ETV Bharat / state

ସାଇବର ସୁରକ୍ଷା ଅଭିଯାନ; ଅକ୍ଟୋବର ୨ରୁ ମାଲକାନଗିରିରେ ଗଡ଼ିବ ସଚେତନତା ରଥ

author img

By ETV Bharat Odisha Team

Published : Sep 29, 2023, 11:16 AM IST

ମାଲକାନଗିରିରେ ସାଇବର ସୁରକ୍ଷା ଅଭିଯାନ
ମାଲକାନଗିରିରେ ସାଇବର ସୁରକ୍ଷା ଅଭିଯାନ

ମାଲକାନଗିରି ଜିଲ୍ଲାରେ ଆରମ୍ଭ ହେବ ସାଇବର ସୁରକ୍ଷା କାର୍ଯ୍ୟକ୍ରମ । ଗାଁ ଗାଁ ବୁଲି ଲୋକଙ୍କୁ ସାଇବର ଅପରାଧ ସମ୍ପର୍କରେ ସଚେତନ କରିବ ସଚେତନତା ରଥ । ଅଧିକ ପଢନ୍ତୁ

ଅକ୍ଟୋବର ୨ରୁ ମାଲକାନଗିରିରେ ଗଡ଼ିବ ସଚେତନତା ରଥ

ମାଲକାନଗିରି: ଆଜିକାଲି ଅନ୍‌ଲାଇନ୍‌ କାରବାର ଯଥେଷ୍ଟ ବୃଦ୍ଧି ପାଇଛି । ରାସ୍ତାକଡ଼ରୁ ପରିବା କିଣିଲେ ବି ଲୋକେ ଫୋନ ପେ', ଗୁଗୁଲ ପେ' ଭଳି ୟୁପିଆଇ ଆପ୍‌ କରୁଛନ୍ତି । ତେବେ ଅନଲାଇନ କାରବାର ବଢ଼ିବା ସହିତ ସାଇବର ଅପରାଧୀମାନେ ସକ୍ରିୟ ହୋଇଯାଇଛନ୍ତି । ଅନେକ ସମୟରେ ଲୋକମାନେ ସାଇବର ଠକେଇର ଶିକାର ହେଉଥିବା ନଜରକୁ ଆସୁଛି । ଦୂରରେ ବସି ମୋବାଇଲରୁ ଓଟିପି ନେଇ ଲକ୍ଷ ଲକ୍ଷ ଟଙ୍କା ହଡ଼ପ କରୁଛନ୍ତି ଅପରାଧୀ । ଏମିତିକି ଭିଡିଓ କଲ୍ କରି ନଗ୍ନ ଫଟୋ ନେଇ ବ୍ଲାକ୍‌ମେଲ କରୁଥିବା ନଜୀର ରହିଛି । ତେଣୁ ଏହାକୁ ରୋକିବାକୁ ହେଲେ ବ୍ୟାପକ ଜନସଚେତନତାର ଆବଶ୍ୟକତା ରହିଛି । ଏହି ପରିପ୍ରେକ୍ଷୀରେ ଅକ୍ଟୋବର ୨ରୁ ମାଲକାନଗିରି ଜିଲ୍ଲାରେ ସାଇବର ସଚେତନା କାର୍ଯ୍ୟକ୍ରମ ଆରମ୍ଭ କରାଯିବ ବୋଲି ମାଲକାନଗିରି ଆରକ୍ଷୀ ଅଧିକ୍ଷକ ନୀତିଶ ୱାଧୱାନୀ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

ସାଇବର ଠକେଇ ସମ୍ପର୍କରେ ଲୋକଙ୍କୁ ସଚେତନା କରିବା ପାଇଁ ମାଲକାନଗିରି ଜିଲ୍ଲା ପୋଲିସ ପକ୍ଷରୁ ପଦପେକ୍ଷ ଗ୍ରହଣ କରାଯିବ । ଜିଲ୍ଲାରେ ଥିବା ସମସ୍ତ ଥାନା ଓ ବ୍ୟାଙ୍କଗୁଡିକ ସହଯୋଗରେ ଗ୍ରାମାଞ୍ଚଳରେ ସଚେତନତା ସଭା ଆୟୋଜନ କରାଯିବ । ସେଠାରେ ଛାତ୍ରଛାତ୍ରୀ, ମିଶନ ଶକ୍ତି ମହିଳା, ଅଙ୍ଗନବାଡି ଓ ଆଶା କର୍ମୀମାନେ ନିଜେ ସଚେତନ ହୋଇ ଗ୍ରାମବାସୀଙ୍କୁ ସଚେତନ କରିବେ । ଗୁରୁବାର ଭୁବନେଶ୍ବରରେ ସାଇବର ସୁରକ୍ଷା ଗୀତ, ଭିଡିଓ, ଲୋଗ ଓ ମାର୍ଗଦର୍ଶିକା ଉନ୍ମୋଚନ ହୋଇଥିବା ବେଳେ ଅଫଲାଇନରେ ଆସନ୍ତା ମାସଠାରୁ ସଚେତନତା କରାଯିବ ।

ଏହାମଧ୍ୟ ପଢନ୍ତୁ: ଝାରସୁଗୁଡ଼ାରେ ଆରମ୍ଭ ହେବ ସାଇବର ସୁରକ୍ଷା ଅଭିଯାନ

ଏହି ପର୍ଯ୍ୟାୟରେ ଅକ୍ଟୋବର ୨ ତାରିଖରୁ ମାଲକାନଗିରି ଜିଲ୍ଲା ପୋଲିସ ମୁଖ୍ୟାଳୟରୁ ସାଇବର ସଚେତନତା ରଥ ବାହାରି ୧୫ ପର୍ଯ୍ୟନ୍ତ ପର୍ଯ୍ୟନ୍ତ ବିଭିନ୍ନ ଗ୍ରାମ ପରିକ୍ରମା କରିବ । ଅନ୍‌ଲାଇନ୍‌ରେ ବ୍ୟବହାର କରୁଥିବା ପାସୱାର୍ଡ କାହାକୁ ପ୍ରଦାନ ନକରିବା, ବ୍ୟକ୍ତିଗତ ସୂଚନା ଅଜଣା ବ୍ୟକ୍ତିଙ୍କୁ ନଦେବା, ଅଜଣା ଲିଙ୍କ୍‌ଗୁଡିକୁ କ୍ଲିକ ନକରିବା, ଆପ୍ ଡାଉନଲୋଡ ବେଳେ ସତର୍କତା ଅବଲମ୍ବନ କରିବା, ଛୋଟ ପିଲାଙ୍କୁ ମୋବାଇଲ ବ୍ୟବହାର କରିବାକୁ ନଦେବା, ଅନଲାଇନ ଗେମ୍ ଖେଳିବାକୁ ମନା କରିବା, ଅଜଣା ବ୍ୟକ୍ତିକୁ ଓଟିପି ସେୟାର ନକରିବା, ଫୋନରେ ପଚାରୁଥିବା ବ୍ୟକ୍ତିକୁ ଆଧାର କାର୍ଡ, ପାନ କାର୍ଡ, କେୱାଇସି ଆଦି ପ୍ରଦାନ କରିବା, ଅନଲାଇନ ଚାକିରି ପାଇଁ ଟଙ୍କା ନଦେବା, ଲୋନ୍‌ କରିବା ଆଶାରେ ଆପ୍ ଡାଉନଲୋଡ ନକରିବା, ହ୍ବାଟ୍ସଆପ୍‌ରେ ଆସୁଥିବା ଅଜଣା ବ୍ୟକ୍ତିର ଭିଡିଓ କଲ ରିସିଭ୍ ନକରିବା ନେଇ ଏହି ରଥ ଲୋକଙ୍କୁ ସଚେତନ କରିବ ।

ଏସପି କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ତପନ ନାରାୟଣ ରଥ, ଡିଏସପି (କ୍ରାଇମ) ଡ. ଦିନେଶ ନାୟକ, ଡିଏସପି (ଏଚଆରପିସି) ସତ୍ୟ ବିକାଶ ଭୂୟାଁ, ଡିଏସପି (ଡିଆଇବି) ଜଗନ୍ନାଥ ଜେନା, ଆରଆଇ ସତ୍ୟପ୍ରିୟ ବିଶ୍ବାଳ, ଏସଡିପିଓ ସଚିନ ପଟେ, ମାଲକାନଗିରି ଆଦର୍ଶ ଥାନା ଅଧିକାରୀ ରିଗାନ କିଣ୍ଡୋ ଓ ବ୍ୟାଙ୍କ ମ୍ୟାନେଜରମାନେ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ମାଲକାନଗିରି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.