ETV Bharat / state

କାଣ୍ଡିଆ ଜଳପ୍ରପାତକୁ ଛୁଟୁଛି ପର୍ଯ୍ୟଟକଙ୍କ ସୁଅ, ଆନୁସଙ୍ଗିକ ବ୍ୟବସ୍ଥା କଥା ଭୁଲି ଯାଇଛି ପ୍ରଶାସନ

author img

By ETV Bharat Odisha Team

Published : Jan 4, 2024, 7:36 PM IST

Kandia Waterfall: ମୟୂରଭଞ୍ଜରେ ଥିବା କାଣ୍ଡିଆ ଜଳପ୍ରପାତରେ ଜମୁଛି ପର୍ଯ୍ୟଟକଙ୍କ ଭିଡ଼ । ହେଲେ ସରକାରଙ୍କ ଦୃଷ୍ଟି ଆଢୁଆଳରେ ଥିବା ଏହି ସ୍ଥାନକୁ ପର୍ଯ୍ୟଟମସ୍ଥଳୀର ମାନ୍ୟତା ପାଇଁ ଦାବି ହୋଇଛି । ଅଧିକ ପଢନ୍ତୁ

kandia waterfall attract tourists
କାଣ୍ଡିଆ ଜଳପ୍ରପାତର ଉନ୍ନତିକରଣ ଦାବି

କାଣ୍ଡିଆ ଜଳପ୍ରପାତର ଉନ୍ନତିକରଣ ଦାବି

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲାରେ ବିଭିନ୍ନ ଆକର୍ଷଣୀୟ ସ୍ଥାନ ରହିଛି । ସେଥିମଧ୍ୟରୁ କାଣ୍ଡିଆ ଜଳପ୍ରପାତ ଅନ୍ୟତମ। ଏହା ସାରସକଣା ବ୍ଲକର ଶଙ୍ଖଭଙ୍ଗା ଗ୍ରାମପଞ୍ଚାୟତ ଅନ୍ତର୍ଗତ କୁଲାପଟା ଗ୍ରାମରେ ଅବସ୍ଥିତ । ସଦର ମହକୁମା ବାରିପଦା ସହରରୁ ୬୦ କିଲୋମିଟର ଓ ରାଇରଙ୍ଗପୁରରୁ ବିଶୋଇ ଯିବା ବାଟରେ ୫୦ କିଲୋମିଟର ଦୂରରେ ଅବସ୍ଥିତ କାଣ୍ଡିଆ ଜଳପ୍ରପାତ। ଦୁଇଟି ବଡ଼ ବଡ଼ ପାହାଡ଼ର ବକ୍ଷକୁ ଚିରି କୁଳୁକୁଳୁ ନାଦ କରି ଜଙ୍ଗଲ ମଧ୍ୟରୁ ବହି ଆସିଥିବା ଝରଣା, ଗଛଲତା ଭରା ସୁନ୍ଦର ପାହାଡ, ବିଭିନ୍ନ ପ୍ରକାର ଚଢେଇଙ୍କ କିଚିରି ମିଚିରି ରାବ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରେ। ଏହି ଜଳପ୍ରପାତ ପାର୍ଶ୍ଵରେ ପୂଜା ପାଉଛନ୍ତି ଆଦିବାସୀ ସମ୍ପ୍ରଦାୟର କାଣ୍ଡିଆ ଠାକୁର।

ଏଥି ସହିତ ସ୍ଥାନୀୟ ଲୋକଙ୍କ ସହାୟତାରେ ସେଠାରେ ବିଭିନ୍ନ ପ୍ରକାରର ଫୁଲ ଓ ଗଛରେ ସୁସଜ୍ଜିତ ଏକ ସୁନ୍ଦର ପାର୍କ ନିର୍ମାଣ କରାଯାଇଛି। ବଣଭୋଜି କରିବାକୁ ଆସି ସେଠାକାର ପ୍ରାକୃତିକ ସୌନ୍ଦର୍ଯ୍ୟର ଉପଭୋଗ କରିଥାନ୍ତି ପର୍ଯ୍ୟଟକ। କିଏ ଫୁଲ ବଗିଚାରେ ସେଲଫି ଉଠାଇ ମଜା ନିଅନ୍ତି ତ ଆଉ କିଏ ବହି ଯାଉଥିବା ଝରଣାର ନିକଟରେ ଛିଡ଼ା ହୋଇ ସେଲଫି ନେଉଥିବା ଦେଖିବାକୁ ମିଳେ। ବର୍ଷତମାମ ଏଠାରେ ଗହଳି ଲାଗୁଥିଲେ ସୁଦ୍ଧା ଏହି କାଣ୍ଡିଆ ଜଳପ୍ରପାତକୁ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ମିଳିପାରିନାହିଁ ।

ସେଠାରେ ଥିବା ପାର୍କର ରକ୍ଷଣାବେକ୍ଷଣର ଦାୟିତ୍ଵ ବାବା କାଣ୍ଡିଆ କ୍ଲବ କମିଟିର ସଦସ୍ୟମାନେ ବହନ କରୁଛନ୍ତି । କମିଟି ସଦସ୍ୟ କହିଛନ୍ତି, "ଯେପରି କୌଣସି ଅଘଟଣ ନ ଘଟେ ସେଥିପାଇଁ ସଦା ସର୍ବଦା ସଜାଗ ରହୁଛୁ । ସରକାରୀ ସହାୟତା ମିଳିପାରିଲେ ଏଠାକୁ ଆହୁରି ପର୍ଯ୍ୟଟକ ଆସନ୍ତେ ।" କାଣ୍ଡିଆ ଜଳପ୍ରପାତ ନିକଟକୁ ପଥୁରିଆ, ଅଣଅସାରିଆ ରାସ୍ତା ଦେଇ ବିପଦସଙ୍କୁଳ ଅବସ୍ଥାରେ ପର୍ଯ୍ୟଟକଙ୍କୁ ଯିବାକୁ ପଡିଥାଏ । ଚିକ୍କଣ ପାହାଡ ଦେଇ ଜଳପ୍ରପାତର ଉପର ପାର୍ଶ୍ଵକୁ ପର୍ଯ୍ୟଟକମାନେ ଯାଉଥିବାରୁ ସେଠାରୁ ଖସି ପଡ଼ିଯାଇ ଜୀବନ ଯିବାର ମଧ୍ୟ ଭୟ ରହୁଛି। ହେଲେ ରାଜ୍ୟ ସରକାର କିମ୍ବା ସ୍ଥାନୀୟ ପ୍ରଶାସନ ପକ୍ଷରୁ କୌଣସି ଆନୁସାଙ୍ଗିକ ବ୍ୟବସ୍ଥା କରାଯାଇନାହିଁ। ସେଠାରେ ବିଶୁଦ୍ଧ ପାନୀୟ ଜଳର ମଧ୍ୟ କୌଣସି ବ୍ୟବସ୍ଥା ନାହିଁ ।

ଏହା ମଧ୍ୟ ପଢନ୍ତୁ...ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ଡୋକରୀ ଚଞ୍ଚରା, ପର୍ଯ୍ୟଟକଙ୍କୁ କରୁଛି ଆକର୍ଷିତ

ବାବା କାଣ୍ଡିଆ କ୍ଲବ କମିଟିର ସଦସ୍ୟ ମାନେ ସ୍ଥାନୀୟ ବିଧାୟକ ପାଣ୍ଠିରୁ ଏକ ଶୌଚାଳୟ ନିର୍ମାଣ କରିଛନ୍ତି। ହେଲେ ବୋରିଂ ନ ଥିବାରୁ ଅଧିକାଂଶ ସମୟରେ ଶୌଚାଳୟରେ ପାଣିର ସମସ୍ୟା ଦେଖାଦେଉଛି । ଯାହାକୁ ପର୍ଯ୍ୟଟକଙ୍କ ମଧ୍ୟରେ ଅସନ୍ତୋଷ ବଢିଛି। ସେପଟେ ଶହ ଶହ ଲୋକଙ୍କ ପାଇଁ ଗୋଟିଏ ମାତ୍ର ନଳକୂପ ଥିବାରୁ ଅଧିକାଂଶ ସମୟରେ ଗୋଳିଆ ପାଣି ବାହାରୁଥିବା ଦେଖିବାକୁ ମିଳୁଛି। ତେବେ ଖାଣ୍ଡିଆ ଜଳପ୍ରପାତକୁ ପର୍ଯ୍ୟଟନସ୍ଥଳୀର ମାନ୍ୟତା ପ୍ରଦାନ କରିବା ପାଇଁ ରାଜ୍ୟ ସରକାରଙ୍କ ନିକଟରେ ଦାବି କରିବା ସହିତ ଅନ୍ୟାନ୍ୟ ଆନୁସାଙ୍ଗିକ ବ୍ୟବସ୍ଥା ଯୋଗାଇଦେବା ପାଇଁ ଦାବି ହୋଇଛି ।

ଇଟିଭି ଭାରତ, ମୟୂରଭଞ୍ଜ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.