ETV Bharat / state

ମିଳୁନି ସରକାରୀ ସହାୟତା, ଚାଷରୁ ମୁହଁ ଫେରାଉଛନ୍ତି ଆଖୁ ଚାଷୀ

author img

By

Published : Jan 15, 2023, 7:26 PM IST

sugarcane farmers
sugarcane farmers

ଜିଲ୍ଲାର ଦ୍ବିତୀୟ ପାରମ୍ପରିକ ଚାଷ ହେଉଛି ଆଖୁ ଚାଷ। ହେଲେ ଆଖୁ ବିକ୍ରି ପାଇଁ ଉପଯୁକ୍ତ ବଜାର ସୁବିଧା ନ ଥିବାରୁ ଚିନ୍ତାରେ ଚାଷୀ । ଅଧିକ ପଢନ୍ତୁ

ମୁହଁ ଫେରାଉଛନ୍ତି ଆଖୁ ଚାଷୀ

ନବରଙ୍ଗପରୁ : ଜିଲ୍ଲାରେ ଧାନ ପରେ ଦ୍ୱିତୀୟ ପାରମ୍ପରିକ ଚାଷ ହେଉଛି ଆଖୁ ଚାଷ । ନଦୀ ଅବବାହିକାରେ ପ୍ରଚୁର ପରିମାଣର ଆଖୁ ଚାଷ ହୁଏ । ଏଣୁ 70 ଦଶକରେ ନବରଙ୍ଗପୁର ସହର ଉପକଣ୍ଠରେ ଏକ ଚିନି କଳ ମଧ୍ୟ ଥିଲା ଯାହା ଦୀର୍ଘ ଦିନ ହେଲା ବନ୍ଦ ରହିଛି । ଅନେକ ଚାଷୀ ନିଜ ନଦୀ କୂଳିଆ ଜମିରେ ଆଖୁ ଚାଷ କରନ୍ତି । ହେଲେ ଜିଲ୍ଲା ଓ ଆଖପାଖ ଜିଲ୍ଲାର ଚିନି କାରଖାନାଗୁଡ଼ିକ ବନ୍ଦ ହୋଇଯିବା ଯୋଗୁଁ ଏହାର ସିଧାସଳଖ ପ୍ରଭାବ ନବରଙ୍ଗପୁର ଜିଲ୍ଲାର ଆଖୁଚାଷ ଉପରେ ପଡ଼ିଛି ।

ସେହିପରି ବର୍ତ୍ତମାନ ଉତ୍ପାଦନ କରୁଥିବା ଆଖୁ ପାଇଁ ଉପଯୁକ୍ତ ବଜାର ଅଭାବ ଯୋଗୁଁ ଚାଷୀ ବାଧ୍ୟ ହୋଇ ଗୁଡ଼ ପ୍ରସ୍ତୁତ କରି ବିକ୍ରି କରୁଛନ୍ତି । ଯାହା ଫଳରେ ଚାଷୀ କମ ଲାଭ ପାଉଛନ୍ତି । ପ୍ରତି ବର୍ଷ ନବରଙ୍ଗପୁର ଜିଲ୍ଲାରେ ପ୍ରଚୁର ପରିମାଣରେ ଆଖୁ ଚାଷ ହୋଇଥାଏ କିନ୍ତୁ ଉପଯୁକ୍ତ ବଜାର ଅଭାବ ଯୋଗୁଁ ଚାଷୀ ଆଖୁ ବିକ୍ରି କରି ପାରେ ନାହିଁ । ଏଣୁ ବାଧ୍ୟ ହୋଇ ଗୁଡ଼ ତିଆରି କରି ବିକ୍ରି କରୁଛନ୍ତି । ଆଜିକାଲି ଚିନିର ବହୁଳ ବ୍ୟବହାର ଯୋଗୁଁ ଗୁଡ଼ର ଚାହିଦା କମି ଯାଉଛି ଏଣୁ ଗୁଡ଼ ମଧ୍ୟ ବିକ୍ରି କମ ହେଉଛି । ଆଖୁ ଚାଷ ପାଇଁ ଯେତିକି ପରିଶ୍ରମ କରୁଛନ୍ତି ତାହାର ମୂଲ୍ୟ ମିଳୁ ନଥିବାରୁ ଅଧିକାଂଶ ଚାଷୀ ଆଖୁ ଚାଷରୁ ମୁହଁ ମୋଡିଲେଣି । ଆଉ କିଛି ବର୍ଷ ଗଲେ ଆଖୁ ଚାଷ ସମ୍ପୂର୍ଣ୍ଣ ବନ୍ଦ ହୋଇଯିବ । ତେବେ ବର୍ତ୍ତମାନ୍ ଗୁଡ଼ କିଲୋ ପ୍ରତି ୩୦ରୁ ୩୫ ଟଙ୍କା ରେ ବିକ୍ରି ହେଉଥିବା ବେଳେ ଯାହା ପର୍ଯ୍ୟାପ୍ତ ନୁହେଁ ବୋଲି ଆଖୁ ଚାଷୀ ପ୍ରକାଶ କରିଛନ୍ତି ।

ନବରଙ୍ଗପୁର ଜିଲ୍ଲାରେ ନଦୀ ନାଳ ଉପକୂଳରେ ବହୁତ ଆଖୁ ଚାଷ ହୋଇଥାଏ । ଆଗରୁ ନିକଟସ୍ଥ ଜିଲ୍ଲା ରାୟଗଡ଼ା, ଜୁନାଗଡ଼, ବଲାଙ୍ଗୀର, ବରଗଡ଼ ଜିଲ୍ଲାର ଚାଷୀ ନବରଙ୍ଗପୁର ଚିନି କଳ ଉପରେ ନିର୍ଭରଶୀଳ ଥିଲେ । ହେଲେ ଏବେ ବଜାର ଅଭାବ ଯୋଗୁଁ ଚାଷୀ ଆଖୁ ମଧ୍ୟ ବିକ୍ରି କରିପାରୁନି । ଏଣୁ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ଆଖୁ ଚାଷୀ କିପରି ନିଜ ଆଖୁ ବିକ୍ରି କରି ପାରିବେ ତାହାର ବ୍ୟବସ୍ଥା କରିପାରିଲେ ଚାଷୀ ଆଖୁର ଉଚିତ ମୂଲ୍ୟ ପାଇ ପାରନ୍ତେ ।

ଅନ୍ୟପଟେ ଜିଲ୍ଲାରେ ପ୍ରାକୃତିକ ଉପାୟରେ ରାସାୟନିକ ଦ୍ରବ୍ୟ ପ୍ରୟୋଗ ନ କରି ଗୁଡ଼ ପ୍ରସ୍ତୁତି କରାଯାଏ ଏହାର ପ୍ରଚାରପ୍ରସାର କଲେ ଅଧିକା ବିକ୍ରି ହୋଇଥାନ୍ତା ବୋଲି ବୁଦ୍ଧିଜୀବୀମାନେ ପ୍ରକାଶ କରିଛନ୍ତି । ଏଠାରେ ଆଖୁ ଘଣା ପାଖକୁ ଯିଏ ବୁଲିବାକୁ ଆସେ ଆଖୁ ସହ ଲେମ୍ବୁ, ଅଦା, ଲଙ୍କା ଓ ଲୁଣରେ ତିଆରି ପାନୀୟରେ ଆତିଥ୍ୟ କରିବା ଏକ ପରମ୍ପରା ରହିଛି ।

ଇଟିଭି ଭାରତ, ନବରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.