ETV Bharat / state

ବିଏମସି କର୍ପୋରେସନ ବୈଠକ: ଡେଙ୍ଗୁ ସଂକ୍ରମଣ ରୋକିବାକୁ ଗୁରୁତ୍ବ

author img

By

Published : Jul 1, 2023, 9:35 AM IST

Updated : Jul 1, 2023, 1:01 PM IST

ବିଏମସି କର୍ପୋରେସନ ବୈଠକ
ବିଏମସି କର୍ପୋରେସନ ବୈଠକ

ବିଏମସି କର୍ପୋରେସନ ବୈଠକ ଅନୁଷ୍ଠିତ । ଡେଙ୍ଗୁ ସଂକ୍ରମଣ ରୋକିବା ଉପରେ ଗୁରୁତ୍ବ । ସମ୍ବେଦନଶୀଳ ସ୍ଥାନ ଚିହ୍ନଟ କରି ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଲେ ମେୟର । ଅଧିକ ପଢନ୍ତୁ

ବିଏମସି କର୍ପୋରେସନ ବୈଠକ

ଭୁବନେଶ୍ବର: ଭୁବନେଶ୍ବର ମହାନଗର ନିଗମ(ବିଏମସି) କର୍ପୋରେସନ ବୈଠକ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ମାସର ଶେଷ ଦିନରେ ହୋଇଥିବା ଏହି ବୈଠକରେ ଅନେକ ପ୍ରସଙ୍ଗରେ ଆଲୋଚନା ହୋଇଛି । ନିର୍ବାଚିତ ଜନପ୍ରତିନିଧୀଙ୍କ ଅଧିକାରୀଙ୍କ ସମ୍ମାନ ଦେବା ହେଉ କି ମୁକ୍ତା ଯୋଜନାରେ ଅନିୟମିତତା, ବିଦ୍ୟୁତ୍ ଖୁଣ୍ଟ ଓ ଷ୍ଟ୍ରିଟ୍ ଲାଇଟ ଲଗାଇବା, ବାର୍ଦ୍ଧକ୍ୟ ଭତ୍ତା ପ୍ରଦାନ, ସଫେଇ ଏଜେନ୍ସିର ବାକି ଥିବା ପ୍ରାପ୍ୟ ପ୍ରଦାନ ଓ ବିଶେଷକରି ଏବେ ବ୍ୟାପୁଥିବା ଡେଙ୍ଗୁ ସଂକ୍ରମଣ କିପରି ରୋକାଯାଇ ପାରିବ ସେନେଇ ଆଲୋଚନା କରାଯାଇଛି । ମେୟର ସୁଲୋଚନା ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଉପସ୍ଥିତ କର୍ପୋରେଟରଙ୍କୁ ସ୍ବାସ୍ଥ୍ୟ ବିଭାଗ ଅଧିକାରୀ ଡେଙ୍ଗୁ ରୋକିବା ଦିଗରେ ସଚେତନତା କରାଇଛନ୍ତି ।

ଡେଙ୍ଗୁ ଲାଗି ପ୍ରତ୍ୟେକ ବର୍ଷ ବିଏମସିକୁ ଲଜ୍ଜିତ ହେବାକୁ ପଡୁଥିବା ବେଳେ ଚଳିତ ବର୍ଷ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା କିପରି ସହରରେ ହ୍ରାସ ପାଇବ ସେନେଇ ଦୃଷ୍ଟି ଦେବାକୁ ମେୟର ଉପସ୍ଥିତ କର୍ପୋରେଟର ଓ ଅଧିକାରୀଙ୍କୁ ଅପିଲ୍ କରିଛନ୍ତି । କର୍ପୋରେସନ ବୈଠକର ଅଧାରୁ ଅଧିକ ସମୟ କେବଳ ଡେଙ୍ଗୁ ସଚେତନତା କରାଯାଇଥିବା କହିଛନ୍ତି ମେୟର ସୁଲୋଚନା ଦାସ । ଏବେ ମୌସୁମୀ ଆସିଛି । ତେଣୁ ଜଳବନ୍ଦୀ, ଡ୍ରେନ, ବିଦ୍ୟୁତ୍, ଡେଙ୍ଗୁ ଆଦି ବିଭିନ୍ନ ସମସ୍ୟା ଆସିବ । ଏସବୁର କିପରି ସଫଳ ମୁକାବିଲା କରାଯିବ ସେନେଇ ବୈଠକରେ ଆଲୋଚନା ହୋଇଛି ।

ଗଙ୍ଗୁଆ ନାଳ ଓ ଦୟା ୱେଷ୍ଟ କେନାଲ ସଫା କରିବାକୁ ମୁଖ୍ୟ ଶାସନ ସଚିବ ପ୍ରତିଶ୍ରୁତି ଦେଇଛନ୍ତି । ଏହାର କାମ ଆରମ୍ଭ ହୋଇଯାଇଛି । ସେହିପରି କର୍ପୋରେଟରଙ୍କ ନିମନ୍ତେ ସ୍ବତନ୍ତ୍ର ଡେଙ୍ଗୁ ସଚେତନତା ଅଧିବେଶନ କରାଯାଇଛି । କିପରି ସବୁ ୱାର୍ଡରେ ଡେଙ୍ଗୁ ପ୍ରତିରୋଧକ ବ୍ୟବସ୍ଥା ନିଆଯିବ ସେନେଇ କର୍ପୋରେଟରମାନେ ଧ୍ୟାନ ଦେବେ । ମେୟର କହିଛନ୍ତି ଯେ, ସମସ୍ତ ୱାର୍ଡର କର୍ପୋରେଟର ନିଜ ୱାର୍ଡର ସମ୍ବେଦନଶୀଳ ସ୍ଥାନ ଚିହ୍ନଟ କରିବେ । ୱାର୍ଡ କୋର୍ କମିଟି ଶନିବାର ଠାରୁ କେଉଁ ସ୍ଥାନରେ ମଶା ତେଲ ପଡିବ, କେଉଁଠି ଫଗିଙ୍ଗ ହେବ ଏବଂ କେଉଁଠାରେ ଘାସ କଟାଯିବ ଇତ୍ୟାଦି ବାବଦରେ ଜାଣିବେ । ଏଥିପାଇଁ ପ୍ରତି ୱାର୍ଡରେ ୨ ଜଣ ଲେଖାଏଁ ଆଣ୍ଟି ଲାର୍ଭା ୱାର୍କର ଦିଆଯାଇଛି ।

ୱାର୍ଡ କୋର୍ କମିଟି ଅନୁଯାୟୀ କାମ କରିବାକୁ ନଗର ସ୍ବାସ୍ଥ୍ୟ ଅଧିକାରୀଙ୍କୁ (ସିଟି ହେଲ୍ଥ ଅଫିସର)ଙ୍କୁ କୁହାଯାଇଛି । ଆବଶ୍ୟକ ପଡିଲେ ଫଗିଙ୍ଗ ମେସିନ ଭଡାରେ ଆଣି ସମସ୍ତ ୱାର୍ଡରେ ମଶା ଧୂଆଁ ଦିଆଯିବ ବୋଲି କମିଶନର କହିଛନ୍ତି । ରକ୍ତ ନମୁନା ସଂଗ୍ରହ ସହ ରକ୍ତ ପରୀକ୍ଷା କେନ୍ଦ୍ର ସଂଖ୍ୟା ବୃଦ୍ଧି କରିବା ପାଇଁ ମଧ୍ୟ କର୍ପୋରେଟରମାନେ ମତବ୍ୟକ୍ତ କରିଛନ୍ତି । ‘ଡ୍ରାଏ ଡେ’ ପାଳନ କରିବାକୁ କମିଶନର ସମସ୍ତଙ୍କୁ ଅନୁରୋଧ କରିବା ସହ ପ୍ରତ୍ୟେକ ଗୋଷ୍ଠୀ ଏଥିପାଇଁ କିପରି କିଛି କରି ଦେଖାଇବେ, ଯାହାଦ୍ବାରା ଗୋଷ୍ଠୀ ସହଭାଗିତା ଦୃଢ ହୋଇପାରିବ ବୋଲି କହିଛନ୍ତି ।

ବୈଠକରେ ମେୟର ଓ କମିଶନରଙ୍କ ସମେତ ଡେପୁଟି ମେୟର ମଞ୍ଜୁଲତା କଅଁର, ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ, ଉତ୍ତର ବିଧାୟକଙ୍କ ପ୍ରତିନିଧି କୁନ୍ତୀଲତା ମହାରଣା, ମଧ୍ୟ ବିଧାୟକଙ୍କ ପ୍ରତିନିଧି ମିଲନ କୁମାର ରାଉତରାୟ, ଏକାମ୍ର ବିଧାୟକଙ୍କ ପ୍ରତିନିଧି ଦାସରଥି ଗରାବଡୁଙ୍କ ସମେତ ସମସ୍ତ କର୍ପୋରେଟର, ଅତିରିକ୍ତ କମିଶନର ଲକ୍ଷ୍ମୀକାନ୍ତ ସେଠୀ, ସୂର୍ଯ୍ୟବଂଶୀ ମୟୂର ବିକାଶ, ସିଟି ଇଞ୍ଜିନିୟର ଅରୁଣ କୁମାର ନାୟକ, ସଂଯୁକ୍ତ ବିଭାଗୀୟ ଅଧିକାରୀ ଏବଂ ବିଏମସିର ଅଧିକାରୀମାନେ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

Last Updated :Jul 1, 2023, 1:01 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.