ETV Bharat / state

ବ୍ରେକିଂ ଦ ସାଇଲେନ୍ସ ପ୍ରକଳ୍ପ, ମଙ୍ଗଳପୁରରେ ବାଜିଲା ମାନସିକ ସ୍ବାସ୍ଥ୍ୟ ସେବାର ମଙ୍ଗଳ ବାଇଦ

author img

By

Published : Jul 4, 2023, 5:48 PM IST

Updated : Jul 5, 2023, 3:04 PM IST

Etv Bharat
Etv Bharat

କୋରାପୁଟ ବରିଗି ପଞ୍ଚାୟତର ମଙ୍ଗଳପୁର ଗାଁରେ ସୁସ୍ଥ ହେଲେ ମାନସିକ ରୋଗୀ । ୱାର୍ଡ ସଂସ୍ଥା ଆନୁକୁଲ୍ୟରେ ଆରମ୍ଭ କରାଯାଇଥିବା 'ବ୍ରେକିଂ ଦ ସାଇଲେନ୍ସ' ପ୍ରକଳ୍ପରେ ରୋଗୀଙ୍କୁ କରାଯାଇଛି । ଅଧିକ ପଢନ୍ତୁ

ମଙ୍ଗଳପୁରରେ ବାଜିଲା ମାନସିକ ସ୍ବାସ୍ଥ୍ୟ ସେବାର ମଙ୍ଗଳ ବାଇଦ

କୋରାପୁଟ: ଜିଲ୍ଲାର ନାରାୟଣପାଟଣା ବ୍ଲକ ବରିଗି ପଞ୍ଚାୟତର 36ଟି କନ୍ଧ ଜନଜାତିର ଟିକି ଗାଁ ମଙ୍ଗଳପୁର । ଏଠାରେ ବସବାସ କରୁଥିବା 36ଟି ପରିବାରରେ 11 ଜଣ ମାନସିକ ରୋଗୀ ଚିନ୍ତାର କାରଣ ପାଲଟିଥିଲେ । ହେଲେ ଅପହଞ୍ଚ ଅଞ୍ଚଳରେ ରହୁଥିବା ଏହି ରୋଗୀଙ୍କୁ ଉତ୍ତମ ଚିକିତ୍ସା ଯୋଗାଇ ସୁସ୍ଥ କରିବାରେ ସଫଳ ହୋଇଛି ସ୍ବେଚ୍ଛାସେବୀ ସଂଗଠନ । ୱାର୍ଡ ସଂସ୍ଥା ଆନୁକୁଲ୍ୟରେ ଆରମ୍ଭ କରାଯାଇଥିବା 'ବ୍ରେକିଂ ଦ ସାଇଲେନ୍ସ ' ପ୍ରକଳ୍ପରେ ଏମାନଙ୍କୁ ସୁସ୍ଥ କରିବା ଲାଗି ପ୍ରୟାସ ଆରମ୍ଭ ହୋଇଛି ।

ମଙ୍ଗଳପୁରରେ 2 ବର୍ଷ ପୂର୍ବେ ଯେଉଁମାନେ ନିଜ ନିଜ ପରିବାର ପାଇଁ ବୋଝ ସଦୃଶ ନିଃସହାୟ ହୋଇ ଘର କୋଣରେ ପଡି ରହୁଥିଲେ ସେମାନଙ୍କ ପାଖରେ ୱାର୍ଡ ସ୍ବେଚ୍ଛାସେବୀ ସଂଗଠନ ଓ ଜିଲ୍ଲା ଭ୍ରାମ୍ୟମାଣ ମାନସିକ ସ୍ବାସ୍ଥ୍ୟ ସେବାର ମିଳିତ ଉଦ୍ୟମ ଫଳରେ ଆଜି ଏକ ଉନ୍ନତମାନ ଓ ସମ୍ମାନ ଜନକ ଜୀବନ ଅତିବାହିତ କରୁଛନ୍ତି । ୱାର୍ଡ ସଂସ୍ଥା ଆନୁକୁଲ୍ୟରେ ଆରମ୍ଭ କରାଯାଇଥିବା 'ବ୍ରେକିଂ ଦ ସାଇଲେନ୍ସ' ପ୍ରକଳ୍ପରେ ନାରାୟଣପାଟଣାର 5ଟି ପଞ୍ଚାୟତର 68ଟି ଗ୍ରାମରେ ସର୍ଭେ କାର୍ଯ୍ୟକ୍ରମ ସମ୍ପନ୍ନ କରାଯାଇଥିଲା । ପାଞ୍ଚଟି ପଞ୍ଚାୟତରେ 136 ଜଣ ମାନସିକ ସ୍ବାସ୍ଥ୍ୟ ବାଧିତ ବ୍ୟକ୍ତିଙ୍କ ସମେତ 213 ଜଣ ମୂର୍ଚ୍ଛା ରୋଗରେ ପୀଡିତ ଥିବା ଜଣାପଡିଛି ବୋଲି ୱାର୍ଡ ସଂସ୍ଥାର ପ୍ରକଳ୍ପ ସଂଯୋଜିକା ଗୌରୀ ପ୍ରସାଦିନି ସାହୁ କହିଛନ୍ତି ।

ଏହା ବି ପଢନ୍ତୁ- 2 ବର୍ଷ ହେବ ପାହାଡ କୋଳରେ ମାନସିକ ବିକାରଗ୍ରସ୍ତ ପୁଅ, ସହାୟତା ଅପେକ୍ଷାରେ ମାଆ

ପାଗଳ ଭଳି ଦିନ ଦିନ ଧରି ଜଙ୍ଗଲ ମଧ୍ୟରେ ହଜି ଯାଉଥିବା ମାନସିକ ବିକାରଗ୍ରସ୍ତ ଯୁବକ ଯୁବତୀ, ବୟସ୍କ ଓ ଶିଶୁଙ୍କୁ ଘରକୁ ଫେରାଇ ଆଣିବା ଓ ଅପସ୍ମାର ରୋଗରେ ପୀଡିତ ଶିଶୁର ଯତ୍ନ ନେବା କାଠିକର ପାଠ ଥିଲା । 5-10 ବର୍ଷ ପୂର୍ବେ ରାସ୍ତାଘାଟ ନଥିବା ଏହି ଗାଁରୁ କୌଣସି ଘରୋଇ ଚିକିତ୍ସା ପାଇଁ ନେବା ମଧ୍ୟ ଅତ୍ୟନ୍ତ କଷ୍ଟକର ବ୍ୟାପାର ଥିଲା । ତେବେ ବରିଗି ପଞ୍ଚାଟର ଆଶା ଦିଦି କଣ୍ଡା ଗୌରୀଲକ୍ଷ୍ମୀଙ୍କ ପାଖରେ ଏହି ମାନସିକ ରୋଗୀଙ୍କ ବାର୍ତ୍ତା ପହଞ୍ଚିବା ପରେ ସେ ପାହାଡ଼ ତଳକୁ ଆଣି କିଛି ରୋଗୀଙ୍କୁ ବରିଗିରୁ 108 ଆମ୍ବୁଲାନ୍ସ ଯୋଗେ ନାରାୟଣପାଟଣା ନେଇ ଯାଇଥିଲେ ।

ୱାର୍ଡ ଦ୍ଵାରା ସର୍ଭେ କରାଯିବା ପରେ ଜିଲ୍ଲା ଭ୍ରାମ୍ୟମାଣ ମାନସିକ ସ୍ବାସ୍ଥ୍ୟ ସେବାର ଗାଡିରେ ଚିକିତ୍ସକ ତଥା ସଂଯୋଗକାରୀ ଆସି ରୋଗୀଙ୍କ ସହ ପରାମର୍ଶ କରିବା ପରେ ଉପଯୁକ୍ତ ଔଷଧକୁ ୱାର୍ଡ ସ୍ବେଚ୍ଛାସେବୀ ସଂସ୍ଥାର ସଦସ୍ୟମାନେ ଏହି ଔଷଧ ସେବନର ତଦାରଖ କରିବା ସହ ରୋଗୀଙ୍କ ପରିବାର କିପରି ସ୍ବାବଲମ୍ବୀ ହୋଇପାରିବେ ସେ ସମ୍ପର୍କରେ ବିଭିନ୍ନ ପଦକ୍ଷେପ ନେଇଥିବା ପ୍ରକଳ୍ପ ସଂଯୋଜିକା ଗୌରୀ କହିଛନ୍ତି । ନାରାୟଣପାଟଣା ବ୍ଲକରେ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗର ସହଯୋଗରେ ଏକ ସ୍ବାସ୍ଥ୍ୟ ଶିବିରର ଆୟୋଜନ କରି ମାନସିକ ରୋଗୀଙ୍କୁ ଚିହ୍ନଟ କରାଯାଇଥିଲା ।

ସ୍ବାସ୍ଥ୍ୟ ପରୀକ୍ଷା କରାଯିବା ପରେ ସେମାନଙ୍କ ପାଇଁ ଆବଶ୍ୟକ ହେଉଥିବା ଔଷଧକୁ ଭ୍ରାମ୍ୟମାଣ ମାନସିକ ଚିକିତ୍ସା ଯୋଗାଇଥିବା ଜିଲ୍ଲା କାର୍ଯ୍ୟାଳୟରୁ ଆଣି ୱାର୍ଡର ସ୍ବେଚ୍ଛାସେବୀଙ୍କ ମାଧ୍ୟମରେ ରୋଗୀଙ୍କ ପାଖରେ ସେମାନେ ସୁସ୍ଥ ହେବା ପର୍ଯ୍ୟନ୍ତ ଯୋଗାଇଦିଆଯିବ । ମଙ୍ଗଳପୁର ଗ୍ରାମରେ ସମସ୍ୟା ଗମ୍ଭୀର ହେଲେ ମଧ୍ୟ ସରକାରୀ କଳ, ସ୍ବେଚ୍ଛାସେବୀ ସଂଗଠନର କର୍ମକର୍ତ୍ତା, ରୋଗୀଙ୍କ ଯତ୍ନକାରୀ ଓ ନିଜେ ରୋଗୀଙ୍କ ମିଳିତ ଉଦ୍ୟମରେ ସଫଳତା ଆସିପାରିଛି ବୋଲି ସୁରଦେଵ ମତ ରଖିଛନ୍ତି । ଦିନେ ନିଜକୁ ସମ୍ଭାଳି ପାରୁନଥିବା ମାନସିକ ରୋଗୀ ଆଜି ନିଜକୁ ସମ୍ଭାଳିନେବା ସହ ସ୍ବାବଲମ୍ବୀ ହୋଇ ବିଲ ବାଡ଼ିରେ କାମ କରୁଛନ୍ତି । ଏହା ସାମୁହିକ ପ୍ରୟାସର ଯେ ଏକ ସଫଳ ନିଦର୍ଶନ ସେଥିରେ ସନ୍ଦେହ ନାହିଁ ।

ଇଟିଭି ଭାରତ, କୋରାପୁଟ

Last Updated :Jul 5, 2023, 3:04 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.