ETV Bharat / state

ପୁଣି ଆନ୍ଧ୍ରର ଦାଦାଗିରି: ଓଡିଶାରେ ପଶି ଜମି ମାପ କଲେ, ବିରୋଧ କରିବାରୁ ସ୍ଥାନୀୟ ଲୋକଙ୍କୁ ହତ୍ୟା ଧମକ

author img

By

Published : Jun 21, 2023, 7:44 AM IST

ଓଡ଼ିଶା ସରକାରଙ୍କ ଅଣଦେଖା କାରଣରୁ ବାରମ୍ବାର ଓଡ଼ିଶା ସୀମାରେ ଅନୁପ୍ରବେଶ କରୁଛି ଆନ୍ଧ୍ର । ମଙ୍ଗଳବାର ଆନ୍ଧ୍ରର କିଛି ରାଜସ୍ବ ଅଧିକାରୀ ଗଜପତି ଜିଲ୍ଲା ଗଙ୍ଗାବାଡ ପଞ୍ଚାୟତ ମାଣିକପାଟଣା ଅଞ୍ଚଳରେ ପହଞ୍ଚି ଓଡିଶାର ଜାଗା ମାପଚୁପ କରିଥିଲେ । ଏହାକୁ ସ୍ଥାନୀୟ ଲୋକ ବିରୋଧ କରିବାରୁ ସେମାନଙ୍କୁ ଆନ୍ଧ୍ର ଅଧିକାରୀମାନେ ହତ୍ୟା ଧମକ ଦେଇଥିବା ଅଭିଯୋଗ ହୋଇଛି । ଅଧିକ ପଢ଼ନ୍ତୁ

ଓଡିଶା ଜମି ମାପିଲେ ଆନ୍ଧ୍ର ଅଧିକାରୀ
ଓଡିଶା ଜମି ମାପିଲେ ଆନ୍ଧ୍ର ଅଧିକାରୀ

ଓଡିଶା ଜମି ମାପିଲେ ଆନ୍ଧ୍ର ଅଧିକାରୀ

ଗଜପତି: ପୁଣି ସୀମାରେ ଅନୁପ୍ରବେଶ କରି ଓଡିଶା ଜମିକୁ ମାପଚୁପ କରିଛନ୍ତି ଆନ୍ଧ୍ର ଅଧିକାରୀ । ବାରମ୍ବାର ଆନ୍ଧ୍ର ସରକାର ଏଭଳି ଦାଦାଗିରି ପ୍ରଦର୍ଶନ କରିଆସୁଥିଲେ ମଧ୍ୟ ପ୍ରଶାସନ ଏବଂ ସରକାର କୌଣସି ଠୋସ୍ ପଦକ୍ଷେପ ଗ୍ରହଣ କରୁନଥିବା ବେଳେ ସୀମାକୁ ସୁରକ୍ଷା ଦେଇଆସୁଛନ୍ତି ସ୍ଥାନୀୟ ଲୋକେ । ଆନ୍ଧ୍ର ଦାଦାଗିରିର ପ୍ରତିବାଦ କରୁଥିବା ସ୍ଥାନୀୟ ଲୋକଙ୍କୁ ବିଭିନ୍ନ ପ୍ରକାର ଧମକଚମକ ଦେବାକୁ ମଧ୍ୟ ପଛାଉନାହାନ୍ତି ଆନ୍ଧ୍ର ଅଧିକାରୀ । ଗତକାଲି ମଧ୍ୟ ସେହି ସମାନ କଥା ଦେଖିବାକୁ ମିଳିଛି । ଆନ୍ଧ୍ର ଅଧିକାରୀମାନେ ଓଡିଶା ସୀମାରେ ଅନୁପ୍ରବେଶ କରି ଜମିକୁ ମାପଚୁପ କରୁଥିବା ବେଳେ ସ୍ଥାନୀୟ ଲୋକେ ପ୍ରତିବାଦ କରିଥିଲେ । ଏହି ସମୟରେ ପ୍ରତିବାଦକାରୀଙ୍କୁ ଆନ୍ଧ୍ର ଅଧିକାରୀମାନେ ଜୀବନରୁ ମାରିଦେବାକୁ ଧମକ ଦେଇଥିବା ଅଭିଯୋଗ ହୋଇଛି । ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି କଂଗ୍ରେସ ନେତା ବିଜୟ ପଟ୍ଟନାୟକ ।

ଗଜପତି ଜିଲ୍ଲା ରାୟଗଡ ବ୍ଲକ ଅଧିନ ଗଙ୍ଗାବାଡ ପଞ୍ଚାୟତର ଅଧିକାଂଶ ଗାଁକୁ ନିଜ କବଜାକୁ ନେବା ପାଇଁ ଦୀର୍ଘଦିନ ହେଲା ପ୍ରୟାସ କରିଆସୁଛି ଆନ୍ଧ୍ର । ଏଥିପାଇଁ ଅନେକ ଥର ସୀମାରେ ଅନୁପ୍ରବେଶ କରି ଓଡିଶାର ଲୋକଙ୍କୁ ବିଭିନ୍ନ ପ୍ରକାର ପ୍ରଲୋଭନ ଦେଖାଇବା ସହ କିଛି ଯୋଜନାରେ ସାମିଲ କରାଇ ନିଜ ଆଡକୁ ନେବା ପାଇଁ ପ୍ରୟାସ କରିଛନ୍ତି ଆନ୍ଧ୍ର ଅଧିକାରୀ । ଏହି ଅଞ୍ଚଳର ଲୋକଙ୍କୁ ନିଜର ଭୋଟ କରାଇ ନେଇଥିବା ଆନ୍ଧ୍ର ସରକାର ଏବେ ସେମାନଙ୍କୁ ଜାଗା ଦେବାକୁ ପ୍ରତିଶୃତି ଦେଇଛନ୍ତି । ମଙ୍ଗଳବାର ସକାଳେ ଆନ୍ଧ୍ରର କିଛି ରାଜସ୍ବ ଅଧିକାରୀ ଗଙ୍ଗାବାଡର ମାଣିକପାଟଣା ଅଞ୍ଚଳରେ ପହଞ୍ଚି ଓଡିଶାର ଜାଗା ମାପଚୁପ କରିଥିଲେ । ଏହାକୁ ଦେଖିବା ପରେ ସ୍ଥାନୀୟ ଲୋକେ ଏହାର ପ୍ରତିବାଦ କରି ଏହା ଓଡିଶାର ଜମି ବୋଲି କହିଥିଲେ ।

ଏହାକୁ ନେଇ ଉଭୟ ଗୋଷ୍ଠୀ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ତେବେ ଲୋକଙ୍କ ବିରୋଧକୁ ଦୃଷ୍ଟିରେ ରଖି ଆନ୍ଧ୍ର ଅଧିକାରୀମାନେ ପଛଘୁଞ୍ଚା ଦେଇଥିଲେ ମଧ୍ୟ ପ୍ରତିବାଦକାରୀଙ୍କୁ ଜୀବନରେ ମାରିଦେବାକୁ ଧମକ ଦେଇଥିବା ସ୍ଥାନୀୟ ଲୋକେ କହିଛନ୍ତି । ଦୀର୍ଘଦିନ ହେଲା ଗଜପତି ଜିଲ୍ଲା ପ୍ରଶାସନ ଏହି ଅଞ୍ଚଳ ଲୋକଙ୍କୁ ଜମି ଯୋଗାଇ ଦେବାକୁ ପ୍ରତିଶୃତି ଦେଇଥିଲେ ମଧ୍ୟ ଆଜି ଯାଏଁ ତାହା ପୂରଣ ହୋଇପାରିନାହିଁ । ତେଣୁ ଆଜି ଏଭଳି ପରିସ୍ଥିତି ଉପୁଜିଥିବା ସ୍ଥାନୀୟ ଲୋକେ କହିଛନ୍ତି ।

ଆନ୍ଧ୍ରର ଏଭଳି ହୀନ ପ୍ରୟାସକୁ ଦମନ କରିବା ପାଇଁ ସ୍ଥାନୀୟ ପ୍ରଶାସନ କିମ୍ବା ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ଠୋସ୍ ପଦକ୍ଷେପ ଗ୍ରହଣ କରାନଯିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ବିଗତ କିଛିବର୍ଷ ମଧ୍ୟରେ ଆନ୍ଧ୍ର ଅନେକ ଥର ସୀମାରେ ଅନୁପ୍ରବେଶ କରିଛି । ଏପରିକି ଓଡିଶାର ଅଧିକାରୀଙ୍କୁ ଓଡିଶା ମାଟିରେ ଆନ୍ଧ୍ରର ମନ୍ତ୍ରୀ ଧମକ ଦେବା ମଧ୍ୟ ନଜିର ରହିଛି । ତଥାପି ସରକାର କିଛି କରିନାହାନ୍ତି । ଯାହା ଫଳରେ ଆନ୍ଧ୍ରର ସାହାସ ବଢିବାରେ ଲାଗିଛି ।

ଖବର ପାଇ ଗାରବନ୍ଧ ପୋଲିସ ଏବଂ ସ୍ଥାନୀୟ ଅଞ୍ଚଳର ରାଜସ୍ବ ନିରୀକ୍ଷକ ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ । ସେମାନେ ପହଞ୍ଚି ଜମି ମାପଚୁପ ପାଇଁ ଆସିଥିବା ଆନ୍ଧ୍ର ଅଧିକାରୀଙ୍କ ସହ କଥା ହୋଇ ଏହା ଓଡିଶାର କହିବା ପରେ ସେମାନେ ଫେରିଯାଇଥିବା ରାଜସ୍ବ ନିରୀକ୍ଷକ କହିଛନ୍ତି । ଏହାକୁ ନେଇ ପୂର୍ବତନ ମୁଖ୍ୟ ଶାସନ ସଚିବ ତଥା କଂଗ୍ରେସ ନେତା ବିଜୟ ପଟ୍ଟନାୟକ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ସେ କହିଛନ୍ତି, "ସୀମାକୁ ସୁରକ୍ଷା ଦେବାରେ ସରକାର ସମ୍ପୂର୍ଣ୍ଣ ବିଫଳ ହେବା ନିଶ୍ଚିତ ଭାବେ ଚିନ୍ତାର ବିଷୟ ।" ଅତିଶୀଘ୍ର ସେ ଏହି ଅଞ୍ଚଳ ଗସ୍ତ କରି ସେଠାକାର ସମସ୍ୟାକୁ ପରଖିବା ସହ ଏହାର ସମାଧାନ ପାଇଁ ସରକାରଙ୍କ ନିକଟରେ ଦାବି କରିବେ ବୋଲି ସେ କହିଛନ୍ତି ।

ତେବେ କେବଳ ଗଜପତି ନୁହେଁ, କୋରାପୁଟ ଜିଲ୍ଲାର କୋଟିଆ ଅଞ୍ଚଳରେ ମଧ୍ୟ ଆନ୍ଧ୍ର ସରକାରଙ୍କ ଅଧିକାରୀମାନେ ବାରମ୍ବାର ଅନୁପ୍ରବେଶ କରୁଛନ୍ତି । ଯାହାକୁ ରାଜ୍ୟ ସରକାର କିମ୍ବା ପ୍ରଶାସନ ପରିବର୍ତ୍ତେ ସ୍ଥାନୀୟ ଲୋକେ ବିରୋଧ କରୁଛନ୍ତି । ହେଲେ ଓଡିଶା ସରକାର ସବୁଦେଖି ନଦେଖିବା ଭଳି ରହିବା ପଛରେ କାରଣ କଣ ତାହା ବୁଝିବାର ବାହାରେ । ଆଜି ଏଭଳି ଘଟଣା ପରେ ସୀମା ସୁରକ୍ଷା ପାଇଁ ସରକାର ସ୍ବତନ୍ତ୍ର ଦୃଷ୍ଟି ଦେବା ପାଇଁ ବିଭିନ୍ନ ମହଲରେ ଦାବି ହୋଇଛି ।

ଇଟିଭି ଭାରତ, ଗଜପତି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.