ETV Bharat / state

Kotia Panchayat Model Village; ଆନ୍ଧ୍ର-ଓଡିଶା ଛକାପଞ୍ଝା ମଧ୍ୟରେ ଡଲିଆମ୍ବରେ ପହଞ୍ଚିଛି ବିକାଶ ଗାଡି

author img

By

Published : Nov 25, 2021, 3:45 PM IST

Updated : Nov 25, 2021, 6:48 PM IST

Kotiya Panchayat Model Village
Kotiya Panchayat Model Village; ଡଲିଆମ୍ବରେ ପ୍ରବାହିତ ହେଉଛି ବିକାଶର ଧାରା

କୋଟିଆ (Kotia Panchayat) କହିଲେ, ଓଡିଶା ଓ ଆନ୍ଧ୍ର ମଧ୍ୟରେ ସୀମା ବିବାଦକୁ ନେଇ ନିତି ଚାଲିଥିବା ଟଣାଓଟରା କଥା ମନକୁ ଆସେ । ସେହି ପଞ୍ଚାୟତର ଏକ ଛୋଟ ଗାଁ ଡଲିଆମ୍ବରେ ଆନ୍ଧ୍ର ଓଡିଶା ସୀମା ବିବାଦର ଉର୍ଦ୍ଧ୍ବକୁ ଯାଇ ପ୍ରବାହିତ ହେଉଛି ବିକାଶରଧାରା । ଗ୍ରାମରେ କିଏ କରୁଛି କୁକୁଡା ଚାଷ ତ କିଏ କରୁଛି ସିଲେଇ ମେସିନ କାମ । ଅଧିକ ପଢନ୍ତୁ

କୋରାପୁଟ : ଆନ୍ଧ୍ର-ଓଡିଶା ସୀମା ବିବାଦ ପାଇଁ କୋରାପୁଟର କୋଟିଆ ପଞ୍ଚାୟତ (Kotia Panchayat) ବର୍ତ୍ତମାନ ବେଶ ଚର୍ଚ୍ଚାରେ । କୋଟିଆ ପଞ୍ଚାୟତର ଏକ ଛୋଟ ଗାଁ ଡଲିଆମ୍ବ। ଆନ୍ଧ୍ର-ଓଡିଶା ସୀମା ବିବାଦର ଉର୍ଦ୍ଧ୍ବକୁ ଯାଇ ପ୍ରବାହିତ ହେଉଛି ବିକାଶର ଧାରା । ଡଲିଆମ୍ବ ଗ୍ରାମରେ କିଏ କରୁଛି କୁକୁଡା ଚାଷ ତ କିଏ କରୁଛି ସିଲେଇ ମେସିନ କାମ । ଏ ଭଳି ଲୋଙ୍କଙ୍କ ନିକଟରେ ପହଞ୍ଚିଛି ପ୍ରଶାସନର ବିକାଶ ଧାରା । ଲୋକଙ୍କ ପାଖକୁ ଜୀବିକା ତଥା ରୋଜଗାରକ୍ଷମ କରିବା ପାଇଁ ପ୍ରଚେଷ୍ଟା ଆରମ୍ଭ କରିଛି ଜିଲ୍ଲା ପ୍ରଶାସନ ।

ଆନ୍ଧ୍ର-ଓଡିଶା ଛକାପଞ୍ଝା ମଧ୍ୟରେ ଡଲିଆମ୍ବରେ ପହଞ୍ଚିଛି ବିକାଶ ଗାଡି

ଗାଁର ଯୁବକ ରାଜେଶ ନାଗ ଦିଲ୍ଲୀରେ ଚାକିରୀ ଛାଡ଼ି ଏବେ ନିଜ ଗାଁ ବିକାଶ ପାଇଁ ସଂକଳ୍ପ ନେଇଛନ୍ତି । ଗ୍ରାମର ପ୍ରତ୍ୟେକ ପିଲା ପାଠ ପଢିବେ, ସ୍ବାସ୍ଥ୍ୟସେବା ପାଇବେ, ପାହାଡ ଉପରୁ ଆସୁଥିବା ଜଳଧାରାକୁ କିପରି ଚାଷ କାର୍ଯ୍ୟରେ ବିନିଯୋଗ ହୋଇପାରିବ , ଗ୍ରାମବାସୀ କିପରି ସ୍ୱାବଲମ୍ବୀ ହୋଇପାରିବେ ଏବଂ ଓଡିଶା ଓ ଆନ୍ଧ୍ରପ୍ରଦେଶ ତରଫରୁ କରାଯାଇଥିବା ବିଜୁଳି ସଂଯୋଗର ସଠିକ ବିନିଯୋଗ କରିହେବ, ସେ ଦିଗରେ ନିଜକୁ ସମ୍ପୂର୍ଣ୍ଣ ରୂପେ ସମର୍ପିତ କରିଛନ୍ତି । ତାଙ୍କ ସହିତ ଏହି ସ୍ବପ୍ନକୁ ସାକାର କରିବା ପାଇଁ ଦାମନଯୋଡି ନିକଟସ୍ଥ ଲିଟିଗୁଡା ବିଦ୍ୟାଳୟରୁ ଦଶମ ଶ୍ରେଣୀରେ କୃତକାର୍ଯ୍ୟ ହୋଇଥିବା ଲକ୍ଷ୍ମୀ ସହଯୋଗ ବଢାଇଛନ୍ତି । ସେ ଦଶମ ପାସ ପରେ ଗ୍ରାମ ଛାଡିଥିଲେ । ସାଙ୍ଗସାଥୀଙ୍କ ସହ ମିଶି ଗାଁ କଥା ଚିନ୍ତା କରିବା ସହ ପିଲାଏ କିପରି ଦୁଇ ଅକ୍ଷର ଶିଖିବେ ସେ ନେଇ ଯୋଜନା କରିଥିବା ଲକ୍ଷ୍ମୀ କହିଛନ୍ତି । ସେମାନଙ୍କ ସଂକଳ୍ପକୁ ସାକାର କରିବା ପାଇଁ ବର୍ତମାନ କୋରାପୁଟ ଜିଲ୍ଲାପ୍ରଶାସନର ବିକାଶମୂଳକ ପ୍ରସ୍ତୁତି ସହଯୋଗ କରିଛି ।

ଗ୍ରାମବାସୀଙ୍କ ଭିତରେ ବିକଶିତ ହୋଇଉଠିବାର ଇଚ୍ଛା ସାଙ୍ଗକୁ ରାଜେଶ , ଅନୀଲ , ଜନ ଓ ପାର୍ଥଙ୍କ ଭଳି ଉଦୀୟମାନ ଯୁବକଙ୍କ ନେତୃତ୍ବ ଜିଲ୍ଲା ପ୍ରଶାସନକୁ ବହୁମାତ୍ରାରେ ସହଯୋଗ କରିଛି ବୋଲି ଆଇଟିଡିଏର ପ୍ରକଳ୍ପ ପରିଚାଳକ ସତ୍ୟରଞ୍ଜନ ମହାନ୍ତି ଜଣାଇଛନ୍ତି । ଗାଁରେ ସୁମିତ୍ରା ଭଳି ପାଞ୍ଚ ଜଣ ମହିଳାଙ୍କୁ ସିଲେଇ ମେସିନ ଦିଆଯାଇଥିବା ବେଳେ ଆଗ୍ରହୀ ପରିବାରକୁ ଛେଳି ଓ କୁକୁଡ଼ା ଚାଷ କରିବା ପାଇଁ ସହଯୋଗ କରାଯାଇଛି । ଓଡିଶା ସରକାରଙ୍କ ଦ୍ବାରା ଦିଆଯାଇଥିବା ସୋଲାର ବତୀରେ ସମଗ୍ର ଗାଁ ବର୍ତ୍ତମାନ ହସି ଉଠୁଛି ।

ଗ୍ରାମବାସୀଙ୍କ ମଧ୍ୟରେ ଆଗକୁ ବଢ଼ିବାରେ ଆଗ୍ରହକୁ ଦେଖି ଡ଼ଲିଆମ୍ବରେ ଷ୍ଟ୍ରବେରୀ ଚାଷ କରିବା ପାଇଁ ପଦକ୍ଷେପ ନିଆଯାଇଛି । ଗ୍ରାମବାସୀଙ୍କ ଦ୍ଵାରା 5 ଏକର ପ୍ରସ୍ତୁତ କରାଯାଇଥିବା ଜମିରେ ଆରାକୁ ଅଞ୍ଚଳର ସଫଳ ଷ୍ଟ୍ରବେରୀ ଚାଷୀଙ୍କ ତତ୍ୱାବଧାନରେ ଆଉ କିଛିଦିନ ମଧ୍ୟରେ ଚାଷ ଆରମ୍ଭ କରାଯିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରିଛନ୍ତି ।

ଡ଼ଲିଆମ୍ବ ଗାଁରେ ଲୋକଙ୍କ ସହଯୋଗରେ ବିକାଶରଧାରାକୁ ଶକ୍ତ କରିବା ପାଇଁ ଜିଲ୍ଲା ପ୍ରଶାସନ ସମସ୍ତ ସହଯୋଗ କରିବ ବୋଲି ଜିଲ୍ଲାପାଳ ଅବଦଲ ଅକ୍ତର କହିଛନ୍ତି । ଡ଼ଲିଆମ୍ବ କୋଟିଆ ପଞ୍ଚାୟତରେ ବିକାଶର ଏକ ସଫଳ ନମୁନା ହୋଇ ଅନ୍ୟ ଗ୍ରାମର ଅଧିବାସୀଙ୍କୁ ମଧ୍ୟ ଅନୁପ୍ରାଣିତ କରିବ ବୋଲି ଜିଲ୍ଲାପାଳ କହିଛନ୍ତି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

Last Updated :Nov 25, 2021, 6:48 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.