ETV Bharat / state

କୋଟିଆରେ ମିଳିଲାନି ମହାପ୍ରୟାଣ ଗାଡ଼ି, ମୃତଦେହ ଧରି ୨୩ କିମି ବାଇକରେ ବୋହିନେଲେ ଆନ୍ଧ୍ର ସମର୍ଥକ

author img

By ETV Bharat Odisha Team

Published : Aug 25, 2023, 6:13 PM IST

Updated : Aug 25, 2023, 7:14 PM IST

deadbody carried on bike in kotia
ବାଇକରେ ବୁହାହେଲା ମୃତଦେହ

କୋଟିଆରେ ବିବାଦ ଥମିବାରେ ନାଁ ନେଉନି । ଓଡ଼ିଶା ସରକାର ଏବଂ ଜିଲ୍ଲା ପ୍ରଶାସନର ଅଣଦେଖା କାରଣରୁ ବାରମ୍ବାର ସୀମାରେ ଦାଦାଗିରି ଦେଖାଉଛି ଆନ୍ଧ୍ର । ମହାପ୍ରୟାଣ ଗାଡ଼ି ନମିଳିବାରୁ ମୃତଦେହକୁ ୨୩ କିମି ବାଇକରେ ବୋହିନେଲେ ଆନ୍ଧ୍ର ସମର୍ଥକ । ଅଧିକ ପଢ଼ନ୍ତୁ

ବାଇକରେ ବୁହାହେଲା ମୃତଦେହ

କୋରାପୁଟ: ମୃତ୍ୟୁପରେ ମୃତଦେହକୁ ମିଳିଲାନି ଶେଷ ସମ୍ମାନ । ମହାପ୍ରୟାଣ ଗାଡ଼ି ନମିଳିବାରୁ ମୃତଦେହକୁ ବୋହିନେଲେ ଆନ୍ଧ୍ର । ମୃତଦେହକୁ ବାଇକ ଯୋଗେ ୨୩ କିଲୋମିଟର ନେଇଗଲେ । ପୋଲିସ ଆଗରେ ମନମାନି ଦେଖାଇଲା ଆନ୍ଧ୍ର, ହେଲେ ନରବଦ୍ରଷ୍ଟା ସାଜିଲା ପ୍ରଶାସନ । କୋଟିଆରେ ବିବାଦ ଥମିବାରେ ନାଁ ନେଉନି । ଓଡ଼ିଶା ସରକାର ଏବଂ ଜିଲ୍ଲା ପ୍ରଶାସନର ଅଣଦେଖା କାରଣରୁ ବାରମ୍ବାର ସୀମାରେ ଦାଦାଗିରି ଦେଖାଉଛି ଆନ୍ଧ୍ର । ପୁଣି କୋଟିଏ ପଞ୍ଚାୟତରେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ।

ସୂଚନା ଅନୁଯାୟୀ, କୋଟିଆ ପଞ୍ଚାୟତ ଅନ୍ତର୍ଗତ ଗଞ୍ଜେଇପଦର ଅଞ୍ଚଳର ୨୦ ବର୍ଷୀୟ ଯୁବକ ବିଶ୍ୱନାଥ ଗେମେଲ ବୁଧବାର କୌଣସି କାର୍ଯ୍ୟରେ ପଟ୍ଟାଙ୍ଗି ଆସିଥିଲେ । ଘରକୁ ଫେରୁଥିବା ସମୟରେ କୁନ୍ଦୁଲି-କୋଟିଆ ରାସ୍ତା ନିକଟ ଗେଲାଗୁଡାରେ ଦୁର୍ଘଟଣା ଯୋଗୁଁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା । ମୃତଦେହ ବ୍ୟବଚ୍ଛେଦ ପାଇଁ ତାଙ୍କୁ ପଟ୍ଟାଙ୍ଗି ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା । ତେବେ ଦୁର୍ଘଟଣା ଘଟିଥିବା ସ୍ଥଳ କୁନ୍ଦୁଲି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ପରିଧି ମଧ୍ୟରେ ଥିବା ଯୋଗୁଁ ପଟ୍ଟାଙ୍ଗିରେ କୁନ୍ଦୁଲିର ଡାକ୍ତରଙ୍କ ଦ୍ଵାରା ପୋଷ୍ଟମର୍ଟମ କରାଯାଇଥିଲା । ମୃତଦେହ ବ୍ୟବଚ୍ଛେଦ ପରେ ପଟ୍ଟାଙ୍ଗି ସ୍ୱାସ୍ଥ୍ୟକେନ୍ଦ୍ରର ଆମ୍ବୁଲାନ୍ସ ଡ୍ରାଇଭର ନଥିବାରୁ କୁନ୍ଦୁଲି ମେଡ଼ିକାଲ ଅଫିସରଙ୍କୁ ଆମ୍ବୁଲାନ୍ସ ଯୋଗାଇବାକୁ ଖବର ଦିଆଯାଇଥିବା ପଟ୍ଟାଙ୍ଗି ସ୍ୱାସ୍ଥ୍ୟକେନ୍ଦ୍ରର ମେଡ଼ିକାଲ ଅଫିସର ଭାଗବତ ମୁର୍ମୁ କହିଛନ୍ତି । ମାତ୍ର ଆମ୍ବୁଲାନ୍ସ ଦେବାକୁ ପଟ୍ଟାଙ୍ଗି ସ୍ୱାସ୍ଥ୍ୟକେନ୍ଦ୍ରର ଅଧିକାରୀ ରୋକଠୋକ ମନା କରିଦେଇଥିଲେ ବୋଲି ଭାଗବତ ମୁର୍ମୁ ଅଭିଯୋଗ କରିଛନ୍ତି । ଏହାପରେ ସେ କୋରାପୁଟ ସିଡିଏମଓଙ୍କୁ ମହାପ୍ରୟାଣ ଗାଡ଼ି ପଠାଇବା ପାଇଁ ଅନୁରୋଧ କରିଥିଲେ । ତେବେ ଗାଡ଼ି ଆସିବାରେ ବିଳମ୍ବ ହେବାରୁ ମୃତ ଯୁବକଙ୍କ ସମ୍ପର୍କୀୟ ଓ ଗ୍ରାମବାସୀଙ୍କୁ ନେଇ ଆନ୍ଧ୍ର ସମର୍ଥକ ଭାବେ ଜଣାଶୁଣା ତଳ ଗଞ୍ଜେଇପଦର ବାସିନ୍ଦା ତଥା ଆନ୍ଧ୍ର ସରକାରଙ୍କ ପୂର୍ବତନ ସରପଞ୍ଚ ବିଶୁ ଗେମେଲ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଶି ଆସିଥିଲେ । ସବୁଠାରୁ ଆଶ୍ଚର୍ଯ୍ୟର କଥା, ପୋଲିସ ଓ ପ୍ରଶାସନର ଉପସ୍ଥିତିରେ ମୃତଦେହକୁ ଉଠାଇ ନେଇ ଏକ ମଟରସାଇକେଲ ଯୋଗେ ୨୩ କିଲୋମିଟର ରାସ୍ତା ଅତିକ୍ରମ କରି ଗଞ୍ଜେଇପଦର ନେଇ ଯାଇଥିଲେ ।

ଏହା ମଧ୍ୟ ପଢ଼ନ୍ତୁ: ପୁଣି ଆନ୍ଧ୍ରର ଦାଦାଗିରି: ଓଡିଶାରେ ପଶି ଜମି ମାପ କଲେ, ବିରୋଧ କରିବାରୁ ସ୍ଥାନୀୟ ଲୋକଙ୍କୁ ହତ୍ୟା ଧମକ

ଏହି ସମୟରେ କିଛି ବ୍ୟକ୍ତି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଧସି ଆସି ଡାକ୍ତର ଭାଗବତ ମୁର୍ମୁଙ୍କୁ ଦୁର୍ବ୍ୟବହାର କରିଥିଲେ । ତେବେ ଏହି ଆକ୍ରମଣକୁ ଘୋର ନିନ୍ଦା କରି ଆଜି ସ୍ବାସ୍ଥ୍ୟକର୍ମୀ ପ୍ରତିବାଦ କରିଛନ୍ତି । ପ୍ରଶାସନିକ ସମନ୍ୱୟର ଅଭାବକୁ ଦାୟୀ କରି ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ଓ ମାଲକାନଗିରିର ପୂର୍ବତନ ବିଧାୟକ ନିମାଇଁ କୋଟିଆରେ ଜଣେ ନୋଡାଲ ଅଫିସରଙ୍କୁ ନିଯୁକ୍ତ କରିବା ପାଇଁ ଦାବି କରିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି, " ପୋଲିସ, ପ୍ରଶାସନିକ ଅଧିକାରୀ ଓ ସ୍ଥାନୀୟ ଜନତାଙ୍କ ମଧ୍ୟରେ ସମନ୍ୱୟ ପ୍ରତିଷ୍ଠା ହୋଇ ନପାରିଲେ ଆସନ୍ତା ନିର୍ବାଚନ ସମୟରେ କୋଟିଆବାସୀ ଓଡ଼ିଶା ପ୍ରତି ବିମୁଖତା ପ୍ରଦର୍ଶନ କରିବାର ଆଶଙ୍କାକୁ ଏଡାଇ ଦିଆଯାଇନପାରେ । ତେଣୁ ସରକାର ଏଥିପ୍ରତି ଗୁରୁତ୍ବ ଦେବାର ଆବଶ୍ୟକତା ରହିଛି ।"

ଇଟିଭି ଭାରତ, କୋରାପୁଟ

Last Updated :Aug 25, 2023, 7:14 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.