ETV Bharat / state

Dengue Alert: ବ୍ୟାପିଲାଣି ଡେଙ୍ଗୁ, ସତର୍କ କରାଇଲା ସ୍ବାସ୍ଥ୍ୟ ବିଭାଗ

author img

By

Published : Jul 1, 2023, 4:00 PM IST

Etv Bharat
Etv Bharat

ରାଜ୍ୟରେ ଡେଙ୍ଗୁ ବ୍ୟାପୁଥିବା ସତର୍କ ରହିବାକୁ ନିର୍ଦ୍ଦେଶ ଦେଲା ସ୍ବାସ୍ଥ୍ୟ ବିଭାଗ । ଅଧିକ ପଢନ୍ତୁ

ଭୁବନେଶ୍ବର: ରାଜ୍ୟରେ ପୁଣି ବ୍ୟାପିଲାଣି ଡେଙ୍ଗୁ । ବର୍ତ୍ତମାନ ସୁଦ୍ଧା ଚିହ୍ନଟ ହେଲେଣି ୧୭୫ ରୋଗୀ । ବେଡ, ଔଷଧ, ପ୍ଲେଟଲେଟ ମହଜୁଦ ରଖିବାକୁ ସବୁ ଜିଲ୍ଲାକୁ ନିର୍ଦ୍ଦେଶ ଦିଆଯାଇଛି । ମଶା ଦାଉରୁ ରକ୍ଷା ପାଇବାକୁ ପାଣି ଜମୁଥିବା ସ୍ଥାନ ପ୍ରତି ସପ୍ତାହରେ ସଫା କରିବା ସହ ମଶାରୀ ଟାଙ୍ଗିବାକୁ ପରାମର୍ଶ ଦେଇଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୧୭୫ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବା ବେଳେ ଏଥିମଧ୍ୟରୁ ୯୩ ଜଣ ରୋଗୀ କେବଳ ଭୁବନେଶ୍ଵର ଓ ଖୋର୍ଦ୍ଧା ଜିଲ୍ଲାରୁ ଚିହ୍ନଟ ହୋଇଥିବା ସୂଚନା ମିଳିଛି । ଗତ ବର୍ଷ ଜୁନ ଶେଷ ସୁଦ୍ଧା ରାଜ୍ୟରେ ୩୦୦ରୁ ଊର୍ଦ୍ଧ୍ବ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିଲେ ।

ଚଳିତ ବର୍ଷ ଆଜି ସୁଦ୍ଧା ରାଜ୍ୟରେ ୧୦,୭୮୧ ଜଣଙ୍କର ଡେଙ୍ଗୁ ଟେଷ୍ଟ ହୋଇଛି । ଏହା ଗତବର୍ଷ ହୋଇଥିବା ୫୪୦୦ ଡେଙ୍ଗୁ ଟେଷ୍ଟ ତୁଳନାରେ ପ୍ରାୟ ୨ ଗୁଣ ଅଧିକ । ୪୦ଟି ସେଣ୍ଟିନେଲ ସାଇଟରେ ଏଲିଶା ପଦ୍ଧତିରେ ଟେଷ୍ଟ କରାଯାଉଛି । ଖୋର୍ଦ୍ଧା ଜିଲ୍ଲାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, କ୍ୟାପିଟାଲ ହସ୍ପିଟାଲ, ଏମ୍ସ, RMRC ଭଳି ୪ଟି ସାଇଟରେ ଟେଷ୍ଟିଂ କରାଯାଉଛି । ସତର୍କତାମୂଳକ ପଦକ୍ଷେପ ନେବାକୁ ସବୁ ଜିଲ୍ଲାକୁ ଜାରି ହୋଇଛି SOP । ବେଡ, ଔଷଧ ସହ ରକ୍ତ, ପ୍ଲେଟଲେଟ ସଂରକ୍ଷିତ ରଖିବା ପାଇଁ ଜିଲ୍ଲା ପ୍ରଶାସନ ଓ ମେଡିକାଲ କଲେଜଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି ।

ଏହା ବି ପଢନ୍ତୁ- ବିଏମସି କର୍ପୋରେସନ ବୈଠକ: ଡେଙ୍ଗୁ ସଂକ୍ରମଣ ରୋକିବାକୁ ଗୁରୁତ୍ବ

ବ୍ଲଡ ଓ ପ୍ଲେଟଲେଟ ମହଜୁଦ ରଖିବାକୁ ବ୍ଲଡ ବ୍ୟାଙ୍କଗୁଡିକୁ କୁହାଯାଇଛି । ୯୮ ପ୍ରତିଶତ ଲୋକ ଶୀଘ୍ର ସୁସ୍ଥ ହୋଇଯାଉଛନ୍ତି । ଏଡିସ ମଶା ଯୋଗୁଁ ଡେଙ୍ଗୁ ବ୍ୟାପିଥାଏ । ଏହି ମଶା ସାଧାରଣ ପାଣିରେ ବଂଶ ବୃଦ୍ଧି କରେ । ଏଣୁ ଲୋକମାନେ ପାଣି ଜମିଥିବା କୁଡୁଆ, ଡଷ୍ଟବିନ, କୁଲରକୁ ପ୍ରତି ସପ୍ତାହରେ ନିୟମିତ ସଫା କରନ୍ତୁ । ସାଧାରଣତଃ ଭାବେ ସକାଳେ ଓ ସନ୍ଧ୍ୟାରେ ଏଡ଼ିସ ମଶା କାମୁଡିଥାଏ । ତେଣୁ ଏଥିଲାଗି ଲୋକମାନେ ସତର୍କ ରୁହନ୍ତୁ । ସନ୍ଧ୍ୟାରେ ଘରେ ମଶା ନିବାରଣର ବ୍ୟବସ୍ଥା କରନ୍ତୁ ।

ପ୍ରତି ଜିଲ୍ଲାର ଡେଙ୍ଗୁ ରୋଗୀ ତଥ୍ୟ ଦେଖିଲେ ଖୋର୍ଦ୍ଧା ଜିଲ୍ଲାର ୯୩ ଚିହ୍ନଟ ହୋଇଥିବା ବେଳେ ଯାଜପୁର ଜିଲ୍ଲାରେ ୧୨, ବାଲେଶ୍ଵର କଟକ ଜିଲ୍ଲାରେ ୧୦, ପୁରୀରେ ୮, ଜଗତସିଂହପୁର ଓ ଭଦ୍ରକରେ ୭, ନୟାଗଡ଼ରେ ୬, ରାୟଗଡ଼ାରେ ୫, କୋରାପୁଟରେ ୪, ମୟୂରଭଞ୍ଜ, କଳାହାଣ୍ଡି, ଝାରସୁଗୁଡ଼ା, ଢେଙ୍କାନାଳ ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ୨ ଜଣ ଚିହ୍ନଟ ହୋଇଥିବା ବେଳେ କେନ୍ଦୁଝରରେ ଜଣେ ରହିଥିବା ବେଳେ ରାଜ୍ୟ ବାହାରେ ଜଣଙ୍କର ଜଣେ ଚିହ୍ନଟ ହୋଇଛନ୍ତି।

ସୂଚନା ଅନୁଯାୟୀ, ଗତକାଲି କେନ୍ଦ୍ର ସ୍ଵାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ଦେଶରେ ଡେଙ୍ଗୁ ମ୍ୟାଲେରିଆ ସମେତ ବିଭିନ୍ନ ଭେକ୍ଟର ବାହିତ ରୋଗ ସ୍ଥିତି ନେଇ ସମୀକ୍ଷା କରିଥିଲେ। ଏଥିରେ ଓଡ଼ିଶାର ସ୍ବାସ୍ଥ୍ୟମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ସମେତ ୨୨ଟି ରାଜ୍ୟର ସ୍ବାସ୍ଥ୍ୟ ମନ୍ତ୍ରୀ ଉପସ୍ଥିତ ଥିଲେ । ଭେକ୍ଟର ବାହିତ ରୋଗ ନେଇ ସବୁ ପ୍ରକାରର ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରିବାକୁ ପରାମର୍ଶ ଦେଇଥିଲେ କେନ୍ଦ୍ର ମନ୍ତ୍ରୀ ମାଣ୍ଡବ୍ୟ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.