ଗ୍ୟାସ ଟାଙ୍କି ଫାଟି ମହିଳାଙ୍କ ମୃତ୍ୟୁ ଘଟଣା, ପରିବାରକୁ ସହାୟତା ଦାବି

author img

By

Published : Oct 12, 2021, 6:30 PM IST

ଗ୍ୟାସ ଟାଙ୍କି ଫାଟି ମହିଳାଙ୍କ ମୃତ ଘଟଣା, ପରିବାରକୁ ସହାୟତା ଦାବି

ନୟାଗଡରେ ଗ୍ୟାସ ଟାଙ୍କି ଫାଟି ମହିଳାଙ୍କ ମୃତ୍ୟୁ ଘଟଣାରେ ସରକାରୀ ସହାୟତା ଦାବି କଲେ ସ୍ଥାନୀୟ ବାସିନ୍ଦା। ମହିଳାଙ୍କୁ ବଞ୍ଚାଇବାକୁ ଯାଇ ଗୁରୁତର ହୋଇଥିବା ସ୍ବାମୀ ଏବେ ମଧ୍ୟ ହସ୍ପିଟାଲରେ ଚିକିତ୍ସାଧୀନ । ପିତାମାତାଙ୍କ ଅନୁପସ୍ଥିତିରେ ଅନିଶ୍ଚିତ 6 ମାସର ଶିଶୁର ଭବିଷ୍ୟତ । ଅଧିକ ପଢନ୍ତୁ...

ନୟାଗଡ଼: ଗତ ଅଗଷ୍ଟ 31 ତାରିଖରେ ରୋଷେଇ କଲାବେଳେ ଗ୍ୟାସ ଟାଙ୍କି ଫାଟି ଘଟଣାସ୍ଥଳରେ ଜୀବନ୍ତ ଦଗ୍ଧ ହୋଇ ପ୍ରାଣ ହରାଇଥିବା ମହିଳାଙ୍କ ପରିବାରକୁ ସହାୟତା ପ୍ରଦାନ କରିବା ପାଇଁ ଦାବି ହୋଇଛି । ମୃତ ମହିଳାଙ୍କ ଏକ 6 ମାସର ଶିଶୁ ଥିବାବେଳେ ଦୁର୍ଘଟଣା ସମୟରେ ସ୍ତ୍ରୀକୁ ଉଦ୍ଧାର କରିବାକୁ ଯାଇ ସ୍ବାମୀ ମଧ୍ୟ ଗୁରୁତର ହୋଇ ବର୍ତ୍ତମାନ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି । ସେପଟେ ନିଆଁରେ ସବୁ କିଛି ହରାଇବା ପରେ ମାତ୍ର ଖଣ୍ତେ ପାଲ ଯୋଗାଇ ଦେଇ ନିଜ କାନ୍ଧରୁ ଦାୟିତ୍ବ ଖସାଇ ଦେଇଛି ସ୍ଥାନୀୟ ପ୍ରଶାସନ । ପିତାମାତା ଉଭୟଙ୍କ ଅନୁପସ୍ଥିତି ଓ ଏପରି ଅସହାୟତା ମଧ୍ୟରେ କଅଁଳ ଶିଶୁଟିର ଭବିଷ୍ୟତକୁ ନେଇ ପ୍ରଶ୍ନ ସୃଷ୍ଟି ହୋଇଛି ।

ଗ୍ୟାସ ଟାଙ୍କି ଫାଟି ମହିଳାଙ୍କ ମୃତ ଘଟଣା, ପରିବାରକୁ ସହାୟତା ଦାବି

ଘଟଣା ଅନୁସାରେ, ଗତ ଅଗଷ୍ଟ 31 ତାରିଖରେ ନୟାଗଡ ଜିଲ୍ଲା ଖଣ୍ଡପଡା ଥାନା ରାଣୀପଡ଼ା ପଞ୍ଚାୟତ ବିରିଡିହି ଗାଁ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା l ଏହି ଗାଁର ମହିଳା ହରପ୍ରିୟା ଜେନା ରନ୍ଧନ ଗ୍ୟାସ ଯୋଗେ ରୋଷେଇ କରୁଥିବାବେଳେ ଅଚାନକ ଗ୍ୟାସ ଟାଙ୍କି ଫାଟିବାରୁ ନିଆଁରେ ପୋଡି ହୋଇ ପ୍ରାଣ ହରାଇଥିଲେ । ମହିଳାଙ୍କ ଦେହରେ ନିଆଁ ଲାଗିଯାଇ ଥିବାବେଳେ ଉଦ୍ଧାର ଉଦ୍ୟମ କରିଥିବା ସ୍ବାମୀ ସିଲୁ ଜେନା ନିଆଁରେ ପୋଡି ଗୁରୁତର ହୋଇଥିଲେ l ଏବେ ବି ସ୍ବାମୀ ସିଲୁ ମେଡିକାଲରେ ଚିକିତ୍ସାଧୀନ ରହିଛନ୍ତି ।

ଅତ୍ୟନ୍ତ ଗରିବ ପରିବାର ହୋଇଥିବାରୁ ସିଲୁଙ୍କ ଚିକିତ୍ସା ଖର୍ଚ୍ଚ ବହନ କରିବା ମଧ୍ୟ ପରିବାର ପକ୍ଷେ ସମ୍ଭବ ହୋଇପାରୁନାହିଁ। ସବୁଠୁ ବଡ଼ କଥା ହେଉଛି ମା’ ହରପ୍ରିୟାଙ୍କ ଅକାଳ ବିୟୋଗ ଓ ବାପା ସିଲୁଙ୍କ ମେଡିକାଲରେ ଭର୍ତ୍ତି ପରେ ସେମାନଙ୍କ ନବଜାତ ଶିଶୁର ଭବିଷ୍ୟତ ନେଇ ମଧ୍ୟ ପ୍ରଶ୍ନ ସୃଷ୍ଟି ହୋଇଛି । ପ୍ରଶାସନ ତରଫରୁ କେବଳ ଜରିପାଲ ଖଣ୍ଡିଏ ଯୋଗାଇ ଦିଆଯାଇଛି l ଘର ପୋଡି ଯାଇଥିବାରୁ ପଡୋଶୀଙ୍କ ଘରେ ଆଶ୍ରୟ ନେଇଛନ୍ତି ପରିବାରର ଅନ୍ୟ ସଦସ୍ୟ l ଏପରି ସମୟରେ ଉକ୍ତ ଅସହାୟ ପରିବାରକୁ ତୁରନ୍ତ ସରକାରୀ ସହାୟତା ଯୋଗାଇଦେବାକୁ ସ୍ଥାନୀୟ ଗ୍ରାମବାସୀ ଦାବି କରିଛନ୍ତି ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.