ETV Bharat / state

ସାହସିକତା ପାଇଁ ସମ୍ମାନିତ ହେବ 3 ବୀର ବନ କର୍ମଚାରୀ, 2 ଜଣଙ୍କୁ ମିଳିବ ମରଣୋତ୍ତର ସମ୍ମାନ

author img

By

Published : Jul 23, 2023, 10:38 AM IST

three brave forest personnel to be honored
ସାହସିକତା ପାଇଁ ସମ୍ମାନିତ ହେବ 3 ବୀର ବନ କର୍ମଚାରୀ

ଶିମିଳିପାଳ ଅଭୟାରଣ୍ୟର ତିନି ଜଣ ବୀର ବନ କର୍ମଚାରୀଙ୍କୁ ସମ୍ମାନିତ କରାଯିବ । ଦୁଇଜଣଙ୍କୁ ମରଣୋତ୍ତର ସମ୍ମାନ ମିଳିବ । ଅଧିକ ପଢନ୍ତୁ

ରାଇରଙ୍ଗପୁର: ସାହସିକତା ପାଇଁ ଶିମିଳିପାଳ ଅଭୟାରଣ୍ୟର ତିନି ଜଣ ବୀର ବନ କର୍ମଚାରୀଙ୍କୁ ସମ୍ମାନିତ କରାଯିବ । ଦୁଇଜଣଙ୍କୁ ମରଣୋତ୍ତର ସମ୍ମାନ ମିଳିବ । ଶିମିଳିପାଳ ଅଭୟାରଣ୍ୟର ସୁରକ୍ଷା ପାଇଁ ନିଜ ଜୀବନକୁ ବାଜି ଲଗାଇ ସାହସିକତାର ପରିଚୟ ଦେଇଥିବା 3 ବୀର ବନ କର୍ମଚାରୀଙ୍କୁ ସମ୍ମାନିତ କରାଯିବ । ଲାଠି ଧରି ବନ୍ଧୁକଧାରୀ ଶିକାରୀମାନଙ୍କ ସାମ୍ନା କରି ବୀରତ୍ୱର ପରିଚୟ ଦେଇଥିବା ଶିମିଳିପାଳ ଅଭୟାରଣ୍ୟର 3ଜଣ ବନ କର୍ମଚାରୀ ଭାରତ ସରକାରଙ୍କ ଦ୍ୱାରା ସମ୍ମାନିତ ହେବେ ।

ଶିମିଳିପାଳ ଅଭୟାରଣ୍ୟରେ କାର୍ଯ୍ୟରତ ଥାଇ ଶିକାରୀ ଗୁଳିରେ ଶହୀଦ ହୋଇଥିବା ବନରକ୍ଷୀ ବିମଲ କୁମାର ଜେନା ଓ ଡେପୁଟି ରେଞ୍ଜର ମାଥାୟ ହାଁସଦାଙ୍କୁ ମରଣୋତ୍ତର ସମ୍ମାନ ପ୍ରଦାନ କରାଯିବ । ତା ସହିତ ନିଜ ଜୀବନକୁ ବାଜି ଲଗାଇ ଶିକାରୀମାନଙ୍କ ସହିତ ମୁକାବିଲା କରିଥିବା ଶହୀଦ ମାଥାୟ ହାଁସଦାଙ୍କ ସହକର୍ମୀ ଫରେଷ୍ଟ ଗାର୍ଡ ହିମାଂଶୁ କୁମାର ସେଠୀଙ୍କୁ ସାହସିକତା ଓ ବୀରତ୍ବ ପାଇଁ ଭାରତ ସରକାରଙ୍କ ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ପକ୍ଷରୁ ସମ୍ମାନିତ କରାଯିବ ବୋଲି ସୂଚନା ମିଳିଛି । ଆସନ୍ତା ଜୁଲାଇ ମାସ ୨୯ ତାରିଖରେ ଉତ୍ତରାଖଣ୍ଡ ସ୍ଥିତ କର୍ବେଟ ଟାଇଗର ରିଜର୍ଭରେ "ବିଶ୍ବ ବ୍ୟାଘ୍ର ଦିବସ" ପାଳନ ଅବସରରେ ବିଭାଗୀୟ ମନ୍ତ୍ରୀଙ୍କ ଦ୍ୱାରା ଏହି 3 ବୀର ବନକର୍ମୀ ସମ୍ମାନିତ ହେବେ ବୋଲି ବାରିପଦା ଠାରେ ବନବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଶିମିଳିପାଳ ଅଭୟାରଣ୍ୟର କଳସିଡୁବା ଅଞ୍ଚଳରେ ସ୍ବର୍ଗତ ବିମଲ କୁମାର ଜେନା ଓ ଅନ୍ୟ ଦୁଇଜଣ ସହକର୍ମୀ ଗତ ମେ ମାସ ୨୨ ତାରିଖରେ ଜଙ୍ଗଲରେ ପାଟ୍ରୋଲିଂ କରୁଥିବା ସମୟରେ ଶିକାରୀଙ୍କ ସହିତ ମୁହାଁମୁହିଁ ହୋଇଥିଲେ। ପାଖାପାଖି ୧୦ ଜଣ ଶିକାରୀ ଏକ ମୃତ ହରିଣ ଶିକାର କରି ନେଇ ଯାଉଥିବା ବେଳେ ବନ କର୍ମଚାରୀଙ୍କୁ ଦେଖି ଡରି ପଳାଇ ଯାଇଥିଲେ । ଏ ସମ୍ପର୍କରେ ବିମଲ ଦୁଇ ଜଣ ସହକର୍ମୀଙ୍କୁ ବନବିଭାଗକୁ ଖବର ଦେବା ପାଇଁ ପଠାଇ ଦେଇଥିଲେ । ପରେ ବନ କର୍ମଚାରୀମାନେ ଘଟଣାସ୍ଥଳକୁ ଆସି ଦେଖିଲା ବେଳକୁ ଶିକାରୀମାନେ ଗୁଳି କରି ବିମଲଙ୍କୁ ହତ୍ୟା କରିଥିଲେ ।

ଏହା ବି ପଢନ୍ତୁ...ପଞ୍ଚଭୂତରେ ବିଲୀନ ରେଞ୍ଜର ମାଥାୟା ହାଁସଦା, ଲୁହରେ ଭିଜିଲା ଗାଁ

ଏହା ବି ପଢନ୍ତୁ...ଅସୁରକ୍ଷିତ ହୋଇପଡ଼ିଛି ଶିମିଳିପାଳ ଅଭୟାରଣ୍ୟ, ସୁରକ୍ଷା ଦେବେ ପୋଲିସ

ସେହିପରି ଶିମିଳିପାଳ ଟାଇଗର ରିଜର୍ଭରେ ନିଜ ରେଞ୍ଜ ଅଞ୍ଚଳକୁ ସମ୍ପୂର୍ଣ୍ଣ ସୁରକ୍ଷିତ ରଖିବା ପାଇଁ ନିୟମିତ ପେଟ୍ରୋଲିଂ ଜାରି ରଖିଥିଲେ ଡେପୁଟି ରେଞ୍ଜର ମାଥାୟ ହାଁସଦା । ଗତ ଜୁନ ମାସ ୧୬ ତାରିଖରେ ଡେପୁଟି ରେଞ୍ଜର ମାଥାୟ ହାଁସଦା ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପରେ କାର୍ଯ୍ୟରତ ଥିବା ହିମାଂଶୁ ଶେଖର ସେଠୀଙ୍କୁ ନେଇ ପାଟ୍ରୋଲିଂରେ ବାହାରି ଥିଲେ । ପାଟ୍ରୋଲିଂ ସମୟରେ ଗୁଳି ଶଦ୍ଦ ଶୁଣି ୬ ଜଣ ଶିକାରୀଙ୍କୁ ଧରିବାକୁ ଚେଷ୍ଟା କରିଥିଲେ ମାଥାୟ ହାଁସଦା । ହିମାଂଶୁ ଶେଖର ସେଠୀ ଶିକାରୀମାନଙ୍କ ଠାରୁ ବନ୍ଧୁକ ଛଡାଉ ଥିବା ବେଳେ ଅଚାନକ ଜଣେ ଶିକାରୀ ମାଥାୟଙ୍କ ଉପରକୁ ଗୁଳି ଚଳାଇଥିଲେ । ଗୁଳିଟି ମାଥାୟଙ୍କ ଛାତିରେ ବାଜିବାରୁ ତାଙ୍କର ଦେହାନ୍ତ ହୋଇଥିଲା ।

ଜଙ୍ଗଲ ଜନ୍ତୁଙ୍କ ସୁରକ୍ଷା ପାଇଁ ବନ କର୍ମଚାରୀ ନିଜ ଜୀବନକୁ ବଳିଦାନ ଦେଇଛନ୍ତି । ବୀରତ୍ୱ ଓ ସାହସିକତା ସହ ନିଜ ଜୀବନକୁ ବାଜି ଲଗାଇ ଜଙ୍ଗଲ ଓ ବନ୍ୟଜନ୍ତୁ ସୁରକ୍ଷା ଦିଗରେ ଏହି 3 ବନ କର୍ମଚାରୀଙ୍କ ଅବଦାନ ଅତୁଳନୀୟ । ଏଥି ନିମନ୍ତେ ଭାରତ ସରକାରଙ୍କ ଜଙ୍ଗଲ ମନ୍ତ୍ରଣାଳୟ ସେମାନଙ୍କୁ ସମ୍ମାନିତ କରିବାକୁ ମନୋନୀତ କରିଛନ୍ତି ।

ଇଟିିଭି ଭାରତ, ମୟୂରଭଞ୍ଜ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.