ETV Bharat / state

ଜମି ପାଇଁ ଭାଇ ସାଜିଲା ଭଗାରୀ: ଯୁବକକୁ ପିଟିପିଟି ହତ୍ୟା, 3 ଗିରଫ

author img

By ETV Bharat Odisha Team

Published : Aug 30, 2023, 12:30 PM IST

ଭାଇକୁ ପିଟି ପିଟି ହତ୍ୟା କଲେ ଦୁଇ ଭାଇ
ଭାଇକୁ ପିଟି ପିଟି ହତ୍ୟା କଲେ ଦୁଇ ଭାଇ

ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ ବୋବେଇ ଗ୍ରାମରେ ଭାଇକୁ ପିଟି ପିଟି ହତ୍ୟା କଲେ ଦୁଇ ଭାଇ । ଘଟଣାରେ ୩ଜଣ ଅଭିଯୁକ୍ତ ଗିରଫ । ଅଧିକ ପଢନ୍ତୁ

ଭାଇ ସାଜିଲା ଭଗାରୀ

ନବରଙ୍ଗପୁର: ତୁଚ୍ଛ ହେଲା ରକ୍ତ ସମ୍ପର୍କ । ଜମିବାଡି ଜନିତ ପାରିବାରିକ କଳହକୁ ନେଇ ଭାଇ ସାଜିଲା ଭଗାରୀ । ପିଟି ପିଟି ହତ୍ୟା କଲେ ଦୁଇ ଭାଇ । ଏହି ହତ୍ୟା ଘଟଣାରେ ୩ ଜଣ ଅଭିଯୁକ୍ତ ଗିରଫ । ଏଭଳି ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ ବୋବେଇ ଗ୍ରାମରେ । ଦୁଇ ଭାଇ ମିଶି ଅନ୍ୟ ଏକ ଭାଇଙ୍କୁ ପିଟି ପିଟି ମାରି ଶେଷରେ ଏକ ନୀଳଗିରି ଜମିରେ ପୋତି ଦେଇଥିଲେ । ଏହି ଘଟଣା ପରିବାର ଲୋକ ଜାଣି ପାରି ନ ଥିବା ବେଳେ ନିଖୋଜ ହୋଇଥିବା ସନ୍ଦେହ କରି ଥାନାରେ ଲିଖିତ ଜଣାଇଥିଲେ । ଅନ୍ୟପଟେ ଏହି ଘଟଣାରେ ତିନି ଅଭିଯୁକ୍ତଙ୍କୁ ଗ୍ରାମବାସୀ ସନ୍ଦେହ କରି ନିର୍ଦ୍ଧୁମ ଛେଚିବା ପରେ ଘଟଣା ପଦାକୁ ଆସିଥିଲା ।

ସୂଚନା ମୁତାବକ, ବୋବେଇ ଗ୍ରାମର ଶତାଧିକ ଲୋକେ ଉକ୍ତ ଗ୍ରାମର ୩ ଜଣ ଯୁବକଙ୍କୁ ନିର୍ଦ୍ଧୁମ ମାଡ଼ ମାରୁଥିଲେ । ଏନେଇ ସ୍ଥାନୀୟ ପୋଲିସକୁ ଖବର ମିଳିବା ପରେ ଥାନା ଅଧିକାରୀ ରଘୁନାଥ ମାଝୀ ଘଟଣା ସ୍ଥଳରେ ପହଞ୍ଚି ଗ୍ରାମବାସୀଙ୍କ କବଳରୁ ତିନି ଜଣଙ୍କୁ ଉଦ୍ଧାର କରି ରାଇଘର ମେଡିକଲକୁ ପଠାଇ ତଦନ୍ତ ଆରମ୍ଭ କରିବା ବେଳକୁ ପ୍ରକୃତ ତଥ୍ୟ ପଦାକୁ ଆସିଥିଲା l ତେବେ ବୋବେଇ ଗ୍ରାମର ବାଇଗମ ଗଣ୍ଡଙ୍କ ଦୁଇ ପୁଅ ରହିଦାସ‌ ଗଣ୍ଡ ଓ ନଡ଼ଗୁ ଗଣ୍ଡ ଏବଂ ତାଙ୍କ ବଡ଼ବାପାଙ୍କ ପୁଅ ସନ୍ତୁରାମ ଗଣ୍ଡଙ୍କ ମଧ୍ୟରେ କିଛି ଦିନ ଧରି ବିବାଦ ଲାଗି ରହିଥିଲା । ଗତ କିଛି ବର୍ଷ ପୂର୍ବେ ବାପା ବାଇଗମ ଗଣ୍ଡଙ୍କ ମୃତ୍ୟୁ ପରେ ଜମିଜମାକୁ କେନ୍ଦ୍ର କରି ଭାଇ ଭାଇଙ୍କ ମଧ୍ୟରେ ରହିଥିବା ବିବାଦ ଉଗ୍ରରୂପ ନେଇଥିଲା । ଗତ ୧୭ ତାରିଖ ଦିନ ପ୍ରାୟ ୨ଟା ସମୟରେ ରହିଦାସ‌ ଓ ସନ୍ତୁରାମ ଦୁହେଁ ନଡ଼ଗୁକୁ ନିଜ ଚାଷ ଜମି ଆଡ଼କୁ ଯିବା କହି ଡାକି ନେଇ ଯାଇଥିଲେ । ସାଥିରେ ପଡୋଶୀରେ ରହୁଥିବା ବିଭୀଷଣ ଗଣ୍ଡଙ୍କୁ ମଧ୍ୟ ଡାକି ନେଇଥିଲେ । ଜମି ନିକଟରେ ଥିବା ଜଙ୍ଗଲରେ ଡାକି ନେଇ ନଡ଼ଗୁକୁ ତିନିଜଣ ମିଶି କୋଦାଳ ସାହାଯ୍ୟରେ ମାରି ମୃତଦେହକୁ ସେଠାରେ ଛାଡି ଦେଇ ଘରକୁ ଫେରି ଯାଇଥିଲେ l

ଏହା ମଧ୍ୟ ପଡନ୍ତୁ- ଭାଇ ସାଜିଲା ଭାଇର ହତ୍ୟାକାରୀ ! ମଝିଆ ଭାଇର କାତି ଚୋଟରେ ସାନ ଭାଇ ମୃତ

କିନ୍ତୁ ଧରାପଡିବା ଭୟରେ ତିନିଜଣ ରାତି ପ୍ରାୟ ୧୨ଟା ସମୟରେ ଉକ୍ତ ଜଙ୍ଗଲକୁ ପୁଣି ଥରେ ଆସି ନଡ଼ଗୁର ମୃତଦେହକୁ ନେଇ ନିକଟସ୍ଥ ବିବେକାନନ୍ଦ ମଣ୍ଡଳଙ୍କ ନୀଳଗିରି ଜମିରେ ପୋତି ଦେଇଥିଲେ । ଅପରପକ୍ଷରେ ଏ ଘଟଣା ସମ୍ପର୍କରେ ପରିବାର ଲୋକେ କିମ୍ବା ଗ୍ରାମବାସୀ କେହି ମଧ୍ୟ ଜାଣି ପାରି ନଥିଲେ । ହେଲେ କିଛିଦିନ ଧରି ନଡ଼ଗୁ ଅନୁପସ୍ଥିତ ରହିବାରୁ ପରିବାର ପକ୍ଷରୁ ରାଇଘର ଥାନାରେ ଲିଖିତ ଜଣାଇବା ପରେ ଏନେଇ ଏକ ନିଖୋଜ ମାମଲା ରୁଜୁ ହୋଇଥିଲା । ତେବେ ପୋଲିସ କିଛି ପଦକ୍ଷେପ ନେବା ପୂର୍ବରୁ ବୋବେଇ ଗ୍ରାମବାସୀ ସନ୍ଦେହରେ ରହିଦାସ‌, ସନ୍ତୁରାମ ଗଣ୍ଡ ଓ ବିଭୀଷଣ ଗଣ୍ଡଙ୍କୁ ଗତକାଲି ଦିନରେ ଡାକି ପଚରାଉଚରା କରିଥିଲେ । ସେମାନେ ଏ ନେଇ ମୁହଁ ନ ଖୋଲିବା ସହ ହାଇଦ୍ରାବାଦ ଯିବାକୁ ବାହାରିବାରୁ ଗ୍ରାମବାସୀ ରାଗି ଯାଇଥିଲେ ।

ପରେ ଗ୍ରାମର ଶତାଧିକ ଲୋକେ ୩ଜଣଙ୍କୁ ନିର୍ଦ୍ଧୁମ ମାଡ଼ ମାରିବା ପରେ ସେମାନେ ନଡ଼ଗୁକୁ ମାରି ପୋତି ଦେଇଥିବା ସ୍ବୀକାର କରିଥିଲେ | ଅନ୍ୟପଟେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଆହତ ଅବସ୍ଥାରେ ତିନି ଜଣଙ୍କୁ ଗ୍ରାମବାସୀଙ୍କ କବଳରୁ ଉଦ୍ଧାର କରି ରାଇଘର ମେଡିକାଲକୁ ପଠାଇଥିଲେ l ଘଟଣାସ୍ଥଳରେ ରାଇଘର ପୋଲିସ ସମେତ ଉମରକୋଟ ଏସଡିପିଓ ମଧୁସ୍ମିତା ମିଶ୍ର ଏବଂ ମାଜିଷ୍ଟ୍ରେଟ ଦାୟିତ୍ୱରେ ସ୍ଥାନୀୟ ତହସିଲଦାର ଜଗୁ ପୂଜାରୀ ଉପସ୍ଥିତ ରହିଥିଲେ । ନବରଙ୍ଗପୁରରୁ ସାଇଣ୍ଟିଫିକ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ପୋତା ଯାଇଥିବା ନଡ଼ଗୁର ମୃତଦେହକୁ କିଛି ମାତ୍ରାରେ ଖୋଳାଯାଇଥିଲା । ରାତି ଯୋଗୁଁ ମୃତ୍ୟୁଦେହକୁ ସମ୍ପୂର୍ଣ୍ଣ ରୂପେ ବାହାର କରାଯାଇ ନଥିବା ବେଳେ ଗତକାଲି ମୃତଦେହ ବ୍ୟବଚ୍ଛେଦ ହୋଇଥିବା ପୋଲିସ ସୂଚନା ଦେଇଛି ।

ଇଟିଭି ଭାରତ, ନବରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.