ETV Bharat / state

ମାଲକାନଗିରି ଚିକିତ୍ସାଳୟରେ ନାହିଁ ପ୍ଲେଟ୍‌ଲେଟ୍‌ ବ୍ୟବସ୍ଥା, କେମିତି ଚିକିତ୍ସିତ ହେବେ ଡେଙ୍ଗୁ ରୋଗୀ ?

author img

By

Published : Jul 2, 2023, 6:36 PM IST

Updated : Jul 2, 2023, 7:47 PM IST

ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପ୍ଲେଟ୍‌ଲେଟ୍‌ ସମସ୍ୟା ଦେଖାଦେଇଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପ୍ଲେଟ୍‌ଲେଟ୍‌ ମେସିନ୍ ନଥିବା ଯୋଗୁଁ କୋରାପୁଟ କିମ୍ବା ବିଶାଖାପାଟଣା ମେଡିକାଲ ଉପରେ ନିର୍ଭର କରୁଛନ୍ତି ରୋଗୀ । ଅଧିକ ପଢନ୍ତୁ

ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପ୍ଲେଟ୍‌ଲେଟ୍‌ ସମସ୍ୟା
ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପ୍ଲେଟ୍‌ଲେଟ୍‌ ସମସ୍ୟା

ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପ୍ଲେଟ୍‌ଲେଟ୍‌ ସମସ୍ୟା

ମାଲକାନଗିରି: ରାଜ୍ୟକୁ ମୌସୁମୀ ଛୁଇଁବା ପରେ ବିଭିନ୍ନ ଜିଲ୍ଲାରେ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତ ବର୍ଷ ମାଲକାନଗିରିରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ରୋକ୍‌ ଲଗାଇବା ମୁସ୍କିଲ୍‌ ହୋଇ ପଡ଼ିଥିଲା । ତା ସହିତ ରୋଗୀଙ୍କୁ ଚିକିତ୍ସା ଯୋଗାଇ ଦେବା ମଧ୍ୟ ଚ୍ୟାଲେଞ୍ଜ୍‌ ହୋଇଥିଲା । ଏହାରି ଭିତରେ ଜିଲ୍ଲାବାସୀଙ୍କ ପାଇଁ ଚିନ୍ତାର ବିଷୟ ହୋଇପାରେ ପ୍ଲେଟ୍‌ଲେଟ୍‌ ସମସ୍ୟା । ରକ୍ତରେ ପ୍ଲେଟ୍‌ଲେଟ୍‌ ଅଚାନକ ହ୍ରାସ ପାଇବା ଦ୍ବାରା ରୋଗୀ ଗୁରୁତର ହୋଇ ପାରନ୍ତି । ଏଭଳି ସ୍ଥିତିରେ ସେମାନଙ୍କୁ ବଞ୍ଚାଇବା ପାଇଁ ବାରମ୍ବାର ପ୍ଲେଟ୍‌ଲେଟ୍‌ ଦେବାକୁ ପଡେ । ହେଲେ ମାଲକାନଗରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପ୍ଲେଟ୍‌ଲେଟ୍‌ ମେସିନ୍ ନଥିବା ଯୋଗୁଁ କୋରାପୁଟ କିମ୍ବା ବିଶାଖାପାଟଣା ମେଡିକାଲ ଉପରେ ନିର୍ଭର କରୁଛନ୍ତି ରୋଗୀ ।

ଏହା ବି ପଢ଼ନ୍ତୁ Dengue Alert: ବ୍ୟାପିଲାଣି ଡେଙ୍ଗୁ, ସତର୍କ କରାଇଲା ସ୍ବାସ୍ଥ୍ୟ ବିଭାଗ

ଡେଙ୍ଗୁକୁ ନେଇ ପ୍ରଶାସନ ପକ୍ଷରୁ ବିଭିନ୍ନ ସଚେତନତା ମୂଳକ କାର୍ଯ୍ୟକ୍ରମ କରାଯାଉଛି । ହେଲେ ରୋଗୀଙ୍କ ପାଇଁ ସଞ୍ଜୀବନି ସାଜିଥିବା ପ୍ଲେଟ୍‌ଲେଟ୍‌ ସୁବିଧା ହୋଇପାରୁନାହିଁ । ଫଳରେ ଆର୍ଥିକ ସ୍ଥିତି ଭଲ ଥିବା ଡେଙ୍ଗୁ ରୋଗୀ ବିଶାଖାପାଟଣା ନଚେତ୍ କୋରାପୁଟ, ବ୍ରହ୍ମପୁରକୁ ଯାଇ ଚିକିତ୍ସିତ ହେଉଥିବାବେଳେ ଆଉ କେତେକ ରୋଗୀଙ୍କ ଅର୍ଥାଭାବରୁ ଚିକିତ୍ସା ପାଇଁ ନପାଇ ପାରି ଜୀବନ ଯାଉଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପ୍ଲେଟ୍‌ଲେଟ୍‌ ବ୍ୟବସ୍ଥା କରିବା ପାଇଁ ବିଭିନ୍ନ ମହଲରୁ ଦାବି ହୋଇଛି । ବିଗତ ଦିନରେ କଂଗ୍ରେସ ମଧ୍ୟ ଦାବି ଉଠାଇଥିବାବେଳେ କୌଣସି ପଦକ୍ଷେପ ଗ୍ରହଣ କରିନି ପ୍ରଶାସନ । ଯାହାକୁ ନେଇ ଜିଲ୍ଲାବାସୀଙ୍କ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ସରକାର ଅବହେଳା କରୁଥିବା କହିଛନ୍ତି କଂଗ୍ରେସ ନେତା । ତେଣୁ ଜିଲ୍ଲାକୁ ଯଥାଶୀଘ୍ର ପ୍ଲେଟ୍‌ଲେଟ୍‌ ପାଇଁ ଆବଶ୍ୟକୀୟ ମେସିନ ଅଣାନଗଲେ ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲାଇବାକୁ ଚେତାବନୀ ଦେଇଛନ୍ତି ।

ମାଲକାନଗିରି ଜିଲ୍ଲାରେ ଗତ ଦୁଇ ବର୍ଷ ପରିସଂଖ୍ୟାନକୁ ଦେଖିଲେ ୨୦୨୧ ମସିହାରେ ୩୩୬ ଜଣ ଡେଙ୍ଗୁ ଆକ୍ରାନ୍ତ ହୋଇଥିବାବେଳେ ୨୦୨୨ ମସିହାରେ ୩୫୯ ଜଣ ଡେଙ୍ଗୁ ରୋଗରେ ଆକ୍ରାନ୍ତ ହୋଇଥିଲେ । ତେବେ କେତେକ ରୋଗୀ ଜିଲ୍ଲା ବାହାରେ ରକ୍ତ ପରୀକ୍ଷା କରି ଚିକିତ୍ସିତ ହୋଇଥିବାରୁ ଡେଙ୍ଗୁ ରୋଗୀ ସଂଖ୍ୟା ଏହାର ଦ୍ବିଗୁଣ ହେବ ବୋଲି ଆକଳନ କରାଯାଉଛି । ବିଶେଷ କରି ମାଲକାନଗିରି ପୌରାଞ୍ଚଳରେ ସର୍ବାଧିକ ଡେଙ୍ଗୁ ରୋଗୀ ଚିହ୍ନଟ ହେଉଛନ୍ତି । ମାଲକାନଗିରି ପୌରାଞ୍ଚଳରେ ୨୦୨୧ ମସିହାରେ ୧୮୨ ରୋଗୀ ଓ ୨୦୨୨ ମସିହାରେ ୧୦୯ ଜଣ ରୋଗୀ ଚିହ୍ନଟ ହୋଇଥିଲେ । ସେହିଭଳି ଚିତ୍ରକୋଣ୍ଡାରେ ୯୩, ବାଲିମେଳାରେ ୪୯, ସିଏଚସି ପାଣ୍ଡ୍ରିପାଣିରେ ୩୮, ସିଏଚସି କୋରୁକୋଣ୍ଡାରେ ୯୭, ସିଏଚସି କାଲିମେଳାରେ ୬୨, ସିଏଚସି ମାଥିଲିରେ ୧୧, ସିଏଚ୍‌ସି ପଡିଆରେ ୧୬, ସିଏମ୍‌ସି କୁଡୁମୁଲୁଗୁମ୍ମାରେ ୧୫, ସିଏଚ୍‌ସି ଖଇରପୁଟରେ ୩, ମାଲକାନଗିରି ଗ୍ରାମାଞ୍ଚଳରେ ୧୩ , କୋରାପୁଟ ଅଞ୍ଚଳର ୨ ଓ ସୁକୁମା ଜିଲ୍ଲାର ୫ ଜଣ ଡେଙ୍ଗୁ ୫ ରୋଗୀ ଚିହ୍ନଟ ହୋଇଥିଲେ ।

ଗତବର୍ଷ ଜିଲ୍ଲା ମୁଖ୍ଯଚିକିତ୍ସାଳୟରେ ୨୦ ପ୍ରତିଶତ ଆକ୍ରାନ୍ତଙ୍କୁ ପ୍ଲେଟ୍‌ଲେଟ୍‌ ପାଇଁ କୋରାପୁଟ ସହିଦ୍ ଲକ୍ଷ୍ମଣ ନାୟକ ମେଡିକାଲ କଲେଜକୁ ପଠାଯାଇଥିଲା । ତେଣୁ ଏଭଳି ସମସ୍ୟା ସମ୍ପର୍କରେ ସିଡିଏମଓଙ୍କୁ ଜଣାଇଥିବା କହିଛନ୍ତି ମେଡିସିନ ସ୍ପେଶାଲିଷ୍ଟ ଡାକ୍ତର ପ୍ରଫୁଲ୍ଲ କୁମାର ବେହେରା । ପ୍ଲାଜମା ଭଣ୍ଡାର କରାଯିବା ସହ ଗୋଟିଏ ଆଫେରେସିସ୍ ମେସିନ୍ ଆଣିବା ପାଇଁ ସ୍ବାସ୍ଥ୍ୟବିଭାଗକୁ ଅବଗତ କରାଯାଇଥିବା ସିଡିଏମଓ ଡାକ୍ତର ପ୍ରଫୁଲ୍ଲ କୁମାର ନନ୍ଦ କହିଛନ୍ତି । ଏଥିସହ ପାଥୋଲୋଜି ବିଶେଷଜ୍ଞ ଓ ନିୟମିତ ରକ୍ତଭଣ୍ଡାର ଅଧିକାରୀଙ୍କ ନିଯୁକ୍ତି ପାଇଁ ମଧ୍ୟ ଚିଠି ଲେଖାଯାଇଥିବା ନେଇ ସିଡିଏମଓ ପ୍ରକାଶ କରିଛନ୍ତି ।

ଇଟିଭି ଭାରତ, ମାଲକାନଗିରି

Last Updated :Jul 2, 2023, 7:47 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.