ETV Bharat / state

ଏବର୍ଷ ସମ୍ପର୍କ ମଜବୁତ କରିବ ସବାଇ ଘାସ ରାକ୍ଷୀ, ବଢୁଛି ଡିମାଣ୍ଡ

author img

By

Published : Aug 1, 2020, 11:16 PM IST

ଏଥର ଭାଇ ହାତରେ ସବାଇ ଘାସରୁ ପ୍ରସ୍ତୁତ ସୁରକ୍ଷା ଓ ଭରସାର ଡୋରୀ ବାନ୍ଧିବ ଭଉଣୀ
ଏଥର ଭାଇ ହାତରେ ସବାଇ ଘାସରୁ ପ୍ରସ୍ତୁତ ସୁରକ୍ଷା ଓ ଭରସାର ଡୋରୀ ବାନ୍ଧିବ ଭଉଣୀ

ଦିନକ ପରେ ରାକ୍ଷୀ ପୂର୍ଣ୍ଣିମା । ଭାଇ ହାତରେ ଭଉଣୀ ବାନ୍ଧିବ ପ୍ରେମ ଓ ବିଶ୍ବାସ ଏକ ଡୋରୀ । ଆଉ ଏହି ପ୍ରେମ ଓ ବିଶ୍ବାସର ଡୋରୀକୁ ମଜଭୂତ କରିବ ମୟୂରଭଞ୍ଜ ଜିଲ୍ଲା ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ସବାଇ ଘାସରୁ ପ୍ରସ୍ତୁତ କରୁଥିବା ସ୍ବଦେଶୀ ରାକ୍ଷୀ। ଦେଖନ୍ତୁ ଏହି ସ୍ପେଶାଲ ରିପୋର୍ଟ...

ବାରିପଦା: ଗୋଟିଏ ଦିନ ପରେ ଗହ୍ମା ପୂର୍ଣ୍ଣିମା ବା ରାକ୍ଷୀ ପୂର୍ଣ୍ଣିମା । ଭାଇ-ଭଉଣୀ ସମ୍ପର୍କର ନିଆରା ଓ ଅତୁଟ ବନ୍ଧନ । ଆଉ ଏହି ବନ୍ଧନକୁ ମଜଭୁତ କରେ ଖଣ୍ଡେ ସୂତା ଖିଅ । ତେବେ ଏଥର ଏହି ସୂତା ଖିଅକୁ ମଜଭୁତ କରିବ ସ୍ବଦେଶୀ ରାକ୍ଷୀ । ଆଖିକୁ ସୁନ୍ଦର ଦିଶିବା ସହ ପରିବେଶକୁ ବି ସ୍ବଚ୍ଛ ରଖିବ । କେବଳ ସେତିକି ନୁହେଁ ଚଳିତ ବର୍ଷ ଚାଇନା ରାକ୍ଷୀକୁ ବୟକଟ୍‌ କରାଯାଇଛି । ଏଭଳି ସ୍ଥିତିରେ ସ୍ବଦେଶୀ ସାମଗ୍ରୀକୁ ଆଗକୁ ଆଣିବାକୁ ଏହି ସ୍ବଦେଶୀ ଶୈଳୀରେ ରାକ୍ଷୀ ପ୍ରସ୍ତୁତ କରୁଛନ୍ତି ଆଦିବାସୀ ବହୁଳ ମୟୂରଭଞ୍ଜ ଜିଲ୍ଲାର ମହିଳାମାନେ ।

ସବାଇ ଘାସ, ଖଜୁରୀ ଗଛର ପତ୍ର ସାଙ୍ଗକୁ କିଛି ପୁନ୍ତିରେ ତିଆରି ଚାଲିଛି ରଙ୍ଗବେରଙ୍ଗର ସୁନ୍ଦର ସୁନ୍ଦର ରାକ୍ଷୀ । ଗୋଟିଏ ପଟେ ସବାଇ ଘାସରୁ ପ୍ରସ୍ତୁତ ସାମଗ୍ରୀର ଚାହିଦା ନଥିବା ବେଳେ ରାଜ୍ୟରେ ପ୍ରଥମ ଥର ପାଇଁ ଏହି ଘାସରୁ ପ୍ରସ୍ତୁତ ରାକ୍ଷୀର ଚାହିଦା ମୟୂରଭଞ୍ଜ ସମେତ ଭୁବନେଶ୍ବର, ବଲାଙ୍ଗୀର, ଦିଲ୍ଲୀ, ହାଇଦ୍ରାବାଦ ଭଳି ବଡ ବଡ ସହରରେ । ଆଉ ହାତ ତିଆରି ଏହି ରାକ୍ଷୀର ଚାହିଦାକୁ ଦେଖି ବେଶ ଖୁସିଥିବା କୁହନ୍ତି ରାକ୍ଷୀ ପ୍ରସ୍ତୁତ କରୁଥିବା ଆଦିବାସୀ ମହିଳାମାନେ ।

ଏଥର ଭାଇ ହାତରେ ସବାଇ ଘାସରୁ ପ୍ରସ୍ତୁତ ସୁରକ୍ଷା ଓ ଭରସାର ଡୋରୀ ବାନ୍ଧିବ ଭଉଣୀ

ବିଶ୍ବବ୍ୟାପୀ କୋରୋନାର କୋପ ଜାରି ରହିଥିବା ବେଳେ ସଭିଁଙ୍କ ଆର୍ଥିକ ମେରୁଦଣ୍ଡକୁ ଭାଙ୍ଗିଦେଇଛି ଏହି ମହାମାରୀ । ଏଭଳି ସ୍ଥିତିରେ ମହିଳାମାନଙ୍କୁ ସ୍ବାବଲମ୍ବୀ କରିବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ଓରମାସ ସହାୟତାରେ ଏହି ରାକ୍ଷୀ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ତେବେ ବାରିପଦା ସହରରେ ମଧ୍ୟ ଓରମାସ ପକ୍ଷରୁ ସ୍ବତନ୍ତ୍ର ଭାବେ ସବାଇ ଘାସରୁ ପ୍ରସ୍ତୁତ ରାକ୍ଷୀ ବିକ୍ରି ପାଇଁ ଲାଗିଛି ଷ୍ଟଲ । ଏହି ରାକ୍ଷୀର ମୂଲ୍ୟ ୨୫ ଟଙ୍କାରୁ ୧୦୦ ଟଙ୍କା ପର୍ଯ୍ୟନ୍ତ ରହିଛି । ଅନ୍ୟପଟେ ଗ୍ରାହକ ମଧ୍ୟ ଏହି ଷ୍ଟଲରୁ ନିଜ ପସନ୍ଦର ସବାଇ ଘାସ ରାକ୍ଷୀ ଅଳ୍ପ ମୂଲ୍ୟରେ ପାଇ ଖୁସିଥିବା କହିଛନ୍ତି । ସେପଟେ ମୟୂରଭଞ୍ଜ ଜିଲ୍ଲାରେ ମୋଟ 4ଟି ପ୍ରଡକ୍ସନ ଗ୍ରୁପର ମହିଳାମାନେ ଏହି ରାକ୍ଷୀ ପ୍ରସ୍ତୁତ କରୁଥିବା ବେଳେ ଅନଲାଇନରେ ବିକ୍ରି ବଢୁଥିବା କହିଛନ୍ତି ଓରମାସର ୟଙ୍ଗ ପ୍ରଫେସନାଲ ଡିଜାଇନର ।

ସବାଇ ଘାସରୁ ପ୍ରସ୍ତୁତ ହେଉଥିବା ରାକ୍ଷୀର ଚାହିଦା ବଢୁଥିବା ବେଳେ ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ଏହି ରାକ୍ଷୀ ବ୍ୟବହାର ପରେ ମାଟିରେ ସହଜରେ ନଷ୍ଟ ହେଇଯିବ । ଯଦ୍ବାରା ପରିବେଶ ଦୂଷିତରୁ ରକ୍ଷା ମିଳିବା ସହ ପ୍ରଧାନମନ୍ତ୍ରୀଙ୍କ ଆହ୍ବାନ ଲୋକାଲ ଫର ଭୋକାଲର ମଧ୍ୟ ଚାହିଦା ବଢିବ ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.