ETV Bharat / state

ଦୁଷ୍କର୍ମ ପୀଡିତାକୁ ନ୍ୟାୟ, 8 ବର୍ଷ ପରେ ଦଣ୍ଡ ପାଇଲା ଅଭିଯୁକ୍ତ

author img

By

Published : Jul 16, 2023, 7:14 AM IST

minor girl rape case
ନାବାଳିକା ଦୁଷ୍କର୍ମ ମାମଲା

ନାବାଳିକା ଦୁଷ୍କର୍ମ ମାମଲାର ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଣି କରିଛନ୍ତି ମୟୂରଭଞ୍ଜ ପୋକ୍ସୋ ଅଦାଲତ । ଦୋଷୀକୁ ୧୦ ବର୍ଷର ସଶ୍ରମ କାରାଦଣ୍ଡରେ ଦଣ୍ଡିତ କଲେ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ । ଅଧିକ ପଢ଼ନ୍ତୁ

ରାଇରଙ୍ଗପୁର: ନାବାଳିକା ଦୁଷ୍କର୍ମ ମାମଲାର ୮ ବର୍ଷ ପରେ ପୀଡ଼ିତାକୁ ମିଳିଲା ନ୍ୟାୟ । ଦୋଷୀକୁ ୧୦ ବର୍ଷର ସଶ୍ରମ କାରାଦଣ୍ଡରେ ଦଣ୍ଡିତ କଲେ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ । ୭୦୦୦ ଟଙ୍କା ଜରିମାନା ଅନାଦେୟ ଅଧିକ ୩ ମାସ ସଶ୍ରମ କାରାଦଣ୍ଡ ଭୋଗିବାକୁ ରାୟ ଶୁଣାଇଛନ୍ତି । ଏହା ସହିତ ପୀଡ଼ିତାଙ୍କୁ ୨ ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ କରିବାକୁ ଜିଲ୍ଲା ଆଇନ ସହାୟତା ବିଭାଗକୁ ସ୍ବତନ୍ତ୍ର ପୋକ୍ସୋ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଦୋଷୀ ଜଣକ ହେଲା ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ନିରଞ୍ଜନ ଗ୍ରାମର ଗୁରୁ ପ୍ରସାଦ ମୁର୍ମୁ ।

ସୂଚନା ଅନୁଯାୟୀ, ୨୦୧୫ ମସିହା ମାର୍ଚ୍ଚ ମାସ ୫ ତାରିଖରେ ଏହି ଅଘଟଣ ଘଟିଥିଲା । ମୟୂରଭଞ୍ଜ ଜିଲ୍ଲାର ବାରିପଦା ଟାଉନ ଥାନା ଅଧିନସ୍ଥ ଏକ ଅଞ୍ଚଳର ଜଣେ ବିଧବା ମହିଳାଙ୍କ ନାବାଳିକା ଝିଅକୁ ଗୁରୁ ଅପହରଣ କରି ନେଇ ଯାଇଥିଲା । ନାବାଳିକା ଝିଅକୁ ବିଭିନ୍ନ ସ୍ଥାନରେ ଲୁଚାଇ ରଖି ବାରମ୍ବାର ଦୁଷ୍କର୍ମ କରିଥିଲା ଗୁରୁ ପ୍ରସାଦ । ଝିଅକୁ ନ ପାଇ ଶେଷରେ ମାଆ ବାରିପଦା ଟାଉନ ଥାନାର ଦ୍ବାରସ୍ଥ ହୋଇଥିଲେ । ଥାନାରେ ଅପହରଣ ମାମଲା ରୁଜୁ କରାଯାଇ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା । ବିଭିନ୍ନ ସ୍ଥାନରେ ଖୋଜାଖୋଜି ପରେ ଶେଷରେ ଗୁରୁର ପତ୍ତା ପାଇ ନାବାଳିକାଙ୍କୁ ପୋଲିସ ଉଦ୍ଧାର କରିଥିଲା । ଏହି ମାମଲାରେ ବାରିପଦା ଟାଉନ ଥାନା ପୋଲିସ ଗୁରୁକୁ ଗିରଫ କରିଥିଲା । ନାବାଳିକାଙ୍କୁ ଅପହରଣ ଓ ଦୁଷ୍କର୍ମ ଅଭିଯୋଗରେ ଗୁରୁ ପ୍ରସାଦକୁ ବାରିପଦା କୋର୍ଟ ଚାଲାଣ କରାଯାଇଥିଲା ।

ଏହା ମଧ୍ୟ ପଢ଼ନ୍ତୁ: ୯ ବର୍ଷ ପରେ ପୀଡ଼ିତାକୁ ନ୍ୟାୟ, ନାବାଳିକା ଦୁଷ୍କର୍ମକାରୀକୁ ୧୪ ବର୍ଷ ଜେଲ

ସମସ୍ତ ସାକ୍ଷ୍ୟ ପ୍ରମାଣ ଓ ତଥ୍ୟକୁ ଭିତ୍ତି କରି ଗୁରୁ ପ୍ରସାଦକୁ ଦୋଷୀ ସାବ୍ୟସ୍ତ କରିଥିଲେ କୋର୍ଟ । ମାମଲାର ବିଚାର ସମୟରେ ୧୪ ଜଣ ସାକ୍ଷୀଙ୍କ ବୟାନ, ଡାକ୍ତରୀ ଓ ପୋଲିସର ରିପୋର୍ଟକୁ ଭିତ୍ତି କରି ଜଜ ଏହି ଶୁଣାଣି କରିଛନ୍ତି । ତେବେ ପୋକ୍ସୋ କୋର୍ଟର ସ୍ୱତନ୍ତ୍ର ପିପି ଅଭିନ୍ନ କୁମାର ପଟ୍ଟନାୟକ ସରକାରଙ୍କ ପକ୍ଷରୁ ଏହି ମାମଲାଟିକୁ ପରିଚାଳନା କରୁଥିଲେ । ମୟୂରଭଞ୍ଜ ଅତିରିକ୍ତ ଜିଲା ଓ ଦୌରାଜଜ ତଥା ସ୍ୱତନ୍ତ୍ର ପୋକ୍ସୋ କୋର୍ଟର ଜଜ ସୁମିତା ଜେନା ମାମଲାର ବିଚାର କରିଥିଲେ । ରାୟ ପ୍ରକାଶ ପାଇବା ପରେ ଦୋଷୀ ଗୁରୁ ପ୍ରସାଦ ମୁର୍ମୁକୁ ବାରିପଦା ମଣ୍ଡଳ କାରାଗାରକୁ ପଠାଇ ଦିଆଯାଇଛି ।

ଇଟିଭି ଭାରତ, ରାଇରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.