ETV Bharat / state

ଡାହାଣୀ ସନ୍ଦେହରେ ହତ୍ୟା ମାମଲା, ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡାଦେଶ

author img

By

Published : Aug 1, 2023, 10:12 PM IST

Etv Bharat
Etv Bharat

ମୟୂରଭଞ୍ଜ ଯାମଦା ଥାନା ଅଞ୍ଚଳରେ ଡାହାଣୀ ସନ୍ଦେହରେ ବୃଦ୍ଧାଙ୍କୁ ହତ୍ୟା ଘଟଣା । ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଲେ ଜିଲ୍ଲା ଦୌରାଜଜ କୋର୍ଟ । ଅଧିକ ପଢନ୍ତୁ

ରାଇରଙ୍ଗପୁର: ଡାହାଣୀ ସନ୍ଦେହରେ ଏକ ହତ୍ୟାକାଣ୍ଡ ମାମଲାର ଗୁରୁତ୍ଵପୂର୍ଣ୍ଣ ରାୟ ଆଜି ପ୍ରକାଶ ପାଇଛି । ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଅତିରିକ୍ତ ଜିଲ୍ଲା ଓ ଦୌରାଜଜ କୋର୍ଟ ଉକ୍ତ ହତ୍ୟାକାଣ୍ଡ ମାମଲାର ଶୁଣାଣି କରି ଅଭିଯୁକ୍ତକୁ ଦୋଷୀକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଏହାସହ ୫ ହଜାର ଟଙ୍କା ଜୋରିମାନା ଅନାଦେୟ ଅଧିକ ୧ ବର୍ଷର ଅଧିକ ସଶ୍ରମ କାରାଦଣ୍ଡ ଭୋଗିବା ନେଇ ରାୟ ଶୁଣାଇଛନ୍ତି କୋର୍ଟ ।

ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ଦୀପକ କୁମାର ଉକ୍ତ ହତ୍ୟାକାଣ୍ଡ ମାମଲାର ବିଚାର ସମୟରେ ସମସ୍ତ ତଥ୍ୟ, ୧୪ ଜଣ ସାକ୍ଷୀଙ୍କ ବୟାନ, ପୋଲିସର ତଦନ୍ତ ରିପୋର୍ଟ ସହ ଡାକ୍ତରୀ ରିପୋର୍ଟକୁ ଭିତ୍ତି କରି ଏହି ରାୟ ଶୁଣାଇଥିଲେ । ଅଭିଯୁକ୍ତ ଜନୈକ ବୃଦ୍ଧାଙ୍କୁ ହତ୍ୟା କରିଥିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହେବା ପରେ ତାକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି କୋର୍ଟ । ଏଥି ସହିତ ଅଭିଯୁକ୍ତକୁ ୫ ହଜାର ଟଙ୍କା ଜୋରିମାନା ଅନାଦେୟ ଅଧିକ ୧ ବର୍ଷର ଅଧିକ ସଶ୍ରମ କାରାଦଣ୍ଡ ଭୋଗିବା ନେଇ ରାୟ ମାଧ୍ୟମରେ ଆଦେଶ ଦେଇଛନ୍ତି ।

ଏହା ବି ପଢନ୍ତୁ- ଡାହାଣୀ ସନ୍ଦେହ; ପୁତୁରା ବୋହୂକୁ ତୀର ମାଡ଼ କଲେ କକା ଶ୍ବଶୁର

ଅଭିଯୁକ୍ତ ଜଣକ ମୟୂରଭଞ୍ଜ ଜିଲ୍ଲା ଯାମଦା ଥାନା ଅନ୍ତର୍ଗତ ବଡାମତଳିଆ ଗ୍ରାମର ମଦନ ପିଙ୍ଗୁଆ (୬୬) ବୋଲି ଜଣାପଡିଛି। ରାୟ ପ୍ରକାଶ ପାଇବା ପରେ ଅପରାଧୀ ମଦନକୁ ରାଇରଙ୍ଗପୁର ଉପ କାରାଗାର ପଠାଇ ଦିଆଯାଇଛି। ଏହି ମାମଲାଟିକୁ ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ କୋର୍ଟର ଅତିରିକ୍ତ ପିପି ପଙ୍କଜ ଦାସ ପରିଚାଳନା କରୁଥିଲେ । ଏଠାରେ ସୂଚନା ଥାଉ କି ଯାମଦା ଥାନା ଅନ୍ତର୍ଗତ ବଡାମତଳିଆ ଗ୍ରାମର ମଦନ ପିଙ୍ଗୁଆଙ୍କ ସ୍ତ୍ରୀ ରୋଗାକ୍ରାନ୍ତ ହୋଇ ପ୍ରାଣ ହରାଇଥିଲେ । ତେବେ ମଦନଙ୍କ ସ୍ତ୍ରୀ ମୃତ୍ୟୁବରଣ କରିବା ପଛରେ ସେହି ଗ୍ରାମର ଗାଙ୍ଗି ଜାମୁଦା ନାମକ ଜନୈକ ବୃଦ୍ଧାଙ୍କ ହାତ ଥିବା ସନ୍ଦେହ କରିଥିଲେ ମଦନ।

ଗାଙ୍ଗି ଜାମୁଦା ଡାହାଣୀ ହୋଇ ସ୍ତ୍ରୀକୁ ଖାଇ ଦେଇଥିବା ସନ୍ଦେହ କରି ମଦନ ପ୍ରତିଶୋଧ ନେବାକୁ ଏକ ଯୋଜନା କରିଥିଲେ। ତେବେ ୨୦୨୨ ମସିହା ଜୁଲାଇ ମାସ ୧୬ ତାରିଖ ଦିନ ବଡାମତଳିଆ ଗ୍ରାମର ଅଙ୍ଗନବାଡ଼ି କେନ୍ଦ୍ର ନିକଟରେ ଥିବା ଏକ ନଳକୂଅକୁ ଗାଧୋଇବା ପାଇଁ ଯାଇଥିଲେ ଗାଙ୍ଗି ଜାମୁଦା (୭୦) । ସେହି ସମୟରେ ମଦନ ପିଙ୍ଗୁଆ ଏକ ଠେଙ୍ଗା ସାହାଯ୍ୟରେ ଗାଙ୍ଗି ଉପରେ ବାରମ୍ବାର ଆକ୍ରମଣ କରି ସେଠାରୁ ଫେରାର ହୋଇ ଯାଇଥିଲେ । ଫଳରେ ଘଟଣାସ୍ଥଳରେ ହିଁ ଗୁରୁତର ଅବସ୍ଥାରେ ପଡି ରହିଥିଲେ ବୃଦ୍ଧା ଗାଙ୍ଗି ।

ଘଟଣା ସମ୍ପର୍କରେ ଅବଗତ ହେବା ପରେ ଗାଁ ଲୋକେ ଓ ପରିବାର ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ରାଇରଙ୍ଗପୁର ମେଡିକାଲ ଆଣିଥିଲେ । ହେଲେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ସ୍ବାସ୍ଥ୍ୟବସ୍ଥା ଅଧିକ ବିଗିଡି ଯିବାରୁ ତାଙ୍କୁ ବାରିପଦା ପିଆରଏମ ସ୍ଥାନାନ୍ତର କରାଯିବା ସମୟରେ ତାଙ୍କ ମୃତ୍ୟୁ ଘଟିଥିଲା । ଏ ନେଇ ପରିବାର ଲୋକେ ଯାମଦା ଥାନାରେ ଏକ ଲିଖିତ ଅଭିଯୋଗ କରିବା ପରେ ପୋଲିସ ପକ୍ଷରୁ ଏକ ହତ୍ୟା ମାମଲା ରୁଜୁ କରିବା ସହ ଘଟଣାର ତଦନ୍ତ ଆରମ୍ଭ ହୋଇଥିଲା । ପରେ ଅଭିଯୁକ୍ତ ମଦନ ପିଙ୍ଗୁଆକୁ ଗିରଫ କରି ରାଇରଙ୍ଗପୁର କୋର୍ଟ ଚାଲାଣ କରାଯାଇଥିଲା ।

ଇଟିଭି ଭାରତ, ରାଇରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.