ETV Bharat / state

ଆସନ୍ତା ୨୦ରେ ଆସୁଛନ୍ତି ରାଷ୍ଟ୍ରପତି, ଜନ୍ମମାଟିରେ ଚାଲିଛି ଜୋରଦାର ପ୍ରସ୍ତୁତି

author img

By ETV Bharat Odisha Team

Published : Nov 17, 2023, 7:34 PM IST

Updated : Nov 17, 2023, 7:45 PM IST

Preparations for president visit: ଆସନ୍ତା ୨୦ ତାରିଖରେ ଓଡିଶା ଆସୁଛନ୍ତି ମହାମହିମ ରାଷ୍ଟ୍ରପତି ଦୌପଦୀ ମୁର୍ମୁ । ରାଷ୍ଟ୍ରପତି ହେବା ପରେ ଏହା ତାଙ୍କର ଦ୍ବିତୀୟ ଥର ଓଡିଶା ଗସ୍ତ ହୋଇଥିବାବେଳେ ଜନ୍ମମାଟିରେ ଚାଲିଛି ଜୋରଦାର ପ୍ରସ୍ତୁତି । ଅଧିକ ପଢନ୍ତୁ

preparations for president visit
ରାଷ୍ଟ୍ରପତିଙ୍କ ସ୍ବାଗତ ପାଇଁ ପ୍ରସ୍ତୁତି

ଜନ୍ମମାଟିରେ ଚାଲିଛି ଜୋରଦାର ପ୍ରସ୍ତୁତି

ରାଇରଙ୍ଗପୁର: ଆସନ୍ତା ୨୦ତାରିଖରେ ଓଡିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସୋମବାର ଦିନ ବାୟୁସେନାର ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ବାରିପଦାରେ ପହଞ୍ଚି ଶହୀଦ ସ୍ମୃତିଭବନଠାରେ ହେବାକୁ ଥିବା ସର୍ବଭାରତୀୟ ସାନ୍ତାଳୀ ଲେଖକ ସଂଘର ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ । ଏହାପରେ ଦାଣ୍ଡବୋଷ ଓ ପରେ ମହୁଲଡିହା ପୂର୍ତ୍ତ ବିଭାଗର ଡାକ ବଙ୍ଗଳାରେ କିଛି ବିଶେଷ ବ୍ୟକ୍ତିଙ୍କୁ ସାକ୍ଷାତ କରି ରାଇରଙ୍ଗପୁର ସ୍ଥିତ ନିଜ ବାସଭବନରେ ଭୋଜନ ସହିତ ରାତ୍ରିଯାପନ କରିବେ । ଏଥିପାଇଁ ରାଇରଙ୍ଗପୁରରେ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି ।

ଦାଣ୍ଡବୋଷ ଠାରେ ଅସ୍ଥାୟୀ ହେଲିପ୍ୟାଡ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । TPNODL ପକ୍ଷରୁ ମଧ୍ୟ ବିଶେଷ ଧ୍ୟାନ ଦିଆଯାଇଛି । ପୂର୍ବରୁ SCBର ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ରପତିଙ୍କ ଅଭିଭାଷଣବେଳେ ବିଦ୍ୟୁତ ବିଭ୍ରାଟ ଦେଖାଦେଇଥିଲା । ଅନ୍ଧାରରେ ରାଷ୍ଟ୍ରପତି ନିଜ ଅଭିଭାଷଣ ଜାରି ରଖିଥିଲେ । ଏହି ତ୍ରୁଟିର ଯେପରି ପୁନରାବୃତ୍ତି ନହୁଏ ସେଥିପାଇଁ ପ୍ରଶାସନ ସଜାଗ ରହିଛି । ସେହିପରି ରାଷ୍ଟ୍ରପତିଙ୍କ କାରକେଡ ଯିବା ରାସ୍ତାଗୁଡିକ ଯୁଦ୍ଧକାଳୀନ ଭିତ୍ତିରେ ମରାମତି ଚାଲିଛି । ପାହାଡପୁର ସ୍ଥିତ ଏସଏଲଏସ ସ୍ମାରକୀ ଆବାସିକ ବିଦ୍ୟାଳୟରେ ଥିବା ଦ୍ରୌପଦୀ ମୁର୍ମୁଙ୍କ ସ୍ବାମୀ ଏବଂ ଦୁଇ ପୁଅ ଲକ୍ଷ୍ମଣ ଓ ସିପୁନଙ୍କ ପ୍ରତିମୂର୍ତ୍ତି ଗୁଡ଼ିକୁ ନୂତନ ରୂପ ଦିଆଯାଇଛି ।

କାର୍ଯ୍ୟସୂଚୀ ଅନୁଯାୟୀ ମଙ୍ଗଳବାର ଦିନ ରାଷ୍ଟ୍ରପତି ସକାଳ ୮ଟା ୦୫ରେ ମହୁଲଡିହା ସ୍ଥିତ ନିଜ ବାସଭବନରୁ ବାହାରି ସୁରକ୍ଷାବଳୟ ମଧ୍ୟରେ ସ୍ବତନ୍ତ୍ର କାରକେଡ୍ ଯୋଗେ ମୁଖ୍ୟ ରାସ୍ତାରେ ରାଇରଙ୍ଗପୁରରୁ ପାହାଡପୁର ଅଭିମୁଖେ ଯାତ୍ରା କରିବେ । ପାହାଡପୁର ଗ୍ରାମରେ ପହଞ୍ଚିବା ପରେ ସେଠାରେ L&T ପକ୍ଷରୁ ହୋଇଥିବା ଦକ୍ଷତା ବିକାଶ କେନ୍ଦ୍ରର ଉଦଘାଟନ କରିବେ । ସେଠାରେ ମଧ୍ୟ କାର୍ଯ୍ୟକ୍ରମକୁ ନେଇ ପ୍ରସ୍ତୁତି ଚୁଡ଼ାନ୍ତରେ ପହଞ୍ଚି ଥିବା ବେଳେ ରାଷ୍ଟ୍ରପତିଙ୍କ ସହିତ ସାକ୍ଷାତ କରିବାକୁ ବେଶ ଉତ୍ସାହିତ ଅଛନ୍ତି ସେଠାକାର ବରିଷ୍ଠ ଅଧିକାରୀ ଓ ମେଧାବୀ ଛାତ୍ରଛାତ୍ରୀ। ଏହାପରେ ମହାମହିମ ନିଜ ସ୍କୁଲ SLS ସ୍ମାରକୀ ଆବାସିକ ବିଦ୍ୟାଳୟ ଯାଇ ସେଠାରେ ଥିବା କାର୍ଯ୍ୟକ୍ରମରେ ଯୋଗ ଦେବା ସହ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ଓ ଗ୍ରାମବାସୀଙ୍କg ସାକ୍ଷାତ କରି ସ୍କୁଲର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିବେ।

ଏହାପରେ ବାଦାମପାହାଡ ରେଳ ଷ୍ଟେସନରେ ପହଞ୍ଚି ସେଠାରେ ୩ ଟି ନୂତନ ଟ୍ରେନ ଯଥା ଟାଟାନଗର ବାଦାମପାହାଡ ମେମୁ ଟ୍ରେନ, ବାଦାମପାହାଡ ରାଉରକେଲା ଏକ୍ସପ୍ରେସ ଓ ସାଲିମାର ବାଦାମପାହାଡ ଏକ୍ସପ୍ରେସକୁ ସବୁଜ ପତାକା ଦେଖାଇ ଚଳାଚଳ ନିମନ୍ତେ ଶୁଭ ଉଦଘାଟନ କରିବେ। ଏଥିସହ ଭିସି ମାଧ୍ୟମରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ, ରାଇରଙ୍ଗପୁର ଡିଭିଜନ ପୋଷ୍ଟ ଅଫିସର ଉଦଘାଟନ ଓ ବାଦାମପାହାଡ ରେଳ ଷ୍ଟେସନକୁ ଅମୃତ ରେଳ ଯୋଜନାରେ ସାମିଲ କରି ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି । ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଯୁଦ୍ଧକାଳୀନ ଭିତ୍ତିରେ ବାଦାମପାହାଡରେ ମଧ୍ୟ ପ୍ରସ୍ତୁତି କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି।

ଏହା ବି ପଢନ୍ତୁ...୨୦ରେ ମୟୂରଭଞ୍ଜ ଆସୁଛନ୍ତି ରାଷ୍ଟ୍ରପତି; ଜନ୍ମମାଟିରେ ଚାଲିଛି ବ୍ୟାପକ ପ୍ରସ୍ତୁତି

ସେପଟେ ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ପ୍ରଶାସନିକ ସ୍ତରରେ ପ୍ରସ୍ତୁତି କାର୍ଯ୍ୟକ୍ରମ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଏନେଇ ମୟୂରଭଞ୍ଜ ଏସପି ଏସ. ସୁଶ୍ରୀ କହିଛନ୍ତି, "ରାଷ୍ଟ୍ରପତିଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ମୟୂରଭଞ୍ଜ ଜିଲ୍ଲାରେ ୨୦୦ ପୋଲିସ ଅଫିସରଙ୍କ ସହ ୩୩ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଏହାସହ ସମସ୍ତ ପ୍ରକାର ବ୍ୟବସ୍ଥା ପ୍ରତି ଧ୍ୟାନ ଦିଆଯାଉଛି ।"

ଇଟିଭି ଭାରତ, ମୟୂରଭଞ୍ଜ

Last Updated : Nov 17, 2023, 7:45 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.