ETV Bharat / state

ଯୁବକଙ୍କୁ ହତ୍ୟା କରି ଗଛରେ ଟାଙ୍ଗିବା ଘଟଣାରେ ୪ ଅଭିଯୁକ୍ତ କୋର୍ଟ ଚାଲାଣ

author img

By ETV Bharat Odisha Team

Published : Sep 1, 2023, 8:41 AM IST

ଯୁବକଙ୍କୁ ହତ୍ୟା ମାମଲାରେ ୪ ଗିରଫ
ଯୁବକଙ୍କୁ ହତ୍ୟା ମାମଲାରେ ୪ ଗିରଫ

ଯୁବକଙ୍କୁ ହତ୍ୟା କରି ଗଛରେ ଟାଙ୍ଗିବା ଘଟଣାରେ ୪ ଅଭିଯୁକ୍ତ କୋର୍ଟ ଚାଲାଣ । ଗତ ୨୯ ତାରିଖରେ ମାଲକାନଗିରି ଜିଲ୍ଲା ସଦର ଥାନା ଅଞ୍ଚଳରେ ଘଟିଥିଲା ଏହି ହତ୍ୟାକାଣ୍ଡ । ଅଧିକ ପଢନ୍ତୁ

ମାଲକାନଗିରି: ସଦର ଥାନା ଅନ୍ତର୍ଗତ ଚିନ୍ତଲୱାଡା ଗ୍ରାମରେ ଜଣେ ଯୁବକଙ୍କୁ ହତ୍ୟା କରି ଗଛରେ ଝୁଲାଇବା ଘଟଣାରେ ପୋଲିସ ୪ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଅଭିଯୁକ୍ତମାନେ ହେଲେ କାମବେଡା ଗ୍ରାମର ଗଙ୍ଗା ମାଢ଼ି (୫୨), ରାମ ମାଢ଼ି (୨୫), ଇର୍ମା ମାଢ଼ି (୨୩) ଓ ଭୀମା ମାଢ଼ି (୩୦) । ଗତ ୨୯ ତାରିଖରେ ସ୍ଥାନୀୟ ମାଝୀଗୁଡା ଗ୍ରାମର ଦେବା ମାଡକାମୀ ନାମକ ଯୁବକଙ୍କୁ ହତ୍ୟା କରାଯାଇଥିଲା । ଏହି ମାମଲାରେ ପୋଲିସ ସମସ୍ତ ୪ ଅଭିଯୁକ୍ତଙ୍କୁ ଗିରଫ କରି ଗତକାଲି(ଗୁରୁବାର) କୋର୍ଟ ଚାଲାଣ କରିଛି ।

ପୋଲିସର ସୂଚନା ଅନୁଯାୟୀ, କିଛି ଦିନ ତଳେ ମାଝୀଗୁଡା ଗ୍ରାମର ଦେବା ମାଡକାମୀ ସେହି ଗାଁର ମୁକା ମାଢ଼ିଙ୍କ ଘରେ ପଶି ତାଙ୍କ ପତ୍ନୀଙ୍କୁ ଅଶାଳୀନ ବ୍ୟବହାର କରିଥିଲେ । ଏହାକୁ ନେଇ ମୁକା ଓ ଦେବା ମଧ୍ୟରେ ପ୍ରବଳ ପାଟିତୁଣ୍ଡ ହୋଇଥିଲା । ଏହାପରେ ମୁକା ମାଲକାନଗିରି ସଦର ଥାନାରେ ଗତ ୨୨ ତାରିଖ ଦିନ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ କ୍ରମେ ପୋଲିସ ଦେବା ବିରୋଧରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ଏହି ଘଟଣା ଜାଣିବା ପରେ ଦେବା କୁଆଡେ ଫେରାର୍ ହୋଇଯାଇଥିଲା ।

ଏହାମଧ୍ୟ ପଢନ୍ତୁ: ସମ୍ପର୍କରେ ଲାଗିଲା ରକ୍ତର ଛିଟା, ଟଙ୍କା ନଦେବାରୁ ବାପାର ଜୀବନ ନେଲା ପୁଅ

ଗତ ୨୯ ତାରିଖରେ ଦେବା ଗାଁକୁ ଫେରିଥିଲା । ସେହିଦିନ ମୁକାଙ୍କ ପତ୍ନୀ ନଳକୂପ ପାଖରେ ଛିଡା ହୋଇଥିବାର ଦେଖି ଦେବା ଧାରୁଆ ଅସ୍ତ୍ରରେ ତାଙ୍କୁ ଆକ୍ରମଣ କରିଥିଲା । ଏଥିରେ ମହିଳାଙ୍କ ମୁହଁ ଓ ବେକରେ ଗଭୀର ଆଘାତ ଲାଗିଥିବା ବେଳେ ସ୍ଥାନୀୟ ଲୋକେ ତାଙ୍କୁ କାଲିମେଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ଏହି ଆକ୍ରମଣ ପରେ ପୁଣି ଦେବା ଫେରାର୍ ହୋଇଯାଇଥିଲା ଏବଂ ତାକୁ ଧରିବାକୁ ମୁକା ମାଢିଙ୍କ ସମ୍ପର୍କୀୟ ଗଙ୍ଗା ମାଢି, ରାମ ମାଢି, ଇର୍ମା ମାଢି ଓ ଭୀମା ମାଢି ଖୋଜାଖୋଜି କରିଥିଲେ । ସେହିଦିନ ହିଁ ଅଭିଯୁକ୍ତଙ୍କ ହାତରେ ଦେବା ଧରା ପଡିଯାଇଥିଲା । ଫଳରେ ୪ ଜଣ ଯାକ ତାଙ୍କୁ ନିସ୍ତୁତ ମାଡ ମାରିବା ସହ ହତ୍ୟା କରି ଗୋଟିଏ ମହୁଲ ଗଛରେ ଟାଙ୍ଗି ଦେଇଥିଲେ ।

ଏନେଇ ମୃତ ଯୁବକଙ୍କ ସମ୍ପର୍କୀୟ ଭାଇ ଗଙ୍ଗା ମାଡକାମୀ ଥାନାରେ ଅଭିଯୋଗ କରିବା ପରେ ସଦର ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଥିଲା । ସାଇଣ୍ଟିଫିକ୍ ଟିମ୍ ସହାୟତାରେ ପୋଲିସ ଘଟଣାର ତଦନ୍ତ କରି ହତ୍ୟାରେ ସମ୍ପୃକ୍ତ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

ଇଟିଭି ଭାରତ, ମାଲକାନଗିରି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.