ETV Bharat / state

ଭିଜିଲାନ୍ସ ଜାଲରେ କ୍ଷେତ୍ର ସହାୟକ, ଦେଢ଼ ଲକ୍ଷ ଲାଞ୍ଚ ନେବାବେଳେ ଗିରଫ

author img

By ETV Bharat Odisha Team

Published : Dec 31, 2023, 11:30 AM IST

Updated : Dec 31, 2023, 11:51 AM IST

ଭିଜିଲାନ୍ସ ପଞ୍ଝାରେ କ୍ଷେତ୍ର ସହାୟକ
ଭିଜିଲାନ୍ସ ପଞ୍ଝାରେ କ୍ଷେତ୍ର ସହାୟକ

Field Assistant arrested: ଲାଞ୍ଚ ନେଇ ଧରାପଡିଲେ କ୍ଷେତ୍ର ସହାୟକ ବିଭୁତି କୁମାର ମଲ୍ଲିକ । ଏକ ବିଭାଗୀୟ କାର୍ଯ୍ୟର ରିପୋର୍ଟ ପ୍ରଦାନ କରିବା ପାଇଁ ନେଉଥିଲେ ଲାଞ୍ଚ । ଅଧିକ ପଢନ୍ତୁ

ଭିଜିଲାନ୍ସ ପଞ୍ଝାରେ କ୍ଷେତ୍ର ସହାୟକ

ରାଇରଙ୍ଗପୁର: ଭିଜିଲାନ୍ସ ପଞ୍ଝାରେ କ୍ଷେତ୍ର ସହାୟକ । ଦେଢ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡିବସିଲା ଭିଜିଲାନ୍ସ ଟିମ୍ । ରାଇରଙ୍ଗପୁରର ସହକାରୀ ରେଶମ ନିର୍ଦ୍ଦେଶକ କାର୍ଯ୍ୟାଳୟର କ୍ଷେତ୍ର ସହାୟକ ବିଭୁତି କୁମାର ମଲ୍ଲିକ ଏକ ବିଭାଗୀୟ କାର୍ଯ୍ୟର ରିପୋର୍ଟ ପ୍ରଦାନ କରିବା ପାଇଁ ଲାଞ୍ଚ ନେଉଥିଲେ । ଏନେଇ ଭିଜିଲାନ୍ସ ବିଭାଗରେ ଅଭିଯୋଗ ପରେ ଲାଞ୍ଚୁଆ ସରକାରୀ ବାବୁଙ୍କୁ ଧରିଛି ଭିଜିଲାନ୍ସ ଟିମ୍ ।

ସୂଚନା ଅନୁଯାୟୀ, ମୟୂରଭଞ୍ଜ ଜିଲ୍ଲାର ବହଳଦା, ବିଶୋଇ, କୁସୁମୀ ବ୍ଲକରେ ୧୫୦୦ ହେକ୍ଟର ଜମିରେ ଟସର ଚାଷ ହୋଇଥିଲା । ସୋସାଇଟି ଜରିଆରେ ଏହି ଟସର ଚାଷ ପାଇଁ ଅର୍ଜୁନ ଓ ଅସନ ଗଛ ଲଗାଯାଇଥିଲା । ମୟୂରଭଞ୍ଜ ଜିଲ୍ଲା ଗ୍ରାମୀଣ ଟସର ଗବେଷଣା ବିକାଶ କାଉନସିଲ ସଦସ୍ୟ ଶିରିଷ ଚନ୍ଦ୍ର ମହାନ୍ତଙ୍କୁ ଏସବୁର ରିପୋର୍ଟ ମାଗିଥିଲେ ମୟୂରଭଞ୍ଜ ଜିଲ୍ଲାପାଳ । ତେବେ ଉକ୍ତ ବୃକ୍ଷରୋପଣର ସରଜମିନ ସ୍ଥିତି ନେଇ ଫିଜିବିଲିଟି ରିପୋର୍ଟ ପ୍ରଦାନ କରିବା ପାଇଁ କ୍ଷେତ୍ର ସହାୟକ ବିଭୁତି କୁମାର ମଲ୍ଲିକ ଯଶିପୁର ଶିରିଷ ଚନ୍ଦ୍ର ମହାନ୍ତଙ୍କୁ ଦେଢ଼ ଲକ୍ଷ ଟଙ୍କା ଦେବା ପାଇଁ କହିଥିଲେ । ହେଲେ ଏତେ ମୋଟା ଅଙ୍କର ଅର୍ଥ ଦେବାକୁ ଅସମର୍ଥ ଶିରିଷ ଚନ୍ଦ୍ର ମହାନ୍ତ ଶେଷରେ ଭିଜିଲାନ୍ସ ବିଭାଗର ଆଶ୍ରୟ ନେଇଥିଲେ ।

ଏହା ମଧ୍ୟ ପଢନ୍ତୁ- ଭିଜିଲାନ୍ସ ଜାଲରେ ମୁଖ୍ୟ ଯୋଗାଣ ଅଧିକାରୀ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ନେଇ ଚଢାଉ

ଏହା ମଧ୍ୟ ପଢନ୍ତୁ- ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ, ଚାକିରି କରାଇ ଦେବାକୁ ନେଉଥିଲେ ଲାଞ୍ଚ

ଏ ସମ୍ପର୍କରେ ଶିରିଷ ବାରିପଦା ଭିଜିଲାନ୍ସ ବିଭାଗ ନିକଟରେ ଏକ ଅଭିଯୋଗ କରିଥିଲେ । ପରେ ବାରିପଦା ଭିଜିଲାନ୍ସ ବିଭାଗ ପକ୍ଷରୁ ବାଲେଶ୍ଵର ଭିଜିଲାନ୍ସ ବିଭାଗ ଏସପିଙ୍କୁ ଯୋଗାଯୋଗ କରି କ୍ଷେତ୍ର ସହାୟକ ବିଭୁତି କୁମାର ମଲ୍ଲିକକୁ ଲାଞ୍ଚ ଟଙ୍କା ସହ ଧରିବା ପାଇଁ ଏକ ଯୋଜନା ପ୍ରସ୍ତୁତ କରିଥିଲେ । ପୂର୍ବରୁ ପ୍ରସ୍ତୁତ ହୋଇଥିବା ଯୋଜନା ଅନୁଯାୟୀ ଟସର କାର୍ଯ୍ୟାଳୟ ପରିସରରେ କ୍ଷେତ୍ର ସହାୟକ ରିପୋର୍ଟ ପ୍ରଦାନ ପାଇଁ ଶିରିଷ ଚନ୍ଦ୍ର ମହାନ୍ତଙ୍କ ଠାରୁ ଦେଢ଼ ଲକ୍ଷ ଟଙ୍କା ଲାଞ୍ଚ ନେଉଥିଲେ । ସେହି ସମୟରେ ଭିଜିଲାନ୍ସ ବିଭାଗ ହାତରେ ଧରାପଡ଼ିଥିଲେ । କେମିକାଲ ବୋଳା ହୋଇଥିବା ଲାଞ୍ଚ ଟଙ୍କା ଭିଜିଲାନ୍ସ ଜବତ କରିବା ସହ ଟସର ବିଭାଗର କ୍ଷେତ୍ର ସହାୟକ ବିଭୁତି କୁମାର ମଲ୍ଲିକଙ୍କୁ ଗିରଫ କରିଛି ।

ଏଥିସହିତ ବାରିପଦାର ଷ୍ଟେସନ ବଜାରରେ ଟସର କାର୍ଯ୍ୟାଳୟ, ଦେବେନ୍ଦ୍ରପୁରରେ ଥିବା କ୍ଷେତ୍ର ସହାୟକଙ୍କ ଘର ଓ ଭଦ୍ରକ ଧାମନଗରରେ ଥିବା ପୈତୃକ ଗାଁରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରିଛି । ଏହି ଘଟଣାକୁ ନେଇ ବାଲେଶ୍ଵର ଭିଜିଲାନ୍ସ ବିଭାଗରେ ଏକ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ ଜାରି ରହିଥିବା କହିଛନ୍ତି ଭିଜିଲାନ୍ସ ବିଭାଗର ଏଏସପି ହରେକୃଷ୍ଣ ମାଝୀ ।

ଇଟିଭି ଭାରତ, ରାଇରଙ୍ଗପୁର

Last Updated :Dec 31, 2023, 11:51 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.