିଳାମାନଙ୍କୁ ସାନ୍ତ୍ବନା ଦେଇଛନ୍ତି ।

ଇଟିଭି ଭାରତ, ନୂଆପଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.