ETV Bharat / state

ରାସ୍ତାରେ ପଡିଛି ଗୋମାଂସ, ତଦନ୍ତ ଦାବିରେ ରାସ୍ତାରୋକ କଲେ ଅଞ୍ଚଳବାସୀ

author img

By ETV Bharat Odisha Team

Published : Oct 29, 2023, 11:42 AM IST

Updated : Oct 29, 2023, 3:53 PM IST

ରାସ୍ତାରେ ପଡିଛି ଗୋମାଂସ
ରାସ୍ତାରେ ପଡିଛି ଗୋମାଂସ

ରାସ୍ତା ମଝିରେ ପଡିରହିଛି ଗୋମାଂସ । ଘଟଣାର ତଦନ୍ତ ଦାବିରେ ସ୍ଥାନୀୟବାସିନ୍ଦାଙ୍କ ରାସ୍ତାରୋକ । ଅଧିକ ପଢ଼ନ୍ତୁ

ରାସ୍ତା ମଝିରେ ପଡିରହିଛି ଗୋମାଂସ

ରାଇରଙ୍ଗପୁର: ରାସ୍ତା ମଝିରେ ପଡ଼ିଛି ଗୋ-ମାଂସ । ଘଟଣାକୁ ନେଇ ଉତ୍ତେଜନା ପ୍ରକାଶ ପାଇବା ସହ ରାଞ୍ଚି-ବିଜୟୱାଡା ୨୨୦ ନଂ ଜାତୀୟ ରାଜପଥ ଅବରୋଧ କଲେ ବହଳଦା ଅଞ୍ଚଳବାସୀ । ଘଟଣାର ତଦନ୍ତ କରିବାକୁ ଦାବି କରାଯାଇଛି । ତେବେ ପାଖାପାଖି ୧୫୦ ମିଟର ପର୍ଯ୍ୟନ୍ତ ରାସ୍ତାରେ ଗୋମାଂସ ପଡିଥିବା ଦେଖିବାକୁ ମିଳିଥିଲା । ଘଟଣାସ୍ଥଳରେ ରାଇରଙ୍ଗପୁର ଏସଡିପିଓ ଗୋକୁଳାନନ୍ଦ ସାହୁ ଓ ବହଳଦା ଥାନା ପୋଲିସ ଉତ୍ୟକ୍ତ ଲୋକଙ୍କ ସହିତ ବୁଝାସୁଝା କରିଥିଲା । ସେପଟେ ଜିଲ୍ଲାପାଳ ଘଟଣାସ୍ଥଳକୁ ପହଞ୍ଚି ଗୋ ମାଂସ ଚାଲାଣ ଏବଂ ଗୋ ହତ୍ୟା ନିଷେଧ କରିବାକୁ ଲିଖିତ ପ୍ରତିଶ୍ରୁତି ଦେବା ପରେ ରାସ୍ତାରୋକ ପ୍ରତ୍ୟାହୃତ ହୋଇଥିବା କହିଛନ୍ତି ସ୍ଥାନୀୟ ବାସିନ୍ଦା ।

ସୂଚନା ଅନୁଯାୟୀ, ଆଜି ସକାଳୁ ବହଳଦା ବଜାର ଯିବା ରାସ୍ତାର ବାବାଜୀ ମନ୍ଦିର ପାଖରୁ ଗୌଡ଼ ସାହି ପର୍ଯ୍ୟନ୍ତ ଗୋମାଂସ ସବୁ ବିଛାଡ଼ି ହୋଇ ରାସ୍ତା ଉପରେ ପଡିଥିଲା । ପାଖାପାଖି ୧୫୦ ମିଟର ପର୍ଯ୍ୟନ୍ତ ରାସ୍ତାରେ ପଡ଼ିଥିଲା ଗୋ ମାଂସ । ତେବେ କୌଣସି ଗାଡ଼ିରେ ଏହି ଗୋ ମାଂସ ଚାଲାଣ ହେଉଥିବା ବେଳେ ରାସ୍ତା ଉପରେ ଖସି ପଡ଼ିଥିବା କିମ୍ବା କେହି ଦୁର୍ବୃତ୍ତ ଜାଣିଶୁଣି ଏପରି ଫୋପାଡ଼ି ଥିବାର ଅନୁମାନ କରାଯାଉଛି । ଏହି ଘଟଣାକୁ ନେଇ ବହଳଦାବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା । ତେବେ ଏ ସମ୍ପର୍କରେ ବହଳଦା ଥାନାରେ ଏକ ଲିଖିତ ଅଭିଯୋଗ ମଧ୍ୟ ହୋଇଛି ।

ଏହାମଧ୍ୟ ପଢନ୍ତୁ...ବାଲିପାଟଣା ଅଞ୍ଚଳରୁ ୩ କୁଇଣ୍ଟାଲ ଗୋମାଂସ ଜବତ, ଅଭିଯୁକ୍ତ ଅଟକ

ପରେ ଏହି ଘଟଣାକୁ କେନ୍ଦ୍ର କରି ବହଳଦା ବଜାର ଯିବା ରାସ୍ତାକୁ ଅବରୋଧ କରିଥିଲେ ସ୍ଥାନୀୟ ବାସିନ୍ଦା । ଏଥିସହିତ ବହଳଦା ବାଇପାସ୍ ଦେଇ ଯାଇଥିବା ରାଞ୍ଚି-ବିଜୟୱାଡା ୨୨୦ ନଂ ଜାତୀୟ ରାଜପଥକୁ ମଧ୍ୟ ଅବରୋଧ କରିଥିଲେ ସ୍ଥାନୀୟ ବାସିନ୍ଦା । ଜାତୀୟ ରାଜପଥ ଉପରେ ଟାୟାର ଜାଳି ରାସ୍ତା ଅବରୋଧ କରାଯାଇଛି । ଜାତୀୟ ରାଜପଥ ଅବରୋଧ ଯୋଗୁଁ ଶହ ଶହ ଗାଡ଼ି ମଟର ଅଟକି ରହିଥିବା ଦେଖିବାକୁ ମିଳିଛି । ଘଟଣାକୁ ନେଇ ଆଜି ବହଳଦା ବଜାର ସମ୍ପୂର୍ଣ୍ଣ ଭାବେ ବନ୍ଦ ରଖାଯାଇଛି । ବହଳଦା ବଜାର ନିକଟରେ ହେଉଥିବା ସାପ୍ତାହିକ ହାଟକୁ ମଧ୍ୟ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି । ଏହି ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଯଥାଶୀଘ୍ର ଚିହ୍ନଟ କରି ଗିରଫ କରିବାକୁ ଦାବି କରିଛନ୍ତି ବହଳଦା ବାସୀ । ସେପଟେ ଜାତୀୟ ରାଜପଥ ଅବରୋଧ କରିଥିବାରୁ ପୋଲିସ ପହଞ୍ଚି ଉତ୍ୟକ୍ତ ଲୋକଙ୍କ ସହିତ ବୁଝାସୁଝା କରିବା ସହ ଜିଲ୍ଲାପାଳଙ୍କ ଲିଖିତ ପ୍ରତିଶ୍ରୁତି ଦେବା ପରେ ହଟିଛି ରାସ୍ତା ରୋକ୍ ।

ଇଟିଭି ଭାରତ, ରାଇରଙ୍ଗପୁର

Last Updated :Oct 29, 2023, 3:53 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.