ETV Bharat / state

ଆବାସ ଯୋଜନା ଅନିୟମିତତା, କାର୍ଯ୍ୟାଦେଶ ପତ୍ର ପରେବି ହିତାଧିକାରୀଙ୍କ ଆକାଉଣ୍ଟକୁ ଆସୁନି ଟଙ୍କା

author img

By

Published : Jul 25, 2023, 12:57 PM IST

ବୋଡେ଼ନ ବ୍ଲକରେ ପ୍ରହସନ ପାଲଟିଛି ପ୍ରଧାନମନ୍ତ୍ରୀ ଆବାସ ଯୋଜନା । ଗରିବ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ପତ୍ର ଦେଇ ଆକାଉଣ୍ଟକୁ ଟଙ୍କା ଦେଲେନାହିଁ ସରକାର । ଅଧିକ ପଢନ୍ତୁ

Etv Bharat
Etv Bharat

pradhan mantri awas yojana

ନୂଆପଡା: ଜିଲ୍ଲାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଅନିୟମିତତା। ଗରିବ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ପତ୍ର ଦିଆଯାଇଥିବା ବେଳେ ଆକାଉଣ୍ଟକୁ ଆସୁନାହିଁ ସହାୟତା ରାଶି। ଫଳରେ ଟଙ୍କା ନପାଇ ଘର କେମିତି ତିଆରି କରିବେ ସେନେଇ ଚିନ୍ତାରେ ହିତାଧିକାରୀ। ବୋଡେ଼ନ ବ୍ଲକ କାର୍ଯ୍ୟାଳୟର ସରକାରୀ ବାବୁଙ୍କ ତୃଟି ଯୋଗୁଁ ହିତାଧିକାରଙ୍କ ଆକାଉଣ୍ଟକୁ ଟଙ୍କା ଆସୁନାହିଁ ନାଁ ସରକାରଙ୍କ ତୃଟି ଯୋଗୁଁ ଏପରି ହୋଇଛି ସନେଇ ତଦନ୍ତ କରିବା ଆବଶ୍ୟକ ବୋଲି ଦାବି ହୋଇଛି ।

ଏନେଇ ବୋଡେ଼ନ ବ୍ଲକ ଅନ୍ତର୍ଗତ ଫରସରା, ରାଜପୁର, ରୋକାଲ, ଟେମେରି, ମୋହରାଜୋର ଆଦି ଗ୍ରାମର ଶତାଧିକ ମହିଳା ପୁରୁଷ ହିତାଧିକାରୀ ବିଡିଓଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । ଆବାସ ଗୃହ ହିତାଧିକାରୀଙ୍କ ଆକାଉଣ୍ଟକୁ ତୁରନ୍ତ ଟଙ୍କା ଛଡ଼ାନଗଲେ ଆଗାମୀ ଦିନରେ ବୋଡେ଼ନ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣ ଦେବେ ବୋଲି ଚେତାବନୀ ଦେଇଛନ୍ତି ହିତଧିକାରୀ ।

ଏହା ମଧ୍ୟ ପଢନ୍ତୁ-ଆବାସ ଯୋଜନା ଚୟନରେ ଘୋଟଲା: ଯୋଗ୍ୟ ହିତାଧିକାରୀ ଘର ପାଇବାକୁ ଅଯୋଗ୍ୟ

ମିଳିଥିବା ସୂଚନା ଅନୁଯାୟୀ, ପ୍ରଧାନମନ୍ତ୍ରୀ ଆବାସ ଗୃହ ହିତାଧିକାରୀଙ୍କୁ ପ୍ରଥମ ପର୍ଯ୍ୟାୟରେ ଚୟନ କରି ତାଙ୍କଠାରୁ ଆବଶ୍ୟକୀୟ ଦସ୍ତାବିଜ୍‌ ଆଣିଥିଲେ ଗ୍ରାମପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ । ଏହାପରେ ହିତାଧିକାରୀମାନଙ୍କୁ ବ୍ଲକ କାର୍ଯ୍ୟାଳୟ ପକ୍ଷରୁ କାର୍ଯ୍ୟାଦେଶ ପତ୍ର ପ୍ରଦାନ କରିଥିଲେ ଅଧିକାରୀ । ପରେ ପୁରୁଣା ଘର ଭାଙ୍ଗି ତୁରନ୍ତ ଆବାସ ଗୃହ ନିର୍ମାଣ କରିବା ପାଇଁ ହିତାଧିକାରୀଙ୍କୁ କୁହାଯାଇଥିଲା । ଗରିବ ହିତାଧିକାରୀମାନେ ଘର ନିର୍ମାଣ ଆଶାରେ ତରବରିଆ ଭାବରେ ନିଜର ଚାଳଛପର କୁଡ଼ିଆ ଘରକୁ ଭାଙ୍ଗି ଆବାସ ଗୃହ ନିର୍ମାଣ କାମରେ ଲାଗି ପଡ଼ିଲେ ।

ଘର ତିଆରି ପାଇଁ ଧାର କରଜ କରି ଆବଶ୍ୟକିୟ ସାମଗ୍ରୀ କିଣି ଆଣିଲେ । ଦୁଃଖର ବିଷୟ କାର୍ଯ୍ୟାଦେଶ ପାଇବାର ଏକମାସରୁ ଉର୍ଦ୍ଧ୍ବ ସମୟ ହେଲାଣି କିନ୍ତୁ ହିତାଧିକାରୀଙ୍କ ଆକାଉଣ୍ଟକୁ ଟଙ୍କା ଆସିନାହିଁ । ଫଳରେ ଗରିବ ହିତାଧିକାରୀମାନେ ହଟହଟା ହୋଇ ଘର ନିର୍ମାଣ କରିପାରୁନାହାନ୍ତି । ପୁରୁଣା ଘର ଭାଙ୍ଗି ଏବେ ପଡ଼ୋଶୀ ଘରରେ ଆଶ୍ରୟ ନେଇ ସରକାରଙ୍କ ଆବାସ ଗୃହ ଟଙ୍କାକୁ ଜଗିବସିଛନ୍ତି । ତୁରନ୍ତ ପାଞ୍ଚ ଦିନ ମଧ୍ୟରେ ହିତାଧିକାରୀଙ୍କ ଆକାଉଣ୍ଟକୁ ଟଙ୍କା ପଠାନଗଲେ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଗଣ ଧାରଣା ଦେବେ ବୋଲି ହିତାଧିକାରୀମାନେ ଚେତାବନୀ ଦେଇଛନ୍ତି । ଏନେଇ ବୋଡେନ ବିଡିଓଙ୍କୁ ପଚାରିବାରୁ କୌଣସି କାରଣ ବଶତଃ ଟଙ୍କା ଯାଇନଥିବ ତଦନ୍ତ କରି ଟଙ୍କା ପଠାଇଦିଆଯିବ ବୋଲି ପ୍ରତିଶୃତି ଦେଇଛନ୍ତି ।

ଇଟିଭି ଭାରତ, ନୂଆପଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.