ETV Bharat / state

ଭଙ୍ଗା ଦଦରା ଘରେ ବିତୁଛି ଜୀବନ, ସରକାରଙ୍କ ଆବାସ ଯୋଜନାରୁ ବଞ୍ଚିତ ହିତାଧିକାରୀ

author img

By

Published : Aug 4, 2023, 9:55 PM IST

ଆବାସ ଯୋଜନାରୁ ବଞ୍ଚିତ 2 ହିତାଧିକାରୀ
ଆବାସ ଯୋଜନାରୁ ବଞ୍ଚିତ 2 ହିତାଧିକାରୀ

ଲଗାଣ ବର୍ଷା ଯୋଗୁ ସମରଦଫା ଗାଁରେ ବାସହରା ହୋଇଛନ୍ତି 2ଟି ପରିବାର । ଏହି 2ଜଣ ହିତାଧିକାରୀ ସରକାରଙ୍କ ଆବାସ ଯୋଜନାରୁ ବଞ୍ଚିତ ଥିବା ଅଭିଯୋଗ ହୋଇଛି। ଅଧିକ ପଢନ୍ତୁ

ଆବାସ ଯୋଜନାରୁ ବଞ୍ଚିତ 2 ହିତାଧିକାରୀ

ରାଇରଙ୍ଗପୁର: ଭାଲୁବସା ଗ୍ରାମପଞ୍ଚାୟତ ଅନ୍ତର୍ଗତ ସମରଦଫା ଗାଁରେ ବାସହରା ହୋଇଛନ୍ତି 2ଟି ପରିବାର । ହେଲେ ସେମାନଙ୍କୁ ଆବାସ ପାଇଁ କୌଣସି ସରକାରୀ ସହାୟତା ମିଳିନଥିବାବେଳେ କେବଳ ପଲିଥିନ ଦେଇ ପ୍ରଶାସନ ଦାୟିତ୍ବ ତୁଟାଇ ଦେଇଥିବା ଅଭିଯୋଗ ହୋଇଛି । ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ସମରଦଫା ଗାଁକୁ ଯିବା ପାଇଁ ମାତ୍ର 7 କିଲୋମିଟର ଦୂରତା ରହିଛି । ହେଲେ ଏହି ସମସ୍ୟା ଉପରେ ଏଯାଏଁ ପ୍ରଶାସନର ଦୃଷ୍ଟି ପଡିନି । ଗାଁରେ ଥିବା ଅଙ୍ଗନୱାଡ଼ି କେନ୍ଦ୍ର ନିକଟରେ ରହିଛି ଦିଲ୍ଲୀପ ସେଠୀ ଓ ସ୍ବର୍ଗତ ବୀରେନ୍ଦ୍ର ନାଥ ସେଠୀଙ୍କ ଘର । ୨୦୧୩ ମସିହାରେ ରୋଗାକ୍ରାନ୍ତ ହୋଇ ବୀରେନ୍ଦ୍ର ମୃତ୍ୟୁବରଣ କରିବା ପରେ ସ୍ତ୍ରୀ ମାନୁ ସେଠୀ 3 ଝିଅ ଟିନା, ସୋନାଲି, ଲକ୍ଷ୍ମୀପ୍ରିୟା ଓ ପୁଅ ଜୀତେନ୍ଦ୍ରଙ୍କୁ ନେଇ ରହୁଛନ୍ତି । ରୋଜଗାରର କୌଣସି ପନ୍ଥା ନଥ‌ିବାରୁ ବିଧବା ମାନୁ ଲୋକଙ୍କ ଘରେ କାମ କରି 3 ଝିଅଙ୍କୁ ସ୍ନାତକ ପର୍ଯ୍ୟନ୍ତ ପଢାଇ ପୁଅ ଜୀତେନ୍ଦ୍ରକୁ ଏବେ ଯୁକ୍ତ ଦୁଇରେ ପଢ଼ାଉଛନ୍ତି । ରହିବାକୁ ଉପଯୁକ୍ତ ବାସଗୃହ ନଥିବାବେଳେ ଏବେ ଲଗାଣ ବର୍ଷାରେ ଘରର କାନ୍ଥ ଭୁଶୁଡ଼ି ପଡିଛି ।

ତେବେ ସୌଭାଗ୍ୟବଶତଃ, ସମସ୍ତେ ଏକ ବଡ଼ ଦୁର୍ଘଟଣାରୁ ରକ୍ଷା ପାଇଯାଇଥିଲେ ମଧ୍ୟ ଏବେ ମୁଣ୍ଡ ଗୁଞ୍ଜିବାକୁ ଛାତ ନାହିଁ । ସେମାନେ ରାତି ସାରା ଘର ବାହାରେ ଆଶ୍ରୟ ନେଇଥିବାବେଳେ ସକାଳୁ ସେମାନଙ୍କୁ ନିକଟସ୍ଥ ଅଙ୍ଗନୱାଡ଼ି କେନ୍ଦ୍ରରେ ରହିବା ପାଇଁ ପରାମର୍ଶ ଦିଆଯାଇଥିଲା । ଏହାସହ ଆରଆଇ ଆସି ଏକ ପଲିଥିନ ପ୍ରଦାନ କରିଥିଲେ । ତେବେ ଦୁର୍ଦ୍ଦିନରେ ଦିନ କାଟୁଥ‌ିବା ଅସହାୟ ମାନୁ ଏବଂ ଦିଲ୍ଲୀପ ସରକାରୀ ଯୋଜନାରୁ ବଞ୍ଚିତ ରହିଛନ୍ତି । ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ବିଜୁ ପକ୍କାଘର ଏମାନଙ୍କ ପାଇଁ ସାତସପନ ପାଲଟିଛି । ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ ପାଖରେ ମଧ୍ୟ ଏନେଇ କୌଣସି ଖବର ନଥିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

ଅତି ଦୁର୍ଦ୍ଦିନରେ ଦିନ କାଟୁଥ‌ିବା ରାଇରଙ୍ଗପୁର ବ୍ଲକ ସମରଦଫା ଗାଁର ଏହି 2ଜଣ ଯୋଗ୍ୟ ହିତାଧିକାରୀଙ୍କ ଘର ଉପରେ କାହାରି ବି ନଜର ପଡ଼ି ପାରୁନାହିଁ । ସପ୍ତାହେରୁ ଊର୍ଦ୍ଧ୍ଵ ସମୟ ହେବ ଅସହାୟ ବିଧବା ମାନୁଙ୍କ ଘର ଭାଙ୍ଗି ଯାଇଥିବାବେଳେ କେତେବେଳେ ସେ ଅଙ୍ଗନବାଡ଼ି କେନ୍ଦ୍ର ତ କେତେବେଳେ ନିଜ ଭଙ୍ଗା ଘରେ ରହୁଛନ୍ତି । ବାହାରୁ ଅଙ୍ଗନବାଡ଼ି କେନ୍ଦ୍ରଟି ଭଲ ଦେଖାଯାଉଥିଲେ ମଧ୍ୟ ଭିତରୁ ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି । ଏହାସହ ବର୍ତ୍ତମାନ ଚାରିଆଡ ଜଳମୟ ଥିବାରୁ ସରୀସୃପର ଭୟ ମଧ୍ୟ ରହୁଛି ।

ଏହା ବି ପଢନ୍ତୁ..ଆବାସ ଯୋଜନା ଅନିୟମିତତା, କାର୍ଯ୍ୟାଦେଶ ପତ୍ର ପରେବି ହିତାଧିକାରୀଙ୍କ ଆକାଉଣ୍ଟକୁ ଆସୁନି ଟଙ୍କା

ତେବେ ବାସଗୃହ ଖଣ୍ଡିଏ ପାଇଁ ସେମାନେ ଭାଲୁବସା ଗ୍ରାମପଞ୍ଚାୟତର ସରପଞ୍ଚ ଯମୁନା ମଣି ସିଂଙ୍କଠାରୁ ଭିଏଲ୍‌ଡବ୍ଲୁ ଅନୀଲ ମହାନ୍ତ ଓ ୪୫ ନଂ ଜିଲ୍ଲା ପରିଷଦ ଜୋନର ସଭ୍ୟ ସଚ୍ଚିଦାନନ୍ଦ ମହାନ୍ତଙ୍କ ନିକଟରେ ନିଜ ଦୁଃଖ ପ୍ରକାଶ କରିଥିଲେ ସୁଦ୍ଧା ଏପର୍ଯ୍ୟନ୍ତ କୌଣସି ସୁଫଳ ମିଳିପାରିନାହିଁ । ଏ ସମ୍ପର୍କରେ ରାଇରଙ୍ଗପୁର ବ୍ଲକ ବିଡ଼ିଓ ସାଗର ଚନ୍ଦ୍ର ମୁର୍ମୁଙ୍କୁ ପଚାରିବାରୁ ସେ କହିଛନ୍ତି, "ଆମ ପାଖରେ ଏ ସଂକ୍ରାନ୍ତରେ କୌଣସି ଖବର ନାହିଁ। ଏ ବିଷୟରେ ଜାଣିବା ପରେ ଯଥାଶୀଘ୍ର ସମସ୍ୟାର ସମାଧାନ କରାଯିବ ।"

ଇଟିଭି ଭାରତ, ରାଇରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.