ETV Bharat / state

କାଲି ଆସୁଛନ୍ତି ରାଷ୍ଟ୍ରପତି; ବାରିପଦାରେ ସ୍ଥିତି ଅନୁଧ୍ୟାନ କଲା ବାୟୁସେନା

author img

By ETV Bharat Odisha Team

Published : Nov 19, 2023, 1:55 PM IST

ରାଷ୍ଟ୍ରପତିଙ୍କ ମୟୂରଭଞ୍ଜ ଗସ୍ତ
ରାଷ୍ଟ୍ରପତିଙ୍କ ମୟୂରଭଞ୍ଜ ଗସ୍ତ

ମୟୂରଭଞ୍ଜ ଆସୁଛନ୍ତି ମହାମହିମ । ରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ ବାରିପଦା ରିଜର୍ଭ ପୋଲିସ ପଡିଆରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କଲା ବାୟୁସେନା ଟିମ୍ । ଅଧିକ ପଢନ୍ତୁ


ରାଇରଙ୍ଗପୁର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତାକାଲି(ସୋମବାର)ଠାରୁ ଦୁଇ ଦିନିଆ ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ଆସୁଛନ୍ତି । ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ବାୟୁସେନା ପକ୍ଷରୁ ବାରିପଦାରେ ସ୍ଥିତି ଅନୁଧ୍ୟାନ କରାଯାଇଛି । ବାରିପଦା ସ୍ଥିତ ରିଜର୍ଭ ପୋଲିସ ପଡ଼ିଆଠାରେ ତିନୋଟି ଅସ୍ଥାୟୀ ହେଲିପ୍ୟାଡ ନିର୍ମାଣ ହୋଇଛି । ଏହିଠାରେ ମହାମହିମ ଅବତରଣ କରିବାକୁ ଥିବାରୁ ଆଜି ବାୟୁସେନାର ସ୍ବତନ୍ତ୍ର ଅଧିକାରୀମାନେ ପଶ୍ଚିମବଙ୍ଗ କୋଲେଇକୁଣ୍ଡାରୁ ହେଲିକପ୍ଟର ଯୋଗେ ଏହି ଅସ୍ଥାୟୀ ହେଲିପ୍ୟାଡରେ ପହଞ୍ଚି ସ୍ଥିତ ଅନୁଧ୍ୟାନ କରିଛନ୍ତି । ରାଷ୍ଟ୍ରପତିଙ୍କ ମୟୂରଭଞ୍ଜ ଗସ୍ତ ସମୟରେ ତାଙ୍କର ହେଲିକପ୍ଟର ଅବତରଣ ଓ କିପରି କାରକେଡର ପରିଚାଳନା ହେବ ସେନେଇ ପୋଲିସ ଓ ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିତିରେ ବାୟୁସେନା ଟିମ୍ ଅନୁଧ୍ୟାନ କରିଛନ୍ତି ।

ତେବେ ରାଷ୍ଟ୍ରପତିଙ୍କ ଗସ୍ତସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି । ଆସନ୍ତାକାଲି ୨୦ ତାରିଖରେ ରାଷ୍ଟ୍ରପତି ଦିଲ୍ଲୀ ସ୍ଥିତ ପାଲାମ ଏୟାରପୋର୍ଟରୁ ବାୟୁସେନାର ସ୍ବତନ୍ତ୍ର ବିମାନ ଯୋଗେ ପଶ୍ଚିମବଙ୍ଗର କୋଲେଇକୁଣ୍ଡା ଏୟାରଫୋର୍ସ ବେସରେ ପହଞ୍ଚିବେ । ସେଠାରୁ ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ବାରିପଦା ରିଜର୍ଭ ପୋଲିସ ପଡିଆରେ ଥିବା ଅସ୍ଥାୟୀ ହେଲିପ୍ୟାଡରେ ୧୧.୨୫ ସମୟରେ ଅବତରଣ କରିବେ । ସେହିଠାରୁ କାରକେଡ୍‌ ଯୋଗେ ବାରିପଦା ସ୍ଥିତ ଶହୀଦ ସ୍ମୃତି ଭବନରେ ଅନୁଷ୍ଠିତ ୩୬ତମ ସର୍ବଭାରତୀୟ ସାନ୍ତାଳୀ ଲେଖକ ସମ୍ମିଳନୀ ଓ ସାହିତ୍ୟ ମହୋତ୍ସବ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯିବେ । ଏହାପରେ ସଡ଼କ ପଥରେ ଯାଇ କୁଳିଅଣା ବ୍ଲକ ସ୍ଥିତ ଏକଲବ୍ୟ ଆବାସିକ ବିଦ୍ୟାଳୟର ଶୁଭ ଉଦଘାଟନ କରିବେ । ପରେ ସେଠାରୁ ବାହାରି ବାରିପଦା ସର୍କିଟ ହାଉସରେ ମଧ୍ୟାହ୍ନ ଭୋଜନ ପରେ ସାମାନ୍ୟ ବିଶ୍ରାମ କରି ଅପରାହ୍ନ ସମୟରେ ହେଲିକେପ୍ଟର ଯୋଗେ ରାଇରଙ୍ଗପୁର ଦାଣ୍ଡବୋଷ ଅଭିମୁଖେ ଗସ୍ତ କରିବେ ।

ଏହା ମଧ୍ୟ ପଢନ୍ତୁ: ଆସନ୍ତା ୨୦ରେ ଆସୁଛନ୍ତି ରାଷ୍ଟ୍ରପତି, ଜନ୍ମମାଟିରେ ଚାଲିଛି ଜୋରଦାର ପ୍ରସ୍ତୁତି

ରାଇରଙ୍ଗପୁର ଡାକବଙ୍ଗଳା ଠାରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି । ସେଠାରୁ ରାଇରଙ୍ଗପୁର ସ୍ଥିତ ନିଜ ବାସଭବନରେ ରାତ୍ରିଭୋଜନ ସହିତ ବିଶ୍ରାମ ନେବେ । ମଙ୍ଗଳବାର ଦିନ ସକାଳ ୮ ଟାରେ ନିଜ ବାସଭବନରୁ ବାହାରି ଶାଶୁଘର ଗ୍ରାମ ପାହାଡପୁରରେ ପହଞ୍ଚି ଦକ୍ଷତା ବିକାଶ କେନ୍ଦ୍ରର ଉଦଘାଟନ କରିବେ। ସେଠାରୁ ଏସଏଲଏସ ସ୍କୁଲ ପରିଦର୍ଶନ ସହ ସ୍ୱାମୀ ଶ୍ୟାମ ଚରଣ ମୁର୍ମୁ ଓ ଦୁଇ ପୁଅ ଲକ୍ଷ୍ମଣ ଓ ସିପୁନଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବେ । ଏହି ଅବସରରେ ରାଷ୍ଟ୍ରପତି ମର୍ମୁ ଏଠାରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିବେ । ଏହି ସମୟରେ ଅଞ୍ଚଳବାସୀଙ୍କ ସହ ଆଲୋଚନା କରିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି ।

ଏହାପରେ ବାଦାମପାହାଡ ରେଳ ଷ୍ଟେସନରେ ପହଞ୍ଚି ନୂତନ ଭାବେ ଟାଟାନଗର-ବାଦାମପାହାଡ ମେମୁ ଟ୍ରେନ, ବାଦାମପାହାଡ-ରାଉରକେଲା ଏକ୍ସପ୍ରେସ ଓ ସାଲିମାର-ବାଦାମପାହାଡ ଏକ୍ସପ୍ରେସ ଟ୍ରେନକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିବେ । ବାଦାମପାହାଡ ଅମୄତ ରେଳ ଷ୍ଟେସନର ମଧ୍ୟ ଶିଳାନ୍ୟାସ କରିବେ । ପରେ ରାଇରଙ୍ଗପୁର ଡାକ ଡିଭିଜନର ଉଦଘାଟନ କରିବା ସହ ବିଭିନ୍ନ କାର୍ଯ୍ୟକ୍ରମରେ ଭିଡିଓ କନଫରେନ୍ସିଂ ଜରିଆରେ ଯୋଡି ହେବେ । ବାଦାମପାହାଡରେ କାର୍ଯ୍ୟକ୍ରମ ପରେ ଏଠାରୁ ରାଇରଙ୍ଗପୁର ରେଳ ଷ୍ଟେସନକୁ ଟ୍ରେନ ଯୋଗେ ଯାତ୍ରା କରି ରାଇରଙ୍ଗପୁର ପହଞ୍ଚିବେ । ଦାଣ୍ଡବୋଷ ସ୍ଥିତ ଅସ୍ଥାୟୀ ହେଲିପ୍ୟାଡରୁ ସମ୍ବଲପୁର ଅଭିମୁଖେ ଯାତ୍ରା କରିବେ ।

ଇଟିଭି ଭାରତ, ରାଇରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.