ETV Bharat / state

Mega Health camp: ଓଡ଼ିଶାର ନରମ ଭାବ, କୋଟିଆରେ ସ୍ୱାସ୍ଥ୍ୟ ଶିବିର କଲା ଆନ୍ଧ୍ର

author img

By ETV Bharat Odisha Team

Published : Oct 28, 2023, 7:13 AM IST

କୋଟିଆରେ ଅନୁପ୍ରବେଶ କରି ସ୍ୱାସ୍ଥ୍ୟ ଶିବିର ଆୟୋଜନ କଲା ଆନ୍ଧ୍ର
କୋଟିଆରେ ଅନୁପ୍ରବେଶ କରି ସ୍ୱାସ୍ଥ୍ୟ ଶିବିର ଆୟୋଜନ କଲା ଆନ୍ଧ୍ର

କୋଟିଆରେ ପୁଣି ଆନ୍ଧ୍ରର ଅନୁପ୍ରବେଶ । କିଛିଦିନ ପୂର୍ବେ କୋଟିଆର ବାମ ଦିଗରେ ଆନ୍ଧ୍ର ସୀମାନ୍ତରେ ଥିବା ଫାଟୁସିନେରୀ ପରେ ଏବେ ଆନ୍ଧ୍ର ସୀମାକୁ ଲାଗିଥିବା ନେରେଡିବାଲାସା ନିକଟସ୍ଥ ଧୂଳିପଦରରେ ବିଶାଳ ସ୍ୱାସ୍ଥ୍ୟ ଶିବିରର ଆୟୋଜନ କରିଛି ଆନ୍ଧ୍ର । ଅଧିକ ପଢ଼ନ୍ତୁ

କୋଟିଆରେ ଅନୁପ୍ରବେଶ କରି ସ୍ୱାସ୍ଥ୍ୟ ଶିବିର ଆୟୋଜନ କଲା ଆନ୍ଧ୍ର

କୋରାପୁଟ: କୋଟିଆରେ ପୁଣି ଆନ୍ଧ୍ରର ଅନୁପ୍ରବେଶ । କିଛିଦିନ ପୂର୍ବେ କୋଟିଆର ବାମ ଦିଗ ଆନ୍ଧ୍ର ସୀମାନ୍ତରେ ଥିବା ଫାଟୁସିନେରୀ ପରେ ଏବେ ଆନ୍ଧ୍ର ସୀମାକୁ ଲାଗିଥିବା ନେରେଡିବାଲାସା ନିକଟସ୍ଥ ଧୂଳିପଦରରେ ବିଶାଳ ସ୍ୱାସ୍ଥ୍ୟ ଶିବିରର ଆୟୋଜନ କରିଛି ଆନ୍ଧ୍ର । ଓଡ଼ିଶାର ନରମ ଭାବ ଯୋଗୁଁ ଆନ୍ଧ୍ର ବାରମ୍ବାର ଅନୁ ପ୍ରବେଶ କରି ବିଭିନ୍ନ କାର୍ଯ୍ୟକ୍ରମ ଜାରି ରଖିଛି ।

ଗତକାଲି(ଶୁକ୍ରବାର) ଧୂଳିପଦର ଠାରେ ଆୟୋଜିତ ସ୍ୱାସ୍ଥ୍ୟ ଶିବିରରେ ସାଲୁରରୁ ଆସିଥିବା ଡାକ୍ତରୀ ଦଳ ସହ ଆନ୍ଧ୍ରପ୍ରଦେଶ ଏସଟି କମିଶନ ଅଧ୍ୟକ୍ଷ ଡ. ଡିଭିଜି ଶଙ୍କର ରାଓ ସ୍ୱାସ୍ଥ୍ୟ ଶିବିର ପରିଦର୍ଶନ କରି ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିଥିଲେ । ଏହାସହ କୋଟିଆ ପଞ୍ଚାୟତବାସୀଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେଇଥିବା ଯୋଗୁଁ ଅଂଶଗ୍ରହଣକାରୀ ଡାକ୍ତର ଏବଂ ସମସ୍ତ ସହକର୍ମୀଙ୍କୁ ପ୍ରଶଂସା କରିଥିଲେ । ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ରେଡ୍ଡୀଙ୍କ ସ୍ୱାସ୍ଥ୍ୟସେବା ଯୋଗାଇବାର ସଂକଳ୍ପ ଗରିବ ଲୋକଙ୍କ ଆଖିରେ ଥିବା ଆଶାକୁ ପରିପୂର୍ଣ୍ଣ କରୁଥିବା ବେଳେ ଜଗାନ୍ନା ଆରୋଗ୍ୟ ସୁରକ୍ଷା କାର୍ଯ୍ୟକ୍ରମ ମାଧ୍ୟମରେ ସୁସ୍ଥ ଆନ୍ଧ୍ରପ୍ରଦେଶ ହାସଲ କରିବାକୁ ଲକ୍ଷ୍ୟ ରଖାଯାଇଛି । ଏହା ସହ କୋଟିଆ ସମେତ ରାଜ୍ୟରେ କୌଣସି ପରିବାର ରୋଗରେ ପ୍ରଭାବିତ ହେବା ଉଚିତ୍ ନୁହେଁ । ରୋଗରେ ପୀଡିତ ଲୋକଙ୍କୁ ଭଲ ଚିକିତ୍ସା ଯୋଗାଇଦେବା ଇଚ୍ଛା ସହିତ ଏହି କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ବୋଲି ଶଙ୍କର ରାଓ ମତ ରଖିଥିଲେ ।

ସେପଟେ ଫାଟୁସିନେରୀ ଓ ଧୂଳିପଦରରେ ଆନ୍ଧ୍ର ସରକାରଙ୍କ ଦ୍ବାରା ଆୟୋଜିତ ସ୍ୱାସ୍ଥ୍ୟ ଶିବିରରେ ଜନତାଙ୍କ ଭିଡ଼କୁ ଦେଖିଲେ ଓଡିଶା ସରକାରଙ୍କ ସ୍ୱାସ୍ଥ୍ୟ ସେବା କୋଟିଆରେ ଥିବା ଚିକିତ୍ସାଳୟରେ ସୀମିତ ହୋଇଯାଇଥିବା ଭଳି ଅନୁଭବ ହେଉଛି । ବିଗତ ଦିନ ଗୁଡିକରେ ଆନ୍ଧ୍ରପ୍ରଦେଶ ଦ୍ୱାରା ଓଡି଼ଶା ମାଟିରେ ଆୟୋଜିତ ହେଉଥିବା ଏପରି ସ୍ୱାସ୍ଥ୍ୟ ଶିବିର ହେଉ ବା ଅନ୍ୟ କୌଣସି ଅନୁପ୍ରବେଶକୁ ଓଡି଼ଶା ସରକାରଙ୍କ ଦ୍ବାରା ତିବ୍ର ବିରୋଧ କରାଯାଉଥିଲା । ଏପରିକି କିଛି ମାସ ପୂର୍ବେ ଆନ୍ଧ୍ର ସୀମାନ୍ତର ନାରେଡିବାଲସା ପଟୁ 104 ଗାଡି ଧରି କୋଟିଆ ମଧ୍ୟକୁ ଆନ୍ଧ୍ର ଥୋନମ୍‌ ପିଏଚସିର ଡା.ଏ.ଅଜୟ ଓ ତାଙ୍କ ସ୍ବାସ୍ଥ୍ୟ ଟିମ୍‌ ପ୍ରବେଶ କରୁଥିଲା ବେଳେ କୋଟିଆରେ ଅବସ୍ଥାପିତ ଓଡ଼ିଶା ପୋଲିସ ତାଙ୍କୁ ଅଟକାଇ ଫେରାଇ ଦେଇଥିଲେ । କୋଟିଆ ପଞ୍ଚାୟତର ପ୍ରତିଟି ଜାଗା ଓଡ଼ିଶାର ଏବଂ ସେଥିରେ ଆନ୍ଧ୍ର ଅଧିକାରୀଙ୍କ ଅନୁପ୍ରବେଶ କୌଣସି ଭାବରେ ଗ୍ରହଣୀୟ ନୁହେଁ ବୋଲି ସେମାନଙ୍କୁ ରୋକଠୋକ ଶୁଣାଇ ଦିଆଯାଇଥିଲା ।

ଏହା ମଧ୍ୟ ପଢ଼ନ୍ତୁ......କୋଟିଆରେ ମିଳିଲାନି ମହାପ୍ରୟାଣ ଗାଡ଼ି, ମୃତଦେହ ଧରି ୨୩ କିମି ବାଇକରେ ବୋହିନେଲେ ଆନ୍ଧ୍ର ସମର୍ଥକ

ଏହାସହ ପୂର୍ଗରୁ ଆନ୍ଧ୍ର ଅଧିକାରୀଙ୍କୁ ବିଭିନ୍ନ ସ୍ଥାନରେ ଓଡ଼ିଶାର ପ୍ରଶାସନିକ ଅଧିକାରୀ, ବିଧାୟକ ଓ ଜିଲ୍ଲା ପରିଷଦ ସଦସ୍ୟ ଫେରାଇ ଦେଇଥିବା ବେଳେ କିଛିଦିନ ବ୍ୟବଧାନରେ ପୁଣି ଆନ୍ଧ୍ରପ୍ରଦେଶ ସରକାରଙ୍କ ଦ୍ବାରା ଦୁଇଦୁଇଟି ମେଗା ସ୍ୱାସ୍ଥ୍ୟ ସେବା ଶିବିର ଆୟୋଜିତ କରାଯାଇଛି । ତେବେ ଓଡିଶା ସରକାର ଚୁପଚାପ ନିରବ ଦର୍ଶକ ହୋଇରହିବା କୋଟିଆବାସୀଙ୍କୁ ଚକିତ କରିଛି । ସେପଟେ ଆନ୍ଧ୍ରପ୍ରଦେଶର ଅଧିକାରୀଙ୍କ ମନରେ ଅନାୟାସରେ ଅନୁପ୍ରବେଶ କରିବା ପାଇଁ ସାହସ ଭରି ଦେଇଛି ବୋଲି ଅଭିଯୋଗ ହୋଇଛି । ତେବେ ଆସନ୍ତା ଦିନରେ ଉଭୟ ରାଜ୍ୟର ସାଧାରଣ ନିର୍ବାଚନ ହେବାକୁ ଥିବା ସମୟରେ ଆନ୍ଧ୍ରର ଏପରି କୋଟିଆ ବିଜୟ ଯାତ୍ରା ଭଳି ଔଧତ୍ୟପୂର୍ଣ୍ଣ ଆଭିମୁଖ୍ୟର ଜବାବ ଓଡ଼ିଶା କିପରି ରଖୁଛି ତାହା ଦେଖିବାକୁ ବାକି ରହିଲା ।

ଇଟିଭି ଭାରତ, କୋରାପୁଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.