ETV Bharat / state

ଅନୁପସ୍ଥିତ ରହିଲେ ଜିଲ୍ଲାପାଳ, ଅମର୍ଦ୍ଦା ଏୟାରଷ୍ଟ୍ରିପ୍‌ ପାଇଁ ହୋଇପାରିଲାନି ଜମି ହସ୍ତାନ୍ତର

author img

By ETV Bharat Odisha Team

Published : Oct 11, 2023, 8:18 AM IST

Updated : Oct 11, 2023, 12:22 PM IST

Etv Bharat
Etv Bharat

ମୟୁରଭଞ୍ଜ ଜିଲ୍ଲାର ରାସଗୋବିନ୍ଦପୁର ବ୍ଲକ ସ୍ଥିତ ଅମର୍ଦ୍ଦା ଏୟାରଷ୍ଟ୍ରିପ୍‌ ଜମି ହସ୍ତାନ୍ତର କାର୍ଯ୍ୟକ୍ରମରେ ବିଭ୍ରାଟ । ଜିଲ୍ଲାପାଳ ଉପସ୍ଥିତ ନରହିବାରୁ ହସ୍ତାନ୍ତର ପ୍ରକ୍ରିୟା ହୋଇପାରି ନଥିବା କହିଛନ୍ତି କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ । ଅଧିକ ପଢନ୍ତୁ

ଅନୁପସ୍ଥିତ ରହିଲେ ଜିଲ୍ଲାପାଳ, ଅମର୍ଦ୍ଦା ଏୟାରଷ୍ଟ୍ରିପ୍‌ ପାଇଁ ହୋଇପାରିଲାନି ଜମି ହସ୍ତାନ୍ତର

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲାର ରାସଗୋବିନ୍ଦପୁର ବ୍ଲକ ସ୍ଥିତ ଅମର୍ଦ୍ଦା ଏୟାରଷ୍ଟ୍ରିପ୍‌ ଜମି ହସ୍ତାନ୍ତର କାର୍ଯ୍ୟକ୍ରମରେ ବିଭ୍ରାଟ । ଜିଲ୍ଲାପାଳ ଉପସ୍ଥିତ ନରହିବାରୁ ହସ୍ତାନ୍ତର ପ୍ରକ୍ରିୟା ହୋଇପାରି ନଥିବା କହିଛନ୍ତି କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ । ଏହି ପ୍ରସଙ୍ଗକୁ ନେଇ କେନ୍ଦ୍ରମନ୍ତ୍ରୀ ରାଜ୍ୟ ସରକାରଙ୍କ ସମେତ ଜିଲ୍ଲାପାଳଙ୍କ ଉପରେ ସଭାରେ ବର୍ଷିଛନ୍ତି । ଜିଲ୍ଲାପାଳଙ୍କ ଅନୁପସ୍ଥିତି ପାଇଁ ଜମି ହସ୍ତାନ୍ତର ପ୍ରକ୍ରିୟା ଠିକ ଭାବେ ହୋଇ ପାରିଲା ନାହିଁ । ଅମର୍ଦ୍ଦା ଏୟାରଷ୍ଟ୍ରିପ ଜମି ହସ୍ତାନ୍ତର ନେଇ ରାଜ୍ୟ ସରକାରଙ୍କ ଆନ୍ତରିକତା ନାହିଁ। ଜିଲ୍ଲାପାଳ ବିଜେଡି ଦଳର ସଭାପତି ସାଜିଥିବା ନେଇ କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ କହିଛନ୍ତି ।

ଦ୍ୱିତୀୟ ବିଶ୍ଵଯୁଦ୍ଧ ସମୟର ମୂକସାକ୍ଷୀ ହେଉଛି ଏସିଆ ମହାଦେଶର ସର୍ବବୃହତ ରନୱେ ଥିବା ମୟୁରଭଞ୍ଜ ଜିଲ୍ଲାର ରାସଗୋବିନ୍ଦପୁର ବ୍ଲକ ସ୍ଥିତ ଅମର୍ଦ୍ଦା ଏୟାରଷ୍ଟ୍ରିପ। ମଙ୍ଗଳବାର ଏହାର ଉନ୍ନତିକରଣ ପାଇଁ ଜମି ହସ୍ତାନ୍ତର କାର୍ଯ୍ୟକ୍ରମରେ ଏକ ବିଭ୍ରାଟ ସୃଷ୍ଟି ହୋଇଛି । ପ୍ରତିରକ୍ଷା ବିଭାଗ ପକ୍ଷରୁ ଏହାକୁୁ ରାଜ୍ୟ ସରକାରଙ୍କୁ ହସ୍ତାନ୍ତର ପ୍ରକ୍ରିୟା କାର୍ଯ୍ୟକ୍ରମରେ ମୟୂରଭଞ୍ଜ ଜିଲ୍ଲାପାଳ ଅନୁପସ୍ଥିତ ରହିବାରୁ ଏହି କାର୍ଯ୍ୟ ହୋଇପାରିନଥିଲା । ଯାହାକୁ ନେଇ ସରକାର ଓ ଜିଲ୍ଲାପାଳଙ୍କ ଉପରେ ବର୍ଷିଛନ୍ତି କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ ।

ଏହାମଧ୍ୟ ପଢନ୍ତୁ..NTPC ଜମିକୁ ଇଡକୋକୁ ହସ୍ତାନ୍ତରକୁ ବିରୋଧ, 4 ପଞ୍ଚାୟତବାସୀଙ୍କ ଆନ୍ଦୋଳନ

ସୂଚନା ଅନୁଯାୟୀ, ଅମର୍ଦ୍ଦା ଏୟାରଷ୍ଟ୍ରିପର ପୁନରୁଦ୍ଧାର ପାଇଁ ଜିଲ୍ଲାବାସୀଙ୍କ ଦାବିକୁ ନେଇ କେନ୍ଦ୍ର ସରକାରଙ୍କ ନିକଟରେ କେନ୍ଦ୍ର ଆଦିବାସୀ ବ୍ୟାପାର ଓ ଜଳଶକ୍ତି ବିଭାଗର ରାଷ୍ଟ୍ରମନ୍ତ୍ରୀ ତଥା ମୟୁରଭଞ୍ଜ ସାଂସଦ ବିଶେଶ୍ୱର ଟୁଡୁ ବାରମ୍ବାର ଦାବି ଉପସ୍ଥାପନ କରିଥିଲେ। ଏନେଇ ବେସାମରିକ ବିମାନ ଚଳାଚଳ କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଓ ପ୍ରତିରକ୍ଷା କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂଙ୍କ ସହିତ ଭେଟ କରି ବିମାନ ବନ୍ଦର କରିବା ନେଇ ଆଲୋଚନା କରିଥିଲେ। ଏହାକୁ ନେଇ ବାଲେଶ୍ଵରର ଚାନ୍ଦିପୁର ସ୍ଥିତ ଡିଆରଡିଓ ଅଧିକାରୀ ମାନଙ୍କ ସହିତ କେନ୍ଦ୍ରମନ୍ତ୍ରୀ ଗତ ୧୬ ସେପ୍ଟେମ୍ବର ୨୦୨୧ରେ ଏୟାରଷ୍ଟ୍ରିପ ପରିବେକ୍ଷଣ କରିଥିଲେ ।

ଏହାପରେ ବିମାନ ବନ୍ଦର କରିବା ନେଇ କେନ୍ଦ୍ର ସରକାର ୨୨ ନଭେମ୍ବର ୨୦୨୨ରେ ଅନୁମତି ପ୍ରଦାନ କରିଥିଲେ । ଯାହାକୁ ନେଇ ୪ ଜାନୁଆରୀ ୨୦୨୩ରେ ଜମି ଚିହ୍ନଟକରଣ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଏହାପରେ ରାଜ୍ୟ ସରକାରଙ୍କୁ ପ୍ରତିରକ୍ଷା ବିଭାଗ ଜମି ହସ୍ତାନ୍ତର ନେଇ ଜମି ବାବଦରେ ୨୬କୋଟି ୩ଲକ୍ଷ ୧୦ହଜାର ୪୩୮ ଟଙ୍କା ପ୍ରତିରକ୍ଷା ମନ୍ତ୍ରଣାଳୟକୁ ରାଜ୍ୟ ସରକାର ପ୍ରଦାନ କରିଥିଲେ । ଫଳରେ ଏହାର ଭିତ୍ତିଭୂମି ପୁନରୁଦ୍ଧାର ସହ ଉନ୍ନତୀକରଣ କାର୍ଯ୍ୟ ତ୍ବରାନ୍ବିତ କରିବା ରାଜ୍ୟ ସରକାରଙ୍କୁ ଜମି ହସ୍ତାନ୍ତର ନେଇ ପ୍ରକ୍ରିୟା ହୋଇଥିଲା।

ଏହାମଧ୍ୟ ପଢନ୍ତୁ.. ବିକାଶ ନାଁରେ ପ୍ରତିବର୍ଷ ଚୁକ୍ତିନାମା: ଗୋପାଳପୁର ବନ୍ଦର କର୍ତ୍ତୃପକ୍ଷଙ୍କୁ ୧୧୯.୭୧୬ ଏକର ଜମି ହସ୍ତାନ୍ତର

ଏହାପରେ ପ୍ରତିରକ୍ଷା ମନ୍ତ୍ରଣାଳୟ ଜମି ହସ୍ତାନ୍ତର କରିବା ନେଇ ମୟୂରଭଞ୍ଜ ଜିଲ୍ଲାପାଳଙ୍କୁ ଏକ ପତ୍ର ମାଧ୍ୟମରେ ଜଣାଇଥିଲେ । ଏହାସହ ପ୍ରତିରକ୍ଷା ମନ୍ତ୍ରଣାଳୟ ଅଧୀନରେ ଥିବା ୧୬୦.୩୫ ଏକର ଜମିକୁ ରାଜ୍ୟ ସରକାରଙ୍କ ପକ୍ଷରୁ ମୟୂରଭଞ୍ଜ ଜିଲ୍ଲାପାଳଙ୍କୁ ହସ୍ତାନ୍ତର କରାଯାଇ ଏହାର ପୁନରୁଦ୍ଧାର ସହ ରକ୍ଷଣାବେକ୍ଷଣ ଦାୟିତ୍ୱ ପ୍ରଦାନ ନେଇ ଚିଠିରେ ଉଲ୍ଲେଖ କରିଥିଲେ । ଜମି ହସ୍ତାନ୍ତର ନେଇ ମଙ୍ଗଳବାର ଦିନ ବିଶେଶ୍ୱର ଟୁଡୁଙ୍କ ଉପସ୍ଥିତିରେ ଏକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । କାର୍ଯ୍ୟକ୍ରମରେ ପ୍ରତିରକ୍ଷା ବିଭାଗ ପକ୍ଷରୁ ଏସ୍‌ଡିଓ ସଫିକିୟୁ ଅଶରଫ, ଚାନ୍ଦିପୁର ଡିଆରଡିଓ ରୁ ଅତିରିକ୍ତ ନିର୍ଦ୍ଦେଶକ ସଞ୍ଜୟ କୁମାର, ଅତିରିକ୍ତ ନିର୍ଦ୍ଦେଶକ ଡ଼ଃ ନୀଳାଦ୍ରି ରୟ, ଗ୍ରୁପ ହେଡ ଜି ସି ଜେନା, ଟେକ୍ନିକାଲ ଅଫିସର ମହେନ୍ଦ୍ର କୁମାର ପ୍ରମୁଖ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।

ଉକ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ ରହିବା ପାଇଁ ଜିଲ୍ଲାପାଳ ବିନୀତ ଭରଦ୍ବାଜ ଙ୍କୁ ୪ ଅକ୍ଟୋବରରେ ପ୍ରତିରକ୍ଷା ବିଭାଗ ପକ୍ଷରୁ ଚିଠି କରାଯାଇଥିଲେ ମଧ୍ୟ ସେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇନଥିଲେ । ରାଜ୍ୟ ସରକାର ଜିଲ୍ଲାପାଳଙ୍କୁ କାର୍ଯ୍ୟକ୍ରମକୁ ଯିବାକୁ ଚିଠି ଲେଖି ମନା କରିଛନ୍ତି ବୋଲି କେନ୍ଦ୍ରମନ୍ତ୍ରୀଙ୍କୁ ଜିଲ୍ଲାପାଳ କହିଥିଲେ ବୋଲି ସେ କହିଛନ୍ତି। ତେଣୁ କରି ରାଜ୍ୟ ସରକାର ଜିଲ୍ଲାର ବିକାଶ ପାଇଁ ଇଛୁକ ନୁହଁନ୍ତି। ଜିଲ୍ଲାପାଳ ଶାସକ ବିଜେଡି ଦଳର ସଭାପତି ସାଜିଛନ୍ତି ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି । ଯାହା କିଛି ଥାର୍ଡ ଫ୍ଲୋରରୁ ନିର୍ଦ୍ଦେଶ ଆସୁଛି ସେହିପରି କାର୍ଯ୍ୟ ହେଉଛି ବୋଲି କହି ସରକାରଙ୍କ ଉପରେ ବର୍ଷିଛନ୍ତି ବିଶେଶ୍ବର ଟୁଡୁ ।

ମୟୁରଭଞ୍ଜ, ଇଟିଭି ଭାରତ

Last Updated :Oct 11, 2023, 12:22 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.