ETV Bharat / state

ରାଇରଙ୍ଗପୁରରେ ଚାଞ୍ଚଲ୍ୟ, ବୃଦ୍ଧାଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର

author img

By

Published : Sep 19, 2022, 1:05 PM IST

dead body found of old woman in rairangpur mayurbhanj
ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ରକ୍ତ ଜୁଡୁବୁଡୁ ଅବସ୍ଥାରେ ଜନୈକ ବୃଦ୍ଧାଙ୍କ ମୃତଦେହ ଉଦ୍ଧାର । ଏଭଳି ଏକ ଚାଞ୍ଚଲ୍ୟକର ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ଲୁସାଡିହି ଗ୍ରାମରେ । ଅଧିକ ପଢ଼ନ୍ତୁ

ରାଇରଙ୍ଗପୁର: ଜନୈକ ବୃଦ୍ଧାଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର । ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଲୁସାଡିହି ଗ୍ରାମର ମହୁଲଟୋଲାରେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ମୃତ ବୃଦ୍ଧା ଜଣକ ହେଲେ ସେହି ଗ୍ରାମର ରାଣୀ ହେମ୍ବ୍ରମ ।

ସୂଚନା ଅନୁଯାୟୀ, ଆଜି ସକାଳୁ ଲୁସାଡିହି ଗ୍ରାମର ମହୁଲ ଟୋଲା(ମହୁଲ ସାହି)ରେ ଥିବା ଜଣକର ଘର ସମ୍ମୁଖରେ ରାଣୀ ହେମ୍ବ୍ରମଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ପଡ଼ିଥିବାର ଦେଖିବାକୁ ପାଇଥିଲେ ସ୍ଥାନୀୟ ବାସିନ୍ଦା । ତେବେ କୌଣସି ଧାରୁଆ ଅସ୍ତ୍ର ସାହାଯ୍ୟରେ ରାଣୀଙ୍କ ମୁଣ୍ଡରେ ଆକ୍ରମଣ କରାଯାଇ ହତ୍ୟା କରାଯାଇଥିବା ଅନୁମାନ କରାଯାଉଛି । ଏନେଇ ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ପୋଲିସକୁ ଖବର ଦିଆଯାଇଛି । ହେଲେ ରାତିରୁ ଘଟଣା ଘଟିଥିଲେ ସୁଦ୍ଧା ଦିନ ୧୦ଟା ପର୍ଯ୍ୟନ୍ତ ଘଟଣାସ୍ଥଳରେ ପୋଲିସର ଦେଖା ନଥିଲା ।

ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର

ସେହିପରି ଦୁଇ ଦିନ ତଳେ ଜିଲ୍ଲାର ମୋରଡା ଥାନା ଅଧୀନ ଟିଆଁସି ଲୋଧା ସାହିରରୁ ଯୁବକଙ୍କ ମୃତଦେହ ଠାବ ହୋଇଥିଲା। ମୃତକ ଜଣକ ହେଲେ ସେହି ଟିଆଁସି ଗ୍ରାମର ନିର୍ମଳ ମଲିକ । ଟିଆଁସି ଗାଁ ନିକଟ ପୋଖରୀ ତୁଠରୁ ଯୁବକଙ୍କ ମୃତଦେହ ଜବତ କରିଥିଲା ପୋଲିସ । ଯୁବକଙ୍କୁ ହତ୍ୟା କରି ପୋଖରୀ ତୁଠରେ ଫିଙ୍ଗି ଦେଇଥିବାର ପରିବାର ଲୋକେ ଅଭିଯୋଗ କରିଛନ୍ତି । ହତ୍ୟାକାଣ୍ଡର କାରଣ ସ୍ପଷ୍ଟ ହୋଇନଥିବା ବେଳେ ମୃତ ଯୁବକ ଜଣଙ୍କର ତିନିଟା ସ୍ତ୍ରୀ ରହିଥିବା ସୂଚନା ରହିଛି । ନିର୍ମଳ ଟିଆଁସି ଗ୍ରାମରେ ନିଜ ତୃତୀୟ ସ୍ତ୍ରୀଙ୍କ ପାଖରେ ରହୁଥିଲେ l ହତ୍ୟାକାଣ୍ଡର ଖବର ପାଇ ମୋରଡା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଥିଲା ଏବଂ ଅଧିକ ତଦନ୍ତ ଜାରି ରଖିଛି । ଅନ୍ୟପକ୍ଷରେ ସାଇଣ୍ଟିଫିକ ଟିମ ସନ୍ଧାନୀ କୁକୁର ସହିତ ଘଟଣାସ୍ଥଳରେ ତଦନ୍ତ କରିଥିଲା l

ଏହା ମଧ୍ୟ ପଢ଼ନ୍ତୁ: ଫୁଟବଲ ମ୍ୟାଚ ଦେଖୁଥିବା ବେଳେ ଆକାଶରୁ ଖସିଲା ମୃତ୍ୟୁ, ଜଣେ ମୃତ

ଗତ ୭ ତାରିଖ ଦିନ ଅନୁଗୋଳ ବ୍ରାହ୍ମଣୀ ନଦୀରୁ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । କେହି ହତ୍ୟା କରିବା ପରେ ଯୁବକଙ୍କୁ ହାତ ଗୋଡ଼ ବାନ୍ଧି ନଦୀରେ ଫିଙ୍ଗି ଦେଇଥିବା ଦେଖିବାକୁ ମିଳିଥିଲା । ତାଳଚେର ଉପଖଣ୍ଡର ସମଲ ଥାନା ଗହମ ଅଞ୍ଚଳରୁ ବ୍ରାହ୍ମଣୀ ନଦୀରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ହାତ ଗୋଡ଼ ବନ୍ଧା ଅବସ୍ଥାରେ ନଦୀରେ ଭାସି ଯାଉଥିବା ବେଳେ ସ୍ଥାନୀୟ ଲୋକ ଉଦ୍ଧାର କରି ପୋଲିସକୁ ସୂଚନା ଦେଇଥିଲେ । ତେବେ ମୃତ ଯୁବକ ଜଣଙ୍କ ଖମାର ଥାନା ଭାଲୁକି ଗାଁର ସୁଶାନ୍ତ ସାହୁ ବୋଲି ଜଣାପଡ଼ିଛି । ଗତ କିଛିଦିନ ହେଲା ସେ ନିଖୋଜ ଥିବା ଖମାର ଥାନାରେ ଅଭିଯୋଗ ହୋଇଥିଲା ।

ଇଟିଭି ଭାରତ, ରାଇରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.