ETV Bharat / state

ଭାଲୁ ଆକ୍ରମଣରେ 3 ଗୁରୁତର

author img

By

Published : Feb 25, 2023, 4:01 PM IST

three man seriously injured after bear attack
three man seriously injured after bear attack

ରାଇରଙ୍ଗପୁରରେ ଭାଲୁ ଆକ୍ରମଣ ଯୋଗୁଁ 3ଜଣ ଗୁରୁତର ହୋଇଥିବା ସୂଚନା। ଅଧିକ ପଢନ୍ତୁ

three man seriously injured after bear attack

ରାଇରଙ୍ଗପୁର: ମୟୂରଭଞ୍ଜରେ ଅଭାବନୀୟ ଘଟଣା। ଭାଲୁ ଆକ୍ରମଣରେ ତିନି ଜଣ ବ୍ୟକ୍ତି ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି। ଏଭଳି ଘଟଣା ଘଟିଛି ରାଇରଙ୍ଗପୁର ବନଖଣ୍ଡ ଅଧିକାରୀ କାର୍ଯ୍ୟାଳୟ ଅନ୍ତର୍ଗତ ରତନସାହି ଗ୍ରାମ ନିକଟସ୍ଥ ଚୁଡିଆ ଜଙ୍ଗଲରେ। ଜଣେ ଛେଳି ଚରାଳି ସମେତ ଦୁଇ ଜଣ ବ୍ୟକ୍ତି ଭାଲୁ ଆକ୍ରମଣରେ ଗୁରୁତର ହୋଇ ରାଇରଙ୍ଗପୁର ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଜଣାପଡିଛି।

ମିଳିଥିବା ସୂଚନା ଅନୁଯାୟୀ, ତିରିଂ ବ୍ଲକ ଅନ୍ତର୍ଗତ ଡଲାଯୋଡି ଗ୍ରାମର ଲେବିଆ ବାନରା ନିକଟ ଚକୁଳିଆ ଜଙ୍ଗଲ ପାଖକୁ ଛେଳି ଓ ଗୋରୁ ଚରାଇବାକୁ ଯାଇଥିଲେ। ଏହି ସମୟରେ ହଠାତ ଏକ ବଡ଼ ଭାଲୁ ଜଙ୍ଗଲରୁ ବାହାରି ଆସି ତାଙ୍କୁ ଆକ୍ରମଣ କରିଥିଲା । ଫଳରେ ଜୀବନ ବିକଳରେ ଭାଲୁ ଆକ୍ରମଣରୁ ରକ୍ଷା ପାଇବା ପାଇଁ ଚିତ୍କାର କରିଥିଲେ ଲେବିଆ ବାନରା। ତାଙ୍କ ଚିତ୍କାର ଶୁଣି ପାଖ ବୁଟୁକା ସେଗେଘୁଟୁ ଗ୍ରାମର ଦୁର୍ଗା ହାଁସଦା ଏବଂ ଧାନ ହାଁସଦା ଘଟଣାସ୍ଥଳରେ ପହଞ୍ଚିଥିଲେ।

ଏହି ସମୟରେ ଲେବିଆ ବାନରାଙ୍କୁ ଭାଲୁ ଆକ୍ରମଣ କରୁଥିବା ଦେଖି ଦୁର୍ଗା ଓ ଧାନ ତାଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ଉଭୟ ମଧ୍ୟ ଭାଲୁଟି ଆକ୍ରମଣ କରି ଜଙ୍ଗଲ ମଧ୍ୟକୁ ପଳାଇ ଯାଇଥିଲା। ତେବେ ଭାଲୁ ଆକ୍ରମଣରେ ଲିବିଆ ବାନରାଙ୍କ ଜଙ୍ଗରେ ଗଭୀର କ୍ଷତ ହୋଇଥିବା ବେଳେ ଦୁର୍ଗାଙ୍କ ହାତ ଓ ଧାନଙ୍କ ଛାତି କ୍ଷତାକ୍ତ ହୋଇଛି।

ତେବେ ଆହତ ଅବସ୍ଥାରେ ତିନି ଜଣ ଜଙ୍ଗଲରେ ପଡିରହିଥିବା ବେଳେ ଖବର ପାଇ ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ରାଇରଙ୍ଗପୁର ଡାକ୍ତରଖାନା ପଠାଇଥିଲେ। ସେଠାରେ ସମସ୍ତଙ୍କର ପ୍ରାଥମିକ ଚିକିତ୍ସା କରା ଯାଇଥିଲା। ପରେ ଲେବିଆ ବାନରା ଏବଂ ଧାନ ହାଁସଦା ଙ୍କ ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବାରିପଦା ସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ସରକାରୀ ମେଡିକାଲ କଲେଜକୁ ସ୍ଥାନାନ୍ତରିତ କରା ଯାଇଥିଲା।

ଅନ୍ୟ ପଟେ ଦୁର୍ଗା ହାଁସଦାଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ଥିବା ଜଣାପଡିଛି। ସେପଟେ ଖବର ପାଇ ବନ ବିଭାଗ କର୍ମଚାରୀ ମାନେ ଡ଼ାକ୍ତରଖାନା ପହଞ୍ଚି ସମସ୍ତଙ୍କ ସ୍ବାସ୍ଥ୍ୟବସ୍ଥା ସମ୍ପର୍କରେ ପଚାରି ବୁଝିଛନ୍ତି। ଏହାପରେ ସରକାରୀ ସ୍ତରରେ କ୍ଷତିପୂରଣ ବାବଦକୁ ସହାୟତା ରାଶି ପ୍ରଦାନ କରାଯିବ ବୋଲି ବନବିଭାଗ ପକ୍ଷରୁ ସୂଚନା ମିଳିଛି।

ଗତ ଡିସେମ୍ବର ମାସରେ ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳ ଅଭୟାରଣ୍ୟର ପିଠାବଟାରେ ଦୁଇ ବନ କର୍ମଚାରୀଙ୍କୁ ଭାଲୁ ଆକ୍ରମଣ କରିଥିଲା। ବନ କର୍ମଚାରୀମାନେ ଡ୍ୟୁଟି କରୁଥିବା ସମୟରେ ହଠାତ ୩ଟି ଭାଲୁ ଦୁଇ ବନ କର୍ମଚାରୀଙ୍କୁ ଆକ୍ରମଣ କରିଥିଲେ । ଭାଲୁ ଆକ୍ରମଣ ପରେ ଜଙ୍ଗଲରୁ କର୍ମଚାରୀ ମାନଙ୍କୁ ଆହତ ଅବସ୍ଥାରେ ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।

ଇଟିଭି ଭାରତ, ରାଇରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.