ETV Bharat / state

ନାବାଳକକୁ ଦଂଶିଲା ବିଷଧର, ଚାଲିଗଲା ଜୀବନ

author img

By

Published : Jul 30, 2023, 11:49 AM IST

boy died after snake bite
boy died after snake bite

ମୟୂରଭଞ୍ଜ ଜିଲ୍ଲା ବହଳଦା ଥାନା ଅନ୍ତର୍ଗତ ସୋସୋ ଗ୍ରାମରେ ସାପ କାମୁଡାରେ ନାବାଳକର ମୃତ । ଅଧିକ ପଢନ୍ତୁ

ରାଇରଙ୍ଗପୁର: ପୁଣି ଜୀବନ ନେଲା ସାପ । ସାପ କାମୁଡାରେ ନାବାଳକର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏଭଳି ଦୁଃଖଦ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ବହଳଦା ଥାନା ଅନ୍ତର୍ଗତ ସୋସୋ ଗ୍ରାମରେ । ରାତିରେ ଶୋଇଥିବା ବେଳେ ନାବାଳକଙ୍କୁ ସାପ ଦଂଶନ କରିଥିବା ଜଣାପଡିଛି ।

ସୂଚନା ଅନୁଯାୟୀ, ମୟୂରଭଞ୍ଜ ଜିଲ୍ଲା ଯାମଦା ଥାନା ଅନ୍ତର୍ଗତ ମାନବୀର ଗ୍ରାମର ରାମଚନ୍ଦ୍ର ଦେଓଗାମଙ୍କ ୧୪ ବର୍ଷର ପୁଅ ବହଳଦା ଥାନା ଅନ୍ତର୍ଗତ ସୋସୋ ଗ୍ରାମ ସ୍ଥିତ ନିଜ ମାମୁଁ ଘରେ ରହୁଥିଲେ । ତେବେ ପ୍ରତ୍ୟେକ ଦିନ ପରି ଗତକାଲି ରାତିରେ ଜଗନ୍ନାଥ ଖାଇ ପିଇ ଘରେ ଶୋଇଥିଲେ । ହେଲେ ଭୋର ସକାଳୁ ଜଗନ୍ନାଥଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡି ଯାଇଥିଲା । ମାମୁଁ ଘର ଲୋକେ ଘର ଭିତରେ ଏକ ବିଷାକ୍ତ ସାପ ଦେଖି ଜଗନ୍ନାଥକୁ ସାପ କାମୁଡି ଦେଇଥିବାର ସନ୍ଦେହ କରିଥିଲେ । ଏନେଇ ୧୦୮ ଆମ୍ବୁଲାନ୍ସକୁ ଖବର ଦେବା ପରେ ଆମ୍ବୁଲାନ୍ସ ଯୋଗେ ଜଗନ୍ନାଥକୁ ରାଇରଙ୍ଗପୁର ଡାକ୍ତରଖାନା ଆଣିଥିଲେ । ହେଲେ ସେଠାରେ ଡାକ୍ତର ଜଗନ୍ନାଥଙ୍କୁ ମୃତ ଘୋଷଣା କରିଥିଲେ ।

ଘଟଣା ସମ୍ପର୍କରେ ବହଳଦା ଥାନା ପୋଲିସକୁ ଖବର ଦିଆଯିବାରୁ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲେ । ପରେ ମୃତଦେହକୁ ବ୍ୟବଚ୍ଛେଦ ନିମନ୍ତେ ରାଇରଙ୍ଗପୁର ଡାକ୍ତରଖାନା ପଠାଇଥିଲେ । ତେବେ ବ୍ୟବଚ୍ଛେଦ ପରେ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି ।

ପ୍ରକାଶ ଥାଉକି, ସପ୍ତାହେ ମଧ୍ୟରେ ଜିଲ୍ଲାରେ ବିଷାକ୍ତ ସର୍ପ ଦଂଶନରେ ତିନୋଟି ଜୀବନ ଦୀପ ଲିଭି ଯାଇଛି । ଜିଲ୍ଲାର ଶରତ ଥାନା ଅନ୍ତର୍ଗତ କଟୁରିଆ ଗ୍ରାମରେ ଜଣେ ଦେଢ଼ ବର୍ଷର ଶିଶୁପୁତ୍ର ଓ ଶିଶୁର ମାଆ ମିନତୀ ମହାକୁଡ ଘରେ ଶୋଇଥିବା ବେଳେ ଉଭୟ ମାଆ ପୁଅକୁ ଏକ ବିଷାକ୍ତ ସାପ କାମୁଡି ଦେଇଥିଲା । ଫଳରେ ଶିଶୁପୁତ୍ରଟି ମୃତ୍ୟୁବରଣ କରିଥିବା ବେଳେ ଶିଶୁର ମାଆ ଗୁରୁତର ଅବସ୍ଥାରେ ବାରିପଦା ପିଆରଏମ ମେଡିକାଲ କଲେଜ ଓ ହସ୍ପିଟାଲରେ ଚିକିତ୍ସିତ ହୋଇଥିଲେ । ପରେ ଉକ୍ତ ଶିଶୁର ମାଆ ମିନତୀ ଆରୋଗ୍ୟ ଲାଭ କରିଥିଲେ।

ଏହା ମଧ୍ୟ ପଢନ୍ତୁ- Snake Bite Death: କୋଚିଂ ସେଣ୍ଟରରେ ଶୋଇଥିଲେ ଦଂଶିଲା ବିଷଧର ସାପ, ଆଖି ବୁଜିଲେ 3 ଛାତ୍ରଛାତ୍ରୀ

ସେହିପରି ଜିଲ୍ଲାର ବିଶୋଇ ଥାନା ଅନ୍ତର୍ଗତ ବାଉତିବେଡା ଗ୍ରାମ ପଞ୍ଚାୟତର ସୁନାପୋଷି ଗ୍ରାମର ମଦନ ମୁର୍ମୁଙ୍କ ୨୨ ବର୍ଷ ର ପୁଅ ବିଜୟ ମୁର୍ମୁ ରାତିରେ ଘର ଲୋକଙ୍କ ସହିତ ଖାଇ ପିଇ ଶୋଇଥିବା ବେଳେ ଏକ ବିଷାକ୍ତ ଚିତି ସାପ ତାଙ୍କୁ କାମୁଡି ଦେଇଥିଲା । ପରିବାର ଲୋକେ ବିଜୟକୁ ତୁରନ୍ତ ରାଇରଙ୍ଗପୁର ଡାକ୍ତରଖାନାକୁ ଆଣିଥିଲେ । ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ବିଜୟଙ୍କ ଚିକିତ୍ସା ଚାଲିଥିବା ବେଳେ ସ୍ବାସ୍ଥ୍ୟବସ୍ଥା ଅଧିକ ବିଗିଡି ଯିବାରୁ ଡାକ୍ତର ତାଙ୍କୁ ବାରିପଦା ପିଆରଏମ ମେଡିକାଲ କଲେଜ ଓ ହସ୍ପିଟାଲ ସ୍ଥାନାନ୍ତରିତ କରିବା ପାଇଁ ପରିବାର ଲୋକଙ୍କୁ ପରାମର୍ଶ ଦେଉଥିବା ସମୟରେ ବିଜୟ ମୃତ୍ୟୁବରଣ କରିଥିଲେ ।

ଇଟିଭି ଭାରତ, ରାଇରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.