ତିନି ରୂପରେ ଗଜାନନ, ଥାନାରେ ପହଞ୍ଚିଲା ମାମଲା

author img

By

Published : Sep 2, 2022, 7:43 AM IST

ତିନି ରୂପରେ ଗଜାନନ, ଥାନାରେ ପହଞ୍ଚିଲା ମାମଲା

ମାଲକାନଗିରିରେ ଗଣେଶ ପୂଜାକୁ ନେଇ ବିବାଦ (Controversy over avatar of lord ganesh)। ଥାନାରେ ପହଞ୍ଚିଛି ମାମଲା । ତିନି ସଂପ୍ରଦାୟର ପୋଷାକ ପରିପାଟୀରେ ଗଜାନନଙ୍କର ପୂଜାର୍ଚ୍ଚନା କରାଯାଉଥିବାରୁ ଏହାର ବିରୋଧ ହୋଇଛି । ପୋଲିସର ହସ୍ତକ୍ଷେପ ଫଳରେ ଅନ୍ୟ ଦୁଇଟି ମୂର୍ତ୍ତିକୁ ଘୋଡାଇ ଦିଆଯାଇଛି । ଅଧିକ ପଢନ୍ତୁ

ମାଲକାନଗିରି: ଅଗ୍ରପୂଜ୍ୟଙ୍କ ପୂଜା ପାଇଁ ଉତ୍ସବ ମୁଖରିତ ଗାଁଠୁ ସହର । ସୁସଜ୍ଜିତ ପୂଜା ପେଣ୍ଡାଲରେ ପୂଜା ପାଉଛନ୍ତି ଗଜାନନ । ଏପଟେ ମାଲକାନଗିରିରେ ଗଣେଶ ପୂଜାକୁ ନେଇ ବିବାଦ ଦେଖାଦେଇଛି । ଏପରିକି ମାମଲା ଥାନାରେ ଯାଇ ପହଞ୍ଚିଛି । ପୂଜା ମଣ୍ଡପରେ ତିନି ଭିନ୍ନ ସଂପ୍ରଦାୟର ବେଶ ପୋଷାକରେ ତିନୋଟି ଗଣେଶ ମୂର୍ତ୍ତିକୁ ପୂଜାର୍ଚ୍ଚନା କରାଯାଉଛି । ଯାହାକୁ ନେଇ ବିବାଦ ସୃଷ୍ଟି ହୋଇଛି । ପୋଲିସର ହସ୍ତକ୍ଷେପ କରିବା ପରେ ଆୟୋଜକ ଅନ୍ୟ ଦୁଇଟି ମୂର୍ତ୍ତିକୁ ଘୋଡାଇ ଦେଇଛନ୍ତି ।

ତିନି ରୂପରେ ଗଜାନନ

ସୂଚନାନୁସାରେ, ମାଲକାନଗିରି ସଦର ମହକୁମା ମେଡିକାଲ ଛକରେ ଗଣେଶ ପୂଜା ପେଣ୍ଡାଲରେ ତିନୋଟି ଗଣେଶ ମୂର୍ତ୍ତି କରାଯାଇଛି । ତେବେ ଏହି ତିନୋଟି ଗଣେଶ ମୂର୍ତ୍ତିକୁ ତିନି ଭିନ୍ନ ସଂପ୍ରଦାୟର ବେଶ ପୋଷାକରେ ସଜ୍ଜିତ କରାଯାଇ ପୂଜା କରାଯାଇଛି । ଗୋଟିଏ ମୂର୍ତ୍ତିରେ ପ୍ରଭୂ ଜଗନ୍ନାଥଙ୍କ ରୂପରେ ଗଜାନନଙ୍କ ସଜା ଯାଇଛି । ଗଜାନନଙ୍କ ଅନ୍ୟ ଦୁଇଟି ମୂର୍ତ୍ତିକୁ ଅନ୍ୟ ଦୁଇ ଭିନ୍ନ ସଂପ୍ରଦାୟର ବେଶ ପୋଷାକରେ ସଜା ଯାଇଛି । ଗଜାନନଙ୍କ ତିନି ମୂର୍ତ୍ତି ପଛପଟେ ଏବଂ ତଳେ "ସବକା ମାଲିକ ଏକ ହେ" ଲେଖା ଯାଇଛି । ଯାହାକୁ ନେଇ ବିବାଦ ଦେଖା ଦେଇଛି ।

ଏହା ମଧ୍ୟ ପଢନ୍ତୁ: ହାଇକୋର୍ଟରେ ପହଞ୍ଚିଲା ବିକୃତ ଗଣେଶ ମୂର୍ତ୍ତି ନିର୍ମାଣ ଘଟଣା

ଏହାକୁ ବିରୋଧ କରିଛି ସ୍ଥାନୀୟ ଏକ ସଂଗଠନ । ଏନେଇ ଥାନାରେ ମାମଲା ମଧ୍ୟ ରୁଜୁ ହୋଇଛି । ସଂଗଠନ ପକ୍ଷରୁ କୁହାଯାଇଛି, "ପ୍ରଭୁ ଗଜାନନଙ୍କ ବିକୃତ କରାଯାଇ ପୂଜା କରାଯାଉଛି । ଏହାକୁ ଆମେ ବିରୋଧ କରୁଛୁ ।" ସେପଟେ ପୂଜା କମିଟିର ସଦସ୍ୟମାନେ ଏହାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି । ସେମାନେ କହିଛନ୍ତି, "ମାଲକାନଗିରି ସହର ଏକ ଭାଇଚାରାର ସହର । ଭଗବାନଙ୍କୁ କିଏ କେଉଁ ରୂପରେ ଦେଖେ, କେଉଁ ରୂପରେ ପୂଜା କରେ । ହେଲେ ସବୁ ଧର୍ମ ସମଭାବର କଥା କହେ । ଆମେ କୌଣସି ମନ୍ଦ ଉଦ୍ଦେଶ୍ୟରେ ଏଭଳି କରିନାହୁଁ । କାହା ମନରେ ଆଘାତ ଦେବା ପାଇଁ କରାଯାଇନାହିଁ । ସମାଜକୁ ବାର୍ତ୍ତା ଦେବା ଉଦ୍ଦେଶ୍ୟରେ ଏଭଳି ମୂର୍ତ୍ତି କରାଯାଇଛି ।" ଏନେଇ ଥାନାରେ ଅଭିଯୋଗ ହେବାପରେ ପୋଲିସ ଘଟଣାରେ ହସ୍ତକ୍ଷେପ କରିଛି । ଫଳରେ ଆୟୋଜକ ଅନ୍ୟ ଦୁଇଟି ମୂର୍ତ୍ତିକୁ ଘୋଡାଇ ଦେଇଛନ୍ତି । ହେଲେ ମାଲକାନଗିରିରେ ଗଣେଶ ପୂଜାକୁ ନେଇ ଯେଉଁ ବିବାଦ ଦେଖାଦେଇଛି ତାକୁୁ ନେଇ ଏବେ ସମଗ୍ର ଅଞ୍ଚଳରେ ଚର୍ଚ୍ଚା ହେଉଛି ।

ଏହା ମଧ୍ୟ ପଢନ୍ତୁ: ବିକୃତ ଗଣେଶ ମୂର୍ତ୍ତି ନିର୍ମାଣ ହୋଇପାରିବ ନାହିଁ: ହାଇକୋର୍ଟ

ନିକଟରେ ଗଣେଶ ମୂର୍ତ୍ତି ନିର୍ମାଣ ଶୈଳୀକୁ ନେଇ ଓଡିଶା ହାଇକୋର୍ଟର ଦୃଷ୍ଟି ଆକର୍ଷଣ କରାଯାଇଥିଲା । ସେପଟେ ହାଇକୋର୍ଟ ଏହି ମାମଲାର ବିଚାର କରି ଚିରାଚରିତ ମୂର୍ତ୍ତିକୁ ବାଦ ଦେଇ ବିକୃତ ମୂର୍ତ୍ତି ନିର୍ମାଣ ହୋଇପାରିବ ନାହିଁ ବୋଲି କହିଛନ୍ତି । ହିନ୍ଦୁ ଭାବାବେଗକୁ ଆଘାତ ଦେବା ଭଳି ମୂର୍ତ୍ତି ରାଜ୍ୟର କୌଣସି ପୂଜା ମଣ୍ଡପରେ ପୂଜା ହୋଇ ପାରିବ ନାହିଁ ବୋଲି ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ (Odisha HC) । ଏନେଇ ଉଚ୍ଚ ନ୍ୟାୟାଳୟ କହିଛନ୍ତି, " ହିନ୍ଦୁ ଆଇନ ଅନୁଯାୟୀ ଏଭଳି ମୂର୍ତ୍ତି ନିର୍ମାଣ ଓ ପୂଜା ଆଇନ ସମ୍ମତ ନୁହେଁ । ଏଭଳି ମୂର୍ତ୍ତି ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରିବାର ସମ୍ଭାବନା ରହିଛି ।" ପୋଲିସ ଏଭଳି ମୂର୍ତ୍ତି ନିର୍ମାଣ ଓ ପୂଜାମଣ୍ଡପରେ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ରହିଛି । ମୁଖ୍ୟ ବିଚାରପତିଙ୍କ ଖଣ୍ଡପୀଠ ମାମଲାର ଶୁଣାଣି କରି ଏହି ନିର୍ଦ୍ଦେଶ ଦେଇଛନ୍ତି ।

ଇଟିଭି ଭାରତ, ମାଲକାନଗିରି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.